Unknown

 

 

 

 

 

 

 

 

 

୧୭୪ତମ ସଂଖ୍ୟା କୋଣାର୍କ ୨୦୧୪

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

୧୭୪ତମ ସଂଖ୍ୟା

(ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର–୨୦୧୪)

 

ଉପଦେଷ୍ଟା

ଶ୍ରୀ ସାତକଡ଼ି ହୋତା

 

ସମ୍ପାଦକମଣ୍ଡଳୀ

ଶ୍ରୀ ଗିରି ଦଣ୍ଡସେନା

ଡକ୍ଟର ବିଜୟାନନ୍ଦ ସିଂହ

ଡକ୍ଟର ଅରବିନ୍ଦ ରାୟ

 

ପରିଚାଳନା ସମ୍ପାଦକ

ଶ୍ରୀ ବିଷ୍ଣୁପ୍ରସାଦ ମିଶ୍ର

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ଭୁବନେଶ୍ଵର-୭୫୧୦୧୪

ଫୋନ୍/ଫାକ୍ସ : ୦୬୭୪-୨୪୩୧୮୪୦

 

ଏକାଡେମୀକର୍ତ୍ତୃକ ସର୍ବସ୍ଵତ୍ୱାଧିକାର ସଂରକ୍ଷିତ ।

ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ଵ

 

ମୁଦ୍ରଣ

ଓଡ଼ିଶା ପ୍ରିଣ୍ଟିଂ ୱାର୍କ୍ସ

ମହମ୍ମଦିଆ ବଜାର, କଟକ-୭୫୩୦୦୨

ମୂଲ୍ୟ : ଟ. ୩୦.୦୦ (ତିରିଶ ଟଙ୍କା ମାତ୍ର)

ବାର୍ଷିକ ଗ୍ରାହକ ଦେୟ ଟ. ୧୫୦.୦୦ (ଏକଶହ ପଚାଶ ଟଙ୍କା ମାତ୍ର)

 

KONARK

A quarterly Literary Journal

Published by

ODISHA SAHITYA AKADEMI

Sanskruti Bhawan, Bhubaneswar-751014

Issue Price : Rs. 30.00 (Rupees Thirty only)

Annual Subscription : Rs. 150.00 (Rupees One hundred fifty only)

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ଵତ ପତ୍ରିକାର ସ୍ଵତ୍ୱ ଆଦି ସମ୍ବନ୍ଧୀୟ ବିବରଣୀ ।

 

 

ଚତୁର୍ଥ ପ୍ରପତ୍ର (ନିୟମ–୮ ଦ୍ରଷ୍ଟବ୍ୟ)

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ.୩୦.୦୦ (ତିରିଶ ଟଙ୍କା)

୬.

ପ୍ରକାଶକଙ୍କ ନାମ

ଶ୍ରୀ ବିଷ୍ଣୁପ୍ରସାଦ ମିଶ୍ର

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ଭୁବନେଶ୍ୱର

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଜଗଦୀଶ ପଣ୍ଡା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ପ୍ରିଣ୍ଟିଂ ଓ୍ଵାର୍କ୍ସ

 

 

ମହମ୍ମଦିଆ ବଜାର, କଟକ

୮.

ସମ୍ପାଦକଙ୍କ ନାମ

ଶ୍ରୀ ବିଷ୍ଣୁପ୍ରସାଦ ମିଶ୍ର

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ଭୁବନେଶ୍ୱର-୧୪

ମୁଦ୍ରଣ ସ୍ଥାନ

ଓଡ଼ିଶା ପ୍ରିଣ୍ଟିଂ ଓ୍ଵାର୍କ୍ସ

 

 

ମହମ୍ମଦିଆ ବଜାର, କଟକ

୧୦.

ସ୍ୱତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ସଂସ୍କୃତି ଭବନ, ରାଜ୍ୟ

ସଂଗ୍ରହାଳୟ ପରିସର

 

 

ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ବିଷ୍ଣୁପ୍ରସାଦ ମିଶ୍ର, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତତ୍‍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ ।

 

 

ବିଷ୍ଣୁପ୍ରସାଦ ମିଶ୍ର

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ସୂଚୀ

ସଂପାଦକୀୟ

୧.

ଶ୍ରୀଜଗନ୍ନାଥ : ଓଡ଼ିଶୀ ଧର୍ମଧାରଣା

ପୂର୍ଣ୍ଣେନ୍ଦୁ କୁମାର ନନ୍ଦ

୨.

ଉତ୍କଳରେ ଶୁଦ୍ଧା ଭକ୍ତିଧାରାରେ

ରାୟରାମାନନ୍ଦଙ୍କ ଭୂମିକା

ଡକ୍ଟର ନଗେନ୍ଦ୍ର ନାଥ ପ୍ରଧାନ

୩.

ବଳରାମ ଦାସଙ୍କ କୃତିରେ ଶ୍ରୀଜଗନ୍ନାଥ

ଡକ୍ଟର ବୀଣାପାଣି ସିଂହ

୪.

ବିସ୍ମୟାବହ ଶ୍ରୀଜଗନ୍ନାଥ

ଦୁର୍ଗାମାଧବ ନନ୍ଦ

୫.

ଶ୍ରୀମନ୍ଦିର ଓ ପୁରୀର ମନ୍ଦିର ସଂସ୍କୃତି

ପ୍ରଭାତ କୁମାର ସାହୁ

୬.

ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକୃତିରେ ଶ୍ରୀଜଗନ୍ନାଥ

ଅର୍ଚ୍ଚନା ଆଚାର୍ଯ୍ୟ

୭.

ଶ୍ରୀଜଗନ୍ନାଥ ଓ ରକ୍ତବାହୁ ଉପାଖ୍ୟାନ

ଡକ୍ଟର ହରିହର କାନୁନ୍‌ଗୋ

୮.

ଗୀତରେ ଶ୍ରୀ ଜଗନ୍ନାଥ

ଡକ୍ଟର ରବିନାରାୟଣ ମହାରଣା

 

ସଂପାଦକୀୟ

ସାହିତ୍ୟରେ ସାଂପ୍ରତିକ ସମୀକ୍ଷା

 

ସାହିତ୍ୟ ଲେଖକ ପ୍ରାଣର ମର୍ମଲିପି । ଏକ ହୃଦୟ ସହିତ ଅନ୍ୟ ଏକ ହୃଦୟର ମିଳନରେ ଏକ ଯୋଗସୂତ୍ର । ଲେଖକ ଜୀବନର ଅଭିଜ୍ଞତା, ଚିନ୍ତା ଚେତନା, ଜୀବନର ଉତ୍‌ଥାନ ପତନ, ସମାଜିକ ଗତିବିଧିକୁ ଭାଷା ମାଧ୍ୟମରେ ଅଭିବ୍ୟକ୍ତ କରିଥାଏ ସାହିତ୍ୟ । ତେଣୁ ସାହିତ୍ୟ ହୋଇଯାଇଛି ସମାଜର ପ୍ରତିନିଧି । ବିଚାର ବିଶ୍ଳେଷଣ, ତଥ୍ୟାଲୋଚନା, ପ୍ରଯୋଗାତ୍ମକ କୌଶଳ, ପରିବେଷଣରେ ଧୀମତ୍ତା ଭିତରେ ଲେଖକୀୟ ଦାୟବଦ୍ଧତା ମଧ୍ୟ ଏଥିରେ ଯଥାର୍ଥ ଭାବରେ ପ୍ରକାଶ ପାଏ । ପରିଚିତ ପୃଥିବୀର ନାନାରୂପ, ବିବର୍ତ୍ତିତ ସମାଜର ଘଟ-ଘଟାନ୍ତର, ପରମ୍ପରା ଐତିହ୍ୟର ମୂଲ୍ୟାୟନ, ସର୍ବୋପରି ପ୍ରଚଳିତ ମୂଲ୍ୟବୋଧର ପୁଙ୍ଖାନୁପୁଙ୍ଖ ପରିଚର୍ଚ୍ଚା ସାହିତ୍ୟର ପରିଧିରେ ପରୀକ୍ଷିତ ହୋଇଥାଏ । ସାହିତ୍ୟ ହେଉଛି ଏକ ଜୀବନ-ବିଦ୍ୟାଳୟ । ଯହିଁରେ ବହୁ ଶିକ୍ଷା-ସୋପାନ ଦେଇ ମହତ୍ତର ମୂଲ୍ୟବୋଧ ଓ ଜାତି ଜୀବନକୁ ପର୍ଯ୍ୟାୟକ୍ରମେ ଶିକ୍ଷା କରାଯାଇପାରେ । ସେଥିପାଇଁ ସମାଜର ମୁଖପତ୍ର ଭାବରେ ସାହିତ୍ୟକୁ ଗ୍ରହଣ କରାଯାଇଛି ।

 

ସାହିତ୍ୟ ସମାଜର ଏକ ସୁନ୍ଦରତମ ସୃଷ୍ଟି । ସାମାଜିକ କଲ୍ୟାଣ ସାହିତ୍ୟର ଅଭୀପ୍‌ସା । ଭାବ ଓ ଚେତନାର ବିନିମୟର ଏକ ସାର୍ଥକ ଇସ୍ତାହାର ସାହିତ୍ୟ । ସାହିତ୍ୟ ଭିତରେ ଥାଏ ଜୀବନ ଓ ସମାଜର ବାସ୍ତବ ରୂପ । ସେଥିପାଇଁ ଯୁଗେ ଯୁଗେ ସାହିତ୍ୟ ଆଦରଲାଭ କରିଛି । ସମାଜ ସହିତ ତାଳଦେଇ ସାହିତ୍ୟ ଗତି କରିଛି । ଯଥାର୍ଥ ଭାବରେ ସାହିତ୍ୟହିଁ କହିଛି ସମାଜର କଥା । ସମାଜ ଖୋଜିଛି ସାହିତ୍ୟକୁ । ସମାଜର ବିଭିନ୍ନ ସମୟର ଚିତ୍ର ଉତ୍ତୋଳିତ ହୋଇଛି ସାହିତ୍ୟର ଚିତ୍ରପଟ୍ଟରେ ।

 

ସାହିତ୍ୟରେ ସମୀକ୍ଷା ଓ ମୂଲ୍ୟାୟନର ଆବଶ୍ୟକତା ରହିଛି । ସମୀକ୍ଷା ବା ମୂଲ୍ୟାୟନ ସାହିତ୍ୟର ଅସଲ ଦିଗକୁ ଚିହ୍ନିତ କରିଥାଏ । ସାହିତ୍ୟର ଉତ୍କର୍ଷ ଭାବକୁ ପ୍ରଦର୍ଶିତ କରାଇବାରେ ଆଲୋଚନା-ସମାଲୋଚନା ଯଥାର୍ଥ ଭାବଭୂମି । ସମୀକ୍ଷା ଯେତେ ନିରପେକ୍ଷ ଓ ବିଚାରଶୀଳ ହେବ ସାହିତ୍ୟର ମୂଲ୍ୟଗତ ଦିଗ ସେତିକି ପ୍ରସାରିତ ଓ ବ୍ୟାପକ ହେବ । କାବ୍ୟ-କବିତା, ଗଳ୍ପ-ଉପନ୍ୟାସରେ ସ୍ରଷ୍ଟାର ଭାବ-ଆବେଗର ପ୍ରବାହ ଉପଲବ୍ଧ । ଏହି ଆବେଗ ଓ ଆତ୍ମିକ ଭାବକୁ ଚିହ୍ନିତ କରେ ସମୀକ୍ଷା ବା ଆଲୋଚନା । ସୃଷ୍ଟି ସମୀକ୍ଷା ସୃଷ୍ଟିକୁ ଯଥୋଚିତ ସ୍ଥାନ ଦେବାରେ ସହାୟକ ହୋଇଥାଏ । ସେହି ଦୃଷ୍ଟିକୋଣରୁ ସମୀକ୍ଷକ, ପ୍ରାବନ୍ଧିକ, ସମାଲୋଚକ, ଗବେଷକମାନଙ୍କର ଏକ ଗୁରୁଦାୟିତ୍ୱ ରହିଛି । ସାହିତ୍ୟର ବିକାଶ, ସୁରକ୍ଷା ଓ ଅଭିବୃଦ୍ଧିରେ ପ୍ରାବନ୍ଧିକମାନଙ୍କର ଭୂମିକା ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ । ପ୍ରାବନ୍ଧିକ ଓ ସମୀକ୍ଷକ ସୃଷ୍ଟିକୁ ଗଭୀର ଭାବରେ ଅନୁଶୀଳନ କରିବା ପରେ ତା’ର ବାସ୍ତବ ସ୍ଥିତିକୁ ନିଷ୍ଠାପର ଭାବରେ ପରଖିଲେ ଆଲୋଚନା ବା ସମୀକ୍ଷା ମୌଳିକ ସାହିତ୍ୟ ପରି ଆଉ ଏକ ଉତ୍ତୀର୍ଣ୍ଣ ସୃଷ୍ଟିର ଅପେକ୍ଷା ରଖିବ । ସେଥିପାଇଁ ସାହିତ୍ୟରେ ସମୀକ୍ଷକ, ଆଲୋଚକମାନଙ୍କର ମର୍ଯ୍ୟାଦା ବେଶୀ । ସ୍ରଷ୍ଟା ଚାହେଁ ତା’ ସୃଷ୍ଟିର ନିରପେକ୍ଷ ସର୍ବେକ୍ଷଣ ।

 

ସମ୍ପ୍ରତି ଓଡ଼ିଆ ସାହିତ୍ୟରେ ସମୀକ୍ଷା ବା ଆଲୋଚନା ଦିଗଟି ଯେତେ ବିସ୍ତାରିତ ହେବା କଥା, ତାହା ହୋଇପାରି ନାହିଁ । ସାହିତ୍ୟର ଏହି ବିଶେଷ ବିଭାଗ ପ୍ରତି ଗବେଷକମାନେ ଯେପରି ଦୃଷ୍ଟି ଦେବା କଥା, ତାହା ଦେଇପାରୁନାହାନ୍ତି । ଫଳତଃ ଲେଖକମାନେ ଉପଯୁକ୍ତ ନ୍ୟାୟରୁ ବଞ୍ଚିତ ହେଉଛନ୍ତି । ପ୍ରବନ୍ଧ ଓ ସମୀକ୍ଷା ସହଜସାଧ୍ୟ ନୁହେଁ । ସେଥିପାଇଁ ପ୍ରାବନ୍ଧିକମାନେ ବିଚାର ବିମର୍ଶ କରିବାର ଆବଶ୍ୟକତା ରହିଛି । ବିଶେଷ ଭାବରେ ତରୁଣ ବା ଯୁବ ଲେଖକମାନେ ସାହିତ୍ୟର ଏହି ମହନୀୟ ବିଭାଗର ବିକାଶ ଲାଗି ଆନ୍ତରିକ ଉଦ୍ୟମ କରନ୍ତୁ ଏବଂ ନବସୃଷ୍ଟିର ମୂଲ୍ୟାୟନରେ ପ୍ରୟାସୀ ହୁଅନ୍ତୁ ।

 

‘କୋଣାର୍କ’ର ଚଳିତ ସଂଖ୍ୟାଟି ବିଭିନ୍ନ ପ୍ରସଙ୍ଗକୁ ନେଇ ଆତ୍ମପ୍ରକାଶ କରିଛି । ଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ିଉଠିଥିବା ଓଡ଼ିଶୀ ଧର୍ମଧାରଣା ସମ୍ପର୍କରେ ଆଲୋଚନା ହେବାସହ ରାୟରାମାନନ୍ଦଙ୍କ ଭୂମିକା ପର୍ଯ୍ୟାଲୋଚନା କରାଯାଇଛି । ବଳରାମ ଦାସଙ୍କ କୃତିରେ ଶ୍ରୀ ଜଗନ୍ନାଥ କିପରି ଆତ୍ମପ୍ରକାଶ କରିଛନ୍ତି ତାହାକୁ ଚିହ୍ନିତ କରିବା ସହ ଅଲୌକିକ କାହାଣୀର ନାୟକ ଶ୍ରୀଜଗନ୍ନାଥଙ୍କୁ ନେଇ ରଚିତ ହୋଇଛି ଅନ୍ୟ ଏକ ପ୍ରବନ୍ଧ । ଶ୍ରୀ ମନ୍ଦିର ଓ ତତ୍‌ସଂଲଗ୍ନ ମନ୍ଦିରର ସୂଚନା ଏଥିରେ ସ୍ଥାନିତ ହେବା ସହ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକୃତିରେ ଶ୍ରୀଜଗନ୍ନାଥଙ୍କ ରୂପ ବିଭବକୁ ଆଲୋଚନାର ପରିସରଭୁକ୍ତ କରାଯାଇଛି । ଶ୍ରୀଜଗନ୍ନାଥଙ୍କ ପାତାଳିରେ ରକ୍ତବାହୁ ଉପାଖ୍ୟାନ ଚର୍ଚ୍ଚା କରାଯାଇଛି ଚଳିତ ସଂଖ୍ୟାରେ । କୋଣାର୍କର ଏହି ବିଶେଷାଙ୍କଟି ଜଗନ୍ନାଥ ସୃଷ୍ଟିତତ୍ତ୍ୱର ସମୀକ୍ଷା ଓ ଆଲୋଚନାରେ ସୀମିତ ହୋଇଛି ।

 

 

ସଂପାଦକମଣ୍ଡଳୀ ତରଫରୁ

ବିଜୟାନନ୍ଦ ସିଂହ

 

***

 

ଶ୍ରୀଜଗନ୍ନାଥ : ଓଡ଼ିଶୀ ଧର୍ମଧାରଣା

ପୂର୍ଣ୍ଣେନ୍ଦୁ କୁମାର ନନ୍ଦ

 

ବହୁ ପ୍ରାଚୀନ କାଳରୁ ଓଡ଼ିଶା ଓ ଶ୍ରୀଜଗନ୍ନାଥ ପରସ୍ପର ଅଭିନ୍ନରୂପେ ପରିଚିତ ହୋଇଆସିଛନ୍ତି । ଭାରତର ଅନ୍ୟାନ୍ୟ ରାଜ୍ୟରେ ଓ ଭାରତ ବାହାରେ ଓଡ଼ିଶା କହିଲେ ଶ୍ରୀଜଗନ୍ନାଥ ଦେଶକୁ ବୁଝାଏ । ଏହାର କାରଣ ବହୁ କାଳରୁ ଉତ୍କଳର ରାଜନୀତି, ଅର୍ଥନୀତି ଓ ସାମାଜିକ ଚଳଣି ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ନିୟନ୍ତ୍ରିତ ହୋଇଆସିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ପ୍ରତ୍ୟେକ ଧର୍ମଧାରଣା ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଗଢ଼ି ଉଠିଛି । ଏପରିକି ଶ୍ରୀଜଗନ୍ନାଥଙ୍କ ବିନା ଉତ୍କଳୀୟ ଧର୍ମଧାରଣାର ଅସ୍ତିତ୍ୱ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ ।

 

ଓଡ଼ିଆ ଜୀବନରେ ଶ୍ରୀଜଗନ୍ନାଥ :

ଓଡ଼ିଆ ଜୀବନ ଜଗନ୍ନାଥପ୍ରାଣତାପାଇଁ ସର୍ବଦା ବ୍ୟାକୁଳିତ ହୋଇଆସିଛି । ଭୋଗ, ଐଶ୍ୱର୍ଯ୍ୟ ଓ ବସ୍ତୁବାଦର ଉତ୍କର୍ଷ ସତ୍ତ୍ୱେ ସକଳ ଉତ୍କଳୀୟଙ୍କ ମନରେ ପରମାରାଧ୍ୟ ଦାରୁବ୍ରହ୍ମଙ୍କପାଇଁ ଏକ ଅନ୍ତର୍ମୁଖୀ ଭକ୍ତି ଓ ଶ୍ରଦ୍ଧା ସର୍ବଦା ଜାଗ୍ରତ ରହିଥାଏ । କେହି କେହି ଏହି ଜଗନ୍ନାଥପ୍ରାଣତାକୁ ପାଥେୟ କରି ଦେଶ ବିଦେଶରେ ଜଗନ୍ନାଥଙ୍କ ମହିମା ପ୍ରଚାରରେ ବ୍ରତୀ ରହିଥାନ୍ତି । କିନ୍ତୁ ବାସ୍ତବରେ ପ୍ରତି ଜଗନ୍ନାଥ ପ୍ରେମୀ ଭକ୍ତ ମଧ୍ୟରେ ତାଙ୍କର ଆତ୍ମୀୟତା ଲାଭପାଇଁ ଏକ ଦୃଢ଼ ଅଭୀପ୍ସା ରହିଥାଏ । ଭକ୍ତ ଓ ଭଗବାନ୍‌ଙ୍କ ସମ୍ପର୍କରେ ଆତ୍ମୀୟତାର ଆଧିକ୍ୟ ଫଳରେ ଭକ୍ତର ପ୍ରାର୍ଥନା ସଫଳ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଜଗତର ଯନ୍ତ୍ରଣାରୁ ମୁକ୍ତିପାଇଁ ବହୁ କବି ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ମୃଗୁଣୀ ସ୍ତୁତି, ଗଜେନ୍ଦ୍ର ମୋକ୍ଷଣ, ବିଭୀଷଣଙ୍କର ଶରଣାଗତି, ଦ୍ରୌପଦୀଙ୍କର ଲଜ୍ଜାନିବାରଣ ପ୍ରଭୃତି ବହୁ ଉପମାର ଅବତାରଣା କରି ଅନେକ ଓଡ଼ିଆ କବି ସଂସାର ସାଗରରୁ ଉଦ୍ଧାର ପାଇବାପାଇଁ ଜଗନ୍ନାଥଙ୍କୁ ଜଣାଣ ଓ ସ୍ତୁତି ମାଧ୍ୟମରେ ପ୍ରାର୍ଥନା କରିଆସିଛନ୍ତି । ଏଥିରୁ ଜଣାଯାଏ ଯେ ବହୁକାଳରୁ ଭକ୍ତମାନଙ୍କର ଉପଲବ୍ଧି ହୋଇଛି ଯେ ଯନ୍ତ୍ରଣା, ଦୁଃଖ, ରୋଗ, ଶୋକ ଓ ସମସ୍ୟାବହୁଳ ଜୀବନରେ କେବଳ ସେହି ପତିତପାବନ, ଆର୍ତ୍ତତ୍ରାଣ, ଦୀନବନ୍ଧୁ, ଅନାଥର ନାଥ ଜଗନ୍ନାଥହିଁ ଏକମାତ୍ର ତ୍ରାଣକର୍ତ୍ତା ଓ ତାଙ୍କ କୃପା ବିନା ଭବସାଗରରୁ ଉଦ୍ଧାର ପାଇବା ସହଜ ନୁହେଁ-

 

ସାମାଜିକ ଜୀବନରେ ଶ୍ରୀଜଗନ୍ନାଥ :

ସାମାଜିକ ଜୀବନରେ ମଧ୍ୟ ପ୍ରତି ଓଡ଼ିଆର ଜନ୍ମଠାରୁ ଉପନୟନ, ବିବାହ. ସାମାଜିକ ସମ୍ପର୍କ, ମାଙ୍ଗଳିକ କର୍ମ ଓ ପରିଶେଷରେ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ସେହି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆଶ୍ରୟ କରାଯାଇଆସୁଛି । ଅନେକ ଓଡ଼ିଆ ପରିବାରରେ ଶିଶୁଟିଏ ଜନ୍ମ ହେବା ପରେ ତାକୁ ବାଇଶି ପାହାଚରେ ପହଞ୍ଚାଇ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରାଯାଏ-। ବିବାହର ନିର୍ବନ୍ଧ ଅଙ୍ଗୀକାର ନୀତି ବେଳେ ମାହାର୍ଦ ସମର୍ପଣ ସହ ଶ୍ରୀଜଗନ୍ନାଥଙ୍କୁ ସାକ୍ଷୀ ରଖାଯାଏ । ବିବାହ, ବ୍ରତ ଇତ୍ୟାଦି ପୂର୍ବରୁ ପ୍ରଥମେ ଗୁଆ, ମାହାର୍ଦ ଦେଇ ଶ୍ରୀଜଗନ୍ନାଥଙ୍କୁ ସକଳ ମଙ୍ଗଳପାଇଁ ନିମନ୍ତ୍ରଣ କରାଯାଏ । ନୂତନ ଗୃହ ନିର୍ମାଣ, ଜଳାଶୟ ଖନନ, କୃଷିକର୍ମ ଅନୁକୂଳ, ବ୍ୟବସାୟ ଆରମ୍ଭ, ବିଭିନ୍ନ ଦେବଦେବୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପ୍ରଭୃତି ସକଳ ଶୁଭ କର୍ମରେ ଶ୍ରୀଜଗନ୍ନାଥଙ୍କ କରୁଣା ଲାଭପାଇଁ ପ୍ରତ୍ୟେକ ଓଡ଼ିଆ ତତ୍ପର ହୋଇଥାଏ । ଏପରିକି ଅନ୍ତିମ ସମୟରେ ମୁକ୍ତିଲାଭ ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରସ୍ଥ ସ୍ଵର୍ଗଦ୍ୱାରରେ ଅନ୍ତିମ ସଂସ୍କାରପାଇଁ ପ୍ରାୟ ପ୍ରତି ଓଡ଼ିଆ ଆଶା ରଖିଥାନ୍ତି । ଏହାର କାରଣ ଶାସ୍ତ୍ରୀୟ ମତ ଓ ଲୋକାଚାରରେ ବହୁକାଳରୁ ପ୍ରଚଳିତ ରହିଛି ଯେ ପୁରୁଷୋତ୍ତମ କ୍ଷେତ୍ରରେ ଦେହାବସାନ ଫଳରେ ମନୁଷ୍ୟ ଆଉ ପୁନର୍ଜନ୍ମ ଲାଭ କରେ ନାହିଁ । “ମୁକ୍ତି ଚିନ୍ତାମଣି” ନାମକ ଏକ କ୍ଷୁଦ୍ର ଗ୍ରନ୍ଥ ଓ ବହୁ ପୁରାଣରେ ଏ ସମ୍ପର୍କରେ ବିଶଦ ବର୍ଣ୍ଣନା ରହିଛି ।

 

ବାରମାସରେ ତେର ଯାତ୍ରା :

ଶ୍ରୀମନ୍ଦିରର ସ୍ଵତ୍ୱଲିପିରେ ବର୍ଣ୍ଣନା କରାଯାଇଥିବା ବିଭିନ୍ନ ଯାତ୍ରା ଓ ଉପଯାତ୍ରାମାନଙ୍କଦ୍ୱାରା ବର୍ଷସାରା ଶ୍ରୀକ୍ଷେତ୍ର ମୁଖରିତ ରହିଥାଏ । ସ୍ନାନଯାତ୍ରା, ରଥଯାତ୍ରା, ଶୟନଯାତ୍ରା, ଦକ୍ଷିଣାୟନ ଯାତ୍ରା, ପାର୍ଶ୍ଵ ପରିବର୍ତ୍ତନ ଯାତ୍ରା, ଉତ୍‌ଥାପନ ଯାତ୍ରା, ପ୍ରାବରଣ ଷଷ୍ଠୀ, ପୁଷ୍ୟାଯାତ୍ରା, ଉତ୍ତରାୟଣ ଯାତ୍ରା, ଦୋଳଯାତ୍ରା, ଦମନକ ଯାତ୍ରା, ଚନ୍ଦନଯାତ୍ରା ଆଦି ଦ୍ୱାଦଶ ଯାତ୍ରା ସହିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିଷ୍ଠା ଦିବସ ନୀଳାଦ୍ରି ମହୋଦୟକୁ ମିଶାଇ ତ୍ରୟୋଦଶ ଯାତ୍ରା ପାଳନ କରାଯାଏ । ଏଥିସହିତ ଝୁଲଣ, ବଳଭଦ୍ର ଜନ୍ମ, ଶ୍ରୀକୃଷ୍ଣ ଜନ୍ମ, ଗଣେଶ ପୂଜା, ବାମନ ଜନ୍ମ, ଶାରଦୀୟ ଦୁର୍ଗାପୂଜା, ବିଜୟା ଦଶମୀ, କାର୍ତ୍ତିକ ପୂର୍ଣ୍ଣମୀ, ପ୍ରଥମାଷ୍ଟମୀ, ବକୁଳ ଅମାବାସ୍ୟା, ବସନ୍ତ ପଞ୍ଚମୀ, ଫଗୁ ଦଶମୀ, ରାମନବମୀ, ବିଷୁବ ସଂକ୍ରାନ୍ତି, ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା, ନୃସିଂହ ଜନ୍ମ ଇତ୍ୟାଦି ବିବିଧ ଯାତ୍ରା ଓ ପର୍ବପର୍ବାଣୀ ପାଳନରେ ଶ୍ରୀକ୍ଷେତ୍ରରେ ବର୍ଷସାରା ଅସଂଖ୍ୟ ନରନାରୀଙ୍କର ସମାଗମ ହୁଏ । ଏଣୁ ବାରମାସରେ ତେରଯାତ୍ରା କହିବାର ତାତ୍ପର୍ଯ୍ୟ ହେଲା ଯେ ବୈକୁଣ୍ଠରୂପେ ପରିଚିତ ଶ୍ରୀମନ୍ଦିରରେ ସର୍ବଦା ପରମେଶ୍ଵରଙ୍କର ଲୀଳା ନିରବଚ୍ଛିନ୍ନ ଭାବରେ ଚାଲିଥାଏ । ଏହାଫଳରେ ଉତ୍କଳୀୟ ସମାଜରେ ସଂପ୍ରୀତି, ମାନବିକତା, ଗୋଷ୍ଠୀଗତ ଐକ୍ୟ ଓ ଆଧ୍ୟାତ୍ମିକ ଚେତନା ସୁଦୃଢ଼ ରହିପାରିଛି । ଫଳରେ ଜଗନ୍ନାଥପ୍ରାଣ ଭକ୍ତମାନେ ଶ୍ରୀମନ୍ଦିରରେ ଏକତ୍ର ହେଲାବେଳେ ନିଜ ନିଜ ମଧ୍ୟରେ ଥିବା ଧର୍ମଗତ ଓ ଭାଷାଗତ ବିଭେଦକୁ ଭୁଲିଯାଇଥାନ୍ତି । ଧନୀ, ଦରିଦ୍ର, ରାଜା, ରଙ୍କ ସମସ୍ତେ ଏକ ଜଗନ୍ନାଥଙ୍କୁ ଭକ୍ତି ଓ ଶରଣାଗତି ନିବେଦନ କଲାବେଳେ ଭାବରାଜ୍ୟରେ ଏକ ଅନନ୍ୟ ଐକ୍ୟ ଓ ସାମ୍ୟ ଭାବନା ଜାଗ୍ରତ ହୋଇଥାଏ ।

 

ଧାର୍ମିକ ସମନ୍ୱୟ ଓ ଉଦାରତା :

ଉଦାରତାର ସର୍ବଶ୍ରେଷ୍ଠ ପ୍ରମାଣରୂପେ ଏ ସଂସ୍କୃତି ନିଜ ମଧ୍ୟରେ ବିଭିନ୍ନ ଧର୍ମମତକୁ ମିଶାଇଦେଇପାରିଛି । ରାମ, କୃଷ୍ଣ, ବୁଦ୍ଧ, ଜୈନ, ସୂର୍ଯ୍ୟ, ଶକ୍ତି, ଶିବ, ଗଣପତି ଇତ୍ୟାଦି ବିଭିନ୍ନ ଦେବଦେବୀ ଓ ଧର୍ମମତକୁ ସମନ୍ୱିତ କରିପାରିଥିବା ଏହି “ଜଗନ୍ନାଥସର୍ବସ୍ୱ” ସଂସ୍କୃତିରେ ଭିନ୍ନତାର ସ୍ଥାନ ନାହିଁ । ଏହି ଧାର୍ମିକ ସମନ୍ୱୟର ବାର୍ତ୍ତା ନେଇ ଅହରହ ନୀଳଚକ୍ରର ସୁଦୀର୍ଘ ପତାକା ସକଳ ଧର୍ମାବଲମ୍ବୀଙ୍କୁ ଦାରୁବ୍ରହ୍ମଙ୍କ ଦର୍ଶନପାଇଁ ଆହ୍ୱାନ ଦେଉଅଛି । ପତିତପାବନ ବାନା ନାମରେ ପରିଚିତ ଏହି ପତାକା ଦର୍ଶନରେ ମାନବର ସକଳ ପାପ ଦୂର ହୁଏ ବୋଲି ଦୃଢ଼ବିଶ୍ୱାସ ରହିଛି । ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଗଢ଼ିଉଠିଥିବା ବିଭିନ୍ନ ଧର୍ମଧାରଣା ମଧ୍ୟରେ ଜାତିଗତ ବୈଷମ୍ୟ ଦୂର ହେବାର ସଂକେତ ମିଳିଥାଏ । ଏଣୁ ଆଚାଣ୍ଡାଳ ବ୍ରାହ୍ମଣ ଏକତ୍ର ମହାପ୍ରସାଦ ସେବା କରିଥାନ୍ତି ଓ ଆନନ୍ଦରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି କୃତାର୍ଥ ହୋଇଥାନ୍ତି । ବାସ୍ତବରେ ଏ ସଂସ୍କୃତି ସାମ୍ୟ, ମୈତ୍ରୀ ଓ ଏକତାର ମହାମନ୍ତ୍ର ଅହରହ ଉଦ୍‌ଘୋଷଣା କରୁଅଛି । ଯଥାର୍ଥରେ ଉତ୍କଳମଣି ଗୋପବନ୍ଧୁ ଏହି ଉଦ୍ଦେଶ୍ୟରେ କହିଥିଲେ ଯେ ଏ ସଂସ୍କୃତିର ବୈଶିଷ୍ଟ୍ୟ ହେଲା ସାମ୍ୟ ଓ ମୈତ୍ରୀ ।

 

ଜଗନ୍ନାଥ ଦର୍ଶନରେ ମୁକ୍ତି ଚେତନା :

ଯଥାର୍ଥରେ ‘ମୁକ୍ତି ଚିନ୍ତାମଣି’ ନାମକ ଏକ କ୍ଷୁଦ୍ର ଗ୍ରନ୍ଥରେ ଉଲ୍ଲେଖ ଅଛି,

 

“ଦେହଂ ତ୍ୟଜନ୍ତି ମନୁଜା ସ୍ତତ୍ର ଯେ ପୁରୁଷୋତ୍ତମେ

କଳ୍ପବୃକ୍ଷ ସମାସାଦ୍ୟ ମୁକ୍ତାସ୍ତେ ନାତ୍ର ସଂଶୟଃ”

 

ଜଗନ୍ନାଥ ସଂସ୍କୃତିରେ ମୁକ୍ତି ଚେତନାର ବିବିଧ ମାଧ୍ୟମ ରହିଛି । କ୍ଷେତ୍ର ବାସରେ ମୁକ୍ତି, ନାମ ପ୍ରଭାବରେ ମୁକ୍ତି, ନିର୍ମାଲ୍ୟ ଭକ୍ଷଣରେ ମୁକ୍ତି ଇତ୍ୟାଦି ବିଭିନ୍ନ ମାଧ୍ୟମରେ ଏ କ୍ଷେତ୍ରର ଅଧିବାସୀମାନଙ୍କର ମୁକ୍ତିଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି କ୍ଷେତ୍ରରେ ଅବସ୍ଥିତ ପଞ୍ଚତୀର୍ଥର ଜଳରେ ସ୍ନାନ କରି ଜଗନ୍ନାଥଙ୍କ ଦର୍ଶନ କଲେ ମୁକ୍ତି ମିଳିଥାଏ ବୋଲି ହିନ୍ଦୁମାନଙ୍କର ଦୃଢ଼ ବିଶ୍ୱାସ ରହିଛି । ଯଥା :

 

ମାର୍କଣ୍ଡେୟାବଟେ କୃଷ୍ଣେ ରୋହିଣ୍ୟାଞ୍ଚ ମହୋଦଧୌ

ଇନ୍ଦ୍ରଦ୍ୟୁମ୍ନ ସରେ ସ୍ନାତ୍ୱା ପୁନର୍ଜନ୍ମ ନ ବିଦ୍ୟତେ ।

 

ମନୁଷ୍ୟ ବର୍ଷର ଚାରିମାସ ଏହି କ୍ଷେତ୍ରରେ ବାସ କଲେ ସମସ୍ତ ପାପରୁ ମୁକ୍ତ ହୋଇ ବିଷ୍ଣୁଙ୍କ ପଦକମଳରେ ଆଶ୍ରୟ ନେଇଥାଏ । ଏ କ୍ଷେତ୍ରରେ ପ୍ରାଣତ୍ୟାଗ କରୁଥିବା ବ୍ୟକ୍ତିମାନଙ୍କର କର୍ଣ୍ଣରେ ପରମେଶ୍ୱର ବ୍ରହ୍ମଶାଶ୍ୱତ ମନ୍ତ୍ର ପ୍ରଦାନ କରି ମୁକ୍ତି ଦେଇଥାନ୍ତି । ଯଥାର୍ଥରେ ‘ମୁକ୍ତି ଚିନ୍ତାମଣି’ ଗ୍ରନ୍ଥରେ କୁହାଯାଇଛି,

 

“ପଥି ଶ୍ମଶାନେ ଗୃହ ମଣ୍ଡପେ ବା

ଅଥ୍ୱା ପ୍ରଦେଶେ ଭୁବି ଯତ୍ର ତତ୍ର ।

ଇଚ୍ଛନ୍ ଅନିଚ୍ଛନ୍ ପୁରୁଷୋତ୍ତମାଖ୍ୟେ

ଦେହାବସାନେ ଲଭତେ ଚ ମୋକ୍ଷଂ ।”

 

ସେହିପରି ମନ୍ୟୁଷ କୃଚ୍ଛ୍ର ଚାନ୍ଦ୍ରାୟଣ ବ୍ରତ, ନାନାବିଧି ଯଜ୍ଞ ହୋମ ଓ କୋଟି ବ୍ରାହ୍ମଣ ଭୋଜନରେ ଯେଉଁ ଫଳ ଲାଭ କରିପାରେ, ତାହା କେବଳ ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ଭକ୍ଷଣରେ ମିଳିଥାଏ । ‘ବୃହତ୍ ବିଷ୍ଣୁ ପୁରାଣ’ରେ ଲିଖିତ ଅଛି ଯେ ଭକ୍ଷ୍ୟଅଭକ୍ଷ୍ୟ ବିଚାରକୁ ପରିତ୍ୟାଗ କରି ଶ୍ରୀଜଗନ୍ନାଥଙ୍କ ନୈବେଦ୍ୟ ଗ୍ରହଣ କରିବା ଉଚିତ । ଜଗନ୍ନାଥଙ୍କର ନୈବେଦ୍ୟକୁ କୈବଲ୍ୟ କୁହାଯାଏ । ନିର୍ମାଲ୍ୟ ଏହାର ରୂପାନ୍ତର ମାତ୍ର । ଉଭୟ ବସ୍ତୁରେ ମୁକ୍ତିର ଅଜସ୍ର ସ୍ପ୍ଫୁଲିଙ୍ଗ ଲୁକ୍‌କାୟିତ ରହିଛି । ବ୍ରହ୍ମବୈବର୍ତ୍ତ ପୁରାଣରେ କୁହାଯାଇଛି ଯେ କୋଟିଏ ଗୋଦାନରୁ ଯେଉଁ ଫଳ ମିଳେ, ତାହା କେବଳ ଶ୍ରୀଜଗନ୍ନାଥଙ୍କର ନୈବେଦ୍ୟରୁ ମିଳିଥାଏ । ଇନ୍ଦ୍ରଯାମଳ ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଯେଉଁ ଅନ୍ନକୁ ନିଜେ ଲକ୍ଷ୍ମୀ ପ୍ରସ୍ତୁତ କରିଥାନ୍ତି, ସେହି ଅନ୍ନ ଭକ୍ଷଣ କରିବା ମାତ୍ରେ ମୁକ୍ତିଲାଭ ହୁଏ ।

 

ଶ୍ରୀଗୁଣ୍ଡିଚା ଯାତ୍ରାରେ ଯେଉଁମାନେ ରଥ ଉପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି, ସେମାନେ ବୈକୁଣ୍ଠରେ ବାସ କରନ୍ତି । ଏପରିକି କୁହାଯାଇଛି, “ରଥେ ତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ”

 

ବୈରଞ୍ଚତନ୍ତ୍ରର ବର୍ଣ୍ଣନାରୁ ଜଣାଯାଏ ଯେ ସକଳ ତନ୍ତ୍ରରେ ଗୁପ୍ତ ରଖାଯାଇଥିବା ଏହି ଜଗନ୍ନାଥ ନାମର କୀର୍ତ୍ତନ ଫଳରେ ମନୁଷ୍ୟ ମୁକ୍ତି ଲାଭ କରେ । ଏପରିକି ବ୍ରହ୍ମ ରହସ୍ୟ ଗ୍ରନ୍ଥରେ ସୁରଶର୍ମାଙ୍କ ପ୍ରତି ନାରଦଙ୍କ ଉକ୍ତିରେ ଲିଖିତ ଅଛି ଯେ ଯେଉଁ ବ୍ୟକ୍ତି ହେଳାବଶତଃ ଥରେ ମାତ୍ର ଜଗନ୍ନାଥଙ୍କର ନାମ ଉଚ୍ଚାରଣ କରେ, ସେ ବ୍ରହ୍ମ ହତ୍ୟା ଆଦି ସକଳ ପାପରୁ ମୁକ୍ତି ପାଇଥାଏ । ବାସ୍ତବିକ୍ ସମସ୍ତ ମନ୍ତ୍ର, ତନ୍ତ୍ର ଓ ଯନ୍ତ୍ର ପରିହାର କରି ଯଦି ଜଣେ କେବଳ “ଜଗନ୍ନାଥ, ଜଗନ୍ନାଥ ଜଗନ୍ନାଥ” ନାମ ଉଚ୍ଚାରଣ କରେ, ତାଙ୍କର ମୁକ୍ତି ନିଶ୍ଚିତ । ଯଥାର୍ଥରେ ଓଡ଼ିଆ କବି କହିଛନ୍ତି ।”

 

“ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଦେବ

ଯାହାଙ୍କ ନାମ ଧରିଲେ ଉଦ୍ଧାର ହୋଇବ ।”

 

ଦାରୁ ମଧ୍ୟରେ ବ୍ରହ୍ମଙ୍କ ଉପାସନା :

କିମ୍ବଦନ୍ତୀ ଅନୁଯାୟୀ ଜାରା ଶବରର ଶରାଘାତରେ ଶ୍ରୀକୃଷ୍ଣଙ୍କ ଦେହରକ୍ଷା ପରେ ତାଙ୍କର ନାଭିକମଳ ଅଗ୍ନିରେ ଦଗ୍ଧ ନ ହେବାରୁ, ପାଣ୍ଡବମାନେ ତାହାକୁ ସମୁଦ୍ରରେ ଭସାଇଦେଇଥିଲେ । ତାହା ସମୁଦ୍ରରେ ଭାସି ଭାସି ଶ୍ରୀକ୍ଷେତ୍ରରେ ପହଞ୍ଚିଲା । ସେହି ଇନ୍ଦ୍ରନୀଳମୟୀ ଅଂଶାବଶେଷରେ ନୀଳମାଧବଙ୍କର ମୂର୍ତ୍ତିଗଠିତ ହୋଇଥିଲା । ଅବନ୍ତୀର ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କ ମହିମା ଶୁଣି ତାଙ୍କ ମନ୍ତ୍ରୀଙ୍କ ଭାଇ ବିଦ୍ୟାପତିଙ୍କୁ ତାହାଙ୍କୁ ଦର୍ଶନ କରି ରହସ୍ୟ ଜାଣିବାକୁ ପଠାଇଥିଲେ । ବିଦ୍ୟାପତି ନୀଳମାଧବଙ୍କ ଦର୍ଶନ ପରେ ଅବନ୍ତୀ ଯାଇ ଇନ୍ଦ୍ରଦ୍ୟୁମ୍ନଙ୍କୁ ନେଇ ଶ୍ରୀକ୍ଷେତ୍ରରେ ପହଞ୍ଚିଲାବେଳକୁ ନୀଳମାଧବ ଅନ୍ତର୍ହିତ ହୋଇଗଲେ । ଏଣୁ ଭକ୍ତ ହୃଦୟର ବ୍ୟାକୁଳତା ଓ ପ୍ରାର୍ଥନାର ପ୍ରଭାବରେ ଶ୍ୱେତଦ୍ୱୀପର ମାଧବଙ୍କ ଅଙ୍ଗର ଏକ ରୋମ ଚତୁଃଶାଖା ବିଶିଷ୍ଟ ଦାରୁ ରୂପରେ ସମୁଦ୍ର ତୀରରେ ଭାସି ଭାସି ଲାଗିଲେ । ଦେବଶିଳ୍ପୀ ବିଶ୍ଵକର୍ମା ସାହାଯ୍ୟରେ ବର୍ତ୍ତମାନର ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ କରିଥିଲେ । ଏହାହିଁ ଦାରୁବ୍ରହ୍ମଙ୍କର ଆବିର୍ଭାବର ମୌଳିକ ରହସ୍ୟରୂପେ ସ୍ୱୀକୃତ ହୋଇଆସିଛି ।

 

କିନ୍ତୁ ପ୍ରଶ୍ନ ହୁଏ ଯଦି ମୂର୍ତ୍ତିକଳାର ପ୍ରାରମ୍ଭିକ ଅବସ୍ଥାରେ ସେ ପ୍ରତୀକରୂପୀ ଦାରୁବିଗ୍ରହରୂପେ ପ୍ରତିଷ୍ଠିତ ହେଲେ, ତେବେ ତାହା ପୂର୍ବରୁ ସେ ଚତୁର୍ଭୁଜ ମାଧବ ରୂପରେ କିପରି ଆଦିବାସୀ-ଅଧ୍ୟୁଷିତ ଶବରପଲ୍ଲୀରେ ଶବରରାଜା ବିଶ୍ୱାବସୁଙ୍କଦ୍ୱାରା ପୂଜିତ ହେଉଥିଲେ ? ତେବେ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ମତରେ ଓଡ଼ିଶାରେ ଶବରମାନେ ରାଜତ୍ୱ କଲାବେଳେ, ଭାରତର ଅନ୍ୟତ୍ର ଆର୍ଯ୍ୟ ସଭ୍ୟତା ପ୍ରବେଶ କରିସାରିଥିଲା । ଏଣୁ ସମସାମୟିକ ଭାରତରେ ଆର୍ଯ୍ୟ ସଂସ୍କୃତିର ପ୍ରଭାବରେ ବିଷ୍ଣୁଙ୍କୁ ମାଧବରୂପେ ପୂଜା କରାଗଲାବେଳେ, ଈଶ୍ଵରଙ୍କ ସ୍ଵଇଚ୍ଛାରେ ସେ ଶବର ପଲ୍ଲୀରେ ଚତୁର୍ଭୁଜ ନୀଳମାଧବରୂପେ ଆବିର୍ଭୂତ ହୋଇଥିଲେ ।

 

ଡଃ ବେଣୀମାଧବ ପାଢ଼ୀ ‘ଦାରୁଦେବତା’ ଗ୍ରନ୍ଥରେ ପ୍ରାଚୀନ ଦାରୁ ଉପାସନାର ବୈଶିଷ୍ଟ୍ୟ ପ୍ରତିପାଦିତ କରିଛନ୍ତି । ସେ ଏହି ଦାରୁଦେବତାଙ୍କୁ ଶବରଙ୍କର ଜଗନ୍ତ ରୂପରେ ପରିଚିତ କରାଇଛନ୍ତି-। ସେହି ଜଗନ୍ତହିଁ ବହୁକାଳ ପରେ ଆର୍ଯ୍ୟ ସଂସ୍କୃତିର ପ୍ରଭାବରେ ଦାରୁବ୍ରହ୍ମ ଜଗନ୍ନାଥରୂପେ ପ୍ରତିଷ୍ଠିତ ହେଲେ । ‘ସ୍କନ୍ଦ ପୁରାଣ’ରେ ଏହି ବ୍ରହ୍ମଦାରୁଙ୍କୁ ସ୍ଵୟଂ ବିଷ୍ଣୁ ପୁରୁଷୋତ୍ତମ ରୂପରେ ବର୍ଣ୍ଣନା କରାଯାଇଛି :

 

ଏଷ ଦାରୁବପୁର୍ବିଷ୍ଣୁ ସୁଖଦାତା ସୁବାନ୍ଧବଃ

ଶୃତି ସ୍ମୃତ୍ୟକ୍ତ ନିୟମାଃ ବିଦ୍ୟତେ ନଇହ ପାର୍ଥିବ ।

 

ସ୍ନାନ ଗୁଣ୍ଡିଚାଏ ବେନି ସ୍ଵୟଂ ଲୀଳା ଯାର :

ସମୁଦ୍ରରେ ଭାସମାନ ଦାରୁମୂର୍ତ୍ତିଙ୍କର ଆବିର୍ଭାବ ଦିବସରୂପେ ଜ୍ୟେଷ୍ଠ ପୂର୍ଣ୍ଣମୀ ଦିନ ଶ୍ରୀଜଗନ୍ନାଥଙ୍କର ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ମଞ୍ଚସ୍ନାନ ପଦ୍ଧତିରେ ସୁନାକୂପର ୧୦୮ ଗରା ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସମୁଦ୍ର ଜ୍ୟେଷ୍ଠା ମନ୍ତ୍ରରେ ସ୍ନାନ କରାଯାଏ । ଏହା ଅତ୍ୟନ୍ତ ପୁଣ୍ୟପ୍ରଦ ଓ ସ୍ଵର୍ଗର ଦେବତାମାନେ ମଧ୍ୟ ଏହି ପବିତ୍ର ସ୍ନାନ ଉତ୍ସବ ଦେଖିବାପାଇଁ ଉପସ୍ଥିତ ରହନ୍ତି । ସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୫ ଦିନପାଇଁ ଅଣସର ଘରେ ରଖାଯାଏ ଓ ସେଠାରେ କେବଳ ଦଇତାମାନେ ତାଙ୍କର ସୁସ୍ଥତାପାଇଁ ଗୁପ୍ତ ସେବା କରିଥାନ୍ତି । ଏହାପରେ ଜଗତ ବିଖ୍ୟାତ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୁଏ । ଅନ୍ତର୍ବେଦୀ ବା ରତ୍ନବେଦୀରୁ ମହାବେଦୀକୁ ଯାତ୍ରା କରି ସେଠାରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପରେ ସାତଦିନ ଅବସ୍ଥାନ କରନ୍ତି । ବାହୁଡ଼ା ଦଶମୀ ଦିନ ପୁନର୍ବାର ତ୍ରିରଥରେ ବସି ସିଂହଦ୍ୱାରକୁ ଫେରିଆସନ୍ତି । ଓଡ଼ିଶାର ଧର୍ମଧାରଣାରେ ଉଭୟ ସ୍ନାନ ଓ ଶ୍ରୀଗୁଣ୍ଡିଚା ଯାତ୍ରାକୁ ଅତ୍ୟନ୍ତ ପୁଣ୍ୟପ୍ରଦ ତଥା ମୁକ୍ତିପ୍ରଦ ଯାତ୍ରା ବୋଲି ଗ୍ରହଣ କରାଯାଏ । ଯଥାର୍ଥରେ ବ୍ରହ୍ମ ପୁରାଣରେ କୁହାଯାଇଛି,

 

“ଗୁଣ୍ଡିଚା ମଣ୍ଡପଂ ଯାନ୍ତଂ

            ଯେ ପଶ୍ୟନ୍ତି ରଥେ ସ୍ଥିତଂ

କୃଷ୍ଣଂ ବଳଂ ସୁଭଦ୍ରାଂଚ

            ତେ ଯାନ୍ତି ଭବନଂ ହରେ ।”

 

କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ଏହି ଦୁଇ ଯାତ୍ରାକୁ ପତିତପାବନ ଯାତ୍ରାରୂପେ ବର୍ଣ୍ଣନା କରି ଲେଖିଛନ୍ତି,

 

“ସ୍ନାନ ଗୁଣ୍ଡିଚାଏ ବେନି ସ୍ଵୟଂ ଲୀଳା ଯାର

ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର

ଦୁର୍ଗାମାଧବ ପରମ୍ପରା :

ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଓଡ଼ିଶାରେ ଦୁର୍ଗାମାଧବ ପରମ୍ପରା ସୃଷ୍ଟି ହୋଇଛି । ଶାକ୍ତ ମତର ପ୍ରଭାବରେ ପ୍ରାୟ ଅଷ୍ଟମ/ନବମ ଶତାବ୍ଦୀ ବେଳକୁ ଶ୍ରୀଜଗନ୍ନାଥଙ୍କୁ ଭୈରବ ଓ କ୍ଷେତ୍ରେଶ୍ଵର ବିମଳାଙ୍କୁ ଭୈରବୀ ରୂପରେ ଉପାସନା କରାଯାଉଥିଲା । କିନ୍ତୁ ଦ୍ୱାଦଶ ଶତାବ୍ଦୀ ପରେ ବୈଷ୍ଣବ ଦର୍ଶନର ପ୍ରଭାବ ପଡ଼ିଲା । ଏଣୁ ବିମଳା ଓ ଜଗନ୍ନାଥଙ୍କୁ ନେଇ ଦୁର୍ଗାମାଧବ ଉପାସନା ପ୍ରବର୍ତ୍ତିତ ହୋଇଥିଲା । ‘ଦୁର୍ଗାମାଧବ’ ରହସ୍ୟ ସମ୍ପର୍କରେ ବ୍ରହ୍ମସଂହିତାର ନିମ୍ନଲିଖିତ ଉକ୍ତି ପ୍ରଣିଧାନଯୋଗ୍ୟ-:

 

ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତିରେକା

ଛାୟୈବ ଯସ୍ୟ ଭୁବନାନି ବିବର୍ତ୍ତି ଦୁର୍ଗା ।

 

ଇଚ୍ଛାନୁରୂପମପି ଯସ୍ୟ ଚ ଚେଷ୍ଟତେ ସା ।

ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି ।”

 

ଅର୍ଥାତ୍ : ଚିତ୍ ଶକ୍ତିର ଛାୟା ପ୍ରକୃତି ଥିବା ବହିରଙ୍ଗା ଶକ୍ତି ମାୟାକୁ ସମସ୍ତ ଲୋକ ପାର୍ଥିବ ଜଗତର ସୃଷ୍ଟି ସ୍ଥିତି ପ୍ରଳୟ ସାଧନକାରୀ ଶକ୍ତି ଦୁର୍ଗାରୂପେ ପୂଜା କରନ୍ତି । ମୁଁ ସେହି ଆଦି ପୁରୁଷ ଗୋବିନ୍ଦଙ୍କୁ ଆରାଧନା କରୁଛି, ଯାହାଙ୍କ ଇଚ୍ଛାରେ ଦୁର୍ଗା ନିଜକୁ ପରିଚାଳିତ କରନ୍ତି । ଏହାହିଁ ଦୁର୍ଗାମାଧବ ରହସ୍ୟର ସୂଚନା ଦିଏ । ବିଶେଷତଃ ଗଜପତି ପ୍ରଥମ ରାମଚନ୍ଦ୍ର ଦେବଙ୍କ ସମୟରେ ରାଜଗୁରୁ ବର୍ଦ୍ଧନ ମହାପାତ୍ର “ଦୁର୍ଗୋତ୍ସବ ଚନ୍ଦ୍ରିକା” ରଚନା କରି ଦୁର୍ଗାପୂଜାକୁ ସାରା ଓଡ଼ିଶାରେ ସାର୍ବଜନୀନ ଭାବରେ ପ୍ରଚଳନ କରାଇଲେ । ସୁତରାଂ ବିମଳାଙ୍କ ମନ୍ଦିରରେ ଦୁର୍ଗା ଓ ମାଧବଙ୍କର ଏକତ୍ର ପୂଜା ସହିତ ଦୁର୍ଗାମାଧବ ପରିକଳ୍ପନାକୁ ଦୃଢ଼ୀଭୂତ କରାଗଲା । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ଯାଏଁ ଏହି ଦୁର୍ଗାମାଧବ ପୂଜା ଅନୁଷ୍ଠିତ ହୁଏ । ପ୍ରଥମ ଦିନ ଦେବୀ ସୁଭଦ୍ରାଙ୍କୁ ଦୁର୍ଗାପୂଜାପାଇଁ ପ୍ରାର୍ଥନା କରାଯାଏ । ଧୂପ ଶେଷରେ ସ୍ଵର୍ଣ୍ଣ ନିର୍ମିତ ଦୁର୍ଗାମୂର୍ତ୍ତିଙ୍କୁ ରତ୍ନସିଂହାସନରେ ବିଜେ କରାଯାଏ । ଦେବୀଙ୍କୁ ବନଦୁର୍ଗା ମନ୍ତ୍ରରେ ୧୦୮ କୁମ୍ଭ ଦ୍ୱାରା ଅଭିଷେକ କରାଯାଏ । ଏହାପରେ ଭୋଗ ଓ ବନ୍ଦାପନା ହୁଏ ଏବଂ ଭଣ୍ଡାର ଦ୍ୱାର ପାଖରେ ଦେବୀ ମାଧବଙ୍କ ସହିତ ମିଳିତ ହୁଅନ୍ତି । ଆରତି ବନ୍ଦାପନା ପରେ ଦୁର୍ଗାମାଧବଙ୍କୁ ଏକତ୍ର ବିମଳାଙ୍କ ଜଗମୋହନରେ ରଖାଯାଇଥିବା ପଲଙ୍କ ଉପରେ ବିଜେ କରାଯାଏ । ସେଠାରେ ଭୋଗ ହୁଏ । ବିମଳାଙ୍କ ତିନିଧୂପ ଓ ଜଗନ୍ନାଥଙ୍କ ରାତିଚନ୍ଦନ ଲାଗି ପରେ ଦୁର୍ଗାମାଧବଙ୍କୁ ଭଣ୍ଡାର ଘରକୁ ନିଆଯାଏ । ଏହିପରି ପ୍ରଥମ ଆଠଦିନ ‘ଦୁର୍ଗା ମାଧବ’ ବିମଳାଙ୍କ ମନ୍ଦିରରେ ପୂଜା ପାଆନ୍ତି ଓ ପରବର୍ତ୍ତୀ ଆଠଦିନ ବିମାନରେ ବିଜେ କରି ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀଙ୍କ ମନ୍ଦିରକୁ ଯାତ୍ରା କରନ୍ତି । ଏହାକୁ ‘ଶାକ୍ତ ଗୁଣ୍ଡିଚା’ କୁହାଯାଏ ।

 

ନବକଳେବର : ଏକ ଅନନ୍ୟ ପରମ୍ପରା :

ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ିଉଠିଥିବା ଓଡ଼ିଶୀ ଧର୍ମଧାରଣାରେ ଦାରୁବ୍ରହ୍ମଙ୍କର ନବ କଳେବର ଏକ ଅନନ୍ୟ ପରମ୍ପରାରୂପେ ପରିଚିତ । “ଯଥା ଦେହେ, ତଥା ଦେବେ’ ନୀତିରେ ପ୍ରତି ବାର ବର୍ଷ ବା ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡ଼େ, ଦାରୁବ୍ରହ୍ମଙ୍କର ନବକଳେବର ଅନୁଷ୍ଠିତ ହୁଏ । ଏଥିରେ ଦଇତାପତିମାନେ ତଥା କ୍ଷେତ୍ରୀୟ ବ୍ରାହ୍ମଣମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଦାରୁ ଅନ୍ୱେଷଣପାଇଁ ସେମାନେ କାକଟପୁରସ୍ଥିତ ମା’ ମଙ୍ଗଳାଙ୍କ ଶରଣାପନ୍ନ ହୋଇ ସ୍ଥାନୀୟ ଦେଉଳି ମଠରେ ସ୍ଵପ୍ନାବତୀ ମନ୍ତ୍ର ଜପ କରନ୍ତି । ଦାରୁ ଛେଦନ ଓ ପୂଜା ପରେ ସେଠାରେ ହୋମ କରାଯାଏ ଓ ଶଗଡ଼ରେ ଶ୍ରୀକ୍ଷେତ୍ର ନିଆଯାଇ ମୂର୍ତ୍ତି ନିର୍ମାଣ କରାଯାଏ । ରଥଯାତ୍ରା ଓ ନବକଳେବର ସମୟରେ ନୃସିଂହ ମନ୍ତ୍ରରାଜ ବିଧି ଅନୁଯାୟୀ ଜପ କରାଯାଏ । ବାସ୍ତବରେ ମାନବଧର୍ମୀ ଶ୍ରୀଜଗନ୍ନାଥଙ୍କର ବ୍ରହ୍ମ ପରିବର୍ତ୍ତନ ବେଳେ ଅନୁଷ୍ଠିତ ନବ କଳେବର ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପରମ୍ପରାରୂପେ ଗୃହୀତ ହୋଇଆସିଛି ।

 

ରାଷ୍ଟ୍ର ଦେବତା ପରିକଳ୍ପନା :

ଅନଙ୍ଗଭୀମଦେବଙ୍କ ସମୟରେ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତାରୂପେ ଗ୍ରହଣ କରାଗଲା ଓ ରାଜ୍ୟଶାସନ ଜଗନ୍ନାଥଙ୍କ ନାମରେ ପରିଚାଳିତ ହେଲା । କପିଳେନ୍ଦ୍ର ଦେବ ମଧ୍ୟ ନିଜକୁ ଶ୍ରୀଜଗନ୍ନାଥଙ୍କର ରାଉତ ବୋଲି ବିବେଚନା କରୁଥିଲେ । ଏଥିରୁ ଜଣାଯାଏ ଯେ ବହୁ ପ୍ରାଚୀନ କାଳରୁ ଉତ୍କଳର ଗଜପତିମାନେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିକଟରେ ଶରଣାପନ୍ନ ହୋଇ ରାଜ୍ୟ ଶାସନ କରୁଥିଲେ । କାଞ୍ଚି ଅଭିଯାନରେ ଗଜପତିଙ୍କୁ ଶ୍ରୀଜଗନ୍ନାଥ ଓ ବଳଭଦ୍ର ସହାୟତା କରିଥିବା ବିଷୟରେ ମଧ୍ୟ କିମ୍ବଦନ୍ତୀ ରହିଛି ।

 

ଏଣୁ ଉତ୍କଳର ରାଜାମାନେ ଭଲ ଭାବରେ ହୃଦୟଙ୍ଗମ କରିଥିଲେ ଯେ ଏ ରାଜ୍ୟ ଶ୍ରୀଜଗନ୍ନାଥଙ୍କର ଓ ସେମାନେ ତାଙ୍କର ସେବକରୂପେ ରାଜ୍ୟଶାସନ ପରିଚାଳନା କରୁଥିଲେ ।

 

ଏହିପରି ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ବହୁ ଓଡ଼ିଆ ଧର୍ମଧାରଣା ପ୍ରଚଳିତ ରହିଛି ଓ ଲୋକମୁଖରେ ଏଯାବତ୍ କୁହାଯାଏ ଯେ ପ୍ରଳୟ ସମୟରେ ମଧ୍ୟ ଏହି କ୍ଷେତ୍ରର ବିନାଶ ହୁଏ ନାହିଁ ଓ ପରମେଶ୍ଵର ସେଠାରେ ବଟପତ୍ରରେ ଭାସମାନ ଅବସ୍ଥାରେ ଶୟନ କରି ନୂତନ ସୃଷ୍ଟିର ଆରମ୍ଭକୁ ଅପେକ୍ଷା କରନ୍ତି ।

 

“ଇଦଂ କ୍ଷେତ୍ରଂ ନିତ୍ୟଂ

ପ୍ରଳୟ ସମୟେ ବିଶ୍ଵ ବିଲୟେ

 

 

ବିନାଶେ ନୈବାସୀତ୍

ବଟ ତରୁ ପୁଟେ ତତ୍ର ବସତି” ।

 

ଓଁ ଜୟ ଜଗନ୍ନାଥ

 

 

ପ୍ରାକ୍ତନ ସ୍ଵତନ୍ତ୍ର ଶାସନ ସଚିବ

ସ୍ଵରାଷ୍ଟ୍ର ବିଭାଗ,ଓଡ଼ିଶା

ଡି-୨୪, କଳ୍ପନା ଫ୍ଳାଟ୍, ଭୁବନେଶ୍ଵର-୧୪

ମୋ. : ୯୧୭୮୩୦୨୮୮୬

 

 

ଉତ୍କଳରେ ଶୁଦ୍ଧା ଭକ୍ତିଧାରାରେ ରାୟରାମାନନ୍ଦଙ୍କ ଭୂମିକା

ଡକ୍ଟର ନଗେନ୍ଦ୍ର ନାଥ ପ୍ରଧାନ

 

୧. କଳିଯୁଗରେ ପ୍ରାକୃତିକ ବିପର୍ଯ୍ୟୟ :

ବିଗତ ୧୯୮୦ଠାରୁ ଉପଗ୍ରହ ଚିତ୍ରରୁ ଭୂତଳ ପ୍ରତ୍ନଜଳ ପ୍ରବାହ ମାର୍ଗମାନଙ୍କର ସଂକେତ ଉପଲବ୍ଧ ହେବାରୁ ଯେଉଁ ବହୁ ବନ୍ଦିତା ବୈଦିକ ସରସ୍ଵତୀ ନଦୀର ସନ୍ଧାନପାଇଁ ଊନବିଂଶ ଶତାବ୍ଦୀରୁ ଭୂସର୍ବେକ୍ଷକମାନେ ପ୍ରୟାସ କରି ଆସୁଥିଲେ, ତା’ର ପ୍ରକୃତ ପ୍ରାଚୀନ ପ୍ରବାହ ମାର୍ଗ ଉତ୍ତରରେ ଶୈବାଳକ ପର୍ବତର ଆଦି ବଦ୍ରିଠାରୁ ଦକ୍ଷିଣରେ ପ୍ରଭାସ ପତ୍ତନ ମଧ୍ୟରେ ପ୍ରାୟ ୧୩୦୦ ମାଇଲ ପରିବ୍ୟାପ୍ତ ହୋଇଥିବାର ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକମାନଙ୍କଦ୍ୱାରା ସମ୍ଭାବିତ ହେଲା । ଆମେ ଭାରତୀୟ ପୁରାତନ ସାହିତ୍ୟରୁ ଏହି ବିଶାଳକାୟା ନଦୀ ଓ ତା’ର ତୀରବର୍ତ୍ତୀ ତୀର୍ଥମାନଙ୍କର ମାହାତ୍ମ୍ୟ ବର୍ଣ୍ଣନା ଉପସ୍ଥାପନ କରିବାରୁ ଉକ୍ତ ତୀର୍ଥସ୍ଥାନମାନଙ୍କ ନାମରେ ବର୍ତ୍ତମାନ ସୁଦ୍ଧା ସେହି ନାମରେ ଅବସ୍ଥିତ ଥିବା ସ୍ଥାନମାନଙ୍କୁ ଚିହ୍ନିତ କରିବାରୁ ଏହି ସଂଭାବିତ ମାର୍ଗର ରେଖାଚିତ୍ର ପ୍ରସ୍ତୁତ କରାଯାଇପାରିଲା ଏବଂ ଯଥାସମ୍ଭବ ଅଭ୍ରାନ୍ତ ଭାବେ ଆମେ ଏହି ବିଲୁପ୍ତା ନଦୀର ପ୍ରବାହ ପଥ ସ୍ଥିର କରିବାକୁ କ୍ଷମ ହେଲୁ । ଏହି ନଦୀତୀର ଅଞ୍ଚଳରୁ ପ୍ରାୟ ତେରଶତ ସ୍ଥାନର ପ୍ରତ୍ନଖନନର ପ୍ରାପ୍ତ ନଗରମାନଙ୍କର ଧ୍ୱଂସାବଶେଷମାନଙ୍କରୁ ଏହି ନଦୀ ଅବବାହିକାରେ ପାଞ୍ଚହଜାର ବର୍ଷ ପୂର୍ବକାଳରେ ସହସ୍ର ସହସ୍ର ବ୍ୟାପୀ କାଳାବଧି ମଧ୍ୟରେ ବୈଦିକ ସଭ୍ୟତାର ଉନ୍ମେଷ ଓ ବିକାଶ ଘଟିଥିବାର ଅବଧାରଣା ବେଦମନ୍ତ୍ରମାନଙ୍କରେ ସରସ୍ଵତୀ ନଦୀବର୍ଣ୍ଣନା ସାହାଯ୍ୟରେ ସମ୍ଭବ ହୋଇପାରିଲା । ପୁରାତନ ସାହିତ୍ୟରେ ଏହି ନଦୀ ପ୍ରାୟ ଖ୍ରୀ.ପୂ. ୨୦୦୦ ବେଳକୁ ଅନ୍ତିମ ଶୁଷ୍କତାପ୍ରାପ୍ତ ହୋଇ ଭୂଗର୍ଭରେ ବିଲୀନ ହେବାରୁ ଏହାର ତୀରବର୍ତ୍ତୀ ନଗର ସଭ୍ୟତା ସ୍ଥଳୀମାନ ପରିତ୍ୟକ୍ତ ଓ ଧ୍ୱଂସପ୍ରାପ୍ତ ହୋଇ ବାଲୁକା ଆବରଣ ତଳେ ବିଲୁପ୍ତ ହୋଇ ଯାଇଥିଲେ, ଯେପରି ଏହାର ସମୀପବର୍ତ୍ତୀ ଦୁଇ ପୁରାତନ ନଗରସ୍ଥଳୀ ହରପ୍ପା ଓ ମହେଞ୍ଜୋଦାରୋଙ୍କର ବିଲୟ ଘଟିଥିଲା ।

 

ଦୀର୍ଘ ପ୍ରାୟ ୮୦/୯୦ ବର୍ଷ ଧରି ଏହି ସ୍ଥଳମାନଙ୍କର ଏବଂ ସମକାଳର ବିଧ୍ୱସ୍ତ ହୋଇଥିବା ମେସୋପଟାମିଆର ନଗରୀସ୍ଥଳୀମାନଙ୍କର ବିପର୍ଯ୍ୟୟ କାରଣ ଅସମାହିତ ରହି ଆସିଥିବାବେଳେ ସାଂପ୍ରତିକ କାଳରେ ବିବିଧ କ୍ଷେତ୍ରର ବୈଜ୍ଞାନିକମାନଙ୍କର ଆନ୍ତର୍ଜାତିକ ଗୋଷ୍ଠୀ ଦୀର୍ଘ ପ୍ରାୟ ଆଠବର୍ଷ ବ୍ୟାପୀ ଭୂତଳ ମୃତ୍ତିକାସ୍ତର ଓ ଜଳୀୟ କଣାମାନଙ୍କର ପରୀକ୍ଷଣ ଦ୍ୱାରା ମେସୋପୋଟାମିଆ ଓ ଉତ୍ତର ପଶ୍ଚିମ ଭାରତର ଭବ୍ୟ ସଭ୍ୟତା ବିଧ୍ୱଂସର ବିବିଧ ମୁଖ୍ୟ କାରଣ ସମ୍ଭାବନା କରି କହନ୍ତି (୧) ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀରୁ ନବବିବର୍ତ୍ତନିକ ଭୂଗର୍ଭୀୟ ଶିଳାସ୍ତରମାନଙ୍କର ପ୍ରଚଣ୍ଡ ପ୍ରଚଳନ ହେତୁ ଭୂକଂପ, ଆଗ୍ନେୟ ଉଦ୍‌ଗୀରଣ, ସାମୁଦ୍ରିକ ସୁନାମୀ ଓ ସ୍ଥାନେ ସ୍ଥାନେ ଭୂପୃଷ୍ଠର ଉଚ୍ଚଉତ୍‌ଥାନ ଓ ଅନ୍ୟ ସ୍ଥାନମାନଙ୍କରେ ଭୂସ୍ତରମାନଙ୍କର ସ୍ଖଳନ ଓ ସାଗର ଗର୍ଭରେ ବିଲୟ । ଯେପରି ଭାରତରେ ଦ୍ୱାରକାପୁରୀ, ଲୋଥାଲ, ଧୋଲବୀରା ଆଦି ସମୁଦ୍ର କୂଳବର୍ତ୍ତୀ ନଗରମାନଙ୍କର ବିଲୟ ଘଟିବାବେଳେ ଦିଲ୍ଲୀ ହରିଦ୍ୱାର ମଧ୍ୟରେ ଆତ୍ମାବଳୀରୁ ଶୈବାଳକ ପର୍ଯ୍ୟନ୍ତ କୂର୍ମ ପୃଷ୍ଠ ପରି ଭୂପୃଷ୍ଠର ଉଚ୍ଚଉତ୍‌ଥାନ, ତଥା ସରସ୍ୱତୀ ନଦୀର ଉତ୍ପତ୍ତି ସ୍ଥଳରେ ପାର୍ବତ୍ୟ ସ୍ତର ୧୫-୨୦ ମିଟର ଉଚ୍ଚ ଉତ୍‌ଥାନ ଘଟିବାରୁ ସରସ୍ୱତୀ ନଦୀ ହିମ ଜଳପ୍ରାପ୍ତିରୁ ବଞ୍ଚିତ ହୋଇ ଶୁଷ୍କ ହୋଇଗଲା ।

 

(୨) ଆନୁଷଙ୍ଗିକ ପ୍ରଭାବ ଭାବେ ଭୂମଧ୍ୟ ସାଗରରୁ ଉତ୍ତରମେରୁ ପର୍ଯ୍ୟନ୍ତ ପ୍ରବଳ ବାୟୁ ପ୍ରବାହର ପ୍ରଶସ୍ତ ପରିଧି ବିଶିଷ୍ଟ ଏକ ନଳପରି ମାର୍ଗ ସୃଷ୍ଟି ।

 

(୩) ତେଣୁ ଖ୍ରୀ.ପୂ. ୩୦୦୦ରୁ ବାୟୁମଣ୍ଡଳରେ ଶୁଷ୍କତା ଆରମ୍ଭ ଓ ଖ୍ରୀ.ପୂ. ୨୨୦୦-୧୭୦୦ ମଧ୍ୟରେ ଚରମ ଶୁଷ୍କତା, କ୍ରମବୃଷ୍ଟିହୀନତାର ଆରମ୍ଭ ହୋଇ ଖ୍ରୀ.ପୂ. ୨୨୦୦-୧୫୦୦ ମଧ୍ୟରେ ସମ୍ପୂର୍ଣ୍ଣ ବୃଷ୍ଟିହୀନତା, ବାୟୁମଣ୍ଡଳରେ ସମ୍ପୂର୍ଣ୍ଣ ଶୁଷ୍କତା ଓ ଉତ୍ତାପ ବୃଦ୍ଧି ହେତୁ ଜଳବାୟୁରେ ଚରମ ବିପର୍ଯ୍ୟୟ ଘଟିଥିଲା । ପଶ୍ଚିମୋତ୍ତର ଭାରତରେ ମୌସୁମୀପ୍ରବାହ ପ୍ରତିହତ ହୋଇଯାଇଥିଲା । ପଶ୍ଚିମରେ ଏଜିଆନ୍ ସାଗରଠାରୁ ପୂର୍ବରେ ଆରବ ସାଗର ପର୍ଯ୍ୟନ୍ତ ଭୂପୃଷ୍ଠର ବିଶାଳ ବିସ୍ତୃତ ଅଞ୍ଚଳରେ ଜଳବାୟୁରେ ବିପର୍ଯ୍ୟୟ ହେତୁ, ଇଜିପ୍ଟ, ସିରିଆ, ପାଲେଷ୍ଟାଇନ ଓ ମେସୋପୋଟାମିଆ ସମତେ ଭାରତର ପଞ୍ଜାବ, ହରିଆନା, ରାଜସ୍ଥାନ ପର୍ଯ୍ୟନ୍ତ ଅଞ୍ଚଳ ଜନଶୂନ୍ୟ ମରୁଭୂମିରେ ପରିଣତ ହୋଇଗଲା (ଦେଖନ୍ତୁ; ଏହି ଲେଖକ ରଚିତ ଗବେଷଣାଗ୍ରନ୍ଥ ବେଦବନ୍ଦିତା ସରସ୍ଵତୀ,ପ୍ରଥମ ଓ ତୃତୀୟଖଣ୍ଡ) ମଥୁରା ଶୂରସେନଠାରୁ କୁରୁକ୍ଷେତ୍ର ମରୁକ୍ଷେତ୍ର–ଦ୍ୱାରକା ପର୍ଯ୍ୟନ୍ତ ଅଞ୍ଚଳମାନଙ୍କରେ ବସତି କରିଥିବା ସାତ୍ୱତ କ୍ଷତ୍ରିୟ, ସାରସ୍ୱତ ବ୍ରାହ୍ମଣ, ଆଭୀର ଆଲ୍‌ବାର ପ୍ରଭୃତି ଜନଗୋଷ୍ଠୀ ଜଳବାୟୁର ଶୁଷ୍କତା ଓ କାଳ ବିପର୍ଯ୍ୟୟ ହେତୁ ସେମାନଙ୍କ ଗ୍ରାମୀଣ ଓ ନଗର ବସତିମାନ ପରିତ୍ୟାଗ କରି ଅନ୍ନଜଳ ଆଶ୍ରୟ ସନ୍ଧାନରେ ଦକ୍ଷିଣ ଭାରତର ଦ୍ରାବିଡ଼ ଦେଶ ପର୍ଯ୍ୟନ୍ତ ନାନା ସ୍ଥାନରେ ଆଶ୍ରୟ ନେଇଥିଲେ । ପୂର୍ବ ଉପକୂଳସ୍ଥ ଉତ୍କଳ କଳିଙ୍ଗ ଦେଶକୁ ଆସି ବସତି ସ୍ଥାପନ କରିଥିବା ଲୋକେ ସେମାନଙ୍କର ପ୍ରିୟତମ ସାତ୍ୱତ-ଯାଦବ ବଂଶୀ ଶ୍ରୀକୃଷ୍ଣଙ୍କର ଜୀବନର ବିବିଧ ଅଲୌକିକ ଲୀଳା ସୃତିର ଗାଥା ଗୀତିକାମାନ ଗାନ କରି ଆତଙ୍କିତ ଜୀବନରେ ତାଙ୍କୁହିଁ ପରମେଶ୍ୱର ବିବେଚନା କରି ତାଙ୍କଠାରେ ଆଶ୍ରିତ ହୋଇଥିଲେ । ପାଞ୍ଚରାତ୍ରଧର୍ମର ଐକାନ୍ତିକ ଉପାସନାକୁ ପ୍ରକଟିତ କରି ଆତ୍ମସମର୍ପଣ ସର୍ବସ୍ୱ ଯେଉଁ ଭକ୍ତିଧର୍ମର ଶ୍ରେଷ୍ଠତା ପ୍ରତିପାଦନ କରିଥିଲେ ସେହି ଭକ୍ତିମାର୍ଗ ହେଲା ଏହି ସ୍ଥାନାନ୍ତରିତ ଜନଗୋଷ୍ଠୀଙ୍କର ପରମାର୍ଥ ସାଧନା ମାର୍ଗ ।

 

ଉତ୍କଳରେ ଅବସ୍ଥାନ କରି ସେମାନେ ଏହି ମାର୍ଗରେ କୃଷ୍ଣବଳରାମ ଉପାସନାକୁ ବିକଶିତ କଲେ । ଶ୍ରୀକୃଷ୍ଣ ଜୀବନର ମଧୁରତମ କୈଶୋରଲୀଳା ହେଲା ସେମାନଙ୍କର ସ୍ମରଣ, କୀର୍ତ୍ତନ ଓ ଆତ୍ମନିବେଦନମୂଳକ ଉପାସନାର ମାର୍ଗ । ଉପାସ୍ୟର ସର୍ବତୋଭାବେ ପ୍ରୀତିସଂପାଦନପାଇଁ ଗୋପୀକାମାନଙ୍କର ଆତ୍ମସମର୍ପଣ ସର୍ବସ୍ଵ ଐକାନ୍ତିକ ମାର୍ଗ ହେଲା ସେମାନଙ୍କର ସର୍ବଶ୍ରେଷ୍ଠ ପରମାର୍ଥ ବା ପରମପୁରୁଷାର୍ଥ ।

 

ଉତ୍କଳରେ କୃଷ୍ଣବଳରାମଙ୍କୁ ଏହି ପଞ୍ଚରାତ୍ର ଭକ୍ତି ମାର୍ଗରେ ଶ୍ରୀକ୍ଷେତ୍ରରେ ଜାତିଗୋତ୍ର ଭେଦଭାବ ବିହୀନ ମୁକ୍ତ ମିଳିତ ଉପାସନା କରିବାରୁ ଏହି ଜଗନ୍ନାଥ ପୁରୁଷୋତ୍ତମ କ୍ଷେତ୍ର ହେଲା ଭକ୍ତିଧର୍ମର ଅନନ୍ୟ ଆଦର୍ଶ । ତେଣୁ ଅବାରିତ ଭାବେ ସୃଷ୍ଟି ହେଲା ସେମାନଙ୍କ କଥିତ ପ୍ରାକୃତ ଭାଷାରେ କୃଷ୍ଣଭକ୍ତିମୂଳକ ନବନବ ଗାଥା ଗୀତିକାମାନଙ୍କର ପ୍ରବାହ । ଏହି କୃଷ୍ଣଲୀଳା ରସ ସର୍ବାଧିକ ଆକର୍ଷଣ ହୋଇଥିବାରୁ ବ୍ରହ୍ମତ୍ତର ସମାଜରେ ଏହା ହେଲା ସର୍ବଶ୍ରେଷ୍ଠ ମନୋମୁଗ୍ଧକର ମନୋରଂଜକ ସାହିତ୍ୟ ଭାବରେ ଆଦୃତ । ସଂସ୍କୃତ ଭାଷାରେ ଅନୁବାଦିତ ବା ମୌଳିକ ଭାବେ ଲୀଳାନାଟ୍ୟ, ଗୀତିନାଟ୍ୟ, ଲୋକନାଟ୍ୟ ଅଥବା କାବ୍ୟ ରୂପରେ ନାନା ଆଙ୍ଗିକ ବୈଚିତ୍ର୍ୟରେ ପରିବେଶିତ ।

 

ମହାଭାରତ ଯୁଦ୍ଧ (ଖ୍ରୀ.ପୂ. ୩୧୩୮)ର ୩୬ ବର୍ଷ ପରେ ଖ୍ରୀ.ପୂ. ୩୧୦୨, ଫେବୃୟାରୀ, ୨୦ ତାରିଖରେ ଦ୍ୱାରକାପୁରୀର ସମୁଦ୍ର ବିଲୟବେଳେ କୃଷ୍ଣବଳରାମଙ୍କ ବିୟୋଗ ଦିନରୁ ଏ ଦେଶରେ କଳିଯୁଗ ଆରମ୍ଭ ହୋଇ ସେହି ଦିନଠାରୁ କଳିଯୁଗାବ୍ଦ ସମଗ୍ର ଭାରତ ବର୍ଷରେ ଗଣନା କରାଯାଉଅଛି । ସେହି କାଳରେ ସଂଘଟିତ ପ୍ରାକୃତିକ ବିପର୍ଯୟମାନଙ୍କର ଚିତ୍ର ସମ୍ବଳିତ ସାହିତ୍ୟ ମେସୋପୋଟାମିଆ ପ୍ରଭୃତିରେ ଇସଲାମ ଧର୍ମର ପ୍ରଭାବ ହେତୁ ଉପଲବ୍ଧ ନୁହେଁ, କିନ୍ତୁ ମହାଭାରତ ଓ ପୁରାଣ ସାହିତ୍ୟରେ ସେହି ବିପର୍ଯ୍ୟୟ ରଚିତ, ବ୍ୟାପକ ବର୍ଣ୍ଣିତ ।

 

୨. ଉତ୍କଳରେ ତତ୍ତ୍ୱଭିତ୍ତିକ ନାଟକ ପରଂପରା :

ଉତ୍କଳରେ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ପ୍ରାକୃତ ଓଡ଼ିଆ ଭାଷାରେ ଧର୍ମୀୟ ସାହିତ୍ୟ ଧାରା ଯେପରି ଖ୍ରୀଷ୍ଟପୂର୍ବ ବହୁକାଳରୁ ଗ୍ରାମରୁ ଅବ୍ୟାହତ ରହି ଆସିଥିବାର ପ୍ରତୀତ ହୁଏ ସେହିପରି କଳିଯୁଗ ଆରମ୍ଭ କାଳରୁ ଏହି ପ୍ରଦେଶକୁ ପୈପ୍ପଳାଦ ଗୋତ୍ରୀୟ ବ୍ରାହ୍ମଣାଦିମାନଙ୍କର ସରସ୍ଵତୀ ନଦୀତୀରରୁ ସ୍ଥାନାନ୍ତରଣ ହେତୁ ଏବଂ ସୋମବଂଶୀ ରାଜାମାନଙ୍କ ଦ୍ୱାରା କାନ୍ୟକୁବ୍‌ବାଦିରୁ ବ୍ରାହ୍ମଣମାନେ ଆମନ୍ତ୍ରିତ ହୋଇ ଆସିଥିବାରୁ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ସଂସ୍କୃତ ସାହିତ୍ୟ ଚର୍ଚ୍ଚାର ପ୍ରଧାନ ଏକ କେନ୍ଦ୍ର ଭାବେ ସମଗ୍ର ଭାରତରେ ପ୍ରସିଦ୍ଧି ଅର୍ଜନ କରି ଆସିଅଛି । ପୂର୍ବରୁ ଓଡ଼ିଶାର ଶୈଳୋଦ୍ଭବ ବଂଶୀୟ ଓ ମାଠର ରାଜାମାନେ ଥିଲେ ପରମ ଭାଗବତ ବା ବୈଷ୍ଣବ ଧର୍ମାବଲମ୍ବୀ ମାଠର ରାଜତ୍ୱକାଳରେ ରଚିତ ପଞ୍ଚତନ୍ତ୍ରପାଇଁ ପଣ୍ଡିତ ବିଷ୍ଣୁଶର୍ମା ଯେପରି ପୁରାତନ କାଳରୁ ବିଶ୍ୱ ପ୍ରସିଦ୍ଧି ଲାଭ କରିଥିଲେ ସେହିପରି ୧୦୬୫ ଖ୍ରୀଷ୍ଟାବ୍ଦରେ ମଧ୍ୟଭାରତର ରାଜ କୀର୍ତ୍ତି ବର୍ମାଙ୍କ ରାଜସଭାରେ ଏକାଧିକବାର ଅଭିନୀତ କୃଷ୍ଣ ମିଶ୍ରଙ୍କର ‘ପ୍ରବୋଧ ଚନ୍ଦ୍ରୋଦୟ’ ନାଟକ ଭାରତୀୟ ନାଟକ ଧାରାରେ ସଂସ୍କୃତରେ କେବଳ ଏକ ଯୁଗାନ୍ତକାରୀ ରୂପକ ଓ ସଂକେତଧର୍ମୀ ନାଟକ ନୁହେଁ ବରଂ ବିଶ୍ୱ ନାଟକ ସାହିତ୍ୟର ଇତିହାସରେ ଏହା ଅତୁଳନୀୟ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଏକ ପ୍ରାଚୀନ ନାଟକ ଭାବେ ବହୁଚର୍ଚ୍ଚିତ ହୋଇ ଆସିଅଛି । ଏହାର ଲେଖକ କୃଷ୍ଣ ମିଶ୍ର ଯେ ଥିଲେ ଉତ୍କଳୀୟ ନାଟ୍ୟକାର ତାହା ତାଙ୍କ ନାଟକର ଦ୍ୱିତୀୟ ଅଙ୍କରୁ ସୂଚିତ ହୁଏ; ଅହମୁଲଳଦେଶାଦାଗତୋଽସ୍ମି, ଅସ୍ତିତତ୍ର ସାଗର ତୀର ସନ୍ନିବେଶେ ପୁରୁଷୋତ୍ତମ ଶଦ୍ଦିତମ୍ ଦେବାଥିତନମ୍’ ଇତ୍ୟାଦି ।

 

ପୁରୁଷୋତ୍ତମ କ୍ଷେତ୍ରରେ କଳିକାଳ ଆରମ୍ଭ ପରଠାରୁ ଭାରତୀୟ ବିଭିନ୍ନ ଧର୍ମଦର୍ଶନ ସମ୍ବନ୍ଧରେ ବିଦ୍ୱ।ନମାନଙ୍କ ମଧ୍ୟରେ ପ୍ରଗଳ୍ଭ ଆଲୋଚନା ହୋଇ ଆସୁଥିବାରୁ ବିଭିନ୍ନ ଦାର୍ଶନିକ ମତବାଦ ସମ୍ବନ୍ଧରେ ଶିକ୍ଷାଦାନ ଉଦ୍ଦେଶ୍ୟରେ ନାଟ୍ୟକାର କୃଷ୍ଣ ମିଶ୍ର ଦର୍ଶନ ତତ୍ତ୍ୱମାନଙ୍କୁ ଚରିତ୍ର ଭାବେ ନିର୍ମାଣ କରି କୌତୂହଳ ଏବଂ ଉତ୍କଣ୍ଠାପୂର୍ଣ୍ଣ ସଫଳ ଏହି ନାଟକ ରଚନା କରିଥିଲେ । ଏହି ନାଟକ ପାରସୀ ଭାଷାରେ “ଗୁଲଜାର-ଇ-ହାଲ” ନାମରେ ୧୬୬୨-୬୩ ମସିହା ମଧ୍ୟରେ ଅନୂଦିତ ହୋଇଥିଲା । ଏହି ନାଟକର ଚରିତ୍ର ଓ କଥାବସ୍ତୁ ଆଧାରରେ ଜନ୍ ବେନିଆନ ତାଙ୍କର ପ୍ରସିଦ୍ଧ ଲୋକପ୍ରିୟ ଗ୍ରନ୍ଥ ‘ପିଲଗ୍ରୀମ୍‌ର ପ୍ରଗ୍ରେସ” ରଚନା କରିଥିଲେ ବୋଲି କଥିତ ହୁଏ । ପ୍ରାୟ ସେହି ଯୁଗରେ କବି ମୁରାରି ମିଶ୍ରଙ୍କ ରଚିତ ‘ଅନର୍ଘ ରାଘବ’ ନାଟକ ରଚିତ ହୋଇ ରଥଯାତ୍ରାବସରରେ ଗୁଣ୍ଡିଚା ଘରେ ଅଭିନୀତ ହୋଇଥିଲା ଓ ଏହି ନାଟକ ସମଗ୍ର ଭାରତରେ ଆଦୃତ ହୋଇଆସିଛି । ରାଜା ପ୍ରତାପଦେବଙ୍କ ପିତା ଗଜପତି ପୁରୁଷୋତ୍ତମ ଦେବ କାବ୍ୟ ନାଟକ ରସିକ ଭାବେ ତାଙ୍କ ଅଭିଲେଖମାନଙ୍କରେ ପ୍ରଶଂସିତ । ସେ ରଚନା କରିଥିଲେ ‘ଅଭିନବ ବେଣୀସଂହାର’ ନାମକ ମନୋରଂଜନଧର୍ମୀ ନାଟକ । କିନ୍ତୁ ରୂପକ ଓ ପ୍ରତୀକଧର୍ମୀ ନାଟକ ‘ପ୍ରବୋଧ ଚନ୍ଦ୍ରୋଦୟ’ର ପ୍ରାଧି ଅନୁସରଣରେ ପ୍ରତାପରୁଦ୍ର ଦେବଙ୍କ ସଭାକବି କବିଡ଼ିଣ୍ଡିମ ଜୀବ ଦେବାଚାର୍ଯ୍ୟ ବହୁସଂଖ୍ୟକ ଦାର୍ଶନିକ ତତ୍ତ୍ୱମାନଙ୍କୁ ଚରିତ୍ରାୟିତ କରି ଉପସ୍ଥାପନ କରିଥିଲେ ତାଙ୍କର ପ୍ରସିଦ୍ଧ ନାଟକ ‘ଭକ୍ତିବୈଭବ’ରେ । ସକାମ ଭକ୍ତି, ନିଷ୍କାମ ନିଷ୍ଠା, ନ୍ୟାୟ ତତ୍ତ୍ୱ, ବେଦାନ୍ତ, ମୀମାଂସା, ଚାର୍ବାକ ମତମାନଙ୍କ ସମ୍ବନ୍ଧରେ ପାତ୍ରମାନଙ୍କ ମୁଖରେ ପ୍ରଭାବଶାଳୀ ସଂଳାପ ମାଧ୍ୟମରେ ଚର୍ଚ୍ଚା କରାଯାଇଛି । ବିଦ୍ୟା, କଳି, ମହୋମୋହ, ବିବେକ, ବିଶ୍ୱ।ସ, ଚାର୍ବାକ, ଚାର୍ବାକ ଶିଷ୍ୟ, ବୌଦ୍ଧ କ୍ଷଣବାଦ, ଶୂନ୍ୟବାଦ, ମହାଯାନିକ, ସୌତ୍ରାନ୍ତିକ, ଶାନ୍ତି, ବୈଶେଷିକ, ମହାକାଳ, କ୍ରୋଧ, ଲୋଭ, ବିଭ୍ରମ, କାମ, ଦମ୍ଭ, ମୋହିନୀ, ମଦ, ଶୃଙ୍ଗାର, ବୈରାଗ୍ୟ, ଭାଗବତ, ବିଷ୍ଣୁଭକ୍ତି, ସନ୍ତୋଷ ଆଦି ଦାର୍ଶନିକ ତତ୍ତ୍ୱ ଓ ମତବାଦମାନଙ୍କ ସହିତ ମନୁଷ୍ୟର ମାନସିକ, ବୃତ୍ତି ଓ ପ୍ରବୃତ୍ତିମାନେ ମଧ୍ୟ ଚରିତ୍ରାୟିତ ହୋଇ ଧର୍ମୀୟ ସାଧନା ସମ୍ବନ୍ଧୀୟ ଦର୍ଶକୀୟ ଉତ୍କଣ୍ଠାକୁ ପ୍ରତି ଅଙ୍କରେ ତୀବ୍ରତର କରିଛନ୍ତି । ଶେଷରେ ରାଜା ଶୁକଦେବଙ୍କ ରାଣୀ ବିଷ୍ଣୁ ଭକ୍ତି ନାଟକ ଦର୍ଶନ କରି ଖେଚରୀ ଗ୍ରାସରୁ ମୁକ୍ତ ହୁଅନ୍ତେ ଭକ୍ତି ଦେବୀଙ୍କ ଅନୁରୋଧରେ ମୁକ୍ତ କନ୍ୟାଙ୍କୁ ମୁକ୍ତାବଳୀରେ ଭୂଷିତା କରାଯାଇ କାମକ୍ରୋଧଙ୍କୁ ବିବେକ ସାହାଯ୍ୟରେ ଜୟ କରିଥିବା ରାଜାଙ୍କୁ ପ୍ରଦାନ କରାଗଲା । ବିଷ୍ଣୁଶର୍ମା ଓ କୃଷ୍ଣଶର୍ମା ନାମୀ ଦୁଇଜଣ ବିଷ୍ଣୁଭକ୍ତ ଦଶମ ଓ ଶେଷ ଅଙ୍କ ଆରମ୍ଭରେ ପ୍ରବେଶ କରି ୬୮ ପୁଣ୍ୟତୀର୍ଥର ସମାହାର ଘଟିଥିବା ପୁରୁଷୋତ୍ତମରେ ଭଗବାନ ନୃସିଂହ ଦେବ ଓ ମଧୁକୈଠଭାରି ଭଗବାନ ହୟଗ୍ରୀବଙ୍କ ମହିମା ଅଭିନୟ ପ୍ରଦର୍ଶନ କରନ୍ତି । ଶେଷରେ ରାଜା ମୁକ୍ତି କନ୍ୟାଙ୍କୁ ଗ୍ରହଣ କରି ସନ୍ତୋଷ ଲାଭ କରିବା ପରେ ଦେବର୍ଷି ନାରଦ ମଧ୍ୟ ଆସି ବିଷ୍ଣୁଙ୍କର ଗୁଣକୀର୍ତ୍ତନ ଗାନ କରିଛନ୍ତି । କବି ଜୀବଦେବ ଜୀବଦ୍ଦଶାରେ ଏହି ନାଟକ ଉପଭୋଗ କରି ମୁକ୍ତି ମୁକ୍ତାବଳୀ ଲାଭ କରନ୍ତି । ଏହି ନାଟକ ୧୫୧୦ ଖ୍ରୀଷ୍ଟାବ୍ଦରେ ସମାପ୍ତ ହୋଇ ଥିଲା ଓ ସମ୍ଭବତଃ ସେହି ବର୍ଷ ମଧ୍ୟରେ କୌଣସି ଉତ୍ସବ ଅବକାଶରେ ଅଭିନୀତ ହୋଇଥିବ । ସେହିବର୍ଷ ଦୋଳ ମହୋତ୍ସବବେଳେ ଚୈତନ୍ୟ ଦେବ ଶ୍ରୀକ୍ଷେତ୍ରରେ ପ୍ରବେଶ କରିଥିଲେ ।

 

ବେଳେବେଳେ ରାଜନୈତିକ ବିପର୍ଯ୍ୟୟମାନ ଘଟିଥିଲେ ମଧ୍ୟ ଭୌମକରମାନଙ୍କ ସମୟରୁ ସଂଗଠିତ ସୋମବଂଶୀମାନଙ୍କ ଦ୍ୱ।ରା ପ୍ରସାରିତ ଉତ୍କଳକୁ ବିଶାଳ ଏକ ସାମ୍ରାଜ୍ୟର ମାନ୍ୟତା ଦେଇଥିଲେ ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ନରପତିଗଣ । ତେଣୁ ପ୍ରଜାଗଣ ସୁଖ ସମୃଦ୍ଧିରେ ଶାନ୍ତିମୟ ନିରୁପଦ୍ରବ କାଳାତିପାତ କରୁଥିବାରୁ ବିବିଧ କଳା ଓ ଭାସ୍କର୍ଯ୍ୟରେ ଦକ୍ଷତା ପ୍ରଦର୍ଶନ କରିବା ପରି ଧର୍ମ ଦର୍ଶନ ଓ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ଲୋକେ ଅସାଧାରଣ କୃତିତ୍ୱ ପ୍ରଦର୍ଶନ କରିଥିଲେ, ଯାହାକି ସେଯୁଗରେ ଇସଲାମୀ ଶାସନ ହେତୁ ଭାରତର ଅନ୍ୟ ରାଜ୍ୟମାନଙ୍କରେ ନାନା ଅତ୍ୟାଚାର ଉପଦ୍ରବ କାଳରେ ସମ୍ଭବ ହୋଇନଥିଲା । ଏପରି ସୁସଂଗଠିତ ସୁଶାସିତ ଦୀର୍ଘକାଳ ବ୍ୟାପୀ ସମୃଦ୍ଧ ସମାଜରେ ଜନସମାଜର ଭାଷା ଶୁଦ୍ଧ ଓଡ଼ିଆ ମଧ୍ୟ କୌଣସି ପାରମ୍ପରିକ ବିଧି ବା ପ୍ରଥାକୁ ଅସ୍ଵୀକାର କରି ନାଟକମାନଙ୍କରେ ଚରିତ୍ରମାନଙ୍କ ମୁଖରେ ପ୍ରକାଶିତ ହୋଇପାରିଥିଲେ । ଜୟଦେବଙ୍କ ଗୀତଗୋବିନ୍ଦ ମୂଳତଃ ଓଡ଼ିଆ ପ୍ରାକୃତରେ ଏକ ଗୀତିନାଟକ ଭାବେ ଚାରଣଭୂମି ପରିବେଶରେ ରଚିତ ହୋଇ ଦେବସ୍ଥାନ ବା ଗ୍ରାମ୍ୟ ପ୍ରାନ୍ତମାନଙ୍କରେ ଅଭିନୀତ ହୋଇଥିବାର ଏବଂ ପରବର୍ତ୍ତୀ କାଳରେ ସଂସ୍କୃତ କାବ୍ୟଭାବେ ଅନୁବାଦିତ ହୋଇଥିଲା । ତେଣୁ ପ୍ରସିଦ୍ଧ ଉତ୍କଳୀୟ ଅଳଙ୍କାର ଶାସ୍ତ୍ର ବିଶାରଦ ବିଶ୍ୱନାଥ କବିରାଜ ତାଙ୍କ ସାହିତ୍ୟ ଦର୍ପଣ (୬/୧୨୮)ରେ ରାଜମହିଷୀ ଚରିତ୍ରମାନଙ୍କ ଉକ୍ତି ସଂସ୍କୃତ ଭାଷାରେ ହେବା ବିଧେୟ ବୋଲି ଉଲ୍ଲେଖ କରିଥିଲେ ମଧ୍ୟ ସମ୍ରାଟ କପିଳେନ୍ଦ୍ର ଦେବ ତାଙ୍କର ଏକାଙ୍କ ବିଶିଷ୍ଟ ପରଶୁରାମ ବିଜୟ ବ୍ୟାଯୋଗରେ ରାଣୀ ଚନ୍ଦ୍ରବଦନାଙ୍କ ମୁଖରେ ଶୁଦ୍ଧ ଓଡ଼ିଆ ଭାଷାରେ ରଚିତ ଏକ ଚମତ୍କାର ଗୀତିକା ବ୍ୟବହାର କରିଛନ୍ତି । ଅବଶ୍ୟ ଭରତମୁନି ପ୍ରଭୃତି ନାରୀମାନେ ପ୍ରାକୃତ ଭାଷାରେ ସଂଳାପ କରିବାର ବିଧାନ କରିଥିଲେ । ତେଣୁ ରାଜା କପିଳେନ୍ଦ୍ର ଲେଖିଛନ୍ତି-

 

କେବଣ ମୁନି କୁମର ପରକୁ ଦକ୍ଷିଣ କର ବାମେଣ ମୋହେ ଧନୁଶର ନା,

କୋପେଣ ବୋଲଇ ବୀର ତୁ ସେ ବଧିଲୁତାତ, ଆଜ ତୋର ଛେଦିବଇମଥା ନା,

ଶୁଣ ରାଜନ ହୋ,

କିଏ ତୋର ରାଜ୍ୟେ ବ୍ରହ୍ମ ବଧେନା ।

ଏ ତୋର ଚନ୍ଦ୍ରବଦନ, ମେଘକି ଢାଙ୍କିଲା ଘନ,

ତାହା ଦେଖି ବିକଳ ମୋ ମନ ନା ॥

ଆବର ଦେଖଇ ଅରିଷ୍ଟ୍ରି,

ରାଜ୍ୟେ ତୋ ରୁଧିର ବୃଷ୍ଟି ।

ପୁର ବେଢ଼ି ରୋଦନ୍ତି ଶୃଗାଳ ନା ॥

ଶୁଣ ରାଜନ ହୋ,

କିଏ ତୋର ରାଜ୍ୟେ ବ୍ରହ୍ମ ବଧେନା ॥

 

ଏହି ସଂଗୀତର ଭାଷାକୁ କେହି କେହି ‘ବ୍ରଜବୁଲୀ’ ଭାଷାରେ ରଚିତ ବୋଲି କହୁଥିଲେ ମଧ୍ୟ ଏହା ଭ୍ରମାତ୍ମକ ।

 

୩. ବୋଲୀଭାଷା ନାଟକରେ ବ୍ୟବହୃତ :

କାରଣ ‘ବ୍ରଜବୋଲୀ’ ଏକ ଶୁଦ୍ଧ ଓଡ଼ିଆ ଶବ୍ଦ । ବୋଲୀ କବିତାମାନ ବହୁ ସଂଖ୍ୟାରେ ଆମେ ସଂଗ୍ରହ କରିଥିଲୁ ଯାହାକି ସାହିତ୍ୟ ଏକାଡେମୀ ଦ୍ୱ।ରା ପ୍ରକାଶିତ । ବ୍ରଜରସ ସମ୍ବନ୍ଧୀୟ ଗୀତିକାମାନଙ୍କୁ ବ୍ରଜବୋଲୀ କୁହାଯାଏ ।

 

ଏପରି ପ୍ରାଚୀନ କବିତା ଏକମାତ୍ର ଓଡ଼ିଶାର ବୈଷ୍ଣବକବିମାନେ ରଚନା କରିଥିଲେ, ଯାହାର ଅନୁସରଣ ଅନ୍ୟ କବିମାନେ କରିଥିଲେ । ଏପରି ଶ୍ରେଣୀର କବିତା ବା ପଦାବଳୀମାନଙ୍କର ପ୍ରାଚୀନ ଭାଷାର ପ୍ରାଚୀନ ଲକ୍ଷଣମାନଙ୍କୁ ବିଚାର କରି କେହି କେହି ଏହାକୁ ବ୍ରଜ ଅଞ୍ଚଳର ସ୍ଵତନ୍ତ୍ର ଭାଷା ବୋଲି କହୁଥିବାବେଳେ ଅନ୍ୟ କେତେକ ଏହି କବିତା ଭାଷାକୁ ବିଦ୍ୟାପତିଙ୍କ ମୈଥିଳୀ ହିନ୍ଦୀ ଭାଷା ବୋଲି ମନେକରନ୍ତି । କିନ୍ତୁ ବ୍ରଜ, ମଥୁରାଦି ସୁରସେନ ଦେଶ ସମେତ ମରୁଦେଶ ରାଜସ୍ଥାନ ପର୍ଯ୍ୟନ୍ତ ପୂର୍ବେ ବିସ୍ତାରିତ ଥିବା ଆଲବାର ଆଭିରାଦି ପଶୁ ପାଳକ ଗଣ ସେମାନଙ୍କ କଥିତ ଭାଷାରେ ଶ୍ରୀକୃଷ୍ଣଙ୍କ ନାନାବିଧ ବ୍ରଜଲୀଳା ବିଳାସ ସମ୍ବନ୍ଧୀୟ ମୌଖିକ ପରଂପରାରେ ଯେଉଁ ଗୀତ ଗାନ ଧାରାକୁ ଅକ୍ଷୂର୍ଣ୍ଣ ରଖିଥିଲେ ଜଳବାୟୁ ବିପର୍ଯ୍ୟୟ କାଳରେ ସେମାନଙ୍କ ସହିତ ସେମାନଙ୍କର ପାରମ୍ପରିକ ମୌଖିକ ଗୀତ ଓ ତା’ର ଭାଷା ମଧ୍ୟ ଉତ୍କଳାଦି ଦେଶମାନଙ୍କୁ ଆସିଥିଲା । ପ୍ରତି ଅଞ୍ଚଳର ସ୍ଥାନୀୟ ଭାଷା ସଂସ୍ରବରେ ସେମାନଙ୍କ ମୂଳଭାଷା କାଳକ୍ରମେ ସଂରକ୍ଷଣ ହୋଇଥିଲେ ମଧ୍ୟ କୃଷ୍ଣପ୍ରେମ ଲୀଳା ବର୍ଣ୍ଣନା ଅଯୁକ୍ତି ରହି ଆସିଥିଲା । ତେଣୁ ଏହା ବ୍ରଜବୋଲୀ ବା ମୈଥିଳୀ ହିନ୍ଦୀ ଭାଷା ନୁହେଁ । ଏହା ଶୁଦ୍ଧ ପ୍ରାଚୀନ ଓଡ଼ିଆ ଅପଭ୍ରଂଶ ଭାଷାର କବିତା । ଜୟଦେବଙ୍କ ଗୀତିନାଟ୍ୟରୂପେ ପ୍ରଥମେ ରଚିତ ଏବଂ କାବ୍ୟ ରୂପରେ ସଂସ୍କୃତ ରୂପାନ୍ତରିତ ଗୀତଗୋବିନ୍ଦର ମୂଳଭାଷା ଏହିପରି ଥିଲା । ତାଙ୍କ ଗୀତିକାମାନଙ୍କର ପରିମାର୍ଜିତ କେତେକ କବିତା ଏବେ ଉପଲବ୍‌ଧ ହୁଅନ୍ତି । ସେହି କାଳରୁ ଅସଂଖ୍ୟ ଗୀତିକା ପ୍ରାଚୀନ ପାଣ୍ଡୁଲିପିମାନଙ୍କରେ ସଂକଳିତ ଓ ସଂଗ୍ରହାଳୟମାନଙ୍କରେ ସଂରକ୍ଷିତ ଥିଲେ ମଧ୍ୟ ସେସବୁ ସମ୍ବନ୍ଧରେ ଅଧ୍ୟୟନ ଓ ଗବେଷଣା ଅତି ଦୟନୀୟ ଅବସ୍ଥାରେ ରହିଅଛି । ଜୟଦେବଙ୍କ ରଚିତ ଦୁଇ କବିତା ଶିଖମାନଙ୍କ ଗୁରୁଗ୍ରନ୍ଥରେ ସଂକଳିତ ରହିଅଛି । ଦାମୋଦର ଦାସଙ୍କ ରସକୂଲ୍ୟା ଚଉତିଶା ବୃଦ୍ଧ ଚମ୍ପତ୍ତିଙ୍କ ଆର୍ଯ୍ୟା ଓ ମହଲା ବୃତ୍ତରେ ରଚିତ ହରିହର ବିଳାସ, ଦନେଇ ଦାସଙ୍କ ଗୋପୀଭାଷା ବୋଲି ପ୍ରଭୃତି ପ୍ରାଚୀନ ଓଡ଼ିଆ ଗୀତିକବିତା ଧାରାର ପ୍ରାକ୍ ଚୈତନ୍ୟ ଯୁଗୀୟ ନମୁନା । ସେହି ଦୃଷ୍ଟିରୁ କପିଳେନ୍ଦ୍ର ଦେବଙ୍କ ନାଟକର କବିତା ଏବଂ ରାୟ ରାମାନନ୍ଦଙ୍କ ଗୀତିକବିତା ପ୍ରାଚୀନ ଓଡ଼ିଆ ଭାଷାରେ ଲିଖିତ ଏପରି ବ୍ରଜ ରସାତ୍ମକ ଓଡ଼ିଆ ପ୍ରାକୃତରେ ଶବ୍ଦ ଓ ଧ୍ୱନି ବୈଶିଷ୍ଟ୍ୟ ଦ୍ୱ।ରା ତହିଁରେ ସମାନ୍ୟ ପରିବର୍ତ୍ତନ ଘଟିଥାଏ । ରାଧାକୃଷ୍ଣଙ୍କ ମଧୁର ରସାତ୍ମକ ଲୋକଭାଷାର ଗୀତିକାମାନଙ୍କ ଲାଳିତ୍ୟ ଓ ବ୍ୟାପକ ଆଦୃତି ହେତୁ କବି ଜୟଦେବଙ୍କ ସମୟରୁ ରାଜା ପୁରୁଷୋତ୍ତମଦେବଙ୍କ ସମୟ ମଧ୍ୟରେ କେତେକ ବ୍ରଜରସାତ୍ମକ କବିତା ମଧ୍ୟ ସଂସ୍କୃତରେ ରଚିତ ହୋଇଥିଲେ/ପ୍ରାକ୍ ଚୈତନ୍ୟ ଯୁଗୀୟ ଏପରି କେତେକ ସଂସ୍କୃତ କବିତା ରୂପଗୋସ୍ୱ।ମୀଙ୍କ ପଦ୍ୟାବଳୀରେ ସଂକଳିତ ହୋଇଥିବାର ଦେଖାଯାଏ (କ୍ର.ସଂ. ୪୮, ୧୫୬, ୧୬୧, ୨୯୮, ପ୍ରଭୃତି edited by S. K. Dey. Dacca University 1934) ଏହି କବିତା ଗୁଡ଼ିକରେ ରାଧାକୃଷ୍ଣଙ୍କ ପ୍ରେମବିଳାସର ବିବିଧ ବର୍ଣ୍ଣନା ଦେଖାଯାଏ ।

 

ଶ୍ରୀକ୍ଷେତ୍ରରେ ଗୋପୀବଲ୍ଲଭ ବା ଗୋପୀକୃଷ୍ଣ ଦ୍ୱ।ରକାଧୀଶଭାବେ ଜଗନ୍ନାଥ ନାମରେ ବିବିଧ ଯାତ୍ରା ମହୋତ୍ସବ ସହିତ ପୂଜିତ ହେବାରୁ କୃଷ୍ଣଙ୍କ ସୁମଧୁର କୈଶୋର ଲୀଳା ସ୍ମରଣରେ ଆବୃତ ମୌଖିକ ଗୀତିକା ପରଂପରା ସହିତ, ସମାନ୍ତରାଳ ଭାବେ କବିଗଣ କୃଷ୍ଣପ୍ରେମ ଓ କୃଷ୍ଣଭକ୍ତି କବିତାମାନ ସଂସ୍କୃତରେ ରଚିତ ହୋଇଥିଲେ । ଅଳ୍ପ କେତେକ ଉଦ୍ଧାର କରି ମଧ୍ୟଯୁଗୀୟ ସଂଗ୍ରାହକମାନେ ସଂକଳିତ କରିଥିଲେ ମଧ୍ୟ ବହୁସଂଖ୍ୟାରେ ଲୋପ ପାଇ ଯାଇଛନ୍ତି । ଅଥର୍ବ ବେଦର ପ୍ରଧାନ ଏକ ଶାଖା ପୈପ୍ପଳାଦ ସଂହିତା ଓ ସେହି ଶାଖାର ବ୍ରାହ୍ମଣମାନଙ୍କର ଉତ୍କଳକୁ ସ୍ଥାନାନ୍ତରଣ ପରି, ପାଞ୍ଚରାତ୍ର ମତ ସହିତ ତା’ର ସାହିତ୍ୟ ମଧ୍ୟ ଓଡ଼ିଶାକୁ ସ୍ଥାନାନ୍ତରିତ ହୋଇଆସିଥିଲେ । ଏହି ମତ ଓ ସାହିତ୍ୟ ପ୍ରଭାବରେ ଓଡ଼ିଶାରେ ଜଗନ୍ନାଥଙ୍କ ରତ୍ନ ସିଂହାସନ ନିତ୍ୟ ଗୋଲୋକର ଯୋଗପୀଠ ଏବଂ ମଣିମୟ ମଣ୍ଡପରେ ଶ୍ରୀଜଗନ୍ନାଥ ସ୍ୱୟଂ ହେଉଛନ୍ତି ରାଧାକୃଷ୍ଣଙ୍କର ମିଳିତ ବିଗ୍ରହ । ଅର୍ଥାତ୍ ସେ ପରବ୍ୟୋମରେ ଅଧିଷ୍ଠିତ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ବା ଅର୍ଦ୍ଧାଙ୍ଗ ରାଧା ଓ ଅର୍ଦ୍ଧାଙ୍ଗ ଗୋବିନ୍ଦ । ଏହି ବିଶ୍ୱ।ସରେ ଉତ୍କଳର ନିର୍ଗୁଣ ପନ୍ଥୀ କବିଗଣ ଯୋଗସମାଧିରେ ସହସ୍ରାର ଚକ୍ରରେ ମଣିମଣ୍ଡିତ ରତ୍ନସିଂହାସନରେ ଅର୍ଦ୍ଧାଙ୍ଗ ରାଧା ଓ ଅର୍ଦ୍ଧାଙ୍ଗ କୃଷ୍ଣଙ୍କ ମିଳିତ ତନୁକୁ ଧ୍ୟାନଯୋଗରେ ଲୟ କରିଥାନ୍ତି । ଏପରି ବର୍ଣ୍ଣନା ଭାଗବତ ରଚୟିତା ଜଗନ୍ନାଥ ଦାସଙ୍କ ଉପାସନା ଶତକରେ ଯେପରି ପରିଦୃଷ୍ଟ, ଦକ୍ଷିଣାତ୍ୟରେ ତୀର୍ଥାଟନ ବେଳେ ଶ୍ରୀଚୈତନ୍ୟ ଦେବ ପଞ୍ଚରାତ୍ରାଗମର ଦୁର୍ଲଭ ଗ୍ରନ୍ଥ ଯେଉଁ ବ୍ରହ୍ମ ସାହିତ୍ୟର ଏକ ଅଂଶ ସଂଗ୍ରହ କରି ଆଣିଥିଲେ ତହିଁରେ ମଧ୍ୟ ଅନୁରୂପ ଭାବେ ବର୍ଣ୍ଣିତ । ପୁରୁଷୋତ୍ତମ ତାପିନୀ ପରି ଅଥର୍ବବେଦୀୟ ଉପନିଷଦରେ ମଧ୍ୟ ଏହି ଶ୍ରୀପୁରୁଷୋତ୍ତମ ନିତ୍ୟ ବୃନ୍ଦାବନ, ନିତ୍ୟ ଗୋଲାକ ଓ ତହିଁରେ ରାଧାକୃଷ୍ଣଙ୍କର ନିତ୍ୟ ରାସଲୀଳା ବର୍ଣ୍ଣିତ ।

 

ତେଣୁ ଭକ୍ତିଯୋଗର ସାଧକଗଣ ଏକାନ୍ତ ଗୋପନରେ ସମ୍ଭବତଃ ଲୟ ଯୋଗରେ ତଥା ବାସ୍ତବ ଅର୍ଚ୍ଚା ଉପାସନାରେ ରାଧାମାଧବଙ୍କ ନିତ୍ୟ ମିଳନ ଓ ରାସଲୀଳା ରସ ଆସ୍ୱ।ଦନ କରି ଐକାନ୍ତିକ ଭକ୍ତିରେ ନିମଗ୍ନ ହେଉଥିଲେ ।

 

୩. ନିତ୍ୟ ରାସଲୀଳା :

ସାରସ୍ଵତ ଶୂରସେନ ଦେଶରୁ ଆଗତ ଲୋକେ ଶ୍ରୀକୃଷ୍ଣଙ୍କ ବ୍ରଜଲୀଳାକୁ ନିତ୍ୟ ଯେ କୃଷ୍ଣଲୀଳା ଭାବେ ସ୍ମରଣ କରୁଥିଲେ, ତାଙ୍କ ବିଶ୍ୱ।ସରେ ନିତ୍ୟ ସନାତନ ତତ୍ତ୍ୱ ବୈକୁଣ୍ଠ ବିହାରୀ କୃଷ୍ଣ-ବିଷ୍ଣୁଙ୍କର ଦ୍ୱ।ରକା ବା ବ୍ରଜଲୀଳା ହେଉଛି ତାଙ୍କର ନିତ୍ୟଲୀଳାର ଅପ୍ରାକୃତ ପ୍ରତିଭାସ ଓ ଏଥିରେ ମୂଳ ପୂର୍ଣ୍ଣତତ୍ତ୍ୱ ଓ ଅଂଶାବତାର ତତ୍ତ୍ୱର ଭେଦ ଭ୍ରମ କରାଯାଇନପାରେ । ତେଣୁ ନୈଷ୍କର୍ମ୍ୟ ମୂଳକ ଭକ୍ତି ବା ଆତ୍ମସମର୍ପଣ ସର୍ବସ୍ୱ ନିଷ୍କାମ ଭକ୍ତିର ବିଶୁଦ୍ଧ ଭକ୍ତିର ସୂକ୍ଷ୍ମ ସ୍ୱରୂପ ପ୍ରକଟିତ ହୁଏ ବ୍ରଜ ଧାମରେ ଗୋପଗୋପୀମାନଙ୍କର କୃଷ୍ଣଙ୍କ ପ୍ରତି ସପ୍ରେମ ବ୍ୟବହାରରେ । ତନ୍ମଧ୍ୟରେ ସର୍ବଶ୍ରେଷ୍ଠ ଦୃଷ୍ଟାନ୍ତ ହେଉଛି କୁଳବଧୂ ଗୋପୀକାମାନଙ୍କର ଶ୍ରୀକୃଷ୍ଣଙ୍କଠାରେ ଆତ୍ମସମର୍ପଣ ଏବଂ ଶ୍ରେଷ୍ଠତମ ହେଉଛି ରାଧାଙ୍କର ପ୍ରେମାର୍ପଣରେ । ପରମତତ୍ତ୍ୱ ବିଷ୍ଣୁ ନାନା ଅବତାର ଗ୍ରହଣ କରନ୍ତି ସାଧୁମାନଙ୍କୁ ଭବବନ୍ଧନରୁ ପରିତ୍ରାଣପାଇଁ ଓ ଦୁଷ୍କୃତ ଦୁରାଚାରୀମାନଙ୍କୁ ସଂହାର କରିବାପାଇଁ । କିନ୍ତୁ ଯେଉଁ ସାଧନ ବଳରେ ପ୍ରାଣୀର ଐହିକ ଜୀବନର ଆତ୍ୟନ୍ତିକ ଦୁଃଖ ନିବୃତ୍ତି ଘଟି ନିତ୍ୟଶାନ୍ତି ପ୍ରାପ୍ତ ହୁଏ, ସେହି ସାଧନ ହେଉଛି ଭକ୍ତି । ଏହି ଭକ୍ତିର ବିଶୁଦ୍ଧତମ ସ୍ୱରୂପ ପ୍ରକଟ କରାଇବା ଉଦ୍ଦେଶ୍ୟରେ ବିଷ୍ଣୁକୃଷ୍ଣ କୈଶୋର ଦଶାରେ ବ୍ରଜଧାମରେ ବିବିଧ ଲୀଳା କଲେ । ନିତ୍ୟ ଗୋଲୋକର ନିତ୍ୟଲୀଳାର ପ୍ରତିଭାସ ହେଉଛି ବୃନ୍ଦାବନରେ ଜାର ଭାବରେ ଗୋପୀକାମାନଙ୍କ ସହିତ ବିଶୁଦ୍ଧ ରସାଳ ରାସଲୀଳା । ଅନନ୍ୟ ଚିତ୍ତରେ ଶ୍ରୀକୃଷ୍ଣଙ୍କ ରୂପ ବିଭବ ଓ ଗୁଣ ନିକର ନିତ୍ୟ ସ୍ମରଣ କରି କୃଷ୍ଣପ୍ରେମ ଭକ୍ତି ଭାବରେ ଆବିଷ୍ଟ ହେଉଥିବା ଗୋପୀକାକୁଳବଧୂ ଗୋପାଙ୍ଗନାଗଣଙ୍କ ସହିତ କିଶୋର କୃଷ୍ଣ ବିବିଧ ମଧୁର ଭାବ ବିଭାବ ଅନୁଭାବରେ ଜାର ଭାବରେ କ୍ରୀଡ଼ା ବିଳାସ କରିଥିବାରୁ ଗୋପୀକାମାନେ ସ୍ଥାପନ କଲେ ବିଶୁଦ୍ଧତମ ଏକାନ୍ତ ତନ୍ମୟ ନିଷ୍କାମ ଭକ୍ତିର ସର୍ବକାଳୀନ ଆଦର୍ଶ ବା ଦୃଷ୍ଟାନ୍ତ । ପରମାର୍ଥ ସାଧନ ମାର୍ଗରେ ପରମତତ୍ତ୍ୱ ପରମେଶ୍ୱର ସହିତ ମିଳିତ ହେବାପାଇଁ ଏହି ଗୋପୀକାମାନଙ୍କର ଏକାନ୍ତ ଭକ୍ତି ସାଧନା ହେଉଛି ସହସ୍ର ସହସ୍ର ବର୍ଷର ବୈଦିକ ପରଂପରାରେ ଅଧ୍ୟାତ୍ମ ଜିଜ୍ଞାସାର ଚରମ କୋଟୀ ବୋଲି ମୁନିଋଷିମାନଙ୍କର ସିଦ୍ଧାନ୍ତ ।

 

ବୃନ୍ଦାବନରେ ଉପସ୍ଥାପିତ ଏହି ଲୀଳା ହେଉଛି ନିତ୍ୟ ବୈକୁଣ୍ଠ ଲୀଳାର ପ୍ରତିଭାସ । ଏହି ଅବିସ୍ମରଣୀୟ ମଧୁର ଲୀଳା ରହସ୍ୟ ଗାଥା ନିତ୍ୟ ଗାନ କରି କାଳ ବିପର୍ଯ୍ୟୟ ବେଳେ ପୂର୍ବ ସାଗରକୂଳ ପର୍ଯ୍ୟନ୍ତ ଉତ୍କଳକୁ ସ୍ଥାନାନ୍ତରିତ ହୋଇ ଆସିଥିବା କୁରୁକ୍ଷେତ୍ର, ଆଲବାର ଆଦି ସରସ୍ୱତୀ ଅଧ୍ୟୁଷିତ ଅଧିବାସୀମାନେ ଶ୍ରୀକ୍ଷେତ୍ର ପୁରୁଷୋତ୍ତମରେ ହରିବଳରାମ ସୁଭଦ୍ରା ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରିବାକୁ ସେମାନେ ସେହି କ୍ଷେତ୍ରକୁହିଁ ସେମାନଙ୍କ ପ୍ରିୟତମ ପୁଣ୍ୟଧାମ ଆରମ୍ଭକରି ନିତ୍ୟ ବୃନ୍ଦାବନ ଓ ନିତ୍ୟ ବୈକୁଣ୍ଠ ବୋଲି ଭକ୍ତି ତନ୍ମୟତାରେ ଆବିଷ୍ଟ ହୋଇ ଗ୍ରହଣ କରିନେଇଥିଲେ, ପାଞ୍ଚରାତ୍ର ଆଗମାନ୍ତର୍ଗତ ଯେଉଁ ବ୍ରହ୍ମ ସଂହିତାର ଅଂଶବିଶେଷକୁ ଦୁର୍ଲ୍ଲଭ ଶାସ୍ତ୍ର ଭାବେ ଅଭିହିତ କରି ଦାକ୍ଷିଣାତ୍ୟରୁ ଆଣିଥିଲେ,ତହିଁରେ ମହାନିତ୍ୟର ବର୍ଣ୍ଣିତ ହୁଏ,

 

“ସହସ୍ର ପତ୍ର କମଳଂ ଗୋକୁଳାଶ୍ୟଂ ମହତ୍‌ପଦମ୍ ।

ତତ୍ କର୍ଣ୍ଣିକାର ତଦ୍ଧାମ ତଦନନ୍ତାଂଶ ସମ୍ଭବମ୍ ॥”

 

ଅର୍ଥାତ୍ ଗୋକୁଳ ନାମରେ ପ୍ରତିଭାସିତ ଗୋଲୋକ ନାମକ ବିଷ୍ଣୁଙ୍କର ସର୍ବୋକୃଷ୍ଣ ସର୍ବୋଚ୍ଚଧାମ ହେଉଛି ସହସ୍ର ଦଳକମଳ ତୁଲ୍ୟ । ଏହାର ମଧ୍ୟସ୍ଥଳରେ ଥିବା କର୍ଣ୍ଣିକା ହେଉଛି କୃଷ୍ଣଙ୍କର ଆବାସ । ଏହି କର୍ଣ୍ଣିକା ଷଟ୍‌କୋଣବିଶିଷ୍ଟ ଯନ୍ତ୍ରରେ ବଜ୍ର କୀଳକ ବା ସୁଦୃଢ଼ ଆଧାର ପାତ୍ର ପରି । ଷଟ୍‌କୋଣମାନଙ୍କରେ ପ୍ରକୃତି ପୁରୁଷ ଗଣ ଅବସାନ କରନ୍ତି, ଇତ୍ୟାଦି, (ବ୍ର. ସଂ. ୩-୪) ।

 

ଭକ୍ତିମାର୍ଗୀୟ ପ୍ରାଚୀନ ପାଞ୍ଚରାତ୍ର ମତର ବହୁଗ୍ରନ୍ଥ ସମ୍ଭବତଃ କଳିଯୁଗ ଆରମ୍ଭ ପରେ । ପୁରାତନ ଶାସ୍ତ୍ରମାନଙ୍କ ଆଧାର ଭିତ୍ତିରେ ରଚିତ ହୋଇଥିଲେ । ଆଧୁନିକ ଯୁଗରେ ଏହି ବିରଳ ଗ୍ରନ୍ଥମାନ କ୍ରମେ ମୁଦ୍ରିତ ହେବାରୁ ଏବେ ସେସବୁର ବିଷୟ ବିଭାବ ସମ୍ବନ୍ଧରେ ଲୋକେ ଅବଗତ ହୋଇପାରୁଛନ୍ତି । ଅଧିକାଂଶ ଗ୍ରନ୍ଥର ପ୍ରତିପାଦ୍ୟ ବିଷୟ ହେଉଛି କୃଷ୍ଣଭକ୍ତି କୃଷ୍ଣ ଉପାସନା ସମ୍ବନ୍ଧୀୟ । ଉତ୍କଳର ଏପରି ପାଞ୍ଚ ରାତ୍ର ଶାସ୍ତ୍ରପରଂପରାରୁ ଆଦୃତ ଜ୍ଞାନବଳରେ ପଞ୍ଚଦଶ ଷୋଡ଼ଶ ଶତାବ୍ଦୀଠାରୁ କବିଗଣ ଓଡ଼ିଆ ଭାଷାରେ ଏସବୁ ତଥ୍ୟକୁ ପଦ୍ୟାକାରରେ ପ୍ରଚାରିତ କଲେ । ସମ୍ଭବତଃ କେତେକ ଭକ୍ତିସାଧକମାନଙ୍କ ବ୍ୟତୀତ ସାଧାରଣ ଭାବେ ସମଗ୍ର ଭାରତ ବର୍ଷରେ ସ୍ମାର୍ତ୍ତ ବ୍ରାହ୍ମଣମାନେ ଶାସନ କ୍ଷେତ୍ରରେ ପ୍ରଭାବିତ ଥିବା ହେତୁ ସଂସ୍କୃତ ଭାଷାରେ ରଚିତ ପୁରାତନ ପାଞ୍ଚରାତ୍ର ସାହିତ୍ୟମାନ ଅନାଦୃତ ହୋଇ ଲୋପ ପାଇଗଲେ କାରଣ ବୈଦିକ ସ୍ମାର୍ତ୍ତମତ ବର୍ଣ୍ଣାଶ୍ରମ ଧର୍ମକୁ ଗୁରୁତ୍ୱ ଦେଇ ତଦନୁସାରେ ସାମାଜିକ ବ୍ୟବସ୍ଥାକୁ ନିୟନ୍ତ୍ରିତ କରୁଥିବାବେଳେ ପାଞ୍ଚରାତ୍ର ମତରେ ଦୀକ୍ଷାନେବା ପରେ ଜାତିବର୍ଣ୍ଣ ଭେଦଭାବର ବିଲୟ ଘଟେ । ବିଷ୍ଣୁଉପାସନମୂଳକ ପାଞ୍ଚରାତ୍ର ସଂହିତାମାନ ବୈଷ୍ଣବାଗମ ବା ବୈଷ୍ଣବ ତନ୍ତ୍ର ଓ ପାଶୁପତଲାକୁଲିଶ, ବୀରଶୈବ, କାପାଳୀକ, କାଳମୁଖାଦି ଶୈବସନ୍ୟାସୀମାନଙ୍କ ଗ୍ରନ୍ଥ ଶୈବାଗମ ବା ଶୈବତନ୍ତ୍ରଭାବେ ଅପବାଦିତ ହୋଇଥିଲେ । ତେଣୁ ରାଜତନ୍ତ୍ରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରିତ କରି ସମାଜକୁ ଶୃଙ୍ଖଳିତ ଓ ଅନୁଶାସିତ କରି ଆସୁଥିବା ସ୍ମାର୍ତ୍ତ ବ୍ରାହ୍ମଣମାନେ, ଏହି ସବୁ ସମ୍ପ୍ରଦାୟମାନଙ୍କୁ ଇତର ଦୃଷ୍ଟିରେ ଦେଖୁଥିବାର ଏସବୁ ସମ୍ପ୍ରଦାୟର ସଂସ୍କୃତ ରଚନାମାନ ବିକଶିତ ନହୋଇ ଲୋପ ପାଇଯାଇଥିବାର ପ୍ରତୀତ ହୁଏ । ତଥାପି ଲୌକିକ ପରଂପରାରେ ଲୌକିକ ଭାଷା ସାହିତ୍ୟରେ ପଞ୍ଚରାତ୍ର ମତର ପ୍ରଭାବ ରହିଥିବାରୁ ଷୋଡ଼ଶ ଶତାବ୍ଦୀର କବି ବଳରାମ, ଜଗନ୍ନାଥ, ଯଶୋବନ୍ତ ଓ ଅଚ୍ୟୁତାନନ୍ଦ ପ୍ରଭୃତିଙ୍କ ରଚନାରେ ଏହି ନିତ୍ୟରାସ ବର୍ଣ୍ଣନା ବହୁଳ ପରିଦୃଷ୍ଟ ହୁଏ ।

 

ଏହି ନିତ୍ୟ ବୃନ୍ଦାବନ ହେଉଛି ଶ୍ରୀକ୍ଷେତ୍ର ପୁରୁଷୋତ୍ତମ, ପାଞ୍ଚରାତ୍ର ଆଗମନର ତଥା ଭାଗବତାଦି ପୁରାଣମାନଙ୍କରେ ଧ୍ୟାନଯୋଗକୁ ଭକ୍ତିସାଧନାର ସୋପାନ ଭାବେ ସ୍ୱୀକୃତ ହୋଇଥିବାରୁ ଜ୍ଞାନମାର୍ଗୀ ନିର୍ଗୁଣପନ୍ଥୀ କବିଗଣ ଧ୍ୟାନଯୋଗର ଅନ୍ତିମ ସୋପାନରେ ନିତ୍ୟ ବୃନ୍ଦାବନ ପୁରୁଷୋତ୍ତମର ମଣିମୟ ମଣ୍ଡପ ରତ୍ନସିଂହାସନରେ ଅର୍ଦ୍ଧନାରୀଶ୍ୱର ରାଧାକୃଷ୍ଣଙ୍କ ଯୁଗଳ ଲୀଳାରସ ଆସ୍ୱ।ଦନର ବର୍ଣ୍ଣନା କରିଛନ୍ତି । ବଳରାମ ଦାସ କହନ୍ତି,

 

ଏ ସର୍ବ ନିତ୍ୟ (ଗୋଲୋକ)ର ନିର୍ମାତା ।

ଶ୍ରୀକୃଷ୍ଣ କ୍ରୀଡ଼। ରସ ସ୍ଥାନ ॥

ତୁ ଏହା ସଂଶୟ ନ କର ।

ନିତ୍ୟରେ ଯେମନ୍ତ ବିହାର ॥

ସେହି ରୂପରେ ନିରାକାର ।

ଏ ନୀଳ ଗିରିରେ ବିହାର ॥

(ବେଦାନ୍ତସାର ଗୁପ୍ତ ଗୀତା, ୭ମ ଅଧ୍ୟାୟ)

 

ଗୋପୀ ଭାବରେ ଆବିଷ୍ଟ ହୋଇ କୃଷ୍ଣ ସହିତ ରାସଲୀଳା ରସ ଆସ୍ୱ।ଦନ ପ୍ରସଙ୍ଗରେ ବଳରାମ ଲେଖିଛନ୍ତି,

 

ଆତ୍ମାକୁ ସ୍ତିରୀ ବେଶକରି, ଶ୍ରୀରାଧା ଅଙ୍ଗରେ ବିହାରି ।

କୃଷ୍ଣେ ଆସ୍ୱ।ଦ ରସ ଦେଇ, ଏହାକୁ ପ୍ରେମଭକ୍ତି କହି ॥

ତେବେ ପାଇବୁ ଭାବଗ୍ରାହୀ, ନୋହିଲେ ପଶି ନ ପାରଇ ॥

ପୁରୁଷ ଅଙ୍ଗେ ନ ଲଭନ୍ତି, ଏମନ୍ତ ବେଦ ତତ୍ତ୍ୱସ୍ଥିତି ।

(ବୈ.ସା.ଗୁ. ଗୀ ୨୪ଶ ଅଧ୍ୟାୟ)

 

ପାଞ୍ଚରାତ୍ର ଆଗମ ସମ୍ମତ ଭକ୍ତିରେ ଭକ୍ତ କବି ଜଗନ୍ନାଥ ଦାସ ତାଙ୍କର ଉପାସନା ଶତକ (୮ମ ଶ୍ଳୋକ)ରେ କହନ୍ତି,

 

ଜଗନ୍ନାଥାତ୍ମନୌ ନିଗମଗଣ ସାରୌ ପରପଦା-

ବନତସ୍ଥୌ ନିତୌ ସକଳ ପର ଲାବଣ୍ୟ ଭବନୌ ।

ଜଗନ୍ନାଥାବ୍ୟକ୍ତୌ ନିଜ ଭୁବନବାସୌ ପୁରବରୌ

କଦା ରାଧାକୃଷ୍ଣୌ କ୍ଷଣମିହ ଭଜିସ୍ୟାମିଧରଣୌ ॥

 

ସମଗ୍ର ସୃଷ୍ଟି ତ୍ରୟର ଊର୍ଦ୍ଧ୍ୱରେ ପଦ୍ମପୀଠରେ ଅବସ୍ଥିତ ଥିବା ଶରତକାଳୀନ ବିକଶିତ ପଦ୍ମ ତୁଲ୍ୟ ନେତ୍ର ବ୍ରଜେନ୍ଦ୍ର ନନ୍ଦନ ବଳଭଦ୍ର ସୁଭଦ୍ରା ସହିତ ଜଗନ୍ନାଥରୂପେ କୋଟିବ୍ରହ୍ମାଣ୍ଡର ବୀଜ ତତ୍ତ୍ୱ ରୂପ ସଦା ବିଦ୍ୟମାନ ଥିବା ରାଧାକୃଷ୍ଣଙ୍କ ମିଳନ ଲୀଳାରେ ସେବା ସୌଭାଗ୍ୟ ପ୍ରାପ୍ତି କାମନା କରି ଜଗନ୍ନାଥ ଦାସ ଲେଖିଛନ୍ତି,

 

ତ୍ରିସଗାନ୍ତଃ ସ୍ଥାନୌ ଶରଦମଳପଦ୍ମେକ୍ଷଣ ବ୍ରଜବରୌ

ସୁଭଦ୍ରା ଶ୍ରୀନାଥୌ ହଳଧର ସମେତୌ ବିଜୟିନୌ

ଶୁଚିପ୍ରେମା ଭୌଖୌ ବ୍ରଜପୁର ବିହାରୋ ବ୍ରଜବରୌ

କଦା ରାଧା କୃଷ୍ଣୌକ୍ଷଣମିହ ଭଜିସ୍ୟାମି ॥

(ଉପାସନା ଶତକ-୧୧)

 

ପୁନଶ୍ଚ ଯଥା ଦେହେଛାୟା ଯଦପି ମୁକୁରେ ବିମ୍ବିତରୁଚି-

ର୍ଯଥାକ୍ଷୀରେ ସର୍ପିର୍ଯଦପି ଯୁଗନ୍ଧୋସ୍ତି କୁସୁମେ ।

ତଥା ନିତ୍ୟାଧିଶାତ୍ ପ୍ରଭାବତି ସ ନୀଳାଚଳ ପତିଃ,

କଦା ରାଧାକୃଷ୍ଣୌ କ୍ଷଣମିହ ଭଜିସ୍ୟାମି ଧରଣୌ ॥

 

ନୀଳାଚଳ ପୁରୁଷୋତ୍ତମ ହେଉଛି ନିତ୍ୟ ଗୋଲୋକ (ବୈକୁଣ୍ଠ) । ସେହି ଗୋଲୋକ ଅଧିଷ୍ଠାତା ଶ୍ରୀଜଗନ୍ନାଥ ନିତ୍ୟ ରାସଲୀଳା ମଗ୍ନ ରାଧାକୃଷ୍ଣ । ଏହି ନିତ୍ୟ ବ୍ରଜଲୀଳାର ପ୍ରତିବିମ୍ବ ହେଉଛି ବୃନ୍ଦାବନର ରାସଲୀଳା । ଏହି ବିଶ୍ୱ।ସରେ ଓଡ଼ିଆ ବୈଷ୍ଣବ କବି ସାରଳା ଦାସଙ୍କଠାରୁ ଆରମ୍ଭ କରି ପଞ୍ଚସଖା, ଦିବାକର ଦାସ, ଶିବ ଦାସ, ବ୍ରଜ ଭାବୀୟା ଦାସ, ଦ୍ୱ।ରକା ଦାସ, ତ୍ରିପୁରାରି ଦାସ ପ୍ରଭୃତି ନିଜ ନିଜକୁ ଗୋପୀକା ଭାବେ, ସେହି ନିତ୍ୟ ଯୁଗଳ ରାସରେ ସଖୀ ସେବିକା ଭାବେ ସେବାରତ ଥିବାର ବା ରହିବାର କାମନା କରନ୍ତି ନିଜ ନିଜର ରଚନାମାନଙ୍କରେ (ଦ୍ରଷ୍ଟବ୍ୟ, ଏହି ଲେଖକକୃତ-ଓଡ଼ିଆ ନିର୍ଗୁଣ ସାହିତ୍ୟର ଭୂମିକା, ଚତୁର୍ଦ୍ଦଶ ପରିଚ୍ଛେଦ) ।

 

ଲୋକ ପରଂପରାରେ ଏହି ସାତ୍ୱତ ଧର୍ମ ବା ଭକ୍ତିଧର୍ମର ଉପାସକଗଣ ଓଡ଼ିଶାକୁ ଆସି ଏଠାରେ ଏହି ବ୍ରଜ ରାସଲୀଳାକୁ ଲୋକକଥିତ ଭାଷାରେ ରାସ ଭାବରେ ବା ଗୋଷ୍ଠୀରାସ ନାଟିକା ଭାବେ ଅଭିନୟ ପ୍ରଦର୍ଶନ କରିବାରୁ ଏହି ମଧୁର ରସ ବା ଉଜ୍ଜ୍ୱଳ ରସାତ୍ମକ ନାଟକ ପରଂପରାକ୍ରମେ ବ୍ୟାପକ ଲୋକରଂଜନ କରି ଲୋକାଦୃତିପାଇଁ ପ୍ରସିଦ୍ଧ ହୋଇଥିବାରୁ ସାହିତ୍ୟ ଦର୍ପଣକାର, ଏପରି ଗୋଷ୍ଠୀ ନାଟକକୁ କୌଶୀକୀ ବୃତ୍ତିର ମାନ୍ୟତା ଦେଇଥିଲେ (ସା.ଦ. ୬।୨୭୪-୭୫) ଶାରଦା ତନୟ ତାଙ୍କ ଭାବପ୍ରକାଶନରେ ମଧ୍ୟ ସ୍ୱତନ୍ତ୍ର ନାଟକ ଭାବେ ସ୍ୱୀକାର କରିଥିଲେ । ଶ୍ରୀଧର ସ୍ୱ।ମୀ ତାଙ୍କ ଭାଗବତ ‘ଭାବାର୍ଥ ଦୀପିକା ଟୀକା (୧୦।୩।୨୩) ଏବଂ (୧୦।୩୩।୧)ରେ ରାସକୁ ବହୁନର୍ତ୍ତକୀ ସମାବୃତ ଅଭିନୟ ଭାବେ ବର୍ଣ୍ଣନା କରିଥିଲେ ।

 

୪. ସନ୍ନ୍ୟାସୀ ସଂଘ ଓ ଲୋକଶିକ୍ଷା :

ମହାଭାରତ ଯୁଗ ବେଳକୁ ପୁରାତନ ବର୍ଣ୍ଣାଶ୍ରମ ଧର୍ମରେ ଅଜ୍ଞାତ କୌଣସି କାରଣରୁ ସନ୍ନ୍ୟାସାଶ୍ରମ ଅପେକ୍ଷା ଗୃହସ୍ଥାଶ୍ରମ ଧର୍ମକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସତ୍ତ୍ୱେ ସନ୍ନ୍ୟାସାଶ୍ରମୀମାନଙ୍କର ସଂଖ୍ୟା ହ୍ରାସ ପାଇଥିଲା କିନ୍ତୁ କଳିକାଳର ଆଦ୍ୟଭାଗରେ ବିବିଧ ପ୍ରାକୃତିକ ବିପର୍ଯ୍ୟୟ ହେତୁ ଲୋକେ ସ୍ୱ ସ୍ୱ ଧର୍ମାଚରଣରୁ ଆସ୍ଥା ହରାଇ ଉନ୍‌ମାର୍ଗଗାମୀ ହୋଇଯାଇଥିବାବେଳେ ଖ୍ରୀ.ପୂ. ୧୯ଶ ଶତାବ୍ଦୀରେ ବୁଦ୍ଧତ୍ୱ ପ୍ରାପ୍ତ ଗୌତମ ବୁଦ୍ଧ ସମାଜରେ ସ୍ଥିରତା ଓ ଶୃଙ୍ଖଳ। ପ୍ରତିଷ୍ଠାପାଇଁ ସ୍ୱକୀୟ ଦିବ୍ୟ ପ୍ରଭାବ ବଳରେ ସନ୍ନ୍ୟାସୀ ସଂଘ ରଚନା କରି ତାହା ମାଧ୍ୟମରେ ଅସ୍ଥିର, ଅରାଜକ ସମାଜରେ ବିନୟ ଶିକ୍ଷାଦାନ କରାଇ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା କରିପାରିଥିଲେ । କିନ୍ତୁ କାଳକ୍ରମେ ବିବିଧ କାରଣରୁ ବୌଦ୍ଧ ସଂଘମାନ ବିପର୍ଯ୍ୟୟ ଗ୍ରସ୍ତ ହେଉ ପତନୋନ୍ମୁଖୀ ହେଉଥିବାବେଳେ ମହାପୁରୁଷ ଆଦିଶଙ୍କରାଚାର୍ଯ୍ୟ ସନ୍ନ୍ୟାସୀ ସଙ୍ଘମାନ ପ୍ରତିଷ୍ଠା କରି ବୈଦିକ ଧର୍ମର ଭୂୟୋତ୍‌ଥାନ ସାଧନ କଲେ ଖ୍ରୀ.ପୂ. ୫ମ ଶତାବ୍ଦୀଠାରୁ । ଦଶ ସମ୍ପ୍ରଦାୟରେ ବିଭକ୍ତ ଶଙ୍କରପନ୍ଥୀ ସନ୍ନ୍ୟାସୀମାନେ ତୀର୍ଥ, ଅରଣ୍ୟ, ପର୍ବତ, ଅରଣ୍ୟ, ଗିରି, ପୁରୀ, ସରସ୍ୱତୀ ଆଦି ଦଶନାମୀ ଭାବରେ ସମଗ୍ର ଭାରତବର୍ଷରେ ଅଦ୍ୱୈତ ନିର୍ଗୁଣବାଦ ପ୍ରଚାର ଓ ଶିକ୍ଷାଦାନ କରି ତତ୍କାଳୀନ ସମାଜକୁ ବିବିଧ ଅବୈଦିକ ସମ୍ପ୍ରଦାୟମାନଙ୍କ ନିରୀଶ୍ୱରବାଦୀମାନଙ୍କ କବଳରୁ ରକ୍ଷା କରି ବେଦଧର୍ମ ମାର୍ଗ ପ୍ରତି ଲୋକମାନସକୁ ଆକୃଷ୍ଟ କରି ପାରିଥିଲେ । ତାନ୍ତ୍ରିକ ଅଭିଚାର ଗ୍ରସ୍ତ ପତିତ ବୌଦ୍ଧମାନଙ୍କର ପ୍ରବଳ ପ୍ରଭାବ ଥିବା ଉତ୍କଳ।ଦି ପୂର୍ବଭାରତୀୟ ଅଞ୍ଚଳମାନଙ୍କରେ ଶୁଦ୍ଧ ବେଦ ଧର୍ମର ଉତ୍‌ଥାନପାଇଁ ଆଦିଶଙ୍କର ଶ୍ରୀଧାମ ପୁରୁଷୋତ୍ତମ ଜଗନ୍ନାଥଙ୍କ କ୍ଷେତ୍ରରେ ଆଦି ଶଙ୍କର ସ୍ୱୟଂ ଗୋବର୍ଦ୍ଧନ ମଠ ପ୍ରତିଷ୍ଠା କରି ସେଠାରେ ତାଙ୍କର ପ୍ରିୟ ସହଚର ସନ୍ନ୍ୟାସୀ ପଦ୍ମପାଦାଚାର୍ଯ୍ୟଙ୍କୁ ଖ୍ରୀ.ପୂ. ୫ମ ଶତାବ୍ଦୀର ଶେଷଭାଗରେ ଜଗଦ୍‌ଗୁରୁ ଭାବେ ଅଭିଷିକ୍ତ କରାଇଥିଲେ । ସେହି କାଳରୁ ଓଡ଼ିଶାକୁ ଅରଣ୍ୟ, ତୀର୍ଥ, ସରସ୍ୱତୀ ପ୍ରଭୃତି ଉପାଧିଧାରୀ ଶଙ୍କରପନ୍ଥୀଗଣଙ୍କର ତୀର୍ଥାଟନ ଯାତ୍ରା ଦ୍ୱ।ରା ନାନା ସ୍ଥାନରେ ମଠମାନ ମଧ୍ୟ ପ୍ରତିଷ୍ଠିତ ହୋଇଥିଲା-

 

ବ୍ୟାବହାରିକ ଧର୍ମ ସାଧନାରେ ଶଙ୍କରାଚାର୍ଯ୍ୟ ଯେପରି ନାରାୟଣ, ନୃସିଂହାଦିଙ୍କର ଉପାସନାଧାରାକୁ ଗୁରୁତ୍ୱ ଦେଇଥିଲେ ସେହିପରି କାଳକ୍ରମେ ବହୁ ଶଙ୍କରପନ୍ଥୀ ସନ୍ନ୍ୟାସୀ ଶୁଦ୍ଧ ଭକ୍ତିମାର୍ଗ ପ୍ରତି ଆସକ୍ତ ହୋଇ ଲକ୍ଷ୍ମୀ ନୃସିଂହ ନୃସିଂହ ଲକ୍ଷ୍ମୀନାରାୟଣ ପ୍ରଭୃତି ରୂପରେ ବିଷ୍ଣୁ ଉପାସନା ଧାରାକୁ ତ୍ୱରାନ୍ୱିତ କରିଥିଲେ । ସମ୍ଭବତଃ ପୁରୀରେ ଜଗଦ୍‌ଗୁରୁ ଆସନରେ ଅଧିଷ୍ଠିତ ଥିବା ଶ୍ରୀଧର ସ୍ୱ।ମୀ ତ୍ରୟୋଦଶ ଶତାବ୍ଦୀରେ ଶ୍ରୀମଦ୍‌ଭାଗବତର ଭାବାର୍ଥ ଦୀପିକା ରଚନା କରିଥିଲେ କପିଳାସ ପର୍ବତର ଶିଖରେଶ୍ୱରଙ୍କ ଠାରେ ପୂଜିତ ନୃସିଂହ ବିଷ୍ଣୁଙ୍କର କୃପାପ୍ରାପ୍ତ ହୋଇ । ପ୍ରାୟ ସେହିକାଳରୁ ଲକ୍ଷ୍ମୀଧର ଶର୍ମାଙ୍କ ପରି କେତେକ ଶଙ୍କରପନ୍ଥୀ ଅଦ୍ୱୈତବାଦୀ ଆଚାର୍ଯ୍ୟ ମଧ୍ୟ ଭକ୍ତିମାର୍ଗର ଉତ୍କର୍ଷ ପ୍ରତିବାଦକ ଗ୍ରନ୍ଥ ରଚନା କରିଥିଲେ ଏବଂ ଓଡ଼ିଶାର ଜନମାନସରେ ଭାଗବତ ଗ୍ରନ୍ଥ ଓ ତା’ର ଅନ୍ତିମ ନିର୍ଯ୍ୟାସ ସ୍ୱରୂପ ଶୁଦ୍ଧ ରାଗାନୁଗା ଭକ୍ତି ସର୍ବାଧିକ ପ୍ରଭାବ ବିସ୍ତାର କରିଥିଲା ଓ ବହୁ ସଂଖ୍ୟକ ଚତୁର୍ଭୁଜ ମାଧବ ମୂର୍ତ୍ତି ଓ ଦ୍ୱିଭୁଜ ଗୋପୀନାଥ କୃଷ୍ଣ ମୂର୍ତ୍ତି ଓଡ଼ିଶାରେ ସ୍ଥାପିତ ହୋଇ ପୂଜା ପାଇଥିବାର ଏବେ ପ୍ରତୀତ ହୁଅନ୍ତି । ପଞ୍ଚଦଶ ଶତାବ୍ଦୀରେ ଗଜପତି ପୁରୁଷୋତ୍ତମ ଦେବଙ୍କର ରାଜତ୍ୱକାଳରେ ବ୍ରଜରସାତ୍ମିକା ପ୍ରେମଭକ୍ତିମାର୍ଗୀୟ ବହୁଗ୍ରନ୍ଥ ସଂସ୍କୃତରେ ରଚିତ ହୋଇଥିଲେ । ସାକ୍ଷାତ୍ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି କୃପାପ୍ରାପ୍ତ ସନ୍ନ୍ୟାସୀ ମାଧବେନ୍ଦ୍ର ପୁରୀ ବାଲେଶ୍ୱର ସମୀପବର୍ତ୍ତୀ ରେମୁଣାରେ ମଠ ପ୍ରତିଷ୍ଠା କରି କ୍ଷୀରଚୋରା ଗୋପୀନାଥଙ୍କ ଉପାସନାରେ କାଳାତିପାତ କରିଥିଲେ । ଗଜପତି ପୁରୁଷୋତ୍ତମ ଦେବ ଓ ମାଧବେନ୍ଦ୍ର ପୁରୀଙ୍କ ରଚିତ କେତେକ ମାଧବସ୍ତୁତି କବିତା ରୂପ ଗୋସ୍ୱ।ମୀ ସଂଗ୍ରହ କରି ଅଙ୍କ ପଦ୍ୟାବଳୀରେ ସଂକଳିତ କରିଥିଲେ (ଏସ୍.କେ.ଦେ ସଂପାଦିତ ଢାକା ବିଶ୍ୱବିଦ୍ୟାଳୟ ଦ୍ୱ।ରା ପ୍ରକାଶିତ, ୧୯୩୪) । ସେହି ମହାତ୍ମା ଅଯାଚଳକ ଅକିଞ୍ଚନ ଭାବେ କ୍ଷୀରଚୋରା ଗୋପୀନାଥଙ୍କଠାରେ ଆତ୍ମସମର୍ପଣ କରି ଐକାନ୍ତି ପ୍ରେମଭକ୍ତି ସାଧନାରେ ସିଦ୍ଧିଲାଭ କରିପାରିଥିଲେ । ଏହି ସାଧନାହିଁ ହେଲା ତାଙ୍କର ପରମ ପୁରୁଷାର୍ଥ ।

 

ଶୁଦ୍ଧ ରାଗାନୁଗା ଭକ୍ତିମାର୍ଗରେ ଶିକ୍ଷା ଓ ଦୀକ୍ଷା ପ୍ରାପ୍ତ ହୋଇ ସେହି କୃପାସିଦ୍ଧ ମହାପୁରୁଷଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ଚୈତନ୍ୟ ଦେବଙ୍କ ଗୁରୁ ଈଶ୍ୱରପୁରୀ ଏବଂ କବି ନାଟ୍ୟକାର ତଥା ପ୍ରଶାସକ ରାୟ ରାମାନନ୍ଦଙ୍କର ଗୁରୁ ରାଘବେନ୍ଦ୍ର ପୁରୀ/ଶ୍ରୀଚୈତନ୍ୟଙ୍କ ସମସାମୟିକ ଓ ପରିକର ଥିବା ବଙ୍ଗ ଦେଶର ଅଦ୍ୱୈତାଚାର୍ଯ୍ୟ ନିତ୍ୟାନନ୍ଦ, ପୁଣ୍ଡରୀକ ବିଦ୍ୟାନିଧି ପରମାନନ୍ଦ ପୁରୀଙ୍କ ପରି ବିଶିଷ୍ଟ ସନ୍ନ୍ୟାସୀ ଗଣ ଥିଲେ ମାଧବେନ୍ଦ୍ର ପୁରୀଙ୍କର ଶିଷ୍ୟ ଅଥବା ପ୍ରଶିକ୍ଷ୍ୟ ମାଧବେନ୍ଦ୍ର ପୁରୀଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିବା ଜଣେ ବ୍ୟକ୍ତି ଚୈତନ୍ୟ ଦେବ ମଥୁରାର ବିଶ୍ରାମତୀର୍ଥରେ ଅପ୍ରାକୃତ କୃଷ୍ଣପ୍ରେମ ବିକାରରେ ନୃତ୍ୟ ବିହ୍ୱଳ ଥିବାବେଳେ ଅନୁରୂପ ସାତ୍ତ୍ୱିକ ବିକାରରେ ମୁଗ୍ଧ ଭାବେ ନୃତ୍ୟ କରିଥିବାର ପରେ ପରିଚୟରୁ ଜଣା ଯାଇଥିଲା । ଏଣୁ ମହାପୁରୁଷ ମାଧବେନ୍ଦ୍ର ପୁରୀ ଥିଲେ ଶୁଦ୍ଧ ରାଧାକୃଷ୍ଣ ପ୍ରେମଭକ୍ତି ରସ ବୃକ୍ଷର ଥିଲେ ଆଦ୍ୟ ଅଙ୍କୁର । ଏହା ଶୁଦ୍ଧା ଭକ୍ତିମାର୍ଗୀୟ ସନ୍ନ୍ୟାସୀମାନଙ୍କର ଦୃଢ଼ ଅଭିମତ ।

 

ଅତଏବ ଜୟଦେବଙ୍କ କାଳରୁ କ୍ରମ ପ୍ରବାହିତ ହୋଇ ଆସୁଥିବା ନିଗୂଢ଼ ପ୍ରେମଭକ୍ତିର ଧାରାକୁ ଉର୍ଜ୍ଜ୍ଵସ୍ୱଳ କରି ଉଦ୍‌ଘାଟିତ କରିବାରେ ମାଧବେନ୍ଦ୍ର ପୁରୀଙ୍କ କୃପାପାତ୍ର ରାଘବେନ୍ଦ୍ର ପୁରୀଙ୍କ ଶିଷ୍ୟ ରାୟ ରାମାନନ୍ଦ ପଟ୍ଟନାୟକ ।

 

୫. ଶଙ୍କରପନ୍ଥୀ ଓ ଶୁଦ୍ଧା ଭକ୍ତିମାର୍ଗ ଓ ରାୟ ରାମାନନ୍ଦଙ୍କ ନାଟକ :

ପୂର୍ବେ କଥିତ ହୋଇଛି ଯେ ଭଗବାନ ଶ୍ରୀକୃଷ୍ଣଙ୍କର ସାକ୍ଷାତ୍ ଦର୍ଶନ କରିଥିବା ରେମୁଣାର ଶଙ୍କର ପନ୍ଥୀ ସନ୍ନ୍ୟାସୀ ମାଧବେନ୍ଦ୍ର ପୁରୀଙ୍କର ଦୁଇ ଶିଷ୍ୟ ଈଶ୍ୱରପୁରୀ ଓ ରାଘବେନ୍ଦ୍ର ପୁରୀଙ୍କଠାରୁ ଯଥାକ୍ରମେ ଶ୍ରୀକୃଷ୍ଣ ଚୈତନ୍ୟ ଓ ରାୟ ରାମାନନ୍ଦ ପଟ୍ଟନାୟକ କୃପାପାତ୍ର ହୋଇ ମନ୍ତ୍ରଦୀକ୍ଷା ପ୍ରାପ୍ତ ହୋଇଥିଲେ ।

 

ରାୟ ରାମାନନ୍ଦ ଥିଲେ ପୁରୀ ଜିଲ୍ଲା ବ୍ରହ୍ମଗିରିର ବେଣ୍ଟପୁର ଗ୍ରାମ ନିବାସୀ ଭବାନନ୍ଦ ପଟ୍ଟନାୟକଙ୍କ ପୁତ୍ର ଏବଂ ଗଜପତି ପ୍ରତାପରୁଦ୍ର ଦେବଙ୍କ ଓଡ଼ିଶା ସାମ୍ରାଜ୍ୟର ରାଜମହେନ୍ଦ୍ରୀରେ ଅବସ୍ଥାପିତ ଦକ୍ଷିଣାଞ୍ଚଳର ପ୍ରଦେଶ ପାଳ । ଶୁଦ୍ଧ ପ୍ରେମଭକ୍ତିର ସାଧକ ଓ ଭକ୍ତି ତତ୍ତ୍ୱର ନିଗୂଢ଼ ରହସ୍ୟବେତ୍ତା ଭାବେ ସେ ଯେପରି ପ୍ରସିଦ୍ଧ ଥିଲେ ସେହିପରି ଦକ୍ଷ କବି, ନାଟ୍ୟ ନିର୍ଦ୍ଦେଶକ, ନାଟକ ରସିକ, ନାଟ୍ୟକାର, ଅଭିନେତା ଓ ଚିତ୍ରଶିଳ୍ପୀ ଭାବେ ମଧ୍ୟ ସୁପରିଚିତ ଥିଲେ । ବିଚକ୍ଷଣ କୂଟନୀତିଜ୍ଞ, ପ୍ରଶାସକ ଓ ହିସାବରକ୍ଷାରେ ସାଧୁତାପାଇଁ ସେ ସାମ୍ରାଜ୍ୟ ଶାସନରେ ବିଶେଷ ଭୂମିକା ନିର୍ବାହ କରୁଥିଲେ । ସ୍ୱୟଂ ରାଧାମାଧବଙ୍କ ପ୍ରେମ ରସରେ ଆବିଷ୍ଟ ରହୁଥିବାରୁ ରାଧାଙ୍କ ପ୍ରିୟତମ ବଲ୍ଲଭ ଭାବେ କୃଷ୍ଣ ଜଗନ୍ନାଥଙ୍କ ସହିତ ରାଧାଙ୍କର ମଧୁର ପ୍ରଣୟ ଗାଥା ସମ୍ବଳିତ ନାଟକ ରଚନା କରି ତା’ର ନାମ ଜଗନ୍ନାଥବଲ୍ଲଭ ନାଟକ ରଖିଥିଲେ । ଏହି ନାଟକର ପରିକଳ୍ପନାପାଇଁ ସେ ଜୟଦେବଙ୍କ ‘ଗୀତ ଗୋବିନ୍ଦ’ ଦ୍ୱ।ରା ଅନୁପ୍ରାଣିତ ହୋଇଥିଲେ ।

 

ରାଧାମାଧବଙ୍କ ଅତୀନ୍ଦ୍ରିୟ ପ୍ରେମରସ ଓ ରହସ୍ୟର ଗାଥା ଯେ ଓଡ଼ିଶାରେ କବି ଜୟଦେବଙ୍କ ପୂର୍ବକାଳରୁ (ଆମ କଳନାରେ ଖ୍ରୀ.ପୂ. ୩ୟ ସହସ୍ରାଦ୍ଦୀରେ ଲୋକସମୁଦାୟ ସ୍ଥାନାନ୍ତରଣ କାଳରୁ) ମଧ୍ୟ ଲୌକିକ ପରଂପରା ତଥା ବୌଦ୍ଧିକ ପରଂପରାରେ ଉପଲବ୍ଧ ହୋଇ କ୍ରମାଗତ ବ୍ୟାପକ ଆଦୃତ ହୋଇ ଆସିଥିବା ସମ୍ଭବ । ରାମାନନ୍ଦଙ୍କର ଏହି ନାଟକର ପାଞ୍ଚଗୋଟି ଅଙ୍କ ମଧ୍ୟରେ ପୂର୍ବରାଗ, ଭାବ ପରୀକ୍ଷଣ, ଭାବପ୍ରକାଶ, ପ୍ରଣୟାଭିସାର ଓ ରାଧାକୃଷ୍ଣଙ୍କ ମିଳନ ପରିକଳ୍ପିତ ହୋଇ ପରିବେଷିତ ହୋଇ ଆସିଅଛି । କୃଷ୍ଣ ମିଶ୍ର ଓ କବି ଡିଣ୍ଡିମ ଜୀବଦେବାଚାର୍ଯ୍ୟଙ୍କ ନାଟକର ରୂପକଧର୍ମିତା ଓ କଠିନ ଦୁର୍ବୋଧ୍ୟ ଦାର୍ଶନିକ ତତ୍ତ୍ୱମାନଙ୍କର ଚରିତ୍ରାୟନ ଧାରାରେ ଜଗନ୍ନାଥ ବଲ୍ଲଭ ବିଶେଷ ଏକ ବ୍ୟତିକ୍ରମ । ପ୍ରଣୟ ପ୍ରଣୟିନୀଙ୍କର ପ୍ରଣୟ ବ୍ୟାପାରକୁ ସୁମଧୁର ଶୃଙ୍ଗାର ସମ୍ମତ ସୁଲଳିତ ଭାଷା ଓ ସୀମିତ ସଂଖ୍ୟକ ଚରିତ୍ରମାନଙ୍କ ଅଭିନୟ ମାଧ୍ୟମରେ ଅନୁରାଗ ବିରାଗରେ ଉତ୍‌କଣ୍ଠିତ ଅପେକ୍ଷମାଣତାର ଦୀର୍ଘ ଦୁର୍ବିଷହ ମୁହୂର୍ତ୍ତମାନଙ୍କ ଅବସାନ ପରେ ପ୍ରେମୀ ଯୁଗଳଙ୍କର ମଧୁର ମିଳନ କରାଇ ଦର୍ଶକମାନଙ୍କ ଚିତ୍ତକୁ ସ୍ୱତଃସ୍ପ୍ଫୂର୍ତ୍ତ ପୁଲକ ଓ ଆନନ୍ଦାତିଶଯ୍ୟ ଦ୍ୱ।ରା ବିମୋହିତ କରିପାରୁଥିବାରୁ ଏହି ନାଟକ ତାଙ୍କର ଏକ ସଫଳ ସୃଷ୍ଟି । ପୁନଶ୍ଚ ରାଧାକୃଷ୍ଣଙ୍କ ମିଳନାନ୍ତେ ବୃନ୍ଦାବନରେ ଅରିଷ୍ଟାସୁରର ଉପଦ୍ରବ ଓ ଶ୍ରୀକୃଷ୍ଣଙ୍କ ଦ୍ୱ।ରା ନିହତ ହେବା ଦ୍ଵାରା ନାଟକର ସମାପ୍ତି ସନ୍ତୋଷ ଉତ୍ପାଦକ ହୋଇପାରିଅଛି । ବିଶେଷତଃ କୋଟି କୋଟି ଭକ୍ତମାନଙ୍କର ପ୍ରିୟତମ ଜଗନ୍ନାଥଙ୍କର ଏହି ଇନ୍ଦ୍ରିୟ ସୁଲଭ ଲୀଳା ବିଳାସର ନାଟକୀୟ ଉପସ୍ଥାପନା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅତୀନ୍ଦ୍ରିୟ ମିଳନ ସୁଖର ଅନୁଭବ ସଞ୍ଚାର କରିପାରୁଥିବାରୁ ଏହି ନାଟକ ଲୋକାଦୃତ ହୋଇ ଆସିଅଛି ।

 

ଉତ୍କଳୀୟ ବସନ୍ତ ରାସୋତ୍ସବ ପରଂପରାରେ ଗୀତଗୋବିନ୍ଦରେ ରାଧାକୃଷ୍ଣଙ୍କ ମିଳନ ପରି ବସନ୍ତ ଋତୁରେହିଁ ରାଧାଙ୍କ ସହିତ ତାଙ୍କ ବଲ୍ଲଭ ଜଗନ୍ନାଥଙ୍କର ମିଳନ ଲୀଳା ଅନୁଷ୍ଠିତ । ଗୀତଗୋବିନ୍ଦର କାନ୍ତ କୋମଳ ସୁଲଳିତ ସରସ ପଦାବଳୀ ତୁଲ୍ୟ ଏଥିରେ ୨୦ ଗୋଟି ବିଭିନ୍ନ ରାଗର ସଂଗୀତ ମଧ୍ୟ ଅନୁକୂଳ ପରିବେଶରେ ପରିବେଷିତ ।

 

ନାଟକାରମ୍ଭରେ ନାନ୍ଦୀ ଶ୍ଳୋକରେ ଶ୍ରୀକୃଷ୍ଣଙ୍କର ବୃନ୍ଦାବନରେ ମାଧୁର୍ଯ୍ୟ ମଣ୍ଡିତ ନୃତ୍ୟ ବିଳାସ ବେଳେ ମୃଦୁ ମଳୟରେ ତାଙ୍କ ଲୋଳିତ ଚିକୁର ପରିଣତ କଳାପ ଦ୍ୱ।ରା ଶ୍ୟାମସୁନ୍ଦରଙ୍କ ମୁଖପଦ୍ମର ଶୋଭା ସୁରଭି ସତେଯେପରି ପ୍ରଶସ୍ତ ବନ ଭୂମିର ଶୋଭା ସମ୍ପଦକୁ ଅତୁଳନୀୟ ସୌନ୍ଦର୍ଯ୍ୟ ଭୂଷିତ କରି ଗୌରବାନ୍ୱିତ କରାଉଅଛି ।

 

ସୁଶୀତଳ ଚନ୍ଦ୍ରିକା ସ୍ନାତ-

ନାନାଜାତି କୁସୁମମାନଙ୍କର ପ୍ରସ୍ଫୁଟିତ ହାସ୍ୟ ବିଳାସ ଶୋଭିତ କାନନର ଶ୍ୟାମଳିମା ସେତେବେଳେ ଆନନ୍ଦ ଘନମୂର୍ତ୍ତି ଶ୍ୟାମସୁନ୍ଦରଙ୍କ ରୂପ ମାଧୁର୍ଯ୍ୟ ସହ ଯେପରି ପ୍ରତିଦ୍ୱନ୍ଦ୍ଵିତ କରିବାକୁ ଉଦ୍ୟତ ।

 

କୋକିଳାଦି ବିହଙ୍ଗମାନଙ୍କର କଳକୂଜନ ମୃଦୁମଧୁର ମଳୟ ପବନରେ ଦୋଳାୟିତ ତରୁଲତାଙ୍କର ନୃତ୍ୟ ବିଳାସ ସହିତ ତାଳ ଦେଇ ଗୋପ ବାଳକମାନଙ୍କର ନୃତ୍ୟ ଭଙ୍ଗୀମାରେ ବୃନ୍ଦାବନ ଯେପରି ଆନନ୍ଦ କଲ୍ଲୋଳିତ ।

 

ଏପରି ମଧୁର ମୁହୂର୍ତ୍ତରେ କୁଳବଧୂ କିଶୋରୀ ରାଧା ପ୍ରିୟ ସଖୀ ମଦନିକାଠାରୁ ପାଇଲେ ଶ୍ୟାମସୁନ୍ଦର କୃଷ୍ଣଙ୍କର ରୂପ ଲାବଣ୍ୟ ଓ ଅନୁପମ ତ୍ରିଭଙ୍ଗୀ ନୃତ୍ୟାଦି ସହିତ ସୁମଧୁର ବେଣୁ ଧ୍ୱନିରେ ଭୂମିକୁ ଝଙ୍କୃତ କରୁଥିବାର ସଂବାଦ । ସେହି ଶ୍ୟାମସୁନ୍ଦର ହେଉଛନ୍ତି ଯୁବତୀ ଚିତ୍ତ ବିହଙ୍ଗଶାଖୀ, ଯାହାଙ୍କ ରୂପ ଲାବଣ୍ୟ ଦର୍ଶନ ମାତ୍ରେ ସୁନ୍ଦରୀମାନଙ୍କର ନୀବିଡ଼ ବନ୍ଧନ ହୁଏ ଶିଥିଳରୁ ଶିଥିଳତର ।

 

କିଶୋର କୃଷ୍ଣଙ୍କ ରୂପ ଲାବଣ୍ୟ ଓ ଲୀଳା ବିଳାସାଦି ଶ୍ରବଣରେ ଅତ୍ୟନ୍ତ ଅଧୀର ଶ୍ରୀରାଧା ତାଙ୍କ ସହିତ ମିଳନାବେଦନ ସୂଚକ ପତ୍ର ଲେଖି ଦୂତୀ ଶଶୀ, ମୁଖୀ ଦ୍ୱ।ରା ଶ୍ରୀକୃଷ୍ଣଙ୍କ ସମୀପକୁ ପ୍ରେରଣ କରନ୍ତି । ଶ୍ରୀରାଧାଙ୍କ ପତ୍ର ପାଠରୁ ପ୍ରେମାବେଦନର ସ୍ୱର ଅନୁଭବ କରି ଶ୍ରୀକୃଷ୍ଣ ଗମ୍ଭୀର ଭାବେ ଦୂତୀଙ୍କୁ ଉପଦେଶ ଦେଇ କହନ୍ତି, କୁଳବଧୂ ରାଧା ପରପୁରୁଷ ପ୍ରତି ଆସକ୍ତ ହେବା ଗୁରୁତର ଗର୍ହିତ କାର୍ଯ୍ୟ, ଏଣୁ ରାଧାଙ୍କର ଏପରି ଆଚରଣ ଓ ବୁଦ୍ଧି ଅନୁଚିତ ବୋଲି ତାଙ୍କୁ ଉତ୍ତମ ଭାବେ ବୁଝାଇ ଦେବାକୁ କୃଷ୍ଣ ପରାମର୍ଶ ଦେଇ ଦୂତୀଙ୍କୁ ତାଙ୍କ ପାଖକୁ ପଠାଇ ଦେଲେ ।

 

ତୃତୀୟ ଅଙ୍କରେ ଦେଖାଯାଏ ମାଧବୀ କୁଞ୍ଜ ଗହନରେ ଅପେକ୍ଷମାଣା ଶ୍ରୀରାଧା ଶଶୀମୁଖୀଠାରୁ ଶ୍ରୀକୃଷ୍ଣଙ୍କ ଦ୍ୱ।ରା ତାଙ୍କ ପତ୍ର ପ୍ରତ୍ୟାଖ୍ୟାନ ଓ ଉପଦେଶ ଆଦି ଶ୍ରବଣ କରି ନୈରାଶ୍ୟ ଜର୍ଜରିତ ଭଗ୍ନ ହୃଦୟରେ ମ୍ଳାନ ବଦନରେ ବିଷଣ୍ଣା ବିବର୍ଣ୍ଣା ହୋଇଯାଇଥିବା ବେଳେ ମଦନିକା ନାମ୍ନୀ ଜଣେ ସଖୀ ଆସି ତାଙ୍କୁ ପ୍ରବୋଧନା ଦେଲେ । ଦୂରରେ ଅଶୋକ ମଞ୍ଜରୀ ଦେଖି ସେ ଦିଗକୁ ରାଧା ଛନ୍ଦାୟିତ ଗତିରେ ଚାଲି ଯାଉଥିବା ବେଳେ ସାମଗାନ ତୁଲ୍ୟ ଶ୍ରୀକୃଷ୍ଣଙ୍କର ମଧୁର ମୁରଲୀଧ୍ୱନି ତୁଷାନଳ ପରି ରାଧାଙ୍କ ହୃଦୟକୁ ଦହନ କରି ଚାଲିଲା । ଶ୍ରୀକୃଷ୍ଣଙ୍କ ପ୍ରତି ଗଭୀର ଅନୁରାଗରେ ରାଧା ସର୍ବଦା ତାଙ୍କର ରୂପମାଧୁରୀରେ ଧ୍ୟାନନିମଗ୍ନା ଦେଖି ସଖୀ ଶଶୀମୁଖୀ ତାଙ୍କୁ କହିଲେ, ତୁମର ଏହି ମନ ପ୍ରାଣରେ ଶ୍ରୀକୃଷ୍ଣଙ୍କଠାରେ ଧ୍ୟାନ ହେଉଛି ଉତ୍କଳିକା କୁସୁମ ବିଗଳିତ ମଧୁ ମିଶ୍ରିତ ବିଷତୁଲ୍ୟ । ତେଣୁ ଏପରି ଧ୍ୟାନ ବର୍ଜନ କରି ଅନ୍ୟତ୍ର ମନୋନିବେଶ କରିବା ତୁମପାଇଁ ହେବ ଶ୍ରେୟସ୍କର । ଏପରି ନିରାଶାମୂଳକ ପରାମର୍ଶ ଶୁଣି ଶ୍ରୀରାଧା ଅଖିଳ ନୟନରେ ସଖୀ ମଦନିକାକୁ ଚାହିଁ ଅର୍ଦ୍ଧରୁଦ୍ଧ କଣ୍ଠରେ ନିଜର ଦୁଃସହ ଦୟନୀୟ ହୃଦ ବେଦନା ବ୍ୟକ୍ତ କଲେ ।

 

ତେଣୁ ମଦାନିକା ତାଙ୍କୁ ସାନ୍ତ୍ୱନା ଦେଇ କହିଲେ ମାଧବଙ୍କ ପାଖକୁ ତୁମର ଗୋଟିଏ ଚିତ୍ରପଟ ସଖୀ ମାଧବୀ ହାତରେ ପଠାଇଛି । ଏହି ସମୟରେ ମାଧବୀ ଶ୍ରୀକୃଷ୍ଣଙ୍କଠାରୁ ଏକ ଚିତ୍ରପଟ ଆଣି ଉପସ୍ଥିତ ହୁଅନ୍ତେ, ତାହା ପାଠକରି ମଦନିକା ରାଧାଙ୍କୁ ଜଣାଇଲେ ତୁମର ହୃଦ ବେଦନା ଓ ହାବଭାବ ଅନୁଭବ କରି ଏବେ ଶ୍ରୀକୃଷ୍ଣ ତୁମ ପ୍ରତି ସମ୍ବେଦନା ସହିତ ଅନୁରକ୍ତି ପ୍ରକାଶ କରିଛନ୍ତି । ତେଣୁ ରାଧା ଶ୍ରୀକୃଷ୍ଣଙ୍କ ସହିତ ଶୀଘ୍ର ମିଳିତ ହେବାପାଇଁ ଉଦ୍‌ବିଗ୍ନ ବିହ୍ୱଳ ସ୍ୱରରେ ଗୀତଟିଏ ଗାଇ ଉଠିଲେ,

 

“ମଞ୍ଜୁତର ଗୁଞ୍ଜ ଦଳିତ କୁଞ୍ଜମତି ଭୀଷଣଂ” ।

 

ମଦନିକା ଏହି ଗୀତରୁ ରାଧା ହୃଦୟରେ କୃଷ୍ଣ ସହିତ ମିଳନପାଇଁ ଉତ୍କଣ୍ଠା ଆତିଶଯ୍ୟ ଅନୁଭବ କରି ଅବିଳମ୍ବେ ଶ୍ରୀକୃଷ୍ଣଙ୍କ ପାଖକୁ ଯାଇ ରାଧାଙ୍କର ମିଳନୋତ୍କଣ୍ଠା ବିଷୟ ଶ୍ରୀକୃଷ୍ଣଙ୍କଠାରେ ପ୍ରକାଶ କଲେ । ତେଣୁ ଶ୍ରୀକୃଷ୍ଣ ମଧ୍ୟ ଅନୁରୂପ ଉତ୍କଣ୍ଠାରେ ବକୁଳ ବୃକ୍ଷ ମୂଳରେ ମିଳିତ ହେବାପାଇଁ ମଦନିକା ଦ୍ୱ।ରା ସଂକେତ ବାର୍ତ୍ତା ପଠାଇଲେ ।

 

ଚତୁର୍ଥ ଅଙ୍କରେ ରାଧାଙ୍କ ସହିତ ମିଳନପାଇଁ ଶ୍ରୀକୃଷ୍ଣ ମଧ୍ୟ ଅତିଶୟ ଉତ୍କଣ୍ଠାରେ ଉଚ୍ଚାଟ ହୋଇଉଠିଲା ବେଳେ ତାଙ୍କ ସମ୍ମୁଖରେ ମଦନିକା ରାଧାଙ୍କଠାରେ ଦେଖା ଦେଇଥିବା ବିବିଧ ସାତ୍ତ୍ୱିକ ପ୍ରେମ ବିକାରର ବିଶଦ ବର୍ଣ୍ଣନା କଲେ । ଏହାଦ୍ୱାରା ଶ୍ରୀକୃଷ୍ଣଙ୍କୁ ରାଧାଙ୍କ ବିରହ ବେଦନା ଦାବାନଳ ତୁଲ୍ୟ ଦହନ କଲା । ତେଣୁ ସତ୍ୱର ଯାଇ ରାଧାଙ୍କୁ ବକୁଳ ବୃକ୍ଷ ମୂଳସ୍ଥ କୁଞ୍ଜକୁ ଆସିବାପାଇଁ ଜଣାଇବାକୁ ମଦନିକାକୁ ସେ ପଠାଇଦେଲେ । ମଦନିକାଠାରୁ ଶ୍ରୀକୃଷ୍ଣଙ୍କର ପ୍ରେମୋତ୍କଣ୍ଠା ବିଷୟ ଜାଣି ରାଧା ସଂକେତ ସ୍ଥାନ ବକୁଳ ମୂଳକୁ ଯାଇଥିବା ବେଳେ, ତେଣେ ଶ୍ରୀକୃଷ୍ଣ ପୂର୍ବରୁ ସେଠାକୁ ଆସି କୁଞ୍ଜ ମଧ୍ୟରେ ରାଧାଙ୍କୁ ନ ପାଇ ନୈରାଶ୍ୟ ଜର୍ଜରିତ ହୋଇଯାଇଥିଲେ । କିନ୍ତୁ କୁଞ୍ଜ ମଧ୍ୟରେ ଶ୍ରୀକୃଷ୍ଣ ମିଳନପାଇଁ ଅପେକ୍ଷାରତ ଥିବା ମଦନିକା ଜଣାଇବାରୁ ରାଧା କୁଞ୍ଜ ସମୀପକୁ ଗଲେ । ରାଧାଙ୍କୁ ନ ଦେଖି ବିରହରେ କୃଷ୍ଣ ନିରାଶ ହୋଇପଡ଼ିଥିବାବେଳେ ଅଦୂରରୁ ରାଧାଙ୍କ ପାଦ ନୂପୁର ଧ୍ୱନି ଶୁଣି କୁଞ୍ଜ ବାହାରକୁ ଆସି ରାଧାଙ୍କ ଅନନ୍ୟ ସୁଲଭ ରୂପ ବିଭବକୁ ସମ୍ମୁଖରେ ଦେଖି ଶଙ୍କିତ ଓ ଚମତ୍କୃତ ହୋଇଗଲେ । ରାଧାଙ୍କର ଏପରି ଆବିର୍ଭାବ ବର୍ଣ୍ଣନ କରି କବି ରାମାନନ୍ଦ ଲେଖିଛନ୍ତି-

 

“ହରିମୁପ ଗଚ୍ଛତି ମନ୍ଥର ପଦଗତି ଲଘୁଲଘୁ ତରଳିତ ହାର ।

ଶଙ୍କର ଲଜ୍ଜିତ ରସଭର ଚଞ୍ଚଳ, ମଧୁର ଦୃଗନ୍ତ ଲବେନ,

ମଧୁ ମଥନଂ ପ୍ରତି ସମୁପହରନ୍ତୀ କୁବଳୟ ଦାମ ରସେନ ॥” ଇତ୍ୟାଦି

 

କୁଞ୍ଜ ମଧ୍ୟକୁ ରାଧାରାଣୀଙ୍କ ଆଗମନ ମାତ୍ରେ ମଦନିକା ଓ ବିଦୂଷକ ମଞ୍ଚ ଉପରୁ ଅପସରିଯାନ୍ତି । ପ୍ରଣୟୀ ଯୁଗଳଙ୍କର ପରସ୍ପର ଚାଟୁ ଓ ଶୃଙ୍ଗାରୀ ସମ୍ଭାଷଣ ଏହାଦ୍ୱ।ରା ସୂଚିତ ହୁଏ-

 

ପଞ୍ଚମ ଅଙ୍କରେ ପ୍ରଦର୍ଶିତ ହୁଏ ରାଧାମାଧବଙ୍କର ମଧୁର ମିଳନ ଲୀଳା । ଏହି ମିଳନ ଲୀଳା ଅନ୍ତେ ଶ୍ରୀକୃଷ୍ଣ ଅରିଷ୍ଟକାରୀ ଅରିଷ୍ଟାସୁରଙ୍କୁ ବଧ କରିସାରିବା ପରେ ନାଟକର ଘଟେ ପରିସମାପ୍ତି । ରାଧାମାଧବଙ୍କର ମିଳନ କଥାକୁ ବିଚକ୍ଷଣ କଳ୍ପନାରେ କବି ଅନୁରାଗ, ଗୁଣସ୍ମରତି, ବିରହ, ଅଭିସାର, ମିଳନୋତ୍କଣ୍ଠା ଓ ମିଳନ ପର୍ଯ୍ୟନ୍ତ ଦୃଶ୍ୟ ପଟ୍ଟଳ ଦର୍ଶକମାନଙ୍କ ମାନସିକ ସ୍ତରରେ ଦ୍ୱନ୍ଦ୍ୱ ଉତ୍କଣ୍ଠା ଓ କୌତୂହଳ ଉଦ୍ଦୀପନ କଲେ । ଶେଷରେ ଏକ ପ୍ରତାପୀ ଅସୁରର ବଧ ସହିତ ନାଟକର ସମାପ୍ତି ଘଟିଲେ ମଧ୍ୟ ସୁମଧୁର ଆଦି ଶୃଙ୍ଗାର ରସର ଧାରାକୁ ଉଜ୍ଜ୍ୱଳ ରସ ଭାବରେ ସାନ୍ଦ୍ର କରି ଦର୍ଶକ ଓ ପାଠକ ଚିତ୍ତରେ ଅପାର ଆନନ୍ଦ ସଂଚାରପୂର୍ବକ ପରିପୂର୍ଣ୍ଣ ସନ୍ତୋଷ ଦାନରେ ନିହିତ ଅଛି । ଏହି ଉଜ୍ଜ୍ୱଳ ରସ ଘନ ନାଟକର ସ୍ୱତନ୍ତ୍ରତା ଯାହାକି ପରବର୍ତ୍ତୀ ବହୁ ନାଟ୍ୟକାରଙ୍କୁ ନାଟକ ରଚନାପାଇଁ ଉଦ୍‌ବୁଦ୍ଧ କରେ । ରାଧାମାଧବଙ୍କ ନିଷ୍କୃତ ମିଳନ ଲୀଳାର ବର୍ଣ୍ଣନା କରି କବି ରାୟ ରାମାନନ୍ଦ ଲେଖିଛନ୍ତି,

 

“ରାଧାମାଧବ କେଳି ଭରାଦହମଦ୍ଭୁତ ମାକଲାୟାମି ।

ମିଳିତମିତଂ କଳତନୁ ଯୁଗଳଂ ପୁନରପି ନ କଞ୍ଚନ ଭେଦଂ ।

ବିଷମ ଶରାଶୁଗ କଳିତମିବ

ସଖି ଗଳିତ ଚିରନ୍ତନ ଖେଦମ୍ ॥”

 

ହୃଦୟ ପ୍ରାଣ ଓ ଆତ୍ମା ସହିତ ଦୁଇ ଶରୀର ଏକ ତତ୍ତ୍ୱରେ ପରିଣତ ହୋଇଯାଇଥିଲେ । ଏହା ହେଉଛି ଐକାନ୍ତିକ ପ୍ରେମ ସାଧନାର ପୂର୍ଣ୍ଣତା ଓ ପରମାନନ୍ଦାନୁଭୂତି । ପୁନଶ୍ଚ କବି ତାଙ୍କ ନାଟକର ଗୀତିକାରେ ଲେଖିଥିଲେ, “ନାରୀପୁରୁଷ ବୋଇ ଲଖଇ ନ ପାରୟେ ଐଷ ପରିରମ୍ଭଣ କି ଭାତି ॥”

 

ରାଧାମାଧବ ପ୍ରଣୟ ବର୍ଣ୍ଣିତ ଏହି ନାଟକ ରାଗାନୁଗା ଭକ୍ତିର ଉଦ୍‌ବୋଧନା ପରମାର୍ଥ ସାଧନରେ ରାଗମାପ ପରାୟଣତାପାଇଁ ପ୍ରାୟ ପାଞ୍ଚ ହଜାର ବର୍ଷ ମଧ୍ୟରେ ଶ୍ରୀପୁରୁଷୋତ୍ତମଙ୍କ ଉପାସନାପାଇଁ ପ୍ରସିଦ୍ଧ ହୋଇ ଆସିଥିବା ଉତ୍କଳରେ ପ୍ରାକୃତ ଓ ସଂସ୍କୃତ ସାହିତ୍ୟ ଧାରାର ପ୍ରଧାନ ଉପଜୀବ୍ୟ ହୋଇଆସିଛି ପୁରୁଷୋତ୍ତମଙ୍କର ଉଜ୍ଜ୍ୱଳ ରସଲୀଳା ବର୍ଣ୍ଣନା । ଜୟଦେବଙ୍କଠାରୁ ରାୟ ରାମାନନ୍ଦଙ୍କ ପର୍ଯ୍ୟନ୍ତ ।

 

୬. କାବ୍ୟକବିତାରେ ଅଧ୍ୟାତ୍ମ ଅନୁଭବ :

କବିଗଣ କେବଳ ମନୋରଂଜନପାଇଁ କାବ୍ୟକବିତା ରଚନା କରୁନଥିଲେ, ସେମାନଙ୍କ ଅଧ୍ୟାତ୍ମ ସାଧନାର ଅନୁଭବମାନଙ୍କୁ ବ୍ୟକ୍ତ କରିଛନ୍ତି, ସେମାନଙ୍କ କବିତାରେ । ସଗୁଣ ବା ନିର୍ଗୁଣ ଉପାସକମାନଙ୍କ ସାହିତ୍ୟ ସୃଷ୍ଟିରେ ପ୍ରତିଫଳିତ ହୁଏ । ରାଧାମାଧବଙ୍କ ସୁମଧୁର ଉଜ୍ଜ୍ୱଳ ପ୍ରେମରସର ଦ୍ୱୈତଲୀଳା ମଧ୍ୟ ଦେଇ ଅଦ୍ୱୈତାନୁଭୂତ ପୂର୍ଣ୍ଣ ମିଳନ । କୁଳବଧୂ ପ୍ରେମାଙ୍ଗନାମାନଙ୍କର ଐକାନ୍ତିକ ଭକ୍ତିର ପ୍ରଂଶସା କରି ଭଗବାନ ଶ୍ରୀକୃଷ୍ଣ କଦାପି ସେମାନଙ୍କ ଭକ୍ତିର ପ୍ରତିଦାନ ଦେଇ ଋଣମୁକ୍ତ ହୋଇ ନ ପାରନ୍ତି ବୋଲି ବୃନ୍ଦାବନରେ ଗୋପାଙ୍ଗନାମାନଙ୍କୁ କହିଥିବାର ଭାଗବତ (୧୦ମ ସ୍କନ୍ଧ ରାମଲୀଳାରେ ବିବୃତ୍ତ ହୋଇ ଶାସ୍ତ୍ରୀୟ ଭିତ୍ତି ଐକ୍ୟନ୍ତିକ ଭକ୍ତି ମାର୍ଗ ହେଉଛି ପ୍ରାଣୀ ଶ୍ରେଷ୍ଠ ମନୁଷ୍ୟପାଇଁ ଶ୍ରେଷ୍ଠ ଅଧ୍ୟାତ୍ମସାଧନ ବୋଲି ମଧ୍ୟ ଗୀତାରେ ଅର୍ଜୁନଙ୍କୁ ଓ ଭାଗବତରେ ଉଦ୍ଧବଙ୍କୁ ଉପଦେଶ ଦେଇଥିଲେ ।

 

ଉତ୍କଳରେ ଏହି ଐକାନ୍ତିକ ଭକ୍ତି ଧାରା ଉଦ୍‌ବେଳ ପ୍ରବାହମାନ ରହିଛି । ଏହି ପୁରୁଷୋତ୍ତମଙ୍କୁ ଆଶ୍ରୟ କଲି । ଏକାନ୍ତଭାବେ ଆତ୍ମସମର୍ପଣ ସର୍ବସ୍ୱ ରାଗମାର୍ଗୀୟ ଭକ୍ତି ସାଧନାର ତତ୍ତ୍ୱ ଏକାନ୍ତ ନିଗୂଢ଼ ରହସ୍ୟ । ଯୋଗ୍ୟ ସାଧକ ଓ ଗୁରୁଶିଷ୍ୟ ପରଂପରାରେ ଏହି ସାଧନା ଅବ୍ୟାହତ ରହି ଆସିଥିଲା । ଉତ୍କଳୀୟ ଜନମାନସ ଧର୍ମ ସାଧନା କ୍ଷେତ୍ରରେ ଏହିପରି ରାଗଭକ୍ତି ମାର୍ଗୀୟ ସଂସ୍କାର ଦ୍ୱ।ରା ଯୁଗ ଯୁଗ ଧରି ନିୟନ୍ତ୍ରିତ ରହି ଆସିଛି ।

 

ଶ୍ରୀ ଚୈତନ୍ୟ ଦେବ ଓ ତାଙ୍କର ଅଧିକାଂଶ ପରିବାରମାନଙ୍କର ପୂର୍ବପୁରୁଷମାନେ ଏହି ରାଗମାର୍ଗୀୟ ସାଧନା ସଂସ୍କାରରେ ପାଳିତ ହୋଇ ପୂର୍ବରୁ ବଙ୍ଗଦେଶକୁ ଯାଇଥିଲେ । ରେମୁଣାର ମାଧବେନ୍ଦ୍ରପୁରୀଙ୍କ ଶିଷ୍ୟ ଈଶ୍ୱରପୁରୀଙ୍କଠାରୁ ଦୀକ୍ଷା ନେବା ପରେ ଚୈତନ୍ୟ ଦେବଙ୍କଠାରେ କୃଷ୍ଣାର୍ପଣ ବୁଦ୍ଧି ଓ ଚେତନା ତୀବ୍ର ହେବାରୁ ଦୁଇ ଦୁଇଥର ଦାର ପରିଗ୍ରହ କରି ଗୃହସ୍ଥାଶ୍ରମ ଆରମ୍ଭ କରିଥିଲେ ମଧ୍ୟ ସର୍ବସୁଖ ତ୍ୟାଗକରି ଐକାନ୍ତିକ କୃଷ୍ଣ ଭକ୍ତି ତନ୍ମୟତାରେ ସନ୍ନ୍ୟାସ ଗ୍ରହଣ କଲେ । କୃଷ୍ଣଭକ୍ତି ସର୍ବପ୍ରଧାନ କେନ୍ଦ୍ରସ୍ଥଳୀ ଶ୍ରୀକ୍ଷେତ୍ରରେ ଉପସ୍ଥିତ ହୋଇ ସାଧନ ଭକ୍ତି ରହସ୍ୟ ଜିଜ୍ଞାସା ଚରିତାର୍ଥ କରିବାକୁ ଉତ୍ସୁକ ହୋଇଥିଲେ । ସେତେବେଳକୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ରାୟ ରାମାନନ୍ଦ ଗୋଦାବରୀ ତୀରବର୍ତ୍ତୀ ଦକ୍ଷିଣ ଓଡ଼ିଶାର ରାଜଧାନୀ ଥିବା ରାଜମହେନ୍ଦ୍ରୀରେ ଅବସ୍ଥାନ କରୁଥିଲେ । ନିଗୂଢ଼ ପ୍ରେମଭକ୍ତି ତତ୍ତ୍ୱଜ୍ଞ ପଣ୍ଡିତ ଭାବେ ତାଙ୍କର ଖ୍ୟାତି ବହୁ ବିଶ୍ରୁତ ଥିବାରୁ ତାଙ୍କୁ ସାକ୍ଷାତ କରିବାକୁ ସମ୍ରାଟ୍ ପ୍ରତାପରୁଦ୍ର ଦେବଙ୍କ ସଭା ପଣ୍ଡିତ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ପୁରୀରେ ଶ୍ରୀଚୈତନ୍ୟ ଦେବଙ୍କୁ ପରାମର୍ଶ ଦେଇଥିଲେ ।

 

୭. ଚୈତନ୍ୟ ଦେବ ଓ ରାୟ ରାମାନନ୍ଦ ମିଳନ :

ସେହି ବଂଶ ଅର୍ଥାତ୍ ୧୫୧୦ ସାଲରେ ଚୈତନ୍ୟ ଦେବ ତୀବ୍ର ଭ୍ରମଣ କ୍ରମେ ଗୋଦାବରୀ ସ୍ନାନବେଳେ ରାୟ ରାମାନନ୍ଦ ତାଙ୍କୁ ରାଜପ୍ରସାଦରେ ଅବସ୍ଥାନପାଇଁ ନିମନ୍ତ୍ରଣ କଲେ-। ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ତାଙ୍କର କୈଶୋର ଲୀଳାରେ ତାଙ୍କ ପ୍ରତି ଆସକ୍ତ ରହି ଆସୁଥିବା ଗୋପାଙ୍ଗନାମାନଙ୍କର ତାଙ୍କ ସହିତ ମିଳନବାସନା ପୂର୍ତ୍ତିପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଶରତକାଳୀନ ଜ୍ୟୋତ୍ସାସ୍ନାତା ରାତିରେ ସୁମଧୁର ବେଣୁ ବାଦନ କଲେ । ସେତେବେଳେ ପ୍ରତ୍ୟେକ ଗୋପାଳ କୁଳାଙ୍ଗନାମାନେ ଗଭୀର ଭାବେ କୃଷ୍ଣଙ୍କଠାରେ ପ୍ରେମାର୍ପଣ ଅଭିନିବିଷ୍ଟା ଥିବାରୁ ଏହା ସେମାନଙ୍କର ପ୍ରତ୍ୟେକଙ୍କର ନାମ ଉଚ୍ଚାରଣ ଓ ମିଳନପାଇଁ ଆମନ୍ତ୍ରଣ ଜ୍ଞାନରେ ବେଶଭୂଷାଦିରେ ଅଯତ୍ନ ଅସଂଯତ ଥାଇ ମଧ୍ୟ ଗହନବନ ପଥ ଅତିକ୍ରମ କରି କୃଷ୍ଣଙ୍କୁ ବେଷ୍ଟନ କରି ଉପସ୍ଥିତ ହେଲେ, କୃଷ୍ଣ ସେମାନଙ୍କର ପ୍ରେମନିଷ୍ଠା ପରୀକ୍ଷାପାଇଁ ସେମାନେ ଏପରି ଅସମ୍ଭାଳ କେଶବାସାବସ୍ଥାରେ ନିଜ ନିଜର ପତିପୁତ୍ର ଓ ଶାଶୂ ଶ୍ୱଶୁରାଦି ଗୁରୁଜନଙ୍କୁ ତ୍ୟାଗ କରି ଜାର ବୁଦ୍ଧିରେ ତାଙ୍କ ସହିତ ମିଳନ ବ୍ୟାକୁଳତାକୁ ନିନ୍ଦା ପୂର୍ବକ ନିଜ ନିଜର କୁଳଧର୍ମପାଳନ ନିମିତ୍ତ ସ୍ୱ ସ୍ୱ ଗୃହକୁ ସଦ୍ ବୁଦ୍ଧିରେ ଫେରିଯିବାକୁ ପରାମର୍ଶଦେଇଥିବା ବେଳେ ସେମାନେ ସେସବୁ ଉପଦେଶକୁ ପ୍ରତ୍ୟାଖ୍ୟାନ କରି ଶ୍ରୀକୃଷ୍ଣଙ୍କରଏପରି ରୁକ୍ଷ ଅଚରଣରେ ଅବସାଦଗ୍ରସ୍ତ ହେଲେ । ତେଣୁ ଶ୍ରୀକୃଷ୍ଣ ସଙ୍ଗମ ଓ ପ୍ରେମ ପିପାସାକୁହିଁ ସକଳ ପ୍ରକାର କୁଳାଚାର ବିଧି ବା ଆର୍ଯ୍ୟ ଧର୍ମପାଳନ ତୁଳନାରେ ସେମାନେ ତୁଚ୍ଛ ଜ୍ଞାନ କରନ୍ତି ବୋଲି କହି ଶ୍ରୀକୃଷ୍ଣଙ୍କୁ କୈତବପୁରୁଷାଦି ଭାବେ ଭର୍ତ୍ସନା କରିଥିଲେ । ତତ୍ପରେ ଶ୍ରୀକୃଷ୍ଣଙ୍କ ସହିତ ମିଳିତ ହୋଇ ଆନନ୍ଦାତିଶଯ୍ୟରେ ବନବିହାର କାଳରେ ଅନ୍ତର୍ଦ୍ଧାନ ହୋଇ ଯିବାରୁ ଗୋପାଙ୍ଗନାମାନଙ୍କର କୃଷ୍ଣ ବିରହ ଦୁଃଖଜନିତ କ୍ରନ୍ଦନ ରୋଳ ସହିତ ଦୀର୍ଘ ସମୟ ବ୍ୟାପୀ ତାଙ୍କର ନାମଧରି ନାନା ଭର୍ତ୍ସନା ସହିତ ଉଚ୍ଚ ସ୍ୱରରେ ଡାକ ଦେଲେ । ସେମାନଙ୍କର ମନୋବେଦନା ଚରମ ନୈରାଶ୍ୟରେ ପରିଣତ ହେବା ବେଳକୁ ଶ୍ରୀକୃଷ୍ଣ ସେମାନଙ୍କ ଗହଣରେ ଅପ୍ରତ୍ୟାଶିତ ମିଳିତ ହୋଇ ନବ ପୁଲକ ସହିତ ସତେ ଯେପରି ସେମାନଙ୍କୁ ନବ ଜୀବନ ଦାନ କରିଥିଲେ । ଏହି ମିଳନ କାଳରେ କୃଷ୍ଣ ସେମାନଙ୍କୁ କହିଥିଲେ,

 

“ନ ପାରୟେଽହଂ ନିରବଦ୍ୟ ସଂଯୁଜାଂ।

ସ୍ୱଂସାଧୁକୃତଂ ବିବୁଧାୟୁଷାପି ବନ ॥

ଯା ମାଂ ଧନଜନ ଦୁର୍ଜର ମୋହ ଶୃଙ୍ଖଳାଃ ।

ସଂବୁଶ୍ଚ୍ୟଂ ତଦବଃ ପ୍ରତିଯାତୁ ସାଧୁନା ॥”

 

ହେ ଗୋପକୁଳ ବଧୂଗଣ ! ତୁମେମାନେ ଦୁଶ୍ଛେଦ୍ୟ ଗୃହ ଶୃଙ୍ଖଳା (ଆତ୍ମୀୟସ୍ୱଜନ ଓ ଐହିକ ପାରଲୌକିକ ସୁଖକର ଲୋକମର୍ଯ୍ୟାଦାଦି ସମ୍ବନ୍ଧ)କୁ ସମ୍ପୂର୍ଣ୍ଣରୂପେ ଛେଦନ କରି ଦେଇ ମୋତେ ଆତ୍ମସମର୍ପିତ ଅନୁରାଗରେ ନିଷ୍କପଟ ବୁଦ୍ଧିରେ (ସ୍ୱସୁଖ ପରିବର୍ତ୍ତେ କେବଳ ମୋତେ ସୁଖୀ କରାଇବାପାଇଁ) ମୋତେ ତୁମମାନଙ୍କ ସହିତ ମିଳନ ଓ ମୋତେ ସଙ୍ଗମ ସୁଖ ଦାନ କରୁଅଛି । ତୁମର ଏହି ବିସ୍ମୟକର ତ୍ୟାଗରୂପୀ ସାଧୁକୃତ୍ୟ (ପ୍ରେମ)ର ପ୍ରତିଦାନ ମୁଁ ଦେବତାମାନଙ୍କ ପରମାଶ୍ରୁପ୍ରାପ୍ତ ହେଲେ ସୁଦ୍ଧା ଦେଇପାରିବି ନାହିଁ । ଅତଏବ ତୁମର ଏହି ଐକାନ୍ତିକ ପ୍ରେମାର୍ପଣ ତୁଲ୍ୟ ସ।ଧୁକୃତ୍ୟହିଁ କେବଳ ତା’ର ପ୍ରତିଦାନ ହୋଇ ଏପରି ପ୍ରେମଲାଳସାରେ ଏକାନ୍ତ ନିଷ୍ଠାଯୁକ୍ତ ଆତ୍ମସମର୍ପଣପାଇଁ କୌଣସି ପ୍ରକାର ପ୍ରତିଦାନ ନାହିଁ । ଭାଗବତରେ ବର୍ଣ୍ଣିତ ଏପରି ଐକାନ୍ତିକ ପ୍ରେମଭକ୍ତିରେ ଆତ୍ମସମର୍ପଣକୁ ସର୍ବଶ୍ରେଷ୍ଠ ସାଧନ ବିଚାର କରି ଭକ୍ତି ସାଧକ ରାମାନନ୍ଦ ଚୈତନ୍ୟଙ୍କର ସାଧନତତ୍ତ୍ୱ ଜିଜ୍ଞାସା ଚରିତାର୍ଥ କରିବାକୁ ଯାଇ କହିଲେ,

 

“ରାଧାକୃଷ୍ଣ ଲୀଳା ଏହି ଅତି ଗୂଢ଼ତର ।

ଦାସ୍ୟ ବାତ୍ସଲ୍ୟାଦି ଭାବେ ନ ହୟ ଗୋଚର ॥

ସର୍ବେ ଏକ ସଖୀଗଣେର ଇଂହା ଅଧିକାର ।

x      x      x

ସଖୀଭାବେ ଯେ ତାଁରେ କରି ଅନୁରତି,

ରାଧାକୃଷ୍ଣ କୁଞ୍ଜସେବା ସାଧ୍ୟ ସେଇ ପାୟ,

ସେଇ ସାଧ୍ୟ ପାଇତେ ଆର ନାହିଁ କି ଉପାୟ ।।

x       x       x

ସଖୀର ସ୍ୱଭାବ ଏକ ଅକଥ୍ୟ କଥନ,

କୃଷ୍ଣ ସହ ନିଜ ଲୀଳାର ନାହିଁ ସଖୀର ମନ ।।

କୃଷ୍ଣ ସହ ରାଧିକାର ଲୀଳା ଯେ କରାୟେ ।

ନିଜ ସୁଖ ହେତେ ତାତେ କୋଟି ସୁଖ ପାୟେ ।।

 

ସାଧକ ଶିରୋମଣି ମହାପଣ୍ଡିତ ରାୟ ରାମାନନ୍ଦଙ୍କ ସହିତ ଏହି ଆଲୋଚନାରେ ପ୍ରବୃତ୍ତ ହେବାବେଳେ ପ୍ରାରମ୍ଭରୁ ଚୈତନ୍ୟଦେବଙ୍କ ସମ୍ମୁଖରେ ଭକ୍ତି ସାଧନା ବର୍ଣ୍ଣନା କ୍ରମରେ ଯଥାକ୍ରମେ ସ୍ୱଧର୍ମାଚାର, କର୍ମାର୍ପଣ, ସ୍ୱଧର୍ମତ୍ୟାଗ ଜ୍ଞାନ ମିଶ୍ର ଭକ୍ତି ପ୍ରଭୃତି ପ୍ରସଙ୍ଗ ଉଠାଇ ଏସବୁର ଉତ୍କର୍ଷ ଦର୍ଶାଇଥିଲେ ମଧ୍ୟ ଚୈତନ୍ୟଚନ୍ଦ୍ର ତହିଁରେ ସନ୍ତୁଷ୍ଟ ନ ହୋଇ ଏସବୁକୁ ବାହ୍ୟ ସାଧନ ଭାବେ ଅଭିହିତ କରି ଅନ୍ତରଙ୍ଗ ସାଧନ ସମ୍ବନ୍ଧରେ ଜିଜ୍ଞାସା କରିବାରୁ ରାୟ ରାମାନନ୍ଦ ଭାଗବତ ଦଶମସ୍କନ୍ଧର ୧୪ଶ ଅଧ୍ୟାୟାନ୍ତର୍ଗତ ତୃତୀୟ ଶ୍ଳୋକର ଉଦ୍ଧାର କରି ବ୍ୟାଖ୍ୟା କଲେ, କିନ୍ତୁ ଚୈତନ୍ୟ ଦେବ “ଏହା ଯଥାର୍ଥ କିନ୍ତୁ ଏହାଠାରୁ ଅଧିକ ଅଛି କୁହେ (ଏହୋ ହୟ ଆଗେ କହି ଆୟ) ବୋଲି କହିବାରୁ ଧର୍ମଶୂନ୍ୟାଭକ୍ତି, କର୍ମଶୂନ୍ୟା ଭକ୍ତି, ଜ୍ଞାନଶୂନ୍ୟା ଭକ୍ତିର ସ୍ୱରୂପ ଜିଜ୍ଞାସା କଲେ ଏବଂ ରାୟରାମାନନ୍ଦ ତାହା ବିବୃତ କଲେ । ତତ୍ପରେ ପ୍ରେମସାଧନ ତତ୍ତ୍ୱର ଉପକ୍ରମ କରି ଶାନ୍ତ, ଦସ୍ୟ, ସଖ୍ୟ, ବାତ୍ସଲ୍ୟ ପ୍ରେମଭକ୍ତିର ବୈଶିଷ୍ଟ୍ୟମାନ ଶୁଣି ମଧ୍ୟ ଶ୍ରୀଚୈତନ୍ୟଙ୍କଠାରେ ସନ୍ତୋଷ ଉତ୍ପନ୍ନ ହେଲା ନାହିଁ । ତେଣୁ ସେ ବାରମ୍ବାର ଏହି ପ୍ରତ୍ୟେକରୁ ଉତ୍କୃଷ୍ଟତର ସାଧନ ରହସ୍ୟ ଜାଣିବାକୁ “ଏହୋ ହୟ ଆଗେ କହ ଆରା”, ଏହା ହୟ କିଛୁ ଆଗେ ଆର, ଏହୋ ଉତ୍ତମ ଆଗେ କହ ଆର ଇତ୍ୟାଦି କହି ଚାଲିଥିଲେ । ତେଣୁ ରାମାନନ୍ଦ ରାୟ ବିସ୍ମୟର ସହିତ କହିଲେ

 

“ପୃଥିବୀତେ ଇହାର ଆମେ ପୁଚ୍ଛେ ହେବ ଜନେ ।

ଏତଦିନ ନାହିଁ ଜାନି ଆଚ୍ଛୟ ଭୁବନେ ।।”

 

ଅର୍ଥାତ୍ ଭକ୍ତି ସାଧନ କ୍ଷେତ୍ରରେ ଏବଂବିଧ ପ୍ରକାରେ ଭକ୍ତିକୁ ସାଧ୍ୟତତ୍ତ୍ୱରୂପେ ଶାସ୍ତ୍ର ପରଂପରାରେ ଗ୍ରହଣ କରାଯାଇଥିଲେ ମଧ୍ୟ ଚରମ ସାଧ୍ୟ ଯେଉଁ ନିଗୂଢ଼ ରଗାନୁଗାବିଶୁଦ୍ଧା ଭକ୍ତି ତାହା ସମ୍ବନ୍ଧରେ କେହି କେବେହେଲେ ଜିଜ୍ଞାସା ବା ପ୍ରଶ୍ନ ଉଠାଇ ନାହାନ୍ତି । କିନ୍ତୁ ପ୍ରଥମଥର ଚୈତନ୍ୟ ମହାପ୍ରଭୁଙ୍କର ଏସବୁଠାରୁ ଶ୍ରେଷ୍ଠ ସାଧନ ଭକ୍ତି ସମ୍ବନ୍ଧରେ ଜିଜ୍ଞାସାରେ ବିସ୍ମିତ ହୋଇ ଭକ୍ତ ଶିରୋମଣି ରାମାନନ୍ଦ ଉତ୍ତର ଦେଲେ ଏହାପରେ “କାନ୍ତାପ୍ରେମ ସର୍ବସାଧ୍ୟ ସାର” । ତଥାପି ଶ୍ରୀଚୈତନ୍ୟ କହିଲେ, ଏଇ ସାଧ୍ୟାବଧି ସୁନିଶ୍ଚିୟ ।

 

କୃପାକରି କହ ଯଦି ଆଗେ କିଛୁ ହୟ ।।” ରାମାନନ୍ଦ କହିଲେ,

 

“ଇଂହାର ମଧ୍ୟେ ରାଧାର ପ୍ରେମ ସାଧ୍ୟ ଶିରୋମଣି,

ଯାଁହାର ମହିମା ସର୍ବଶାସ୍ତ୍ରେତେ ବଖାଣି ।।” (ଚୈ.ଚ. ମଧ୍ୟଲୀଳା)

 

ଉତ୍କୃଷ୍ଟତମ ସାଧନ ଭାବେ ଏକମାତ୍ର ରାଧାଙ୍କର ଜାର ଭାବରେ କୃଷ୍ଣଙ୍କ ପ୍ରତି ନିବିଡ଼ ଅନୁରାଗ ଓ ପରକୀୟା ପ୍ରେମନିଷ୍ଠାକୁ ରାୟ ରାମାନନ୍ଦ ଶାସ୍ତ୍ର ପ୍ରମାଣ ଦ୍ୱ।ରା ପ୍ରତିପାଦନ କରିବାକୁ ଚୈତନ୍ୟ ମହାପ୍ରଭୁଙ୍କର ସାଧନ ଜିଜ୍ଞାସା କୌତୁହଳର ଅବସ୍ଥାନ ଘଟିଥିଲା ଓ ସେ ଆନନ୍ଦାତିଶଯ୍ୟରେ କୃତକୃତ୍ୟ ହୋଇଥିଲେ ।

 

ତେଣୁ ବିଷୟୀଭାବରେ ରାଜ୍ୟଶାସନ ଦାୟିତ୍ୱ ତ୍ୟାଗକରି ନୀଳାଚଳ ଯାତ୍ରାପାଇଁ ପରାମର୍ଶ ଦେଇ ଚୈତନ୍ୟ ଦେବ ତୀର୍ଥ ଭ୍ରମଣ ଉଦ୍ଦେଶ୍ୟରେ ଦକ୍ଷିଣ ଭାରତର ନାନା ପୁଣ୍ୟ ତୀର୍ଥ ସ୍ଥଳୀକୁ ଯାତ୍ରା କରିଥିଲେ ।

 

ଜାରପୁରୁଷ ସହିତ ଗୋପନରେ ଏକାନ୍ତ ମିଳନରେ ଆନନ୍ଦାନୁଭୂତିପାଇଁ ମନରେ ଯେଉଁ ଐକ୍ୟାନ୍ତିକ ବାସନା ତୀବ୍ରତର ହୁଏ ଭଗବାନଙ୍କ ସହିତ ମିଳିତ ହେବାପାଇଁ ଅନୁରୂପ ଐକାନ୍ତିକ ବାସନା ଓ ଅନନ୍ୟ ଚିନ୍ତନର ସର୍ବଶ୍ରେଷ୍ଠ ଦୃଷ୍ଟାନ୍ତ ହେଉଛି ଶ୍ରୀକୃଷ୍ଣଙ୍କ ପ୍ରତି ରାଧାଙ୍କର ପରକୀୟା ପ୍ରେମ ।

 

ଏପରି ଐକାନ୍ତିକ ଭକ୍ତି ଚେତନାରେ ପରମପୁରୁଷ ଭଗବାନ ଓ ତାଙ୍କର ହ୍ଲାଦିନୀ ଶକ୍ତି ରାଧାଙ୍କର ମିଳନପାଇଁ ସମର୍ପଣ ବୁଦ୍ଧିରେ ସର୍ବତୋଭାବେ ସଯତ୍ନ ସେବା କରିବା ହେଉଛି ଜୀବ ମାତ୍ରେ ସମସ୍ତଙ୍କର ପରମାର୍ଥ ସାଧନାର ଚରମ ସୀମା ।

 

ବେଦବେଦାନ୍ତ ପରଂପରାରେ ଅପ୍ରକଟ ଭାବେ ନିଗୂଢ଼ ରହି ଆସିଥିବା ଏହି ସାଧନ ତତ୍ତ୍ୱକୁ ଉତ୍କଳୀୟ ଭକ୍ତ ଶିରୋମଣି ରାୟ ରାମାନନ୍ଦ ଲୌକିକତା ଦୃଷ୍ଟିରୁ ଚୈତନ୍ୟଙ୍କ ସମ୍ମୁଖରେ ଉଦ୍‌ଘାଟିତ କଲେ ମଧ୍ୟ ଚୈତନ୍ୟ ସ୍ୱୟଂ ହେଉଛନ୍ତି ଏହି ଯୁଗଳ ମିଳନର ମୂର୍ତ୍ତିମନ୍ତ ପ୍ରକାଶ ବୋଲି ସାଧକଗଣଙ୍କର ଅଭିମତ । ଏ ଚୈତନ୍ୟ ଦେବଙ୍କର ଗୁରୁ ଈଶ୍ୱରପୁରୀ ଏବଂ ରାୟ ରାମାନନ୍ଦଙ୍କର ଗୁରୁ ରାଘବେନ୍ଦ୍ର ପୁରୀ ଉଭୟ ଥିଲେ ଉତ୍କଳର ଅଗ୍ରଗାମୀ ସାଧକ ମାଧବେନ୍ଦ୍ର ପୁରୀ । ଏଣୁ ତାଙ୍କୁହିଁ ଶୁଦ୍ଧାଭକ୍ତି କକ୍ଷତରୁର ପ୍ରଥମ ଅଙ୍କୁର ବୋଲି ଅଭିହିତ କରାଯାଏ । ତାଙ୍କଠାରୁ ଜାତ ଦୁଇଶାଖାଙ୍କର ମିଳନରୁ ଶୁଦ୍ଧା ଭକ୍ତିତତ୍ତ୍ୱ ମହା ଦ୍ରୁମରେ ପରିଣତ ହେଲା ଓ ବିଶ୍ୱ ବିସ୍ତାରିତ ହୋଇ ଅଗଣିତ ସଂତପ୍ତ ପ୍ରାଣୀଙ୍କୁ ସୁଶୀତଳ ଛାୟା ଦାନରେ ସେମାନଙ୍କ ତପ୍ତ ଜୀବନକୁ ପ୍ରଶାନ୍ତି ସୁଧା ପ୍ରଦାନ କରୁଅଛି ।

 

ଅତଏବ ବିଶ୍ୱ ଅଧ୍ୟାତ୍ମସାଧନା ମାର୍ଗରେ ଅଭିନବ ଅଭ୍ରନ୍ତ ମାର୍ଗ ଦର୍ଶନ କରିବାରେ ରାୟ ରାମାନନ୍ଦ ଓ ଚୈତନ୍ୟ ଦେବଙ୍କ ମଧ୍ୟରେ ଆନ୍ତରିକ ବିମର୍ଷରୁ ନିଷ୍ପନ୍ନ ସିଦ୍ଧାନ୍ତହିଁ ଶୁଦ୍ଧାଭକ୍ତି ତତ୍ତ୍ୱର ପ୍ରାମାଣିକ ଭିତ୍ତିଭୂମିକୁ ସୁଦୃଢ଼ ଭାବେ ନିର୍ମାଣ କରିଥିଲେ । ଏହି ସିଦ୍ଧାନ୍ତକୁ ବେଦାନ୍ତ ପ୍ରମାଣିତ କରି ଏହି ଭିତ୍ତିରେ ବଳଦେବ ବିଦ୍ୟା ଭୂଷଣ ଉତ୍ତୋଳିତ କଲେ ଅଚିନ୍ତ୍ୟ ହେବା ଭେଦ, ପରି ଦାର୍ଶନିକ ତତ୍ତ୍ୱ ଏହାକୁ କୁହାଯାଏ ଗୌରୀୟ ବୈଷ୍ଣବଧର୍ମ, ଅଥବା ବଙ୍ଗଦେଶରେ ଗୌଡ଼ିୟ ବୈଷ୍ଣବ ଦର୍ଶନ ନାମରେ କଥିତ ।

 

ଉତ୍କଳୀୟ ସମ୍ଭ୍ରାନ୍ତ ଏକ ବଙ୍ଗୀୟ ପରିବାରରେ କେନ୍ଦ୍ରାପଡ଼ାର ଛୋଟି ମଙ୍ଗଳପୁରରେ ଜନ୍ମିତ ଶ୍ରୀଳ କେଦାରନାଥ ଦତ୍ତ ସନ୍ନ୍ୟାସ ଗ୍ରହଣ ପରେ ଭକ୍ତିବିନୋଦ ଠାକୁର ନାମରେ ପରିଚିତ ହୋଇ ଏହି ଧର୍ମ ଦର୍ଶନତତ୍ତ୍ୱ ସମ୍ବନ୍ଧରେ କବିତା ଓ ଆଲୋଚନା ଗ୍ରନ୍ଥମାନ ରଚନା କରି ଏହି ଧର୍ମର ପ୍ରଚାର ପ୍ରସାରପାଇଁ ଯେଉଁ ଉଦ୍ୟମ କରିଥିଲେ ସାର୍ବଜନୀନ ପରମାର୍ଥ ସୁଖଶାନ୍ତିପାଇଁ ତାଙ୍କର ସନ୍ନ୍ୟାସୀ ପୂତଭକ୍ତି ସିଦ୍ଧାନ୍ତ ଏହିପରି ନିର୍ମାଣ କଲେ ‘ଗୌଡ଼ୀୟ ମିଶନ’ ନାମରେ ତାଙ୍କ ଅନୁଗତ ସନ୍ନ୍ୟାସୀମାନଙ୍କ ଦ୍ୱ।ରା ପରିଚାଳିତ ମହାନ ସଂଗଠନ ।

 

ଅଧୁନା ଭକ୍ତି ସିଦ୍ଧାନ୍ତଙ୍କର ସୁଯୋଗ୍ୟ ସନ୍ନ୍ୟାସୀ ଶିଷ୍ୟ ପ୍ରଭୁପାଦ ଭକ୍ତି ବେଦାନ୍ତ ତାଙ୍କ ଗୁରୁଦେବଙ୍କ ପ୍ରେରଣା ଓ ଆଶୀର୍ବାଦ ଲାଭ କରି ପ୍ରତିଷ୍ଠା କଲେ ଆନ୍ତର୍ଜାତୀୟ କୃଷ୍ଣଚେତନା ସଂଘ ! ଯାହାର ଲକ୍ଷ୍ୟ ହେଉଛି ସମଗ୍ର ବିଶ୍ୱର ତପ୍ତ ଜୀବନରେ ଭକ୍ତି ସୁଧା ସିଞ୍ଚନ କରି ଦିବ୍ୟ ଜୀବନ ପ୍ରଦାନ କରାଇବା ।

 

ଏହି ବିଶ୍ୱବ୍ୟାପୀ ଭକ୍ତି ଆନ୍ଦୋଳନର ମୂଳ କେନ୍ଦ୍ରବିନ୍ଦୁ ହେଉଛି ଶ୍ରୀକ୍ଷେତ୍ର ପୁରୁଷୋତ୍ତମ । ଏହି ଆନ୍ଦୋଳନପାଇଁ ଶାସ୍ତ୍ରୀୟ ପୃଷ୍ଠଭୂମି ନିର୍ମାଣରେ ସଶକ୍ତ ଭୂମିକା ଗ୍ରହଣ କରିଥିଲେ ସାଧକ ରାୟ ରାମାନନ୍ଦ ।

 

 

ପ୍ଲଟ୍ ନଂ.୨୨

ଆଚାର୍ଯ୍ୟ ବିହାର, ଭୁବନେଶ୍ୱର-୩

ଫୋନ୍ ନଂ-୨୫୬୭୧୯୨

 

***

 

Unknown

ବଳରାମ ଦାସଙ୍କ କୃତିରେ ଶ୍ରୀଜଗନ୍ନାଥ

ଡକ୍ଟର ବୀଣାପାଣି ସିଂହ

 

“ଜଗନ୍ନାଥ ଦେଖିବି ଚାହିଁବି ଜଗନ୍ନାଥ

ଜଗନ୍ନାଥ ଛାମୁରେ ଯୋଡ଼ିଛି ଦୁଇ ହାତ ।

ଜଗନ୍ନାଥ ବୋଲି ମୁଁ ବଞ୍ଚାଇ ଦାହେ ଦିନ

ଜଗନ୍ନାଥ ବିନୁ ଆନେ ନ ବଳଇ ମନ ।

ଜଗନ୍ନାଥ ଶରଣ ମୁଁ ଜଗନ୍ନାଥ ଶାଖା

ଜଗନ୍ନାଥ ବିନୁ ମୋର ଆନେ ନାହିଁ ଲେଖା ।

ଜଗନ୍ନାଥ ମୋହର ପ୍ରାଣର ଆଦିପତି

ଜଗନ୍ନାଥ ବିନୁ ମୁଁ ଆନେ ପାଇବି ସୁଗତି ।”

 

ପଞ୍ଚସଖା ସାହିତ୍ୟରେ ଶ୍ରୀଜଗନ୍ନାଥ ଏପରି ମର୍ଯ୍ୟାଦା ଲାଭ କରିଛନ୍ତି । ସବୁଠି ଏ ଜାତିର ରାଷ୍ଟ୍ରନାୟକ ଶ୍ରୀଜଗନ୍ନଥଙ୍କ ବର୍ଣ୍ଣନା ଭିତରେ ସେ ହୋଇଯାଇଛନ୍ତି ସବୁକିଛି । ଉତ୍କଳୀୟ ବୈଷ୍ଣବ ଧର୍ମର ସେ ଆଦି ଦେବତା । ତାଙ୍କୁ ଆଧାର କରି ଏ ଧର୍ମର ଦର୍ଶନ ବୈଚିତ୍ର୍ୟମୟ । ‘ଜଗନ୍ନାଥ ବିନୁ ଆନେ ନ ବଳଇ ମନ’-ଏହି ଦର୍ଶନର ସ୍ପନ୍ଦନ । ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ପଞ୍ଚସଖା ସାରସ୍ୱତ ସାଧକମାନଙ୍କ ସାଧନା । ସେମାନଙ୍କ ରଚିତ ଗ୍ରନ୍ଥର ଆଦ୍ୟ, ମଧ୍ୟ ଓ ପ୍ରାନ୍ତ ବିନ୍ଦୁରେ ପ୍ରଭୁ ଶ୍ରୀଜଗନ୍ନାଥ ।

 

ଭକ୍ତ ବଳରାମ ଦାସ କାୟମନୋବାକ୍ୟରେ ଜଗନ୍ନାଥଙ୍କ ସେବକ । ତାଙ୍କ ଦର୍ଶନ ବିନା ବଳରାମଙ୍କୁ ଅନ୍ନଜଳ ରୁଚେ ନାହିଁ । ତାଙ୍କ ଭକ୍ତପ୍ରାଣର ଏକାଗ୍ରତା, ଏକନିଷ୍ଠତା ଏବଂ ଜଗନ୍ନାଥଙ୍କ ନିକଟରେ ପୂର୍ଣ୍ଣ ଆତ୍ମସମର୍ପଣ ଅନ୍ୟତ୍ର ବିରଳ । ଜଗତର ନାଥଙ୍କ ସହ ତାଙ୍କ ସମ୍ପର୍କ କ୍ଷୀର ନୀର ତୁଲ୍ୟ । ଭକ୍ତି ଭାବରେ ସେ ଜଗନ୍ନାଥଙ୍କ ସହ ନିବିଡ଼ ।

 

କବି ବଳରାମ ଦାସ ଶ୍ରୀଜଗନ୍ନାଥ, ଶ୍ରୀକୃଷ୍ଣ ଓ ଶ୍ରୀରାମଙ୍କ ମଧ୍ୟରେ ଅଭେଦ କଳ୍ପନା କରିଅଛନ୍ତି । ତେଣୁ ସେ କେତେବେଳେ କୃଷ୍ଣଙ୍କର ଦାସ (ମୁହିଁ ବଳରାମ ଦାସ ଶ୍ରୀକୃଷ୍ଣର ଦାସ) ବୋଲି କହିଛନ୍ତି ତ କେତେବେଳେ ନିଜକୁ ଶ୍ରୀରାମଙ୍କ ଭକ୍ତରୂପେ ପ୍ରତିପାଦନ କରିଛନ୍ତି ଅବା ଆଉ କେତେବେଳେ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ନିଜକୁ ଧନ୍ୟ ମନେ କରିଛନ୍ତି । ଓଡ଼ିଶାର ଧର୍ମ ଓ ସଂସ୍କୃତି ତାଙ୍କ ଲେଖନୀରେ ଜୀବନ୍ତ ହୋଇ ଉଠିଛି । ଜଗନ୍ନାଥ ସଂସ୍କୃତିର ବାସ୍ତବ ରୂପାୟନ ସେ କରିଛନ୍ତି । ଶୟନେ, ସ୍ୱପନେ, ଜାଗରଣେ-ସବୁବେଳେ ସେ ଶ୍ରୀଜଗନ୍ନାଥଙ୍କୁ ଅନୁଭବ କରିଛନ୍ତି । ସେଇଥିପାଇଁ, କେବଳ ସେଇଥିପାଇଁ ଜଗନ୍ନାଥ ତାଙ୍କୁ ସାହା ହୋଇଛନ୍ତି ସେ ଡାକିଲା ମାତ୍ରକେ ।

 

ବଳରାମ ଦାସଙ୍କ ରଚନା ସମୂହ ମଧ୍ୟରେ ଜଗମୋହନ–ରାମାୟଣ, ଭାଗବତ ଗୀତା, ଅମରକୋଷ ଗୀତା, ଗୁପ୍ତ ଗୀତା, ବ୍ରହ୍ମାଣ୍ଡ ଭୂଗୋଳ, ବେଢ଼। ପରିକ୍ରମା, ବାରମାସୀ, ବିରାଟ ଗୀତା, ରାମ ବିଭା, ଦୁର୍ଗା ସ୍ତୁତି, ଲକ୍ଷ୍ମୀପୁରାଣ, ଅର୍ଜୁନ ଗୀତା, ଛତିଶ ଗୀତା, ଗଜନିସ୍ତାର ଗୀତା, ଗରୁଡ଼ ଗୀତା, ନାମରତ୍ନ ଗୀତା, ଗୀତା ସାର, ଶରୀର ଭୂଗୋଳ, ତୁଳାଭିଣା, ଭାବ ସମୁଦ୍ର, ଭକ୍ତି ରସାମୃତ ସିନ୍ଧୁ, ସଭା ବିନୋଦ, ଗଣେଶ ବିଭୂତି, ଜ୍ଞାନ ଚୂଡ଼।ମଣି, ବଉଳା ଅଧ୍ୟାୟ, ଭୂତକେଳି, ବଟ ଅବକାଶ, ଚଣ୍ଡୀ ପୁରାଣ, ମହାଭାରତ, କୃଷ୍ଣଲୀଳା, ରସକେଳି, ବ୍ରହ୍ମପୁରାଣ, କୁରାଳପୁରାଣ, ପଣସ ଚୋରି, ବେଦାନ୍ତସାର, ଗୁପ୍ତ ଗୀତା, ଯୋଗସାର ଗୀତା, ଦୀପ୍ତିସାର ଗୀତା, ଜ୍ଞାନ ଉତ୍କଳମଣି ଗୀତା, ମନୁ ଗୀତା, ଏକ ଅଧ୍ୟାୟ ମହାଭାରତ, ମାଳଶ୍ରୀ, ମୃଗୁଣୀ ସ୍ତୁତି, କଳିଭାରତ, ନୀଳସୁନ୍ଦର ଗୀତା ଓ ବିଲଙ୍କା ରାମାୟଣ ଅନ୍ୟତମ ।

 

ବଳରାମ ତାଙ୍କର ସମସ୍ତ କାବ୍ୟ କବିତା ଏବଂ ଭକ୍ତି ଗୀତିକା ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି । ଜଗନ୍ନାଥଙ୍କ ନାମରେ କେତେକ ସ୍ଥଳରେ ସ୍ଵ-କାବ୍ୟ କବିତାର ଭଣିତା ମଧ୍ୟ କରିଛନ୍ତି ।

 

‘ନୀଳଗିରି ଜଗନ୍ନାଥ ଦୟା ମୋତେ କଲେ

ତେଣୁ ସେ ଗ୍ରନ୍ଥ ମୋର ଶରୀରୁ ପ୍ରସରିଲେ,

ଜଗତର ହିତେ ମୁଁ ଯେ ଜ୍ଞାନ କହିଲି

ପାପୀ ଜନଙ୍କର ପୁଣ୍ୟ କରାଇଲି,

ଜଗମୋହନ ରାମାୟଣ ଯେଥି କବି ଜଗନ୍ନାଥ

ତାହାରି ଆଜ୍ଞାରେ ଲିହିଲି ମୋହର ହାତ ।’

‘ଶ୍ରୀ ଜଗମୋହନ ଏହି ରାମାୟଣ ଗ୍ରନ୍ଥ

ଏଥିରେ କବି ଯେ ନୀଳଗିରି ଜଗନ୍ନାଥ ।’

ଶ୍ରୀଜଗନ୍ନାଥଙ୍କ ଆଜ୍ଞା

ଶିରରେ ମୁଁ ଧରି

ଗ୍ରନ୍ଥ ବଖାଣିବା ଇଚ୍ଛା

ଆଦି ଅନ୍ତ କରି ।

ବନ୍ଦଇ ଜଗନ୍ନାଥ କମଳା ଦେବୀର ପତି

ନୀଳଗିରି ସୁନ୍ଦର ଅପୂର୍ବ ଦିବ୍ୟ ମୃତି ।

 

ଜଗମୋହନ ରାମାୟଣ ବଳରାମ ଦାସଙ୍କର ସର୍ବଶ୍ରେଷ୍ଠ ସାହିତ୍ୟ କୃତି । ‘ଜଗ’ର ଅର୍ଥ ଜଗତ । ଜଗମୋହନକାରୀ ଜଗନ୍ନାଥଙ୍କ କୃପାରୁ ଏହି ଗ୍ରନ୍ଥଟି ରଚିତ ହୋଇଥିଲା ବୋଲି ଏହାର ନାମ ‘ଜଗମୋହନ ରାମାୟଣ’ । ଆଦ୍ୟକାଣ୍ଡରେ କବି ଲେଖିଛନ୍ତି-

 

ଶାସ୍ତ୍ର ପୁରାଣ ଶୁଣିଲି ମୁହିଁ ବିପ୍ର ମୁଖେ

ତେଣୁ ସେବା କରେ ତୋ’ ଚରଣେ ଆତ୍ମ ସୁଖେ ।

ଶୁଣି ସୁପ୍ରସନ୍ନ ମୋତେ ହେଲେ ଜଗନ୍ନାଥ

ହୃଦୟେ ପ୍ରସନ୍ନ ହେଲେ ଶଙ୍ଖଚକ୍ର ହସ୍ତ ।

ଶ୍ରୀଜଗନ୍ନାଥ ଆଜ୍ଞା ଶିରରେ ମୁଁ ଧରି

ଗ୍ରନ୍ଥ ବଖାଣିବା ଇଚ୍ଛା ଆଦି ଅନ୍ତ କରି ।’

 

ଲଙ୍କାକାଣ୍ଡରେ କବି ଲେଖିଛନ୍ତି-

 

‘ସୋମନାଥ ମହାପାତ୍ର କୋଳେ ହୋଇଲି ସମ୍ଭୂତ

ଯହୁଁ ପିତା ମୋର ବିଷ୍ଣୁରେ ଭକତ ।

ତେଣୁ ଜଗନ୍ନାଥ ଦୟା ମୋତେ କଲେ

ରାମାୟଣ ଗ୍ରନ୍ଥ ଯେ ମୁଖେ ବଖାଣିଲେ ।’

ସିଦ୍ଧକବି ‘ସୁନ୍ଦରାକାଣ୍ଡ’ରେ ଉଲ୍ଲେଖ କରିଛନ୍ତି-

‘ନୀଳଗିରିରେ ବିଜୟେ ମୋ’ର ଜଗନ୍ନାଥ

ତହାଙ୍କର ଶରଣ ମୁଁ ଏ କଥା ଯାଥାର୍ଥ ।’

 

      ବିପ୍ରଙ୍କ ମୁଖରୁ ଶାସ୍ତ୍ର ପୁରାଣ ଶୁଣି ମାତ୍ର ତିରିଶି ବର୍ଷ ବୟସରେ ବଳରାମ ଦାଣ୍ଡୀ ରାମାୟଣ ଲେଖିବାର ସଂକଳ୍ପ ନେଲେ । ଜଗନ୍ନାଥଙ୍କ ଆଜ୍ଞାରୁ ସେ ଗ୍ରନ୍ଥ ଲେଖା ଆରମ୍ଭ କଲେ ।

 

‘ଶୁଣି ସୁପ୍ରସନ୍ନ ମୋତେ ହେଲେ ଜଗନ୍ନାଥ

ହୃଦୟେ ପ୍ରସନ୍ନ ହେଲେ ଶଙ୍ଖଚକ୍ର ହସ୍ତ ।

ଶ୍ରୀଜଗନ୍ନାଥ ଆଜ୍ଞା ଶିରରେ ମୁଁ ଧରି

ଗ୍ରନ୍ଥ ବଖାଣିବା ଇଚ୍ଛା ଆଦି ଅନ୍ତ କରି ।

(ଆଦ୍ୟକାଣ୍ଡ)

ରାମାୟଣ ଲକ୍ଷେ ପଦରେ ସମ୍ପୂର୍ଣ୍ଣ ହୋଇଥିବା କଥା କବି କହନ୍ତି,

 

‘ଶ୍ରୀଜଗନ୍ନାଥ ଚରିତ ମୁହିଁ କହି

ରାମାୟଣ ସାତକାଣ୍ଡ ଲକ୍ଷେ ପଦ ହୋଇ ।’

(ଉତ୍ତରାକାଣ୍ଡ)

ଭଗବାନ ଭାବଗ୍ରାହୀ । ସେ ଭକ୍ତର ଅଧୀନ । ଭକ୍ତି ଦ୍ୱ।ରା ଆତ୍ମା ଓ ମନ ସୁପ୍ରସନ୍ନ ହୁଏ । ବଳରାମଙ୍କ କୃତି ସମୂହରେ ସେ ଏକାତ୍ମ ହୋଇଯାଇଛନ୍ତି ଭଗବତ୍ ସତ୍ତାରେ । ଜଗନ୍ନାଥ ତାଙ୍କର ପରମ ଆଶ୍ରୟ । ଦୂରିତ ନାଶନ, ପତିତପାବନ ଓ ରକ୍ଷାକବଚ ।

 

‘ଗୁପ୍ତଗୀତା’ର ପ୍ରଥମ ଅଧ୍ୟାୟରେ କବି କହିଛନ୍ତି–

 

ନମଇଁ ହରି ନୀଳଗିରି

      ଯେ ପ୍ରଭୁ ଶଂଖ ଚକ୍ରଧାରୀ

ନମଇଁ ପ୍ରଭୁ ଜଗନ୍ନାଥ

ଚରଣେ ଲୋଟୁ ମୋ’ର ମାଥ ।

 

ଜ୍ଞାନଯୋଗରେ ତତ୍ତ୍ୱକୁ ନେଇ ସେ ଗୁପ୍ତଗୀତା ରଚନା କରିଛନ୍ତି । ଏଥିରେ ୮ଟି ଅଧ୍ୟାୟ ରହିଛି । ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ସଂଳାପ ମାଧ୍ୟମରେ କବି ବଳରାମ ଜ୍ଞାନଯୋଗକୁ ବିଶ୍ଳେଷଣ କରିଛନ୍ତି । ଗ୍ରନ୍ଥର ସପ୍ତମ ଅଧ୍ୟାୟରେ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କୁ ବୁଝାଇବାକୁ ଯାଇ କବି କହିଛନ୍ତି-

 

‘ବଳରାମ ଯେ ସାମ ହୋଇ

ଋକ୍ ଯେ ସୁଭଦ୍ରା ଅଟଇ

ଯଜୁର୍ବେଦ ଶ୍ରୀଜଗନ୍ନାଥ

ଅଥର୍ବ ସୁଦର୍ଶନ ପାର୍ଥ ।

ନାସିକା ସୁଦର୍ଶନ କହି

ଅଧର ସୁଭଦ୍ରା ଅଟଇ ।

ନୟନ ଜଗନ୍ନାଥ ଜାଣ

ବଳଭଦ୍ରଟି ଯେ ଶ୍ରବଣ ।’

 

‘ମୃଗୁଣୀ ସ୍ତୁତି’ କବିଙ୍କର ଏକ ମାର୍ମିକ ରଚନା । ନିଶ୍ଚିନ୍ତରେ ଚରୁଥିବା ଗର୍ଭିଣୀ ହରିଣୀଟି ଉପରେ ସତେ କି ବଜ୍ର ପଡ଼ିଛି । ତା’ ସମ୍ମୁଖରେ ଧନୁଶରଧାରୀ ବ୍ୟାଧ ଶବର । ଦୁଇ ପାଖରେ ଜାଲର ଆବରଣ । ପଛପଟେ ପ୍ରଜ୍ଵଳିତ ଅଗ୍ନି । ଜିହ୍ୱ। ଲହ ଲହ କରି କୁକୁରଗୁଡ଼।କ ତା’ ଆଡ଼କୁ ଗୋଡ଼େଇ ଆସୁଥିବାର ଦେଖି ମୃଗୁଣୀ ଅତି ବିକଳରେ ଅନାଥର ନାଥ ଦୀନବଂଧୁ-ନାରାୟଣଙ୍କୁ ଡାକିଛି ।

 

x             x             x       

‘ପଥ ନ ଦିଶଇ ମୁଁ କରିବି କିସ ବୁଦ୍ଧି

ଆତଙ୍କେ ଡାକୁଛି ମୋତେ ରଖ ଦୟାନିଧି

ରଖ ରଖ ଜଗନ୍ନାଥ ଦୁଃଖୀର ସଂଗାତ

ତୁମ୍ଭେ ନ ରଖିଲେ ଆଜ ହୋଇଲି ଅନାଥ ।

x             x             x

ଅରକ୍ଷିତ ବଂଧୁ ତୁମେ ଦୁଃଖ ଲୋକ ଚିତ୍ତ

ବ୍ୟାଧର ସଂକଟୁ ମୋତେ ରଖ ଜଗନ୍ନାଥ ।’

x             x             x

‘ମୃଗୁଣୀର ସ୍ତୁତି ଏ ଅମୃତମୟ ରସ

ସମ୍ପୂର୍ଣ୍ଣ କରି ଶୁଣିଲେ ବୈକୁଣ୍ଠରେ ବାସ ।’

x       x       x

‘ଜୟ ଜୟ ଜଗନ୍ନାଥ କମଳ ବିଳାସ

ଶ୍ରୀପାଦପଦ୍ମେ ଶରଣ ବଳରାମ ଦାସ ।’

 

ବଳରାମ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ । ସେ ଶ୍ରୀରାମଙ୍କୁ ବିଷ୍ଣୁଦେହୀ କହି ନିଜର ଅତୁଟ ଭକ୍ତି ପ୍ରଦର୍ଶନ କରିଛନ୍ତି । ବାଲ୍ମୀକି ରାମାୟଣରେ ବହୁ ସ୍ଥାନରେ କବି କହିଛନ୍ତି-

 

‘ଶ୍ରୀଜଗନ୍ନାଥ ଶରଣ ବଳରାମ ଦାସ

ଭୋ ଜଗନ୍ନାଥ ମୋହର ପୂରାଇବ ଆଶ ।

ନୀଳଗିରିରେ ବିଜୟେ ମୋର ଜଗନ୍ନାଥ

ତାହାଙ୍କର ଶରଣ ମୁଁ ଏକଥା ଯଥାର୍ଥ ।’

 

‘ଭାବସମୁଦ୍ର’ କବିଙ୍କର ଏକ ଭକ୍ତିରସାତ୍ମକ କାବ୍ୟ । ଏଥିରେ ୭୪୮ଟି ପଦ ରହିଛି । ଭକ୍ତ ଶିରୋମଣି ବଳରାମ ଦାସଙ୍କ ଅପମାନ କିପରି ଭକ୍ତବତ୍ସଳ ଶ୍ରୀଜଗନ୍ନାଥ ମହାପ୍ରଭୁ ମୋଚନ କରିଛନ୍ତି-ତାହାହିଁ ଏହି କାବ୍ୟର ବିଷୟବସ୍ତୁ ।

 

ନନ୍ଦିଘୋଷ ରଥରୁ ବିତାଡ଼ିତ ହେଲା ପରେ କବି ନିନ୍ଦା, ଅପମାନରେ ଜର୍ଜରିତ ହେଲେ । ତାଙ୍କ ଚକ୍ଷୁରୁ ଗଡ଼ି ଆସିଲା ସୋରା ସୋରା ଲୁହ । ଭଙ୍ଗାମନ ନେଇ ବଳରାମ ବଡ଼ଦାଣ୍ଡରୁ ଫେରିଆସିଲେ ସମୁଦ୍ରସିକତାର ନୀରବତାକୁ । ସେଇ ବାଲିରେ ସେ ଗଢ଼ିଲେ ବାଲିରଥ । ମନେ ମନେ ଜଗନ୍ନାଥଙ୍କୁ କାତର ପ୍ରାର୍ଥନା କଲେ ତାଙ୍କ ବାଲିରଥରେ ବିଜେ ହେବାକୁ । ଭଗବାନ୍ ସବୁବେଳେ ଭକ୍ତର । ଭକ୍ତର ଅପମାନ ମଧ୍ୟ ତାଙ୍କପାଇଁ ଅପମାନ । ବଳରାମଙ୍କ ଭକ୍ତି ଡୋରିରେ ବନ୍ଧା ପଡ଼ିଗଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ବିଜେ ହେଇଗଲେ ବାଲିରଥରେ । ତେଣେ ନନ୍ଦିଘୋଷ ରଥ ନିଥର ହୋଇଗଲା । ରଥ ଚକ ଟିକେ ହେଲେ ଚଙ୍କିଲା ନାହିଁ-ଗଡ଼ିଲା ନାହିଁ ରଥ । ରଥ ନ ଚଳିବାର କାରଣ ଶ୍ରୀଜଗନ୍ନାଥ ମହାପ୍ରଭୁ ରାଜାଙ୍କୁ ସ୍ୱପ୍ନରେ ଜଣାଇଛନ୍ତି-ଶୁଭିଯାଉଛି ତାଙ୍କର କ୍ରୋଧ ଜର୍ଜରିତ ସ୍ୱର । ମୋରି ପରମଭକ୍ତ ଆଜି ତୋ’ ଦ୍ୱାରା ଅପମାନିତ, ଲାଂଛିତ’ । ରାଜା ଦାନ୍ତରେ ତିରଣ ଧରି ବଳରାମଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ନନ୍ଦିଘୋଷ ଚାଲିଛି ।

 

‘ହରିହୋ-ତୁ ମୋତେ ବାଂଧିଲୁ ରାଜାର ହାତେ

ମୁଁ ତୋତେ ବାଂଧିଲି ମୋ’ ମନ ଗୁପ୍ତେ ।

ନାଥ, ତୁ ବଂଧାହେଲୁଟିକି କହ

ଏବେ ସନ୍ତୋଷ ହୋଇଲା ମୋ’ ଦେହ ।’

 

ଲକ୍ଷ୍ମୀପୁରାଣ କବିଙ୍କ ରଚିତ ଏକ କ୍ଷୁଦ୍ର କାବ୍ୟ-ଯାହାକି ସମାଜରେ ନାରୀମାନଙ୍କ ମନରେ ଭକ୍ତିର ପରାକାଷ୍ଠା ସୃଷ୍ଟି କରିଛି । ଏହି କାବ୍ୟ ମାଧ୍ୟମରେ ସମାଜ ସଂସ୍କାର ବାଟରେ ବର୍ଣ୍ଣଗୋଷ୍ଠୀହୀନ ଏକ ଉଦାର ସମାଜ ଗଢ଼ିବାକୁ ସେ ପ୍ରୟାସ କରିଛନ୍ତି । ଲକ୍ଷ୍ମୀପୁରାଣ ଷୋଡ଼ଶ ଶତକର ଓଡ଼ିଆ ଜନଜୀବନର ଏକ ଐତିହାସିକ ଦଲିଲ୍, ଏକ ବାସ୍ତବ ତଥା କଥାକୁହା ଚିତ୍ର । ମାର୍ଗଶୀର ମାସର ପ୍ରତି ଗୁରୁବାରରେ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଓଡ଼ିଆଣୀ ଶୁଦ୍ଧପୂତ ଭାବରେ ଲକ୍ଷ୍ମୀପୁରାଣ ପଢ଼େ । ଭୁଲ୍ ଚୁଲ୍ ହେଲେ କତରାଲଗା ଶାଶୂବୁଢ଼ୀ ଠିକଣା ଥାନରେ ଠିକ୍‌ ପଦଟି ଆବୃତି କରି ବୋହୂକୁ ଚେତେଇ ଦିଏ । ଏହାହିଁ ଲକ୍ଷ୍ମୀପୁରାଣର ବୈଶିଷ୍ଟ୍ୟ ଓ ବଳରାମଙ୍କର ବୈଚିତ୍ର୍ୟ ।

 

ଲକ୍ଷ୍ମୀପୁରାଣର କଥାବସ୍ତୁରେ ଚଣ୍ଡାଳ ଗୃହକୁ ଗମନ କରିଥିବାର ଅପରାଧରେ ବଡ଼ଭାଇ ବଳରାମଙ୍କ ନିର୍ଦ୍ଦେଶରେ ସାଗର ଦୁଲଣୀ ବଡ଼ଦେଉଳରୁ ନିର୍ବାସିତା ହୁଅନ୍ତି । ତା’ପରେ ଲକ୍ଷ୍ମୀବନ୍ତ ଦୁଇଭାଇ ଲକ୍ଷ୍ମୀଛଡ଼। ହୋଇ ପାଣି ଟୋପାଏ ବି ନ ପାଇ ହନ୍ତସନ୍ତ ହୁଅନ୍ତି ।

 

ମା’ କମଳାଙ୍କର ଥିଲା ସୁଚିନ୍ତିତ ଚିନ୍ତାଧାରା । ସେ ଆଶଙ୍କା କରିଥିଲେ–

 

ଯେବେ ଜଗନ୍ନାଥ ପ୍ରଭୁ ମୋତେ ନ ଖୋଜିବେ

ନାରୀକୁ ପୁରୁଷମାନେ ଆଉ ନ ଲୋଡ଼ିବେ ।

ମୋତେ ଘେନି ପ୍ରଭୁ ଯେବେ ନ କରିବେ ଘର

କଲିଯୁଗେ ନାରୀକି ଯେ ନ ଖୋଜିବେ ନର ।’

x       x       x

 

ଭାରିଯାକୁ ପାଦର ପାଣ୍ଡୋଇ ମନେ କରୁଥିବା ଦୁଇ ଭାଇଙ୍କୁ ଅଭିଶାପ ଦେଇ ମା’ ପଦ୍ମାଳୟା କହିଛନ୍ତି–

 

‘ସତେ ଯେବେ ଚନ୍ଦ୍ରସୂର୍ଯ୍ୟ ହୋନ୍ତି ଆତଯାତ

ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ ।’

 

ପରିଶେଷରେ ଚଣ୍ଡାଳୁଣୀ ସାଜିଥିବା ଲକ୍ଷ୍ମୀଙ୍କଠାରୁ ଲକ୍ଷ୍ମୀ ରାନ୍ଧଣା ଖାଇ ତୃପ୍ତ ହୁଅନ୍ତି ଦୁଇଭାଇ-ଜିଗର କରନ୍ତି କ୍ଷୀରାବ୍‌ଧିତନୟାଙ୍କୁ ବଡ଼ଦେଉଳକୁ ଫେରିବାକୁ । ଏଥର ଚଂଚଳାଙ୍କର ପାଳି । ସର୍ତ୍ତ ରଖନ୍ତି ସେ.....

 

‘ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ

ବ୍ରାହ୍ମଣ ଖାଇ ହସ୍ତକୁ ମୁଣ୍ଡରେ ପୋଛିବେ

ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ

ତେବେ ବଡ଼ଦେଉଳକୁ ଯିବି ଜଗନ୍ନାଥ ।’

 

ଲକ୍ଷ୍ମୀପୁରାଣରେ ଦାଂପତ୍ୟ କଳହର ଗ୍ରାମୀଣ ଚିତ୍ର ଜୀବନ୍ତ ହୋଇଛି । ଜଗନ୍ନାଥ ଲକ୍ଷ୍ମୀଙ୍କୁ ଆକ୍ଷେପ କରିଛନ୍ତି–

 

‘ବାପ ତୋ’ ଲୁଣିଆ ଯେ ଗରଜି ମରୁଥାଇ

ଝିଅ ଟେରୀ ତୋ’ ଦୁର୍ଗୁଣ କହିଲେ ନ ସରଇ ।’

 

ଲକ୍ଷ୍ମୀକାନ୍ତଙ୍କୁ ଘରଣୀଙ୍କର ପ୍ରତ୍ୟୁତ୍ତର-

 

‘ତୁମ ଜାତି କୁଳରେ ତ ଠିକଣା ନ ଥାଇ

ଗଉଡ଼ ଘରେ ରହିଲ ଦୁଇଗୋଟି ଭାଇ ।

ନିମା ନାମେ ଶିପୁଟି ଯେ ଜାତିରେ ଗୋଲକ

ତାହା ଘରେ ଜଗନ୍ନାଥ କଲ ଅନ୍ନ ଭକ୍ଷ ।’

 

ବର୍ଷ ବର୍ଷ ଧରି ଓଡ଼ିଆ ଜାତି ଲକ୍ଷ୍ମୀପୁରାଣ ପାଠ କରି ମୁଗ୍ଧ ଚକିତ ହୋଇଚି ଏବଂ କବିଙ୍କ ଉଦ୍ଦେଶ୍ୟରେ ବାରଂବାର ପ୍ରଣତି ଜଣାଇଛି ।

 

ଅନନ୍ୟ ଭକ୍ତ ବଳରାମଙ୍କର ଶ୍ରୀଜଗନ୍ନାଥ ସବୁବେଳେ ସହାଭରସା । ‘ଡର କାହାକୁ, ଭୟ କାହାକୁ-ଜଗନ୍ନାଥ ଛନ୍ତି ଚଉବାହାକୁ’-ତାଙ୍କ ଅନ୍ତରର ଅଭିବ୍ୟକ୍ତି । ଯେ କୌଣସି ବିପଦ ବେଳେ ଜଗନ୍ନାଥହିଁ ତାଙ୍କ ସାହାଭରସା । ସେଥିନେଇ ସେ ନିଜକୁ ତାଙ୍କ ଇଷ୍ଟ ଦେବତା ଜଗନ୍ନାଥଙ୍କ ବେଟା ବୋଲି କହିଛନ୍ତି ।

 

‘ବେଳେକ ହେ ସହିବା

ପ୍ରଭୁଙ୍କୁ ନ କହିବା

ତୁହିତ ସ୍ୱର୍ଗେ ଇନ୍ଦ୍ରଗୋଟା

ଭଣେ ବଳରାମ ଦାସ, ତୋଳାଇବା ନୂଆ ଉଆସ

ମୁଁ ଶ୍ରୀଜଗନ୍ନାଥଙ୍କର ବେଟା ।’

 

କବିଙ୍କର ଭଜନ, ଜଣାଣରେ ଭାବ ପରିପୂର୍ଣ୍ଣ । କାରୁଣ୍ୟ କଣ୍ଠରେ କବି କହିଛନ୍ତି-

 

ଦୀନବାନ୍ଧବ ହେ

ମୋ’ ଦୁଃଖ ନ ଗଲା ଯେ

ତୁମ୍ଭେ ଦିନବଂଧୁ ମୋ’ ବଂଧୁ ନୋହିଲେ

ମୋ’ ବଂଧୁ ହୋଇବ କିଏ ?

 

ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଲେଖାଯାଇଥିବା କବିଙ୍କ ପଦାବଳୀ ଓଡ଼ିଶାର ସାହିତ୍ୟ ଗନ୍ତାଘରେ ଏକ ଏକ ଅମୂଲ୍ୟ ରତ୍ନ-ଯାହାକି ଓଡ଼ିଶାର ସାଂସ୍କୃତିକ ଜୀବନ ଓ ସାମାଜିକ ଜୀବନକୁ ପୁଷ୍ଟ କରେ ।

 

‘ପଞ୍ଚସଖାମାନଙ୍କ ମଧ୍ୟରେ ପ୍ରଥମ ଓଡ଼ିଆ ରାମାୟଣ ରଚୟିତା ବଳରାମ ଦାସ କେବଳ ବୟସରେ ବଡ଼ ନ ଥିଲେ । ବୋଧହୁଏ ସମସ୍ତଙ୍କ ଭିତରେ ସେ ଥିଲେ ଅଧିକ ପ୍ରତିଭାବାନ୍‌ । ଖ୍ରୀଷ୍ଟ ୧୪୭୩ରେ ତାଙ୍କର ଜନ୍ମ ହୋଇଥିଲା ବୋଲି ଧରାଯାଉଛି । ସେହି ଅନୁସାରେ ଚୈତନ୍ୟ ପୁରୀରେ ଆସି ବସବାସ କଲାବେଳକୁ ସେ ପ୍ରାୟ ମଧ୍ୟବୟସୀ ହୋଇଯାଇଥିଲେ କେବଳ ନୁହେଁ, ତାଙ୍କର ମୁଖ୍ୟ ଗ୍ରନ୍ଥାବଳୀ ଗୁଡ଼ିକ ମଧ୍ୟ ଲେଖା ସରିଥିଲା । ତାଙ୍କ ରଚନାବଳୀରୁ ଜଣାଯାଉଛି ଯେ ସେ ସହଜାତ ଭାବରେ ଭକ୍ତିମାନ ଧାର୍ମିକ ପୁରୁଷ ଥିଲେ ।’’ (ଓ.ସା. ଇତିହାସ, ୨୦୦୪-ଡଃ ମାୟାଧର ମାନସିଂହ ପୃ-୧୦୨) ଏଥିରୁ ସ୍ପଷ୍ଟ ହେଉଛି ଶ୍ରୀଚୈତନ୍ୟଙ୍କ ଗୌଡ଼ୀୟ ବୈଷ୍ଣବ ଧର୍ମ ଓଡ଼ିଶାକୁ ଆସିବା ପୂର୍ବରୁ ବଳରାମ ତାଙ୍କର ପ୍ରମୁଖ କୃତିଗୁଡ଼ିକ ରଚନା କରିସାରିଥିଲେ । ଶ୍ରୀଜଗନ୍ନାଥଙ୍କୁ ନିଜ କୃତିଗୁଡ଼ିକରେ ବଳରାମ ଦାସ ନିଜ ଆରାଧ୍ୟ ଦେବତାରୂପେ କେବଳ ଗ୍ରହଣ କରି ନାହାନ୍ତି, ଅନେକତ୍ର ସେ ହୋଇଛନ୍ତି ତାଙ୍କ କୃତିଗୁଡ଼ିକର କେନ୍ଦ୍ରୀୟ ଚରିତ୍ର । ଏହା ଭିତରେ କେବଳ ଭକ୍ତି ଓ ସମର୍ପଣ ଭାବ ନାହିଁ, ଅଛି ସାଧାରଣ ମାନବର ଜୀବନଚର୍ଯ୍ୟା ।

 

 

ବିଭୁକରୁଣା,

ମହାନଦୀ ବିହାର,

କଟକ -୪

 

***

 

ବିସ୍ମୟାବହ ଶ୍ରୀଜଗନ୍ନାଥ

ଦୁର୍ଗାମାଧବ ନନ୍ଦ

 

ପ୍ରକାଶ ଥାଉକି ଓଡ଼ିଆ କାହାଣୀ ଜଗତ ଶ୍ରୀଜଗନ୍ନାଥଙ୍କୁ ନେଇ ଅଦ୍ୟାବଧି ଋଦ୍ଧିମନ୍ତ ଓ ବପୁବନ୍ତ ହୋଇ ଚାଲିଛି । ସମସ୍ତେ ଜାଣନ୍ତି ଯେ ଓଡ଼ିଶା ତଥା ଭାରତବର୍ଷରେ ଶ୍ରୀଜଗନ୍ନାଥ ଉପାସନା କେଉଁ ପ୍ରାଚୀନ କାଳରୁ ହୋଇଆସିଛି । ସେ ହେଉଛନ୍ତି ସର୍ବଧର୍ମ ସମନ୍ୱୟବାଦୀ ଦେବତା । ଶ୍ରୀକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ରରେ ସେ ହେଉଛନ୍ତି ପ୍ରଧାନ ଦେବତା । ଯୁଗେ ଯୁଗେ ଏହି କ୍ଷେତ୍ରରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଓ ଦୁର୍ଗା ପ୍ରଭୃତି ପୂଜା ପାଇଆସୁଥିବାରୁ ବୈଷ୍ଣବ, ଶୈବ , ଶାକ୍ତ, ଗାଣପତ୍ୟ ଓ ସୌର ସମ୍ପ୍ରଦାୟ ନିର୍ବିଶେଷରେ ଭକ୍ତମାନେ ଏହାକୁ ଏକ ପ୍ରଧାନ ପୀଠ ବୋଲି ଗ୍ରହଣ କରି ଆସୁଛନ୍ତି । ସୌରମାନେ ସୁଦର୍ଶନଙ୍କୁ ସ୍ୱୟଂ ସୂର୍ଯ୍ୟରୂପେ ପୂଜା କରୁଥିବାରୁ ଏହାକୁ ସେମାନଙ୍କର ପ୍ରଧାନ ପୀଠରୂପେ ଗ୍ରହଣ କରି ଆସିଛନ୍ତି । ପୂଜା ଓ ଆରାଧନାରେ ସର୍ବ ସମ୍ପ୍ରଦାୟ ସମନ୍ୱୟ ପନ୍ଥା ଏଠାରେ ପରିଲକ୍ଷିତ ହେଉଥିବାରୁ ଏହି କ୍ଷେତ୍ର ଏକ ପବିତ୍ର ତଥା ଧାମରୂପେ ବିବେଚିତ ହୋଇଆସିଛି । ଏ ସମସ୍ତ ଲେଖିବାର ଉଦ୍ଦେଶ୍ୟ ଏହି ଯେ ଭାରତୀୟ ସାଂସ୍କୃତିକ ପରଂପରାରେ ବିସ୍ମୟାବହ, ଅଲୌକିକ କାହାଣୀ ସବୁ ପୁରୁଷୋତ୍ତମ କ୍ଷେତ୍ରର ନାୟକ–ଶ୍ରୀଜଗନ୍ନାଥଙ୍କୁ ନେଇ ଏପରି ସୃଷ୍ଟି ହୋଇ ଚାଲିଛି ଯେ ତା’ର ପଟାନ୍ତର ନାହିଁ । ଲକ୍ଷ ଲକ୍ଷ କାହାଣୀର ଆଧାର ପୁରୁଷ ହେଉଛନ୍ତି-“ନୀଳାଚଳ ନାୟକ” । ତନ୍ମଧ୍ୟରୁ ମାତ୍ର କେତୋଟିକୁ ନେଇ ଆମ ପ୍ରବନ୍ଧ ରଚିତ ।

 

(କ) ଉତ୍ପତ୍ତି ସମ୍ପର୍କୀୟ ଅଲୌକିକ କାହାଣୀ-

କାହାଣୀଗୁଡ଼ିକର ମହାନାୟକ ଶ୍ରୀଜଗନ୍ନାଥଙ୍କ ଉତ୍ପତ୍ତି ସମ୍ପର୍କରେ ଓଡ଼ିଶାର ତଦ୍‌ବିଦମଣ୍ଡଳୀ ଏ ଯାଏଁ ଏକ ସ୍ଥିର ନିଷ୍ପତ୍ତିରେ ପହଞ୍ଚିପାରି ନାହାନ୍ତି । କେତେକ ତାଙ୍କୁ ବୈଦିକ ଦେବତା କହିବାବେଳେ ଅନ୍ୟ କେହି କେହି ଜୈନ, ବୌଦ୍ଧ, ଦ୍ରାବିଡ଼ ସଭ୍ୟତାର ବୃକ୍ଷ ଉପାସନା ସହ ସମ୍ବନ୍ଧାନ୍ୱିତ କରୁଥିବା ଲକ୍ଷ୍ୟ କରାଯାଏ । ଏଥିପାଇଁ ବହୁ କାହାଣୀ ଓଡ଼ିଶାରେ ଶୁଣିବାକୁ ମିଳେ-। ତନ୍ମଧ୍ୟରୁ ଗୋଟିଏ ହେଉଛି ବିଶ୍ୱ।ବସୁ ଶବରର ନୀଳମାଧବ ପୂଜା ଓ ଅନ୍ୟଟି ସମୁଦ୍ରରେ ଦାରୁ ଭାସି ଆସିବାର ଉପାଖ୍ୟାନ, ଉଭୟ ହେଉଛି ବିସ୍ମୟାବହ ଓ ଅଲୌକିକ । ପୁରାଣ ବ୍ୟତୀତ ଇତିହାସ ଏଗୁଡ଼ିକୁ ସମର୍ଥନ କରେ ନାହିଁ । ସେ ଯାହାହେଉ ଆମେ ସେହି ଦୁଇଟିକୁ ଏଠାରେ ସଂକ୍ଷେପରେ ପ୍ରଦାନ କରୁଅଛୁ ।

 

ପ୍ରଥମ କାହାଣୀଟି ହେଉଛି-ନୀଳଗିରି ନିକଟରେ ଏକ ଜାଙ୍ଗଲିକ ପରିବେଶରେ ଶବରମାନେ ବାସ କରୁଥିଲେ । ସେମାନଙ୍କ ରାଜା ବିଶ୍ୱ।ବସୁ ସଜୀବ ସଗୁଣ ବ୍ରହ୍ମ ନୀଳମାଧବଙ୍କୁ ପ୍ରତ୍ୟହ ପୂଜା କରୁଥିଲେ । ତାଙ୍କ ସହ କନ୍ୟା ଲଳିତା ମଧ୍ୟ ଏହି ସାକ୍ଷାତ୍‌ ବିଷ୍ଣୁଙ୍କ ପୂଜାବେଳେ ଥରେ ଥରେ ଆସୁଥିଲେ । ଏହିପରି ବହୁଦିନ ଗଲା ପରେ ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ଦିନେ ଏହି କଥାକୁ ସ୍ୱପ୍ନରେ ଦେଖିଲେ । ସେ ନିଜର ବ୍ରାହ୍ମଣ ମନ୍ତ୍ରୀ ବିଦ୍ୟାପତିଙ୍କୁ “ରତ୍ନବେଦୀ” କେଉଁଠି ଅଛି, ଖୋଜି ବାହାର କରିବାକୁ ପ୍ରେରଣ କଲେ । ବିଦ୍ୟାପତି ଭାରତ ସାରା ବୁଲି ବୁଲି ଶେଷରେ ସେହି ଶବର ଅଧ୍ୟୁଷିତ ଅଞ୍ଚଳରେ ପହଞ୍ଚିଲେ । ପ୍ରଥମ ଦେଖାରେ ଲଳିତା ବିଦ୍ୟାପତିଙ୍କୁ ପ୍ରେମ କରିବାକୁ ଲାଗିଲେ । ଏହି ଆଳରେ ବିଦ୍ୟାପତି ନୀଳମାଧବଙ୍କୁ ଦର୍ଶନ କରିବାପାଇଁ ତାଙ୍କୁ କହନ୍ତେ ଲଳିତା ଏଥିରେ ସ୍ୱୀକୃତି ଜଣାଇଲେ ଏବଂ କୌଶଳରେ ବିଦ୍ୟାପତି ନୀଳମାଧବଙ୍କ ନିକଟରେ ପହଞ୍ଚିପାରିଲେ । ସେହି ଅଲୌକିକ ନୀଳମାଧବଙ୍କୁ ଦର୍ଶନ କଲାପରେ ବିଦ୍ୟାପତି ସ୍ଵଦେଶ ପ୍ରତ୍ୟାବର୍ତ୍ତନ କଲେ । ସମସ୍ତ ବୃତ୍ତ।ନ୍ତ ରାଜାଙ୍କୁ କହିବା ପରେ ଇନ୍ଦ୍ରଦ୍ୟୁମ୍ନ ସେହି ବିସ୍ମୟାବହ ଦେବତାଙ୍କୁ ଦର୍ଶନ କରିବା ନିମନ୍ତେ ଓଡ଼ିଶା ଆସି ଶବରପଲ୍ଲୀରେ ପହଞ୍ଚିଲେ । ମାତ୍ର ଆଶ୍ଚର୍ଯ୍ୟର କଥା ଏହି ଯେ ସେ ବିଦ୍ୟାପତିଙ୍କ ସହ ନୀଳମାଧବଙ୍କୁ ଦର୍ଶନ କରିବାକୁ ଗଲାବେଳେ ବିସ୍ମୟାବହ ମୂର୍ତ୍ତିଟି ଉଭାନ ହୋଇଗଲେ । ମନ ଦୁଃଖରେ ରାଜା ରହିଥିବା ବେଳେ ଶୂନ୍ୟବାଣୀ ହେଲା ଯେ “ହେ ରାଜା ! ସମୁଦ୍ରରେ ଭାସମାନ ଅବସ୍ଥାରେ ଥିବା କାଷ୍ଠଖଣ୍ଡକୁ ଆଣି ମୂର୍ତ୍ତି ନିର୍ମାଣ କରି ପୂଜା କର ।” ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ବାଙ୍କି ମୁହାଣରୁ କାଠ ଆଣି ଗୁଣ୍ଡିଚା (ବର୍ତ୍ତମାନର) ଘରେ ଅସ୍ଥାୟୀ ଭାବେ ରଖିଲେ । ରାଜାଙ୍କୁ ପୁଣି ସ୍ଵପ୍ନ ହେଲା ଯେ “ଜଣେ ବୁଢ଼। କାଠୁରିଆ ଯିବ ଏବଂ ସେ ମୋତେ ନିର୍ମାଣ କରିବ ।” ବସ୍ତୁତଃ ଲୋକକାହାଣୀରେ ସେ ହେଉଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା । ରାଜା କେତେ ଦିନରେ ମୂର୍ତ୍ତି ତିଆରି ହେବା ପ୍ରଶ୍ନର ଉତ୍ତରରେ ଶିଳ୍ପୀ କହିଲେ ଯେ ମୋତେ ଓ ସେହି କାଷ୍ଠଖଣ୍ଡକୁ ଏକ ଘରେ ରଖି ବନ୍ଦ କରି ଦିଅନ୍ତୁ । ୨୧ ଦିନ ପରେ କବାଟ ଖୋଲିଲେ ଆପଣ ଦେବମୂର୍ତ୍ତିକୁ ଦର୍ଶନ କରିବେ । ମାତ୍ର ଏକ ସର୍ତ୍ତ ହେଉଛି ଯେ ଆପଣଙ୍କୁ ସଦା ମୂର୍ତ୍ତି ତିଆରି ଶବ୍ଦ ଶୁଣାଯିବ । ଏହିପରି ୧୫/୧୬ ଦିନ ପରେ ଦିନେ ରାଜା ଓ ରାଣୀ ବୁଲିବାକୁ ଆସି କବାଟ ପାଖରେ ପହଞ୍ଚି ଜାଣିଲେ ଯେ ଘରୁ ଠକ୍ ଠକ୍ ଶବ୍ଦ ଆସୁ ନାହିଁ । ସନ୍ଦେହ ଘନୀଭୂତ ହେବାରୁ ରାଜାଙ୍କ ଆଦେଶରେ ରୁଦ୍ଧଦ୍ୱ।ରର କବାଟ ଖୋଲାଗଲା । ଦେଖିଲା ବେଳକୁ ମୂର୍ତ୍ତି ଶିଳ୍ପୀ ଅଧାଗଢ଼ି ଚାରିଗୋଟି ମୂର୍ତ୍ତି ତିଆରି କରି ଉଭାନ ହୋଇଯାଇଥିଲେ । ରାଜା ମନଦୁଃଖରେ ସେହି ଅଧାଗଢ଼। ମୂର୍ତ୍ତିକୁ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ ନାମ ଦେଇ ପୂଜା କଲେ ।

 

ପୁନଶ୍ଚ ସେ ଏକ ମନ୍ଦିର ନିର୍ମାଣ କଲେ ଓ ତାହାର ପ୍ରତିଷ୍ଠାପାଇଁ ବ୍ରହ୍ମାଙ୍କୁ ନିମନ୍ତ୍ରଣ କରିବାକୁ ସ୍ୱର୍ଗକୁ ଗଲେ । ସେହି ସମୟରେ ବ୍ରହ୍ମା ଧ୍ୟାନରେ ନିମଗ୍ନ ଥିଲେ । ରାଜ ଇନ୍ଦ୍ରଦ୍ୟୁମ୍ନ ତାଙ୍କର ଅପେକ୍ଷାରେ ରହିଲେ । ମର୍ତ୍ତ୍ୟରେ ସେତେବେଳକୁ ବହୁ ବର୍ଷ ଅତିକ୍ରାନ୍ତ ହୋଇଗଲା । ମନ୍ଦିରଟି ମଧ୍ୟ ଜୀର୍ଣ୍ଣଶୀର୍ଣ୍ଣ ହୋଇ ବାଲିରେ ପୋତି ହୋଇ ଯାଇଥିଲା । ଅନ୍ୟ ଜଣେ ରାଜା–ଗାଲମାଧବ ଘୋଡ଼ାରେ ବସି ଗଲାବେଳେ ମନ୍ଦିରର ଶିଖର ପ୍ରଦେଶ ଘୋଡ଼ା ଗୋଡ଼ରେ ବାଜିଲା । ରାଜା ପଡ଼ିଗଲେ । ପରେ ଲୋକ ଲଗାଇ ତାହାକୁ ଖୋଳନ୍ତେ ମନ୍ଦିରଟି ଉପରକୁ ଜଣାଗଲା । ଗାଲମାଧବ ସେହି ମନ୍ଦିରରେ ମାଧବଙ୍କ ମୂର୍ତ୍ତି ପ୍ରତିଷ୍ଠା କରି ପ୍ରତ୍ୟହ ପୂଜା ଅର୍ଚ୍ଚନା କରିବାକୁ ଲାଗିଲେ । କିଛିଦିନ ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକରୁ ଫେରି ଏଇକଥା ଦେଖି ଆଶ୍ଚର୍ଯ୍ୟ ହେଲେ । ସେହିଁ ବାସ୍ତବରେ ଉକ୍ତ ମନ୍ଦିରର ନିର୍ମାତା ବୋଲି ଯେତେ ପ୍ରମାଣ ଦେଲେ ମଧ୍ୟ ଗାଲମାଧବ ତାହା ଗ୍ରହଣ କଲେ ନାହିଁ । ପରିଶେଷରେ ଦେବର୍ଷି ନାରଦ ଗାଲମାଧବଙ୍କୁ ବହୁ ପ୍ରମାଣର ସତ୍ୟତା ଜଣାଇବା ପରେ ଯାଇ ସେ ଇନ୍ଦ୍ରଦ୍ୟୁମ୍ନଙ୍କ ମନ୍ଦିର ତୋଳା କଥାକୁ ବିଶ୍ୱାସ କରିଥିଲେ । ଏ ସମସ୍ତ କଥାର ମହାନାୟକ ହେଉଛନ୍ତି ଶ୍ରୀଜଗନ୍ନାଥ ଠାକୁର ।

 

ଏତଦ୍‌ବ୍ୟତୀତ ଦାରୁ ବିଗ୍ରହଙ୍କ ପ୍ରତିଷ୍ଠାପର୍ବ ଯଜ୍ଞ, ଇନ୍ଦ୍ରଦ୍ୟୁମ୍ନ ପୋଖରୀ ଖୋଳାବୃତ୍ତାନ୍ତ, ସେହି ପୋଖରୀରେ ଥିବା କୁରୁମ ଉପାଖ୍ୟାନ,ରୋହିଣୀ କୁଣ୍ଡରେ ସ୍ନାନ କରି ଭୂଷଣ୍ଡ କାକର ମୁକ୍ତି ତଥା ଶଂଖଚକ୍ର, ଗଦା ଓ ପଦ୍ମ ରୂପ ଧାରଣ ପ୍ରଭୃତି କାହାଣୀରେ ଶ୍ରୀଜଗନ୍ନାଥହିଁ ହେଉଛନ୍ତି ପ୍ରଧାନ ନାୟକ । ବିସ୍ତୃତି ଭୟରୁ ଏ ସମସ୍ତ କାହାଣୀକୁ ଆମ୍ଭେ ଏଠାରେ ଉଲ୍ଲେଖ କରୁନାହୁଁ । ବର୍ତ୍ତମାନ ନିମ୍ନରେ ଜଗନ୍ନାଥଙ୍କ ଭକ୍ତମାନଙ୍କ ପ୍ରତି ରହିଥିବା ଅହେତୁକ ଦୟାର କେତୋଟି କାହାଣୀ ପ୍ରଦାନ କରୁଅଛୁଁ ।

 

(ଖ) ଭକ୍ତର ଗୁହାରି ଓ ଅଭୟଦାନକାରୀ ମହାନାୟକ ଶ୍ରୀଜଗନ୍ନାଥ-

ଯୁଗେ ଯୁଗେ ଶ୍ରୀଜଗନ୍ନାଥ ଭକ୍ତମାନଙ୍କ ଆର୍ତ୍ତନାଦକୁ ଶ୍ରବଣ କରି ସେମାନଙ୍କ ଦୁରିତ/ଦୁଃଖ/କଷ୍ଟକୁ ମୋଚନ କରିବା ନିମନ୍ତେ ପ୍ରଯତ୍ନ କରିଆସିଛନ୍ତି । ଏଥିପାଇଁ ମଧ୍ୟ ବହୁ କାହାଣୀ ଓଡ଼ିଶାରେ ଶୁଣିବାକୁ ମିଳେ । ସତ୍ୟଯୁଗରେ ନକ୍ର କବଳରୁ ହସ୍ତୀର ଉଦ୍ଧାର କାହାଣୀ, ଗର୍ଭବତୀ ମୃଗୁଣୀର ରକ୍ଷା, ପ୍ରହଲ୍ଲାଦ ଉପାଖ୍ୟାନ, ଧ୍ରୁବର କାହାଣୀ ଆଦିରେ ଶ୍ରୀଜଗନ୍ନାଥରୂପୀ ନାରାୟଣଙ୍କର ଆଶୀର୍ବାଦହିଁ ବର୍ଣ୍ଣିତ । ଦ୍ୱାପର ଯୁଗରେ ଦୌପଦୀଙ୍କୁ ବସ୍ତ୍ରଦାନ, କଳୀୟ ଦଳନ, ବଣଭୋଜି, ଗୋଚାରଣ ଓ ପ୍ରଳମ୍ବାସୁର ବଧ ପ୍ରଭୃତି କଥାର ନାୟକ ହେଉଛନ୍ତି ଶ୍ରୀଜଗନ୍ନାଥ । ସେହି ସମସ୍ତ କାହାଣୀର ସତ୍ୟତା ଏବେ ମଧ୍ୟ ଶ୍ରୀମନ୍ଦିରରେ ପ୍ରଚଳିତ ଶ୍ରୀଜଗନ୍ନାଥଙ୍କ ପର୍ବପର୍ବାଣି ପ୍ରଭୃତିରେ ଅନୁଭବ କରିହୁଏ । ସେହିପରି ଭକ୍ତ ବଂଧୁ ମହାନ୍ତି, ଦାସିଆ ବାଉରୀର ନଡ଼ିଆ ଗ୍ରହଣ କରିବା, ଗଣପତି ଭଟ୍ଟଙ୍କୁ ଗଜବେଶରେ ଦର୍ଶନ ଦେବା, ରଘୁ ଅରକ୍ଷିତଙ୍କୁ ବିଷ ଜ୍ଜ୍ଵାଳାରୁ ମୁକ୍ତ କରିବା, ନୀଳାମ୍ବର ଦାସ ରକ୍ଷା କାହାଣୀ ପ୍ରଭୃତିରେ ରହିଛି ବିସ୍ମୟୋଦ୍ଦୀପକ ଚେତନା ଯାହା କେବଳ ଶ୍ରୀଜଗନ୍ନାଥଙ୍କ ଦ୍ୱାରାହିଁ ସମ୍ଭବପର ।

 

ପ୍ରକାଶ ଥାଉକି ଭକ୍ତ ବଳରାମଙ୍କୁ ତତ୍‌କାଳୀନ ଗଜପତି ତଥା ବ୍ରାହ୍ମଣ ସମାଜର କ୍ରୂରତାରୁ ରକ୍ଷା କରିବାର କାହାଣୀ ମଧ୍ୟରେ ରହିଛି ଶ୍ରୀଜଗନ୍ନାଥଙ୍କ ଅଲୌକିକ ଲୀଳା । ସେଥିରୁ ଗୋଟିଏ ଦୁଇଟିର ଉଦାହରଣ ଏଠାରେ ଦିଆଯାଇପାରେ ।

 

ଭକ୍ତ ବଳରାମ ଜାତିରେ ଅବ୍ରାହ୍ମଣ ଥିଲେ । ମୁକ୍ତି ମଣ୍ଡପରେ ବସିବାର ଅଧିକାର ତାଙ୍କର ନ ଥିଲା । ଶାସ୍ତ୍ର ଚର୍ଚ୍ଚାବେଳେ ସେ ବିପ୍ର ବେଶରେ ସେଠାରେ ବସି ତାତ୍ତ୍ୱିକ ଆଲୋଚନା ପରିପ୍ରେକ୍ଷୀରେ ରାଜାଙ୍କ ତରଫରୁ ତାଙ୍କୁ ଶାସ୍ତି ସ୍ଵରୂପ କୋଇଲି ବୈକୁଣ୍ଠରେ ବନ୍ଦୀ କରି ରଖାଗଲା । ବଳରାମ ଶ୍ରୀଜଗନ୍ନାଥଙ୍କୁ ଆର୍ତ୍ତ ସ୍ଵରରେ ସ୍ଵଦୁଃଖ ଜଣାଇଲେ ଓ ନିଜର ମାନ ରକ୍ଷା କରିବାପାଇଁ ନିବେଦନ କଲେ । ଶ୍ରୀଜଗନ୍ନାଥ ତାଙ୍କର ଦୁଃଖକୁ ବୁଝିପାରି ମନୋବାଞ୍ଛା ପୂର୍ଣ୍ଣ ହେବ ବୋଲି ବଳରାମଙ୍କୁ କହିଲେ । ପରଦିନ ପ୍ରଭାତରେ ରାଜା ଓ ବ୍ରାହ୍ମଣମାନେ ମନ୍ଦିରକୁ ହରିଦାସ ନାମକ ଜଣେ ମୂର୍ଖକୁ ଧରି ଆସିଥିଲେ । ତାହାଦ୍ୱାରା ବେଦାନ୍ତ ଶାସ୍ତ୍ର ବଖାଣିବାପାଇଁ ବଳରାମଙ୍କୁ ଆଦେଶ କରିବାରୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ହରିଦାସ ମୁଣ୍ଡରେ ହାତଦେଇ କହିଲେ-

 

“ବୋଇଲି ହରିଦାସ ଶୁଣ । ବେଦାନ୍ତ ଶାସ୍ତ୍ର ବୁଝାଇଣ ।

ବିପ୍ରଙ୍କୁ କହ ଜ୍ଞାନ ବାଟ । ଛାଡ଼ୁ ଏହାଙ୍କର କପଟ ।”

 

ହରିଦାସ ଆଦେଶ ପ୍ରକାରେ ବେଦାନ୍ତ କହିବାକୁ ଆରମ୍ଭ କଲେ । ରାଜା ଓ ବିପ୍ରଗଣ ଏହାକୁ ଶ୍ରୀଜଗନ୍ନାଥଙ୍କ ଅଲୌକିକ ଲୀଳା କହିବା ବ୍ୟତୀତ ଅନ୍ୟ କିଛି କଥା ନ ଥିଲା ।

 

ସେହିପରି ରଥଯାତ୍ରା ସମୟରେ ବଳରାମଙ୍କୁ ରଥ ଉପରକୁ ଉଠାଇ ନ ଥିଲେ । ରାଜା ପ୍ରତାପରୁଦ୍ର ମଧ୍ୟ ଅପମାନିତ କରି ବଳରାମଙ୍କୁ ତଡ଼ି ଦେଇଥିଲେ । ଅଭିମାନରେ ବଳରାମ ବାଙ୍କି ମୁହାଣଠାରେ ବାଲିର ଗୋଟିଏ ରଥ କରି ସେଥିରେ ବିଜେ କରିବାପାଇଁ ଶ୍ରୀଜଗନ୍ନାଥଙ୍କୁ ପାର୍ଥନା କଲେ । ଭକ୍ତର ଗୁହାରି ଶୁଣି ଜଗନ୍ନାଥ ସେହି ରଥରେ ବିଜେ କଲେ । ଫଳରେ ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ଆଉ ଗଡ଼ିଲା ନାହିଁ । ରଥ ଟଣା ବନ୍ଦ ହୋଇଗଲା । ରାଜା ପୁନଶ୍ଚ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିବାରୁ ସେ ସ୍ୱପ୍ନରେ ବଳରାମଙ୍କୁ ସସମ୍ମାନେ ରଥ ଉପରକୁ ଚଢ଼ାଇବା ନିମନ୍ତେ ଆଜ୍ଞା ଦେଲେ । ଭକ୍ତର ସ୍ୱାଭିମାନକୁ ରକ୍ଷା କରିବାରେ ସବୁବେଳେ ଶ୍ରୀଜଗନ୍ନାଥ ମୁଖ୍ୟ ନାୟକ ସଜିଥିବାର ବହୁ ପ୍ରମାଣ ଲୋକମୁଖରେ କାହାଣୀ ହୋଇ ଅଦ୍ୟାବଧି ରହିଅଛି ।

 

ତଦୀୟ କବିଙ୍କ ଲିଖିତ ‘ଲକ୍ଷ୍ମୀପୁରାଣ’ରେ ଅଭିମାନିନୀ ଲକ୍ଷ୍ମୀଙ୍କ ଶ୍ରୀୟା ଚଣ୍ଡାଳୁଣୀ ଘରକୁ ଯିବା କାହାଣୀ ସମସ୍ତଙ୍କୁ ଜଣା । ପଣସଚୋରି ଘଟଣାରେ ଶ୍ରୀଜଗନ୍ନାଥ ପଣସ ଖାଇ ଧୀରେ ଖସିଯିବା ଓ ବଳରାମ ମାଡ଼ ଖାଇବା ଆଦି ଅଲୌକିକ କାହାଣୀର ନେପଥ୍ୟରେ ରହିଛି ଶ୍ରୀଜଗନ୍ନାଥଙ୍କ ମହାନାୟକତ୍ୱ । ପଞ୍ଚସଖାଯୁଗରେ ଶ୍ରୀଜଗନ୍ନାଥଙ୍କୁ ନେଇ ବହୁ କାହାଣୀ ଏହିପରି ସୃଷ୍ଟି ହୋଇଛି ଯାହାର ପଟାନ୍ତର ନାହିଁ ।

 

ବସ୍ତୁତଃ ଶ୍ରୀଜଗନ୍ନାଥଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରି ସୁଦୃଶ୍ୟ କରିବା ମୂଳରେ ବହୁ ବିସ୍ମୟାବହ ଅଲୌକିକ କାହାଣୀ ନିହିତ । ଏଗୁଡ଼ିକର ସତ୍ୟତା ଅଛି କି ନାହିଁ କହିବା ମଧ୍ୟ ସମ୍ଭବପର ନୁହେଁ । ସେ ଯାହାହେଉ ତନ୍ମଧ୍ୟରୁ ଗୋଟିଏ କାହାଣୀକୁ ଏଠାରେ ଉଲ୍ଲେଖ କରାଯାଇପାରେ ।

 

ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ବେଶ ମଧ୍ୟରେ ‘ବଡ଼ସିଂହାର’ ବେଶର ଗୁରୁତ୍ୱ ବହୁତ ଅଟେ । ଏହି ସମୟରେ ଠାକୁରମାନେ ଗୀତଗୋବିନ୍ଦ ଖଣ୍ଡୁଆ ପିନ୍ଧନ୍ତି । ଶୟନ ସମୟରେ ଜୟଦେବକୃତ ‘ଗୀତଗୋବିନ୍ଦ’ ଗାନ କରାଯାଇଥାଏ । ଏ ସମ୍ପର୍କରେ ରହିଥିବା କାହାଣୀଟି ହେଲା-“ଦ୍ୱାଦଶ ଶତାବ୍ଦୀରେ କବି ଜୟଦେବ ଦିନେ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ଜଗନ୍ନାଥଙ୍କୁ ପିନ୍ଧାଇବାର ମନସ୍ଥ କରି ତାଙ୍କ ଗ୍ରାମର ତନ୍ତୀମାନଙ୍କୁ ଜଣାଇଲେ । ତନ୍ତୀମାନେ ଅତ୍ୟନ୍ତ ଆନନ୍ଦର ସହିତ ସେହି କଥା ଗ୍ରହଣ କଲେ । ମାତ୍ର ସେମାନଙ୍କର ମଧ୍ୟ ଏଥିପାଇଁ ଏକ ସର୍ତ୍ତ ରହିଲା ଯେ–ଜୟଦେବ ନିଜେ ଗୀତଗୋବିନ୍ଦ ବୋଲିବେ ଏବଂ କାରିଗରଗଣ ପାଟ ବୁଣିବେ । ଏହିପରି ବାରଗୋଟି ସର୍ଗ ଅନୁଯାୟୀ ୧୨ ଖଣ୍ଡ ପାଟ ବୁଣାଯିବ । ଜୟଦେବ ଏହି ପ୍ରସ୍ତାବରେ ରାଜି ହେଲେ ଏବଂ ପାଟବୁଣା ଆରମ୍ଭ ହେଲା । ସାତସର୍ଗ ବୋଲିଲା ବେଳକୁ କବି ଶ୍ରୀଜଗନ୍ନାଥରୂପୀ ଶ୍ରୀକୃଷ୍ଣଙ୍କ ପ୍ରେମରେ ତନ୍ମୟ ହୋଇଉଠିଲେ । ତାଙ୍କ ପାଟିରୁ ଗୀତଗୋବିନ୍ଦ ଶୁଣାଗଲାନାହିଁ । ଶିଳ୍ପୀଗଣ ମଧ୍ୟ ପାଟବୁଣା ବନ୍ଦ କରିଦେଲେ । ଠିକ୍‌ ଏତିକିବେଳେ ଜଣେ ସାଧୁ ଅତ୍ୟନ୍ତ ଆନନ୍ଦିତ ହୋଇ ସଢ଼େଇ ଗିନି ଧରି ଗୀତଗୋବିନ୍ଦ ଗାଇ ଗାଇ ସେଠାରେ ପହଞ୍ଚିଲେ । ସାଧୁ କହିଲେ–ଗୀତଗୋବିନ୍ଦ ପାଟ ବୁଣା ଚାଲିଛି ପରା ? ତନ୍ତୀମାନେ କହିଲେ–ମହାଶୟ, ‘ଜୟଦେବ ତନ୍ମୟ ହୋଇ ତଟସ୍ଥ ହୋଇଯାଇଛନ୍ତି-। ବର୍ତ୍ତମାନପାଇଁ ବୁଣା ବନ୍ଦ ଅଛି ।” ସାଧୁ କହିଲେ ମୁଁ ବର୍ତ୍ତମାନ ବୋଲୁଛି, ତୁମ୍ଭେମାନେ କାମ ଆରମ୍ଭ କର । ଏହିପରି ୧୨ ସର୍ଗ ଗାନ ଅନୁଯାୟୀ ୧୨ ଖଣ୍ଡ ପାଟ ମଧ୍ୟ ବୁଣା ଶେଷ ହୋଇଗଲା-। ସାଧୁ କହିଲେ-ଏଥର ମୁଁ ଯାଉଛି,ମୋର ଅନ୍ୟାନ୍ୟ କାର୍ଯ୍ୟ ଅଛି । ଏହା କହି ସାଧୁ ଆଖି ପିଛୁଳାକେ କେଉଁଆଡ଼େ ଚାଲିଗଲେ । କିଛି ସମୟ ପରେ ଜୟଦେବ ଉଠିଲେ ଏବଂ ସମସ୍ତ ବିଷୟ ତନ୍ତୀମାନଙ୍କଠାରୁ ଶୁଣି ସାଧୁଙ୍କୁ ଖୋଜିଲେ । ମାତ୍ର ପାଇଲେ ନାହିଁ । ସେ ଧ୍ୟାନସ୍ଥ ହୋଇ ଜାଣିଲେ ସ୍ଵୟଂ ଜଗନ୍ନାଥ ସାଧୁ ବେଶରେ ଆସି ଏହି ମହତ୍ କାର୍ଯ୍ୟ ତୁଲାଇ ଚାଲିଗଲେ । କାନ୍ଦି କାନ୍ଦି ତନ୍ତୀମାନଙ୍କୁ କହିଲେ-ତୁମ୍ଭେମାନେ ଭାଗ୍ୟବାନ୍‌, ପ୍ରଭୁଙ୍କ ଦର୍ଶନ ପାଇଲ । ମୁଁ ହତଭାଗା ପାରିଲିନି ।

 

କବି ପାଟ ଧରି ଶ୍ରୀକ୍ଷେତ୍ର ଅଭିମୁଖେ ଚାଲିଲେ । ଏଥିପାଇଁ ରାଜାଙ୍କୁ ଅନୁମତି ମାଗିଲେ । ରାଜା ପଣ୍ଡିତମାନଙ୍କର ମତାମତ ଲୋଡ଼ିଲେ । ପଣ୍ଡିତଗଣ ଏଥିରେ ରାଜି ହେଲେ ନାହିଁ । କବିଙ୍କୁ ଭକ୍ତିର ପରୀକ୍ଷା ଦେବାକୁ ପଡ଼ିଲା । ପଣ୍ଡିତ ମଣ୍ଡଳୀର ପରାମର୍ଶ କ୍ରମେ ପଟଗୁଡ଼ିକୁ ମାର୍କଣ୍ଡେୟ ପୁଷ୍କରିଣୀର ଜଳ ମଧ୍ୟକୁ ନିକ୍ଷେପ କରାଗଲା । ମାତ୍ର ତାହା ଜଳରେ ବୁଡ଼ି ନ ଯାଇ ଭାସିଲା । ଜୟଦେବଙ୍କ ପ୍ରାର୍ଥନା ମହାପ୍ରଭୁ ଗ୍ରହଣ କଲେ । ବଡ଼ସିଂହାର ଶୃଙ୍ଗାରକ ବେଶରେ ମହାପ୍ରଭୁଙ୍କୁ ଗୀତଗୋବିନ୍ଦ ଖଣ୍ଡୁଆ ଲାଗିହେଲା ଯାହାକି ଅଦ୍ୟାବଧି ପ୍ରଚଳିତ । ଏହି ମର୍ମରେ ଅଧିକାଂଶ ବେଶର ଅନ୍ତରାଳରେ ଏକ ଏକ ଅଲୌକିକ କାହାଣୀ ରହିଅଛି, ଯାହାକି ବିସ୍ମୟାବହ ଅଟେ ।

 

ଏହି ପରିପ୍ରେକ୍ଷୀରେ ବିଚାର କଲେ ଶ୍ରୀଜଗନ୍ନାଥଙ୍କୁ ଆଧାର କରି କୋଟି କୋଟି ବିସ୍ମୟାବହ,ଅଲୌକିକ କାହାଣୀ ରହିଆସିଛି ଓ ବହୁ ନୂତନ କାହାଣୀ ମଧ୍ୟ ସୃଷ୍ଟି ହେବାରେ ଲାଗିଛି-। ସେଥିରୁ ଗୋଟିଏ କାହାଣୀ ଏଠାରେ ଉଲ୍ଲେଖ କରାଯାଇପାରେ । ସୁଦୂର ଗୁଜୁରାଟରୁ ଏକ ପରିବାର ଜଗନ୍ନାଥ ଦର୍ଶନ ନିମନ୍ତେ ପୁରୁଷୋତ୍ତମ କ୍ଷେତ୍ରକୁ ଆଜକୁ ପାଞ୍ଚବର୍ଷ ତଳେ ଆସିଥିଲେ । ଠାକୁରମାନଙ୍କୁ ଦର୍ଶନ କଲାବେଳେ ସେମାନେ ଏପରି ଆତ୍ମହରା ହୋଇଉଠିଲେ ଯେ ତାଙ୍କର ପକେଟରେ ଥିବା ମନିପର୍ସଟି ଚୋରି ହୋଇଗଲା । ଏ ସମସ୍ତ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେହିଁ ଘଟିଗଲା । ସେହି ମନିପର୍ସରେ ତାଙ୍କର ଫେରିବା ଟିକଟ ସହ ୧୦୦୦୦ ଟଙ୍କା ମଧ୍ୟ ରହିଥିଲା । ପରେ ଏହା ଜାଣିବା ପରେ ସେହି ମଧ୍ୟବିତ୍ତ ଗୁଜୁରାଟୀ ପରିବାରଟି ଦୁଃଖରେ ମ୍ରିୟମାଣ ହୋଇ ଉଠିଥିଲେ । ମନ୍ଦିର ସାରା ଖୋଜିଲେ । ଫାଣ୍ଡିରେ ଏତଲା ଦେଲେ । ଟଙ୍କା ନ ଥିବାରୁ ଖାଇବା ଗଣ୍ଡାକ ପାଇବା ମଧ୍ୟ କଷ୍ଟକର ହୋଇ ଉଠିଥିଲା । ସୂର୍ଯ୍ୟମନ୍ଦିର ସମ୍ମୁଖରେ ସେମାନେ ସମସ୍ତଙ୍କୁ ଏହି ଦୁଃଖ ଜଣାଉଥିଲେ । ଶ୍ରୀଜଗନ୍ନାଥଙ୍କ ମନକୁ ତାହା ସ୍ପର୍ଶକଲା । ତୃତୀୟ ଦିନ ସେମାନେ ହା ହତୋଽସ୍ମି ହୋଇ ବସିଥିବା ବେଳେ ଜଣେ ବାବୁ ଆସି ତାଙ୍କଠାରୁ ଦୁଃଖ ଶୁଣି ୧୦୦୦୦ ଟଙ୍କା ଓ ରେଳ ଟିକଟ ପ୍ରଦାନ କରି ଅନ୍ତର୍ଦ୍ଧାନ ହୋଇଗଲେ । ଗୁଜୁରାଟୀ ପରିବାର ଏହି ଚମତ୍‌କାରିତା ଦେଖି ଶ୍ରୀଜଗନ୍ନାଥଙ୍କ ପାଦତଳେ ଆତ୍ମହରା ହୋଇ ଲୋଟି ଯାଇଥିଲେ । ପ୍ରିୟ ପାଠକେ, ବିଚାର କରନ୍ତୁ, ଭକ୍ତର ଭଗବାନ୍ ଶ୍ରୀଜଗନ୍ନାଥ ଯେକି ପତିତପାବନବାନା ଉଡ଼ାଇଛନ୍ତି ସେ କିପରି ସେହି ପରିବାରଟିକୁ ହସଖୁସିରେ ତାଙ୍କ ରାଜ୍ୟକୁ ଫେରାଇଥିଲେ । ଏହା କ’ଣ ବନ୍ଧୁମହାନ୍ତିଙ୍କ କାହାଣୀ ପରି ନୁହେଁ । ସେହିପରି ଆଉ ଏକ ବିସ୍ମୟାବହ କାହାଣୀ ଆମ୍ଭେ ଏଠାରେ ଉଲ୍ଲେଖ କରିବାକୁ ଯାଉଅଛୁ । ଦୁଇବର୍ଷ ତଳର ଘଟଣା । ଶ୍ରୀମନ୍ଦିରର ଜନୈକ ସେବାୟତଙ୍କ ସ୍ତ୍ରୀ ସ୍ୱାସ୍ଥ୍ୟଖରାପପାଇଁ ପୁରୀ ଡାକ୍ତରଖାନାରେ ପଡ଼ିଲେ । ଡାକ୍ତରମାନେ ତାଙ୍କର ବଞ୍ଚିବା ଆଶା କମ୍ ବୋଲି କହିବା ପରେ ତାଙ୍କର ସ୍ୱାମୀ ସିଧା ଶ୍ରୀଜଗନ୍ନାଥଙ୍କ ପାଖରେ ଥିବା ଗରୁଡ଼ ସ୍ତମ୍ଭ ପଛରେ ରହି ଗାଳି ଆରମ୍ଭ କରିଦେଲେ । କାନ୍ଦୁଥାଆନ୍ତି ଓ ଠାକୁରଙ୍କ ମୁହଁକୁ ଚାହିଁ ପୁରୀ ଲୋକ ଗାଳି କରିବାକୁ ଲାଗିଲେ । ଅନ୍ୟ ଦେଖଣାହାରୀ ଭକ୍ତଗଣ ଏହା ଦେଖି ତାଙ୍କୁ ସମ୍ବେଦନାମୂଳକ ଉତ୍ସାହ ପ୍ରଦାନ କଲେ । ତଥାପି ଗାଳି ଅବିଶ୍ରାନ୍ତ ଥିଲା । ସେହି ଗାଳି ଠାକୁରଙ୍କ କର୍ଣ୍ଣକୁହରରେ ନିଶ୍ଚୟ ବାଜୁଥିଲା । ତାହାର ମର୍ମ ହେଲା-କାଳିଆ, ତୋ’ର ସେବାକରି ଆମର ଜୀବନ ଯାଉଛି । ଘରେ ରହୁଛି କେବଳ ସ୍ତ୍ରୀ ଓ ପିଲାମାନେ । ସେ ଯଦି ମରିଯିବ ମୁଁ ତୋର ସେବା କିପରି କରିବି କହ ? ଏହିପରି ଚାରି ପାଞ୍ଚଦିନ ଗାଳି କରିବା ମଧ୍ୟରେ ସ୍ତ୍ରୀଙ୍କ ଦେହ ଆସ୍ତେ ଆସ୍ତେ ଭଲ ହେଲା ଏବଂ ସେ ସୁସ୍ଥ ହୋଇ ଘରକୁ ଫେରିଲେ । ଏହାପରେ ସେହି ସେବକ ଶ୍ରୀଜଗନ୍ନାଥଙ୍କୁ ନିଜର ଭାଇ,ବଂଧୁ ଭଳି ଆଚରଣ କରି ଶତମୁଖରେ ପ୍ରସଂଶା କରିବାକୁ ଲାଗିଲେ । ଏହାକୁ ଲକ୍ଷ୍ୟ ରଖିଥିବା ଅନ୍ୟ ଜଣେ ଭକ୍ତ ତାଙ୍କୁ ପଚାରିଲା-“ଭାଇ,ସେଦିନ କ’ଣ କାଳିଆକୁ ଅଭଦ୍ର ଭାଷାରେ ଗାଳି କରୁଥିଲ ? ଆଜି କ’ଣ ପ୍ରଶଂସାରେ ଉଛୁଳି ପଡ଼ୁଛ ।” ସେବକଟି କହିଲା-ୟାକୁ ଗାଳି ନ କଲେ ସେ ଶୁଣେ ନାହିଁ । ସେ ପରା ଆମ ସୁଖଦୁଃଖର ସାଥୀ । ଆମେ ମଲେ ସେ ଟିକିଏ ନିଆଁ ଦିଏ ବୋଲି ଆମେ ଦିନରାତି ତା’ର ଖଟଣୀ ଖଟିଥାଉ ।” ପାଠକ ବଂଧୁ, ଏହି ଲୌକିକ କଥା କିପରି ଅଲୌକିକ ହୋଇ ଉଠୁଛି ।

 

ପ୍ରତିଦିନ ଶ୍ରୀମନ୍ଦିରରେ କାଳିଆର ଦର୍ଶନ ଓ ମୁଗ୍‌ଧ ଜନତାଙ୍କ ଅନୁଭବକୁ ବିଚାର କଲେ ବହୁ ବିସ୍ମୟାବହ ତଥା ଅଲୌକିକ କାହାଣୀ ସୃଷ୍ଟି ହେଉଛି ତାହାକୁ କଲମ ମୁନରେ ଲେଖିବା ଅସମ୍ଭବ । ଯୁଗେ ଯୁଗେ ଏପରି କାହାଣୀ ସବୁ ରଚିତ ହେଉଛି ଯାହାର ମୂକସାକ୍ଷୀ ଆମର ସାଧାରଣ ଭକ୍ତ ସମାଜ ଓ ତାଙ୍କର ପ୍ରିୟ ନାୟକ ଶ୍ରୀଜଗନ୍ନାଥ । ସେ ଭାବଗ୍ରାହୀ । ସେଥିପାଇଁ ନାରଦ ପ୍ରଶ୍ନ କରିଥିଲେ-“ପ୍ରଭୁ ମୁଁ ଆପଣଙ୍କୁ ସବୁଠି ଖୋଜୁଛି କିନ୍ତୁ ପାଉ ନାହିଁ ? ଏହାର ଉତ୍ତରରେ ଭଗବାନ୍‌ ପୁରୁଷୋତ୍ତମ କହିଥିଲେ-

 

“ନାଽହଂ ତିଷ୍ଠାମି ବୈକୁଣ୍ଠେ ଯୋଗୀନାଂ ହୃଦୟେ ନ ଚ

ମଦ୍‌ଭକ୍ତା ୟତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ ।”

 

ବାସ୍ତବରେ ବିସ୍ମୟାବହ ତଥା ଅଲୌକିକ କାହାଣୀର ଗନ୍ତାଘର ହେଉଛି ଶ୍ରୀଜଗନ୍ନାଥ ମନ୍ଦିର । ସେଥିପାଇଁ ବହୁ ଭକ୍ତ ତାଙ୍କର ଅନୁଭବକୁ ପାଥେୟ କରି କାହାଣୀମାନ ସଂଗ୍ରହ କରିଚାଲିଛନ୍ତି । ସେହିପରି କେତେକ କଥାଗ୍ରନ୍ଥକୁ ନିମ୍ନଲିଖିତ ସାରଣୀ ମାଧ୍ୟମରେ ଆମେ ଲୋକଲୋଚନକୁ ଆଣିବାକୁ ପ୍ରଯତ୍ନ କରୁଅଛୁ ।

 

କ୍ରମ

କାହାଣୀ/କଥାଗ୍ରନ୍ଥ

ସ୍ରଷ୍ଟା/ସଂଗ୍ରାହକ

ପ୍ରକାଶକ

ଗ୍ରନ୍ଥ ସୂଚନା

୧.

ଯୁଗେ ଯୁଗେ

ଜଗନ୍ନାଥ

ଗଣେଶ ପ୍ରସାଦ

ପରିଜା

ସାଥୀମହଲ,

କଟକ ୧୯୭୫

୧୭ ଗୋଟି କାହାଣୀ

୨.

ମହାପ୍ରଭୁ ଜଗନ୍ନାଥ

ଗଣେଶ ପ୍ରସାଦ

ପରିଜା

ସାଥୀମହଲ,

କଟକ, ୧୯୭୫

୧୫ ଗୋଟି କାହାଣୀ

୩.

ଶ୍ରୀଜଗନ୍ନାଥ

ବଳରାମ ମିଶ୍ର

ବିବରଣୀ ପ୍ରକାଶନ

୧୯୭୭, ଭୁବନେଶ୍ୱର

୨୦ ଗୋଟି କାହାଣୀ

୪.

ଭକ୍ତ ଓ ଜଗନ୍ନାଥ

(ଚାରିଖଣ୍ଡ)

ବ୍ରଜକିଶୋର ସାହୁ

କଟକ ଷ୍ଟୁଣ୍ଡେଣ୍ଟସ୍

ଷ୍ଟୋର ୧୯୮୦

ସଂସ୍କୃତ ଓ ଓଡ଼ିଆ ପୁରାଣ ବର୍ଣ୍ଣିତ କାହାଣୀ

୫.

ଭକ୍ତପ୍ରିୟ ଜଗନ୍ନାଥ

ବ୍ରଜକିଶୋର ସାହୁ

ମଞ୍ଜୁଳା ସାହୁ,

ପୁରୀ ୧୯୮୪

୧୦ ଗୋଟି କାହାଣୀ

୬.

ଦାସିଆ ବାଉରୀ

ଡକ୍ଟର ହରେକୃଷ୍ଣ

ମହତାବ

ଝଙ୍କାର, ଜୁନ୍‌ସଂଖ୍ୟା, ୧୯୭୮

 

ଦାସିଆ ବାଉରୀ ସମ୍ବାଦ

ମହାପାତ୍ର ନୀଳମଣି

ସାହୁ

ଉତ୍କଳ ପ୍ରସଙ୍ଗ, ଜୁନ୍, ୧୯୭୭

 

୮.

ଭକ୍ତର ଭଗବାନ

ଡକ୍ଟର ବାସୁଦେବ

ସାହୁ

ଶ୍ରୀଜଗନ୍ନାଥ,

୧ମ ସଂଖ୍ୟା, ୧୯୮୦

 

୯.

ମୁକତିମାର୍ଗେ ଭକ୍ତଚଳେ

ଡକ୍ଟର ବାସୁଦେବ

ସାହୁ

ଶ୍ରୀଜଗନ୍ନାଥ,୧ମ ସଂଖ୍ୟା

ଜୁନ୍, ୧୯୮୧

 

୧୦.

ଭକତେଭାବ ସେ ବନ୍ଧା

ଡକ୍ଟର ବାସୁଦେବ

ସାହୁ

ଶ୍ରୀଜଗନ୍ନାଥ

୧ମ ସଂଖ୍ୟା

ଜାନୁୟାରୀ-ମାର୍ଚ୍ଚ ୧୯୮୨

 

୧୧.

ଭକତମଣି ମଣିଦାସ

ଡକ୍ଟର ବାସୁଦେବ

ସାହୁ

ଶ୍ରୀଜଗନ୍ନାଥ, ୧ମ ସଂଖ୍ୟା

ଜୁନ୍-୧୯୮୨

 

୧୨.

ମହାଲକ୍ଷ୍ମୀଙ୍କ ରୋଷ

ସୁଧାଂଶୁବାଳା ପଣ୍ଡା

ଉତ୍କଳ ପ୍ରସଙ୍ଗ,

୧୯୭୬ ଜୁନ୍

 

୧୩.

ଯବନଭକ୍ତ ସାଲବେଗ

ସୁଧାଂଶୁବାଳା ପଣ୍ଡା

ଉତ୍କଳ ପ୍ରସଙ୍ଗ

ଜୁନ୍-୧୯୭୭

 

୧୪.

ଶ୍ରୀଜଗନ୍ନାଥଙ୍କ

ଦାମ୍ପତ୍ୟ କଳହ

ଗୋପୀନାଥ ରଥ

ଶ୍ରୀଜଗନ୍ନାଥ,

ପୂଜାସଂଖ୍ୟା, ୧୯୮୨

 

୧୫.

ଧନ୍ୟରେ କାଳିଆ

ଗୋପୀନାଥ ରଥ

ଶ୍ରୀଜଗନ୍ନାଥ,

୩ୟ ବର୍ଷ/୨ୟ

ସଂଖ୍ୟା ୧୯୮୩

 

୧୬.

ସେବା ପରାକାଷ୍ଠା

ଗୋପୀନାଥ ରଥ

ଶ୍ରୀଜଗନ୍ନାଥ ପୂଜାସଂଖ୍ୟା

୪ର୍ଥ ବର୍ଷ-ଜୁନ୍- ୧୯୮୪

 

୧୭.

ବାଙ୍କିମୁହାଁଣରେ ବାଲିରଥ

କନକଲତା ମହାନ୍ତି

ଉତ୍କଳ ପ୍ରସଙ୍ଗ,

ରଥ ସଂଖ୍ୟା, ୧୯୭୮

 

୧୮.

ରଥ ସପ୍ତକ

ଚନ୍ଦ୍ରଶେଖର ରଥ

ଶ୍ରୀମତୀ ଚାରୁବାଳା ରଥ,

ଶ୍ରୀଗୁଣ୍ଡିଚା ଭୁବନେଶ୍ଵର,୧୯୯୨

 

୧୯.

ଭକ୍ତର ଜଗନ୍ନାଥ

ଆଶୁତୋଷ ନାୟକ

 

୧୨୦ଗୋଟି କାହାଣୀ

୨୦.

ଭକ୍ତ ଚରିତ

କଥାମୃତ

କମଳକୁମାରୀ ରାଉତ

ମହିମା ପ୍ରକାଶ

 

୨୧.

ଶ୍ରୀଜଗନ୍ନାଥ

କମଳକୁମାରୀ ରାଉତ

ମହିମା ପ୍ରକାଶ

 

୨୨.

ଭକ୍ତବତ୍ସଳ

ଜଗନ୍ନାଥ

ଡଃ ରାଜକିଶୋର ସାହୁ

 

୨୦ ଗୋଟି କାହାଣୀ

୨୩.

ଆମ ଜଗନ୍ନାଥ

ଆମ ଭକ୍ତ

ପରମାନନ୍ଦ ଅଧିକାରୀ

 

୨୬ ଗୋଟି କାହାଣୀ

୨୪.

ଭକ୍ତ ଜୀବନ

ଦେବୀ ପ୍ରସାଦ ତ୍ରିପାଠୀ

 

ଜଗନ୍ନାଥଧର୍ମୀ କାହାଣୀ

୨୫.

ମୋ କଳାଠାକୁର

ରାମଚନ୍ଦ୍ର ମହାନ୍ତି

 

ଜଗନ୍ନାଥଧର୍ମୀ କାହାଣୀ

୨୬.

ଶ୍ରୀଜଗନ୍ନାଥ ଭକ୍ତ ଚରିତମାଳା ୧ମ ଖଣ୍ଡ

ଡଃ ରାମଚନ୍ଦ୍ର ମିଶ୍ର

ଏସ୍.ବି.ପବ୍ଲିକେଶନ କଟକ,୨୦୦୧

୨୬ ଗୋଟି କାହାଣୀ

୨୭.

ଶ୍ରୀଜଗନ୍ନାଥ ଭକ୍ତ ଚରିତମାଳା ୨ୟ ଖଣ୍ଡ

ଡଃ ରାମଚନ୍ଦ୍ର ମିଶ୍ର

ଏସ୍.ବି.ପବ୍ଲିକେଶନ

କଟକ, ୨୦୦୨

୨୮ ଗୋଟି କାହାଣୀ

୨୮.

ନୀଳାଦ୍ରୀ ମଣିମା

ସୁରେନ୍ଦ୍ର

ମହାନ୍ତି (ସନାତନୀ)

ଅଭିଜିତ୍

ପ୍ରକାଶନୀ ପୁରୀ,୨୦୦୨

୮ ଗୋଟି କାହାଣୀ

୨୯.

ଶ୍ରୀଜଗନ୍ନାଥ

କୃପାକଳ୍ପ ୧ମଖଣ୍ଡ

ଡଃ ରାମଚନ୍ଦ୍ର ମିଶ୍ର

ଏସ୍.ବି. ପବ୍ଲିକେଶନ

କଟକ, ୨୦୦୩

୨୭ ଗୋଟି କାହାଣୀ

୩୦.

ଶ୍ରୀଜଗନ୍ନାଥ

କୃପାକଳ୍ପ ୨ୟ ଖଣ୍ଡ

ଡଃ ରାମଚନ୍ଦ୍ର ମିଶ୍ର

ଏସ୍.ବି. ପବ୍ଲିକେଶନ

କଟକ, ୨୦୦୪

 

୩୧.

ଶ୍ରୀଜଗନ୍ନାଥ

କଥାମୃତ

ଡଃ ରାମଚନ୍ଦ୍ର ମିଶ୍ର

ଏସ୍.ବି.

ପବ୍ଲିକେଶନ କଟକ,

୨୦୦୮

୬୮ ଗୋଟି କାହାଣୀ

୩୨.

ବାଇଶି ପାହାଚ

କବିପ୍ରସାଦ ମିଶ୍ର

ମହାବୀର ପ୍ରକାଶନ

ଭୁବନେଶ୍ଵର, ୨୦୧୦

୨୫ ଗୋଟି କାହାଣୀ

 

ପରିଶେଷରେ ଏତିକି କହିଲେ ଯଥେଷ୍ଟ ହେବ ଯେ ଉପଯୁକ୍ତ ସାରଣୀ ବ୍ୟତୀତ ଶହ ଶହ ସଂଖ୍ୟାରେ କାହାଣୀ ପୁସ୍ତକ, କାବ୍ୟ, ପୁରାଣ, କବିତା, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧମାନ ଶ୍ରୀଜଗନ୍ନାଥଙ୍କୁ ତଥା ତାଙ୍କର ବିସ୍ମୟାବହ ଅଲୌକିକ ମହିମାକୁ ନେଇ ପ୍ରକାଶିତ ଓ ଯନ୍ତ୍ରସ୍ଥ । ସେ ସମସ୍ତଙ୍କୁ ଏଠାରେ ପ୍ରଦାନ କରିବା ସମ୍ଭବପର ନୁହେଁ । ତଥାପି କହିବାକୁ ଚାହୁଁଛୁ ଯେ ଶ୍ରୀଜଗନ୍ନାଥକୈନ୍ଦ୍ରିକ କାହାଣୀ ଗୁଡ଼ିକ ଲେଖକ ଓ ସଂଗ୍ରାହକମାନଙ୍କ ନିଜର ଅନୁଭୂତି ଏବଂ ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବ । ପ୍ରଭୁ ଜଗନ୍ନାଥ ସମସ୍ତଙ୍କ ନିକଟରେ ପହଞ୍ଚିପାରିଛନ୍ତି-ଏହାହିଁ ବିସ୍ମୟାବହ ।

 

 

ସର୍ବୋଦୟ ନଗର,

ପୁରୀ-୭୫୨୦୦୨

ଦୂରଭାଷ-୯୪୩୮୦୮୦୬୨୭

ଶ୍ରୀମନ୍ଦିର ଓ ପୁରୀର ମନ୍ଦିର ସଂସ୍କୃତି

 

ପ୍ରଭାତ କୁମାର ସାହୁ

ଧର୍ମାନୁଷ୍ଠାନ ଓ ଉପାସନା ପୀଠ ହିସାବରେ ଭାରତର ମନ୍ଦିର ଅତି ପ୍ରାଚୀନ କାଳରୁ ଶ୍ରେଷ୍ଠତ୍ଵ ଅର୍ଜନ କରିଆସିଛି । ଦେବ ବିଗ୍ରହ ଓ ଅନ୍ୟାନ୍ୟ ଉପାସ୍ୟ ବସ୍ତୁର ପ୍ରତିଷ୍ଠାସ୍ଥଳୀ ତଥା ପ୍ରଦକ୍ଷିଣ, ଆରାଧନା ଓ ପୂଜାସ୍ଥଳୀ ହିସାବରେ ଏହି ଉପମହାଦେଶର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୂପରେ ଏହାର ଅଭିବୃଦ୍ଧି ଘଟିଅଛି । ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ପ୍ରୟୋଜନୀୟତା ଧର୍ମଭାବ, ଚିନ୍ତାଧାରା ଓ ବିଶ୍ଵାସର ବିନିମୟକୁ କେନ୍ଦ୍ରକରି ଏହା ଗଢ଼ି ଉଠିଥିଲା । ପ୍ରାରମ୍ଭିକ ସ୍ତରରେ ମନ୍ଦିର ଓ ସେଥିରେ କରାଯାଉଥିବା ପୂଜା, ଉପାସନାର ମୌଳିକ ତତ୍ତ୍ଵ ସ୍ଥୂଳତଃ ବେଦ ଓ ପୁରାଣରୁ ସଂଗୃହୀତ ହୋଇଥିଲେ ହେଁ, କାଳକ୍ରମେ ଉତ୍ତର ଭାରତରେ ଥିବା ମହାନ ଭାରତୀୟ ଧର୍ମର ଉତ୍ପତ୍ତି ସ୍ଥଳରୁ ସେଗୁଡ଼ିକର ପରିବ୍ୟାପ୍ତି କାଳରେ ତାହା ବିଭିନ୍ନ ଢାଞ୍ଚା ଓ ଶୈଳୀ ଗ୍ରହଣ କରିଥିଲା । (୧) ସୁତରାଂ ଏହି ପରିପ୍ରେକ୍ଷୀରେ ନିମ୍ନରେ ଓଡ଼ିଶାର ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଥିବା ଶ୍ରୀମନ୍ଦିର ଓ ତତ୍‌ସଂଲଗ୍ନ ମନ୍ଦିରଗୁଡ଼ିକର ପରିଚୟାତ୍ମକ ବିବରଣୀ ପ୍ରଦାନ କରାଯାଇପାରେ ।

 

କ୍ଷେତ୍ର ଅଧ୍ୟୟନ :

ବର୍ତ୍ତମାନ ଏହି ନିବନ୍ଧରେ ବିଷୟବସ୍ତୁ ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ସର୍ବପ୍ରଥମେ କ୍ଷେତ୍ର ଅଧ୍ୟୟନକୁ ଗୁରୁତ୍ଵ ଦେବା ଆବଶ୍ୟକ । ସାଧରଣ ଲୋକଙ୍କ ମତରେ ପୁରୀ; ଶ୍ରୀକ୍ଷେତ୍ର, ଶଙ୍ଖକ୍ଷେତ୍ର, ନୀଳାଚଳ, ନୀଳଗିରି, ଭୌମକ୍ଷେତ୍ର, ଉଚ୍ଛିଷ୍ଟକ୍ଷେତ୍ର, ଯମନିକ ତୀର୍ଥ, ଉଡ଼ୀୟାନ ପୀଠ, ଦଶାବତାରକ୍ଷେତ୍ର ଓ ପୁରୁଷୋତ୍ତମକ୍ଷେତ୍ର ଆଦି ନାମରେ ନାମିତ । ଏହି କ୍ଷେତ୍ର ବଙ୍ଗୋପସାଗର (ପ୍ରଶାନ୍ତ ମହାସାଗରର ଅଂଶ ବିଶେଷ)ର ତଟ ପ୍ରଦେଶରେ ଅବସ୍ଥିତ । ଏହାର ପ୍ରାକୃତିକ ପରିବେଶ ସୁରମ୍ୟ ଓ ଶାନ୍ତ ଅଟେ । ଧ୍ୟାନ, ଧାରଣା, ତପସ୍ୟା ପ୍ରଭୃତିପାଇଁ ଯୁଗେ ଯୁଗେ ଏହି ସ୍ଥାନର ମହତ୍ତ୍ଵ ପ୍ରତିପାଦିତ ହୋଇଆସିଛି । ବିଜ୍ଞାନ ଦୃଷ୍ଟିରୁ ବିଚାର କଲେ ଏହି କ୍ଷେତ୍ରର ଅକ୍ଷାଂଶ ଓ ଦ୍ରାଘିମା ହେଉଛି :-

 

ଅବସ୍ଥିତି :-

୧୯ ̊̊ ୨୮ ଉ.

୨୬ ̊̊ ୨୮ଉ,

୮୪ ̊̊ ୨୯ ପୂ.

୮୬ ̊̊ ୨୫ ପୂ.

 

ଅଧୁନା ଏହାର କ୍ଷେତ୍ରଫଳ ହେଉଛି ୩୪୭୯ ବର୍ଗକି.ମି. । ବର୍ଷସାରା ଏହି ସ୍ଥାନର ତାପମାତ୍ରା ସର୍ବନିମ୍ନ:-୧୩.୯ ̊̊ ସେଲସିୟସ ଏବଂ ସର୍ବାଧିକ :- ୩୭.୦ ̊̊ ସେଲସିୟସ ପ୍ରାୟତଃ ରହିଥାଏ । ଏଠାକାର ହାରାହାରି ବୃଷ୍ଟିପାତ ୧୪୪୯.୧ ମି.ମି. ହୋଇଥିବା ବେଳେ ୨୦୧୧ ମସିହା ଜନଗଣନା ଅନୁଯାୟୀ ଏହାର ଲୋକସଂଖ୍ୟା ୧୫,୦୨,୬୮୨ ଅଟେ । (୨) ସେହିପରି ଏହାର ଚୌହଦୀ ହେଉଛି ପୂର୍ବ ଦିଗରେ ସବୁଜ ବନାନୀ କୋଣାର୍କ ଓ ସମୁଦ୍ର ଲମ୍ବିଯାଇଥିବାବେଳେ ଦକ୍ଷିଣ ଦିଗରେ ବଙ୍ଗୋପସାଗର ଏବଂ ପଶ୍ଚିମରେ ବ୍ରହ୍ମଗିରି, ସାତପଡ଼ା ଓ ଚିଲିକା ଅବସ୍ଥିତ । ଏତଦ୍‌ବ୍ୟତୀତ ଉତ୍ତର ଦିଗରେ ସାକ୍ଷୀଗୋପାଳ ଓ ଭୁବନେଶ୍ଵର-କଟକ ରାସ୍ତା ଲମ୍ବି ରହିଅଛି । ତେବେ ଏହି କ୍ଷେତ୍ରର ଆୟତନ ପାଞ୍ଚକୋଶ ଏବଂ ଆକାର ତ୍ରିକୋଣ । ପାଞ୍ଚକୋଶ ଆୟତନରୁ ପ୍ରାୟ ଅର୍ଦ୍ଧଭାଗ ସମୁଦ୍ର ଜଳରେ ନିମଗ୍ନ ଏବଂ ଉପରି ଭାଗର ଆକୃତି ଶଙ୍ଖ ସଦୃଶ ହୋଇଥିବାରୁ ଏହି କ୍ଷେତ୍ରକୁ ଶଙ୍ଖକ୍ଷେତ୍ର ମଧ୍ୟ କୁହାଯାଏ । ଏହି ଶଙ୍ଖାକାର କ୍ଷେତ୍ରର ମୂର୍ଦ୍ଧନୀ ହେଉଛି ପଶ୍ଚିମସୀମା । ନୀଳକଣ୍ଠ (ଇନ୍ଦ୍ରଦ୍ୟୁମ୍ନ ସରୋବର କୂଳରେ) ଏହି ଶଙ୍ଖର ଅଗ୍ରଭାଗରେ ଅବସ୍ଥାନ କରୁଛନ୍ତି । ଶଙ୍ଖର ନାଭିଦେଶରେ ରୋହିଣୀକୁଣ୍ଡ, ଅକ୍ଷୟ ବଟ ଓ ଜଗନ୍ନାଥଙ୍କ ଆସ୍ଥାନ । ଅର୍ଦ୍ଧାଶିନୀ (ମାଉସୀମା) ଶଙ୍ଖର ମଧ୍ୟଭାଗରେ ଅବସ୍ଥାନ କରୁଛନ୍ତି । ନୀଳଗିରି ଏହି କ୍ଷେତ୍ରରେ ଶୋଭା ପାଉଛି-। ଏହି ନୀଳଗିରି ହେଉଛି ପୁରୁଷୋତ୍ତମ ଜଗନ୍ନାଥଙ୍କ ନିବାସସ୍ଥଳ । (୩) ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଏହି କ୍ଷେତ୍ରର ପ୍ରଧାନ ଦେବତା ।

 

ପ୍ରକାଶ ଥାଉକି ଗଙ୍ଗବଂଶୀ ସମ୍ରାଟ୍‌ମାନଙ୍କ ଦ୍ଵାରା ଦ୍ଵାଦଶ ଶତାବ୍ଦୀରେ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିର ନିର୍ମିତ ହୋଇଥିଲା । ଅବଶ୍ୟ ତା’ପୂର୍ବରୁ ଏହି କ୍ଷେତ୍ରରେ ଶ୍ରୀପୁରୁଷୋତ୍ତମ ଉପାସିତ ହେଉଥିବା କଥା ସର୍ବଜନ ବିଦିତ । ସେ ଯାହାହେଉ ଖ୍ରୀ. ଏକାଦଶ/ଦ୍ଵାଦଶ ଶତାବ୍ଦୀ ପରେ ପରେ ଶ୍ରୀକ୍ଷେତ୍ର ପ୍ରାଧାନ୍ୟ ଭାରତ ତଥା ପୃଥିବୀରେ ବ୍ୟାପି ଯାଇଥିଲା । ବିଭିନ୍ନ ସମୟରେ ଏହି କ୍ଷେତ୍ରକୁ ବିଭିନ୍ନ ଧର୍ମର ଧ୍ଵଜାଧାରୀ ରାଜା ଓ ପଣ୍ଡିତଗଣ ଆସି ସ୍ଵୀୟ ଧର୍ମର ପରାକାଷ୍ଠା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆପଣାର କରିବାକୁ ପ୍ରୟାସ କରିଥିଲେ । କେବଳ ସେତିକି ନୁହେଁ ଏହି କ୍ଷେତ୍ରରେ ନିଜର ଧର୍ମ ପ୍ରଚାର କରିବାକୁ ଆସି ସେମାନେ ଏଠାରେ ଓ ଶ୍ରୀମନ୍ଦିରର ବେଢ଼ା ମଧ୍ୟରେ ବହୁ ମନ୍ଦିର ସ୍ଥାପନ କରିଥିବାର ପ୍ରମାଣ ଅଦ୍ୟାବଧି ରହିଅଛି । ଏତଦ୍‌ବ୍ୟତୀତ ହିନ୍ଦୁ ଧର୍ମର ପଞ୍ଚଦେବତା ଉପାସନା ଯଥା :-ସୂର୍ଯ୍ୟ, ଶିବ, ବିଷ୍ଣୁ, ଗଣେଶ ଓ ଶାକ୍ତ ଧର୍ମର ଦେବତାମାନଙ୍କପାଇଁ ପରମ୍ପରାକ୍ରମେ ବହୁ ମନ୍ଦିର ମଧ୍ୟ ଏହି କ୍ଷେତ୍ରରେ ନିର୍ମାଣ କରାଯାଇଥିଲା । ତେବେ ସେ ଯାହା ହେଉ ଆମର ବିଷୟ ନିର୍ବାଚନକୁ ଆଖି ଆଗରେ ରଖି ଆମେ ଶ୍ରୀମନ୍ଦିର ଓ ତତ୍‌ସଂଲଗ୍ନ ମନ୍ଦିର ସମ୍ପର୍କରେ ଆଲୋଚନା କରୁଅଛୁ ।

 

ଶ୍ରୀମନ୍ଦିର/ଶ୍ରୀଜଗନ୍ନାଥ ମନ୍ଦିର :

ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ନିର୍ମାଣ ଓ ସେଥିରେ ଦେବ ଉପାସନାକୁ ନେଇ ବହୁ ବାଦ ବିସମ୍ବାଦ ଅଦ୍ୟାବଧି ଲାଗି ରହିଛି । ଏହି କ୍ଷେତ୍ରରେ କେବେ ଓ କେଉଁ ରାଜାଙ୍କ ରାଜତ୍ଵ କାଳରେ ମନ୍ଦିର ନିର୍ମିତ ହୋଇ ସେଥିରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ସୁଭଦ୍ରା ଓ ସୁଦର୍ଶନ ଆଦି ଚତୁର୍ଦ୍ଧାମୂର୍ତ୍ତି ପ୍ରତିଷ୍ଠିତ ହେଲେ ସେ ସମ୍ପର୍କରେ ବହୁ ପଣ୍ଡିତଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପରିଦୃଷ୍ଟ ହୁଏ । କିନ୍ତୁ ସେଥିରେ ପ୍ରକୃତ ରହସ୍ୟ ଅଦ୍ୟାପି ଅନ୍ଧକାର ଭିତରେ ଲୁଚି ରହିଛି । ବହୁ କିମ୍ବଦନ୍ତୀ, ଲୋକକଥା ଓ ପୌରାଣିକ ଉପାଖ୍ୟାନ ପ୍ରଭୃତିରେ ଶ୍ରୀମନ୍ଦିରର ନିର୍ମାଣ ନେଇ ଯେଉଁ ତଥ୍ୟମାନ ଉପଲବ୍‌ଧ ହୁଏ ସେସବୁ ଇତିହାସ ଦ୍ଵାରା ସମର୍ଥିତ ନୁହେଁ । ତଥାପି ଅଧୁନା ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ ସମ୍ପର୍କରେ ଇତିହାସ ସମର୍ଥିତ କେତୋଟି ସତ୍ୟର ପର୍ଯ୍ୟାଲୋଚନା ନିମ୍ନରେ ପ୍ରଦାନ କରାଗଲା ।

 

୧.

ପ୍ରଥମତଃ କିମ୍ବଦନ୍ତୀ ଅନୁଯାୟୀ ଶବର ରାଜା ବିଶ୍ଵାବସୁ ଯେଉଁ ନୀଳମାଧବଙ୍କୁ ପୂଜା କରୁଥିଲେ, ସେଇ ଉପାଖ୍ୟାନ ଅନୁଯାୟୀ ବର୍ତ୍ତମାନ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣର ସତ୍ୟ ଉଦ୍‌ଘାଟନ କରିବାରେ ସାହାଯ୍ୟ କରେ । ବିଶ୍ଵାବସୁ ପୂଜା କରୁଥିବା ସ୍ଥାନ ଥିଲା ପାହାଡ଼ ଜଙ୍ଗଲ ପରିବେଷ୍ଟିତ ନୀଳଗିରିର ଏକ ଗୁମ୍ଫା । ଏଥିରୁ ନୀଳମାଧବ ଅନ୍ତର୍ଦ୍ଧାନ ହୋଇଗଲା ପରେ ଅବନ୍ତୀ ବା ମାଳବ ଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ (କାଳ୍ପନିକ) ନୀଳଗିରିରେ ଏକ ମନ୍ଦିର ନିର୍ମାଣ କରିଥିଲେ ଏବଂ ସେଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ଥାପନ କରିଥିଲେ । ପରେ ଇନ୍ଦ୍ରଦ୍ୟୁମ୍ନ ଏହି ମନ୍ଦିରର ପ୍ରତିଷ୍ଠା ନିମନ୍ତେ ବ୍ରହ୍ମାଙ୍କ ପାଖକୁ ଯାଆନ୍ତେ ପ୍ରଳୟ ହୋଇ ମନ୍ଦିରଟି ବାଲିରେ ପୋତି ହୋଇଯାଇଥିଲା । ଏହି ସମୟରେ ଗାଲମାଧବ ନାମକ ଅନ୍ୟ ଜଣେ ରାଜା ତାହାର ପୁନରୁଦ୍ଧାର କରିଥିଲେ । କିନ୍ତୁ ଏହି ମନ୍ଦିରର ଉଚ୍ଚତା କେତେ ହାତ ଥିଲା, ତାହାର କୌଣସି ପ୍ରମାଣ ଅଦ୍ୟାବଧି ମିଳେ ନାହିଁ ।

 

୨.

ଦ୍ଵିତୀୟତଃ ଐତିହାସିକ ପ୍ରମାଣ ହେଉଛି ଓଡ଼ିଶାର ବହୁଚର୍ଚ୍ଚିତ ପୁସ୍ତକ “ମାଦଳାପାଞ୍ଜି” । ଏଥିରେ ବର୍ଣ୍ଣିତ ସୋମବଂଶୀ ରାଜା ପ୍ରଥମ ଯଯାତି କେଶରୀ ଉତ୍କଳ, କୋଶଳ, କଳିଙ୍ଗ, କଙ୍ଗୋଦ ଏବଂ ଉଡ଼୍ର ପ୍ରଭୃତି ରାଜ୍ୟ ଜୟକରି ସମଗ୍ର ଓଡ଼ିଶାର ରାଜା ହେବା ପରେ ଓଡ଼ିଶାର ରାଷ୍ଟ୍ରଦେବତାଙ୍କ ଅନୁସନ୍ଧାନ କରିଥିଲେ । ସେ ସେତେବେଳର ବ୍ରାହ୍ମଣ ସନ୍ନ୍ୟାସୀ ଆଦିଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ପଚାରିବାରୁ ସେମାନେ ମାର୍ଗ ପ୍ରଦର୍ଶନ କଲେ । ପରେ ରାଜା ଠାକୁରମାନଙ୍କର ସୋନପୁରରେ ପାତାଳୀ ହେବାର ଘଟଣା ସମଗ୍ର ଜାଣିବା ପରେ “ମାଟିଖାଇ ଛିନ୍ନଭିନ୍ନ ହୋଇଥିବା ଜଗନ୍ନାଥଙ୍କର ମୂର୍ତ୍ତିମାନଙ୍କୁ ଭୂଇଁ ତଳୁ ଉଦ୍ଧାରକରି ଲୁଗା ଗୁଡ଼ାଇ ମୁଣାରେ ପୂରେଇ x x x ଅଣାଇ ବିଧିପତ୍ର ପ୍ରମାଣେ ଦାରୁଛେଦନ କରାଇ ପର୍ମେଶରଙ୍କୁ ସୁମୂର୍ତ୍ତି କରାଇଲେ । କେବଳ ସେତିକି ନୁହେଁ ସେ ପୁରୁଷୋତ୍ତମେ ଶଙ୍ଖନାଭି ମଣ୍ଡଳେ ହା ୩୮ଥ କରି ପଟୋଳ ଗୋଟାଏ ତୋଳି ପ୍ରତିଷ୍ଠା କରି ପରମେଶରଙ୍କୁ ବିଜେ କରାଇଲେ । (୪)

 

୩.

ତୃତୀୟତଃ ପରବର୍ତ୍ତୀ କାଳରେ ଗଙ୍ଗବଂଶୀ ରାଜାମାନେ ଏହି ଜରାଜୀର୍ଣ୍ଣ ୩୮ ହାତର ପାଟଳ ବା ପଟୋଳକୁ ଭାଙ୍ଗି ସେହି ସ୍ଥାନରେ ନବେ (୯୦) ହାତର ଏକ ବଡ଼ଦେଉଳ ନିର୍ମାଣ କରି ତହିଁରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବିଜେ କରାଇଥିଲେ । ଯଥା:-“ଯଯାତି ରାଜା ଯେଉଁ ପାଟଳ ତୋଳାଇ ପରମେଶ୍ଵରଙ୍କୁ ବିଜେ କରାଇଛନ୍ତି, ସେ ପାଟଳ ଗୋଟି ୩ ଅତି ବଇଷମ ହୋଇଲା । ଏହା ଭାଙ୍ଗି ଶହେ ହାତ ଉଚ୍ଚେ ପ୍ରାସାଦ ଗୋଟିଏ ତୋଳାଇବା ପରମେଶ୍ଵରଙ୍କୁ । ଆୟତନ ଭିତରେ ଦେବତାମାନଙ୍କର ଦେଉଳ ଗୋଟାମାନ ଆନକରି ତୋଳାଇବା । (୫) ପ୍ରଥମ ଯଯାତିଙ୍କ ଦ୍ଵାରା ନିର୍ମିତ ୩୮ ହାତ ଲମ୍ବର ପାଟଳ ବା ପଟୋଳ ଜରାଜୀର୍ଣ୍ଣ ହୋଇଯିବା ଫଳରେ ଗଙ୍ଗବଂଶୀ ଏକଜଟା କାମଦେବ ବା କାମାର୍ଣ୍ଣବ ଦେବ (ଖ୍ରୀ: ୧୧୪୭-୧୧୫୭) ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁରୀ ମଧୁରପାଟଣାରେ ଚୁଡ଼ଙ୍ଗ ସାହିରେ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ କରିବା ସଙ୍ଗେ ସଙ୍ଗେ ବଡ଼ଦେଉଳ ଶୁଭ ଦେଇଥିଲେ । (୬) ପରବର୍ତ୍ତୀ ସମୟରେ ଗଙ୍ଗବଂଶୀ ଦ୍ଵିତୀୟ ଅନଙ୍ଗଭୀମ ଦେବ ଖ୍ରୀଷ୍ଟୀୟ ୧୧୯୭ ବା ୧୧୯୮ରେ ବଡ଼ଦେଉଳ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଇ ଦିଅଁମାନଙ୍କୁ ଚୁଡ଼ଙ୍ଗ ସାହିରୁ ଆଣି ତହିଁରେ ବିଜେ କରାଇ ପ୍ରତିଷ୍ଠା କରିଥିଲେ । (୭)

 

୪.

ଚତୁର୍ଥତଃ “ମାଦଳାପାଞ୍ଜି” ଅନୁଯାୟୀ ଶ୍ରୀକ୍ଷେତ୍ରରେ ବର୍ତ୍ତମାନର ପ୍ରତିଷ୍ଠିତ ଶ୍ରୀମନ୍ଦିର ଗଙ୍ଗବଂଶୀ ମହାରାଜା ଦ୍ଵିତୀୟ ଅନଙ୍ଗଭୀମ ଦେବ (ଖ୍ରୀ: ୧୧୯୭)ଙ୍କ ଦ୍ଵାରା ନିର୍ମାଣ କରାଯାଇଥିଲେ ହେଁ ଏଥିରେ ଚୋଡ଼ଗଙ୍ଗ ଦେବଙ୍କ ଦ୍ଵାରା ନିର୍ମିତ ମନ୍ଦିରର ଉଲ୍ଲେଖ ନାହିଁ । କିନ୍ତୁ ଗଙ୍ଗବଂଶୀ ‘ନରସିଂହ ତାମ୍ରଶାସନ’ରେ ଚୋଡ଼ଗଙ୍ଗଦେବ ଜଗନ୍ନାଥଙ୍କପାଇଁ ମନ୍ଦିର ନିର୍ମାଣ କରିଥିଲେ ବୋଲି ଲେଖାଯାଇଛି । (୮)

 

୫.

ପଞ୍ଚମତଃ ଖ୍ରୀ.ଅ. ନବମ ଶତାବ୍ଦୀରେ ଓଡ଼ିଶାର ସୋମବଂଶୀୟ ରାଜା ଯଯାତି କେଶରୀ ଶ୍ରୀଜଗନ୍ନାଥଙ୍କପାଇଁ ଏକ ସୁନ୍ଦର ମନ୍ଦିର ନିର୍ମାଣ କଲେ କିନ୍ତୁ ସମୁଦ୍ର କୂଳରେ ଅବସ୍ଥିତ ଥିବା ଏହି ମନ୍ଦିର ଲୁଣି ପବନରେ ଅଳ୍ପ କିଛି ବର୍ଷ ପରେ ନଷ୍ଟ ହୋଇଗଲା । ପରେ ଦ୍ଵାଦଶ ଶତାବ୍ଦୀରେ ଓଡ଼ିଶାର ଗଙ୍ଗବଂଶୀ ରାଜା ଚୋଡ଼ଗଙ୍ଗ ଦେବଙ୍କ ଦ୍ଵାରା ଏକ ମନ୍ଦିର ନିର୍ମାଣ କରାଗଲା । ଏହାର ସତ୍ୟତା ରାଘବଦେବଙ୍କ ‘ତାମ୍ରଶାସନ’ରେ ଲେଖା ହୋଇଥିବା ନିମ୍ନୋକ୍ତ ଶ୍ଳୋକରୁ ପ୍ରାପ୍ତ ହୁଏ । ଯଥା:-

“ପାଦୌ ଯସ୍ୟ ଧରାନ୍ତରୀକ୍ଷମଖିଳଂ ନାଭିଶ୍ଚ ସର୍ବା ଦିଶଃ,

ଶ୍ରୋତ୍ରେ ନେତ୍ରଯୁଗଂ ରବୀନ୍ଦୁଯୁଗଳଂ ମୂର୍ଦ୍ଧାପି ଚ ଦ୍ୟୌରସୌ ।

ପ୍ରାସାଦଂ ପୁରୁଷୋତ୍ତମସ୍ୟ ନୃପତିଃ କୋ ନାମ କର୍ତ୍ତୁଂ କ୍ଷମଃ

ତସ୍ୟୈତ୍ୟାଦିନୁପୈରୁପେକ୍ଷିତମୟଂ ଚକ୍ରେଽଥ ଗଙ୍ଗେଶ୍ଵରଃ ॥” (୯)

 

ଅର୍ଥାତ୍-ପୁରୁଷୋତ୍ତମଙ୍କ ପ୍ରାସାଦକୁ କେଉଁ ରାଜା କରିବାକୁ କ୍ଷମ ହୋଇପାରନ୍ତି ? ପୂର୍ବ ରାଜାମାନଙ୍କ ଦ୍ଵାରା ଉପେକ୍ଷିତ ହୋଇଥିବା ଏହି ପ୍ରାସାଦକୁ ଗଙ୍ଗେଶ୍ଵରହିଁ କରିଛନ୍ତି । ଶ୍ରୀ ମନମୋହନ ଚକ୍ରବର୍ତ୍ତୀ ଏହି ଗଙ୍ଗେଶ୍ଵରଙ୍କୁ ଗଙ୍ଗବଂଶର ପ୍ରତିଷ୍ଠାତା ଅନନ୍ତବର୍ମା ଚୋଡ଼ଗଙ୍ଗଙ୍କ ସହିତ ଚିହ୍ନଟ କରିଛନ୍ତି ଓ ଆଜିପର୍ଯ୍ୟନ୍ତ ସବୁ ଐତିହାସିକ ତାଙ୍କର ଏହି ମତକୁ ଗ୍ରହଣ କରିଛନ୍ତି । ରାଖାଲଦାସ ବାନାର୍ଜୀ “ଓଡ଼ିଶାର ଇତିହାସ” ଦ୍ଵିତୀୟ ଭାଗରେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନର ଶ୍ରୀମନ୍ଦିର ଚୋଡ଼ଗଙ୍ଗ ଅନନ୍ତବର୍ମାଙ୍କ ଦ୍ଵାରା ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । କିନ୍ତୁ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ପୁରୀ ମନ୍ଦିରର ନିର୍ମାଣ ସମୟକୁ ଖ୍ରୀଷ୍ଟୀୟ ଦ୍ଵାଦଶ ଶତାବ୍ଦୀର ମଧ୍ୟଭାଗ ଅର୍ଥାତ୍ ୧୧୩୫ରୁ ୧୧୪୫ ମସିହା ମଧ୍ୟରେ ବୋଲି ଉଲ୍ଲେଖ କରିଛନ୍ତି । (୧୦)

 

୬.

ସେହିପରି ଷ୍ଟର୍ଲିଂ ସାହେବ ତାଙ୍କର “ଓଡ଼ିଶା ଇତିହାସ” ବହିରେ “ରାଜ ବଂଶାବଳୀ” ନାମକ ଏକ ସଂସ୍କୃତ ଗ୍ରନ୍ଥ ଓ “ମାଦଳାପାଞ୍ଜି”ର ଲେଖା ଉପରେ ନିର୍ଭର କରି ଲେଖିଛନ୍ତି ଯେ, ବର୍ତ୍ତମାନର ଜଗନ୍ନାଥ ମନ୍ଦିର ଖ୍ରୀ.ଅ. ୧୧୯୬ରେ ଅନଙ୍ଗଭୀମଦେବଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ଫର୍ଗୁସନଙ୍କ ମତରେ ମନ୍ଦିର ନିର୍ମାଣକାଳ ଖ୍ରୀ. ୧୦୯୮ । ଭିନ୍‌ସେଣ୍ଟ ସ୍ମିଥ୍‌ଙ୍କ ମତରେ ମନ୍ଦିରଟି ଖ୍ରୀ.୧୧୦୦ରେ ନିର୍ମିତ ହୋଇଥିଲା । ମନମୋହନ ଚକ୍ରବର୍ତ୍ତୀ କହନ୍ତି ଯେ ଏହି ମନ୍ଦିରଟି ଖ୍ରୀ. ୧୦୮୫-୯୦ ଭିତରେ ତିଆରି ହୋଇଥିଲା । (୧୧)

 

ଉପର୍ଯ୍ୟୁକ୍ତ ଅଲୋଚନାରୁ ଜଣାଯାଏ ଯେ ବାସ୍ତବ ପକ୍ଷେ ପୁରୀରେ ଶ୍ରୀମନ୍ଦିରର ନିର୍ମାଣ କେବେ କେଉଁ ସମୟରେ ଆରମ୍ଭ ହୋଇ ଶେଷ ହେଲା ତାହା କହିବା ସମ୍ଭବପର ନୁହେଁ । ତଥାପି ଉପରିଲିଖିତ କେତେକ ତଥ୍ୟରୁ ଉକ୍ତ ମନ୍ଦିରଟି ଦ୍ଵାଦଶ ଶତାବ୍ଦୀର ଗଙ୍ଗବଂଶର କୀର୍ତ୍ତି ବୋଲି ଜଣାପଡ଼େ । ରାଜା ଯଯାତିଙ୍କ ଦ୍ଵାରା ନିର୍ମାଣ କରାଯାଇଥିବା ଏହି ମନ୍ଦିରର ଭାଗ୍ନାଂଶକୁ ଗଙ୍ଗବଂଶୀ ରାଜା ଚୋଡ଼ଗଙ୍ଗ ଦେବ ଉଦ୍ଧାର କରି ପୁନଃନିର୍ମାଣ କାର୍ଯ୍ୟ କରିଥିଲେ ଓ ତାଙ୍କର ନାତି ରାଜା ଦ୍ଵିତୀୟ ଅନଙ୍ଗଭୀମ ଦେବ ସମାପ୍ତ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ସମୟରେ ଏହି ଶ୍ରୀମନ୍ଦିରର ରତ୍ନସିଂହାସନରେ ସପ୍ତର୍ଦ୍ଧାମୂର୍ତ୍ତି ଯଥା:- ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ସୁଭଦ୍ରା, ସୁଦର୍ଶନ, ଭୂଦେବୀ, ଶ୍ରୀଦେବୀ ଓ ପତିତପାବନ ଆଦି ପୂଜାପାଇଁ ଆସିଲେ । ଏତଦ୍‌ବ୍ୟତୀତ ଶ୍ରୀମନ୍ଦିରକୁ ଲାଗି (ଭିତର ବେଢ଼ା ଓ ବାହର ବେଢ଼ା) ଅନେକ ମନ୍ଦିର ବିଭିନ୍ନ ରାଜାଙ୍କ ସମୟରେ ନିର୍ମାଣ କରାଯାଇ ସେଥିରେ ଦେବଦେବୀଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା ମଧ୍ୟ କରାଗଲା, ଯାହାରକି ବିଶଦ ବିବରଣୀ ନିମ୍ନରେ ପ୍ରତିପାଦନ କରୁଅଛୁ ।

 

ଶ୍ରୀମନ୍ଦିର ପ୍ରଥମ ବେଢ଼ା/ଭିତର ବେଢ଼ା ମଧ୍ୟସ୍ଥ ମନ୍ଦିର :

ଯେ କେହି ଭକ୍ତ/ଦର୍ଶକ ଶ୍ରୀମନ୍ଦିରକୁ ଗଲେ ପ୍ରଥମେ ବେଢ଼ା ମଧ୍ୟସ୍ଥ ମନ୍ଦିରଗୁଡ଼ିକ ବୁଲି ପୂଜା କରିବାର ଏକ ସାଂସ୍କୃତିକ ପରମ୍ପରା ରହିଅଛି । ତା’ପରେ ମନ୍ଦିର ଭିତରକୁ ଯାଇ ରତ୍ନସିଂହାସନସ୍ଥ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରାଯାଇଥାଏ । ଜଗନ୍ନାଥ ମନ୍ଦିର ଏକ ବିରାଟ ମନ୍ଦିର ହେଲେ ମଧ୍ୟ ପ୍ରଥମ ବେଢ଼ା ମଧ୍ୟରେ ରହିଥିବା ମନ୍ଦିରଗୁଡ଼ିକରେ ଦେବତାମାନଙ୍କର ପ୍ରାଧାନ୍ୟ ରହିଆସିଛି । ଷୋଡ଼ଶ ଶତାବ୍ଦୀ ତଥା ପଞ୍ଚସଖା ଯୁଗର କବି ବଳରାମ ଦାସ ତାଙ୍କର “ବେଢ଼ା ପରିକ୍ରମା” ଗ୍ରନ୍ଥରେ ଶ୍ରୀମନ୍ଦିର ବେଢ଼ାସ୍ଥ ଦେବଦେବୀମାନଙ୍କର ସୂଚନା ପ୍ରଦାନ କରି ଲେଖିଛନ୍ତି:-

 

“ବେଢ଼ା ପରିକ୍ରମା ଏହାର ମହିମା ଶୁଣି ହୋଇବ ହରଷ ।

ଏହାକୁ ଶୁଣିଣ ଅଶେଷ ଦୂଷଣ ଶୀଘ୍ରେ ହୋଇବ ବିନାଶ ॥

ଛାଡ଼ି ଦୁଷ୍ଟ ମତି କରିବା ଭକତି ବେଳୁଁ କୃଷ୍ଣା ଆଶ୍ରେ କର ।

ଲଭିବ ମୁକତି ଦେବ ମୋକ୍ଷଗତି ପ୍ରବେଶ ହରି ମନ୍ଦିର ॥

ପ୍ରଥମେ ଦର୍ଶନ ପତିତପାବନ ସିଂହଦ୍ଵାରେ ଦେଖ ଯାଇ ।

ଦ୍ଵାବିଂଶ ପାବଚ୍ଛେ କାଶୀ ବିଶ୍ଵନାଥ ପୂର୍ଣ୍ଣବ୍ରହ୍ମ ରୂପ ଧ୍ୟାୟି ॥

ଶ୍ରୀଭୋଗ ମଣ୍ଡପ ଦେଖି କ୍ଷୟ ପାପ ତହିଁ ମସ୍ତକ ଲଗାଇ ।

ଅଜଣାନାଥଙ୍କୁ ଶୁଭରେ ଦେଖନ୍ତୁ ବିଘ୍ନେଶ୍ଵର ପାଶ ଯାଇ ॥ (୧୨)

 

ଏଥିରେ କବି ବଳରାମ ଦାସ ବଟକୃଷ୍ଣ, ବଟମଙ୍ଗଳା, କ୍ଷେତ୍ରପାଳ, ନୃସିଂହ, ମୁକ୍ତିମଣ୍ଡପ, ରୋହିଣୀକୁଣ୍ଡ, ବିମଳା, ସରସ୍ଵତୀ, ନୀଳମାଧବ, କାଳିଆ, ମହାଲକ୍ଷ୍ମୀ, ହନୁମାନ, ଈଶାନେଶ୍ଵର ଓ ପାତାଳେଶ୍ଵର ପ୍ରଭୃତି ଦେବଦେବୀମାନଙ୍କର ନାମ, ମନ୍ଦିର ଉଲ୍ଲେଖ କରିଥିଲେ ହେଁ ବର୍ତ୍ତମାନ ଆହୁରି ଅନେକ ମନ୍ଦିର ପ୍ରତିଷ୍ଠା କରାଗଲାଣି । ଯାହାରକି ନାମୋଲ୍ଲେଖ ଏହି ଗ୍ରନ୍ଥରେ ନାହିଁ । ସୁତରାଂ ସେ ସବୁର ଆଲୋଚନା ନିମନ୍ତେ ଆମର ଏଇ ନିବନ୍ଧର ପ୍ରୟାସ ।

 

୧.

ଶ୍ରୀଆଗ୍ନେୟେଶ୍ଵର ମହାଦେବ ମନ୍ଦିର :-ଆଗ୍ନେୟେଶ୍ଵର ମହାଦେବ ମନ୍ଦିର କୂର୍ମବେଢ଼ା ସିଂହଦ୍ଵାରର ଦକ୍ଷିଣ ରାସ୍ତାରେ ଅବସ୍ଥିତ । ଏହା ରୋଷଘର ଭୋଗବୁହା ବାଟରେ ରହିଅଛି । ମନ୍ଦିରର ଦେବତା ହେଉଛନ୍ତି ଆଗ୍ନେୟେଶ୍ଵର ମହାଦେବ । ଏହି ମହାଦେବ ହେଉଛନ୍ତି ସାକ୍ଷାତ ଅଗ୍ନିର ସ୍ଵରୂପ । କଥିତ ଅଛି ଯେ ଜଗନ୍ନାଥଙ୍କ ପାଖକୁ ଯାଉଥିବା ଅନ୍ନ ବ୍ୟଞ୍ଜନାଦି ଯଦି ସିଦ୍ଧ ହୋଇ ନ ଥାଏ, ତେବେ ଏହି ମହାଦେବଙ୍କ ଦୃଷ୍ଟି ପଡ଼ିବା ମାତ୍ରେ ତାହା ସଙ୍ଗେ ସଙ୍ଗେ ସିଦ୍ଧ ହୋଇଯାଇଥାଏ । ଏତଦ୍‌ବ୍ୟତୀତ ଆଗ୍ନେୟକୋଣ ଏହି ମହାଦେବ ରକ୍ଷା କରୁଥିବାରୁ ଏହାଙ୍କୁ ଆଗ୍ନେୟେଶ୍ଵର ମହାଦେବ କୁହାଯାଏ । ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁସାରେ ପ୍ଲଟ ନଂ. ୧୧୬ ରେ ଏହି ମନ୍ଦିର ଅବସ୍ଥିତ ।

 

୨.

ବୃନ୍ଦାବନଚନ୍ଦ୍ର ଠାକୁର ମନ୍ଦିର :-ଆଗ୍ନେୟେଶ୍ଵର ମହାଦେବ ମନ୍ଦିରର ପଛ ଭାଗରେ ବୃନ୍ଦାବନଚନ୍ଦ୍ର ଠାକୁରଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ପୂର୍ବାଭିମୁଖ ହୋଇ ରହିଅଛି ।

 

୩.

ଶ୍ରୀସତ୍ୟନାରାୟଣ ମନ୍ଦିର :-ଆଗ୍ନେୟେଶ୍ଵର ମହାଦେବ ମନ୍ଦିରର ବାମ ପାର୍ଶ୍ଵରେ ସତ୍ୟନାରାୟଣ ମନ୍ଦିର ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ପ୍ଲଟ ନଂ-୧୧୩ରେ ଅବସ୍ଥିତ । ଏହି ମନ୍ଦିର କୂର୍ମ ବେଢ଼ାର ଦକ୍ଷିଣପଟେ ଉତ୍ତରାଭିମୁଖ ହୋଇ ରହିଅଛି । ସତ୍ୟନାରାୟଣଙ୍କ ମୂର୍ତ୍ତି କଳାମୁଗୁନି ପଥରରେ ନିର୍ମିତ । ସେ ଚାରି ଭୁଜରେ ଶଙ୍ଖ, ଚକ୍ର, ଗଦା ଓ ଅଭୟମୁଦ୍ରା ଧାରଣ କରିଛନ୍ତି । ମୂର୍ତ୍ତିର ଉଚ୍ଚତା ପ୍ରାୟ ପାଞ୍ଚଫୁଟ୍ । ଏହି ଠାକୁରଙ୍କ ପାଖରେ ସିରିଣିଭୋଗ ହୋଇଥାଏ । ସତ୍ୟନାରାୟଣଙ୍କ ବାମ ପଟେ ଲକ୍ଷ୍ମୀ, ଦକ୍ଷିଣ ପଟେ ସରସ୍ଵତୀ ଓ ଗରୁଡ଼ ଅବସ୍ଥାନ କରିଛନ୍ତି । ଏହାଙ୍କର ମୁଖ୍ୟ ପୂଜା ପାଲା ।

 

୪.

ରାଧାରମଣ ମନ୍ଦିର :-ସତ୍ୟନାରାୟଣଙ୍କ ମନ୍ଦିର ପାଖକୁ ଲାଗି ରାଧାରମଣ ମନ୍ଦିର ଅବସ୍ଥିତ-। ଏହି ମନ୍ଦିରରେ ରାଧାକୃଷ୍ଣଙ୍କର ମୂର୍ତ୍ତି ପୂଜା ପାଉଛନ୍ତି ।

 

୫.

ରାଧାକୃଷ୍ଣ ମନ୍ଦିର :-ରାଧାରମଣ ମନ୍ଦିର ପାଖକୁ ଲାଗି ରାଧାକୃଷ୍ଣ ମନ୍ଦିର ଅବସ୍ଥିତ ।

 

୬.

ବଟକୃଷ୍ଣ ମନ୍ଦିର :-ରାଧାକୃଷ୍ଣ ମନ୍ଦିର ପାର୍ଶ୍ଵରେ ଯେଉଁ ବଟବୃକ୍ଷ ବିଦ୍ୟମାନ, ସେହି ଜାଗାରେ ବଟକୃଷ୍ଣ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ରାଧାକୃଷ୍ଣଙ୍କର ବିଗ୍ରହ ପୂଜା ପାଉଛନ୍ତି ।

 

୭.

ବ୍ରହ୍ମା ବିଷ୍ଣୁ-ମହେଶ୍ଵର ମନ୍ଦିର :-ବଟକୃଷ୍ଣଙ୍କ ମନ୍ଦିର ଦକ୍ଷିଣ ପାର୍ଶ୍ଵରେ ବ୍ରହ୍ମା-ବିଷ୍ଣୁ-ମହେଶ୍ଵରଙ୍କ ମନ୍ଦିର ରହିଅଛି । ଏକ ଛୋଟ ମନ୍ଦିରରେ ଏଇ ତିନି ଠାକୁର ପୂଜା ପାଉଛନ୍ତି ।

 

୮.

ପାଦପଦ୍ମ ମନ୍ଦିର :-ବଟକୃଷ୍ଣ ନିକଟରେ ଏକ ଛୋଟ ମନ୍ଦିରରେ କୌଣସି ଦେବତାଙ୍କ ପାଦପଦ୍ମ ପୂଜା ପାଉଛନ୍ତି ।

 

୯.

ହରିସହଦେବ ମନ୍ଦିର :-ସତ୍ୟନାରାୟଣଙ୍କ ମନ୍ଦିରର ବାମ ପାର୍ଶ୍ଵରେ ହରିସହଦେବ ମନ୍ଦିର ଅବସ୍ଥିତ । ଏହି ଠାକୁର ପଶ୍ଚିମାଭିମୁଖ ହୋଇ ରହିଛନ୍ତି । ସେ ଜଗନ୍ନାଥଙ୍କର ଗୋ-ଧନ ରକ୍ଷକ ଅଟନ୍ତି ।

 

୧୦.

ବଟ ଜଗନ୍ନାଥ ମନ୍ଦିର :-କୂର୍ମ ପ୍ରାଚୀରକୁ ଲାଗି ଉତ୍ତରମୁଖ ହୋଇ ବଟ ଜଗନ୍ନାଥ ମନ୍ଦିର ଅବସ୍ଥିତ । ଏହାଙ୍କୁ ବଟପତିତପାବନ, ବଟଅବକାଶ ଓ ବଟବିହାରୀ ଠାକୁର ବୋଲି ମଧ୍ୟ କୁହାଯାଏ ।

 

୧୧.

ରାଧାକୃଷ୍ଣ ମନ୍ଦିର :-ଏହି ମନ୍ଦିର ବଟ ଜଗନ୍ନାଥଙ୍କ ମନ୍ଦିରର ପାର୍ଶ୍ଵରେ ଅବସ୍ଥିତ ।

 

୧୨.

ବାଳମୁକୁନ୍ଦ ମନ୍ଦିର :-ବାଳମୁକୁନ୍ଦ ମନ୍ଦିରଟି କଳ୍ପବଟର ପୂର୍ବଭାଗରେ ବିଦ୍ୟମାନ । ଏହି ମନ୍ଦିରରେ ଶିଶୁକୃଷ୍ଣ ବଟପତ୍ରରେ ଭାସମାନ ଅବସ୍ଥାରେ ରହିଥିବାର ବିଗ୍ରହ ରହିଅଛି । ତାଙ୍କର ମୁଣ୍ଡ ଦକ୍ଷିଣ ଦିଗକୁ ରହିଅଛି । ଏହି ମନ୍ଦିରଟି ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ କଳ୍ପବଟ ମୂଳରେ ପ୍ଲଟ ନଂ-୯୮ରେ ଅବସ୍ଥିତ ।

 

୧୩.

ବଟଗଣେଶ ମନ୍ଦିର :-ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ଏହି ମନ୍ଦିରଟି କଳ୍ପବଟର ଦକ୍ଷିଣ ଭାଗରେ ଦକ୍ଷିଣମୁଖ ହୋଇ ରହିଅଛି । ଏହାଙ୍କର ବିଗ୍ରହ ଶ୍ଵେତ ମୁଗୁନି ପଥରରେ ନିର୍ମିତ ଓ ଉଚ୍ଚତା ପ୍ରାୟତଃ ତିନି ଫୁଟ୍ ପାଖାପାଖି ହେବ । ଏହି ଗଣେଶଙ୍କ ସମ୍ମୁଖରେ କଳାମୁଗୁନି ପଥରର ମୂଷିକଟିଏ ବାହନରୂପେ ରହିଅଛି । ବଟଗଣେଶଙ୍କୁ କଳ୍ପଗଣେଶ, ସିଦ୍ଧ ଗଣେଶ ଓ ଚିନ୍ତାମଣି ଗଣେଶ ବୋଲି ମଧ୍ୟ କୁହାଯାଇଥାଏ । ସେ ଚତୁର୍ଭୂଜରେ ପାଶ, ଅଙ୍କୁଶ, ଦନ୍ତ ଓ ଲଡ଼ୁ ଧାରଣ କରିଛନ୍ତି ।

 

୧୪.

ବଟମଙ୍ଗଳା ମନ୍ଦିର :-ଶ୍ରୀମନ୍ଦିରର କୂର୍ମବେଢ଼ା କଳ୍ପବଟ ନିକଟକୁ ଲାଗି ମଙ୍ଗଳା ଦେବୀଙ୍କ ମନ୍ଦିର ଅବସ୍ଥିତ । ବଟବୃକ୍ଷ ନିକଟରେ ଏହି ମନ୍ଦିର ଥିବାରୁ ଏହାଙ୍କୁ ବଟମଙ୍ଗଳା ବା ସର୍ବମଙ୍ଗଳା ବୋଲି କୁହାଯାଇଥାଏ । ମଙ୍ଗଳାଦେବୀ ଚତୁର୍ଭୁଜା । ସେ ହାତରେ ଶକ୍ତି, ତ୍ରିଶୂଳ ଓ ଅଭୟ ତଥା ବରଦମୁଦ୍ରା ଧାରଣ କରିଛନ୍ତି । ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ଏହି ମନ୍ଦିର ପ୍ଲଟ ନଂ-୯୭ ଉପରେ ଦଣ୍ଡାୟମାନ ।

 

୧୫.

ପଞ୍ଚୁପାଣ୍ଡବ ମନ୍ଦିର :-ମଙ୍ଗଳା ମନ୍ଦିର ସମ୍ମୁଖରେ ସାନବଡ଼ ହୋଇ ଯେଉଁ ପାଞ୍ଚୋଟି ଶିବ ମନ୍ଦିର ରହିଅଛି ସେମାନଙ୍କୁ ପଞ୍ଚୁପାଣ୍ଡବ ମନ୍ଦିର କୁହାଯାଏ । ସେମାନେ ହେଲେ ଲୋକନାଥ, ଯମେଶ୍ଵର, ନୀଳକଣ୍ଠ, ମାର୍କଣ୍ଡେୟ ଓ କପାଳମୋଚନ । ସମସ୍ତଙ୍କ ଅପେକ୍ଷା ମାର୍କଣ୍ଡେଶ୍ଵର ମନ୍ଦିରଟି ସବୁଠାରୁ ବଡ଼ ମନ୍ଦିର । ସେଠାରେ ଶିବଙ୍କ ସହ ଚତୁର୍ଭୁଜ ନାରାୟଣଙ୍କୁ ମଧ୍ୟ ପୂଜା କରାଯାଏ । ଏହି ମନ୍ଦିର ଭିତରେ ଏକ ତ୍ରିବିକ୍ରମ ମୂର୍ତ୍ତି ରହିଅଛି । ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁସାରେ ପ୍ଲଟ ନଂ-୯୦ରେ ଏହି ମନ୍ଦିର ଅବସ୍ଥିତ ।

୧୬.

ବରାହନାରାୟଣ ମନ୍ଦିର :-ବଟବୃକ୍ଷ ମୂଳେ ଏକ ଭଗ୍ନ ମନ୍ଦିରରେ ଏହି ବରାହନାରାୟଣ ପୂଜା ପାଉଛନ୍ତି ।

 

୧୭.

ବଟକୃଷ୍ଣ ମନ୍ଦିର :-ବରାହନାରାୟଣଙ୍କ ମନ୍ଦିର ନିକଟରେ ବଟକୃଷ୍ଣ ମନ୍ଦିର ବିଦ୍ୟମାନ ।

 

୧୮

ସୂର୍ଯ୍ୟଯନ୍ତ୍ର ମନ୍ଦିର :-ମୁକ୍ତି ମଣ୍ଡପର ଐଶାନ୍ୟ କୋଣରେ ସୂର୍ଯ୍ୟଯନ୍ତ୍ର ମନ୍ଦିର ଅବସ୍ଥିତ । ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ପୂଜା ବିଧିରେ ପ୍ରତ୍ୟହ ସୂର୍ଯ୍ୟଙ୍କର ଉପାସନା ସୂର୍ଯ୍ୟଯନ୍ତ୍ରରେ କରାଯାଏ । କାରଣ ଉଦୟକାଳୀନ ସୂର୍ଯ୍ୟଙ୍କର ପୂଜା ପରେ ଦେବମନ୍ଦିରର ଅନ୍ୟ ସମସ୍ତ ନୀତି ସମାହିତ ହେବା ବିଧି ରହିଆସିଛି । ସୁତରାଂ ମନ୍ଦିରର ସମସ୍ତ ନୀତି ଏହି ମନ୍ଦିର ଉପରେ ନିର୍ଭର କରିଥାଏ । ପ୍ଲଟ ନଂ-୮୭ ଉପରେ ଅବସ୍ଥିତ ଏହି ମନ୍ଦିରକୁ ମଧ୍ୟ ସୂର୍ଯ୍ୟନାରାୟଣ ମନ୍ଦିର କୁହାଯାଏ ।

 

୧୯.

ଇନ୍ଦ୍ର ମନ୍ଦିର :-ଇନ୍ଦ୍ରଙ୍କ ମନ୍ଦିର ମୁଖ୍ୟ ମନ୍ଦିରର କବାଟ ପଟେ ବିଦ୍ୟମାନ । କଥିତ ଅଛି ଯେ ପୂର୍ବେ ଓଡ଼ିଶାରେ ଇନ୍ଦ୍ରଙ୍କ ଉପାସନାପାଇଁ ମନ୍ଦିରମାନ ରହିଥିଲା । ଗଜପତି ମହାରାଜାଙ୍କର ନିର୍ଦ୍ଦେଶକ୍ରମେ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଦ୍ଵାର ରକ୍ଷକ ଭାବେ ସେ ରହିଛନ୍ତି ।

 

୨୦.

ଅନନ୍ତ ବାସୁଦେବ ମନ୍ଦିର :-ଶ୍ରୀମନ୍ଦିର କୂର୍ମବେଢ଼ାର ସୂର୍ଯ୍ୟଯନ୍ତ୍ର ମନ୍ଦିର ନିକଟରେ ପ୍ଲଟ ନଂ-୮୫ ଉପରେ ଏହି ମନ୍ଦିର ଅବସ୍ଥିତ । “ଅନନ୍ତ କେଶରୀଙ୍କ ପାଟ୍ଟଜେମା ଚନ୍ଦ୍ରିକା ପାଟମାହାଦେଈଙ୍କ ଦ୍ଵାରା ଏହି ମୂର୍ତ୍ତି ସ୍ଥାପିତ ହୋଇଥିବା କେତେକ ପ୍ରାବନ୍ଧିକ ପ୍ରକାଶ କରିଛନ୍ତି । ଏହି କ୍ଷୁଦ୍ର ବିଷ୍ଣୁ ମୂର୍ତ୍ତି ଅନନ୍ତ ନାଗ ଉପରେ ଶୟନ କରୁଥିବା ବିଗ୍ରହଙ୍କୁ ଅନନ୍ତ ବସୁଦେବ ନାମରେ ଅଭିହିତ କରାଯାଇଛି । (୧୩)

 

୨୧.

କୁତ୍ତାମଚଣ୍ଡୀ ମନ୍ଦିର :-ଅନନ୍ତ ବାସୁଦେବଙ୍କ ମନ୍ଦିର କାନ୍ଥରେ କୁତ୍ତାମଚଣ୍ଡୀଙ୍କ ବିଗ୍ରହ ରହିଅଛି-। ଶାକ୍ତ ମତରେ ତାନ୍ତ୍ରିକ ପୂଜା ପରେ ଶ୍ଵାନ ଭୈରବୀଙ୍କୁ ଚଣ୍ଡୀ ସମର୍ପଣ କରାଯିବାର ବିଧି ଥିବାରୁ ଏହି ଦେବୀ ପୂର୍ବେ ସିଂହସନର ପାର୍ଶ୍ଵଦେଶରେ ଥିଲେ ଓ ପରେ ବୈଷ୍ଣବମାନଙ୍କ ପ୍ରଭାବରେ ଏଠାକୁ ସ୍ତାନାନ୍ତରିତ ହୋଇଥିଲେ । ଏହି ଦେବୀ ଗୋଟିଏ ଶ୍ଵାନ ଉପରେ ବସି ହସ୍ତରେ ଖଣ୍ଡା ଖର୍ପର ଆଦି ଧାରଣ କରିଛନ୍ତି ।

 

୨୨.

ଦିଗପାଳ ମନ୍ଦିର :-ଏହି ମନ୍ଦିର ଅନନ୍ତବାସୁଦେବଙ୍କ ମନ୍ଦିରର ପଶ୍ଚିମ ଭାଗରେ ଅବସ୍ଥିତ । ଶ୍ରୀମନ୍ଦିର ଉପାସନାର ରକ୍ଷକ ଭାବେ ଦିଗପାଳ ରହିଛନ୍ତି । ଆମେ ଚାରୋଟି ଦିଗକୁ ଜାଣିଥାଉ, କିନ୍ତୁ ହିନ୍ଦୁ ସଂସ୍କୃତି ଅନୁଯାୟୀ ଆମର ଦଶଟି ଦିଗ । ସେଗୁଡ଼ିକ ହେଲା :-ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଆଗ୍ନେୟ, ବାୟବ୍ୟ, ଐଶାନ୍ୟ, ନୈର୍ୠତ, ଆକାଶ ଓ ପାତାଳ । ଏମାନଙ୍କ ନିର୍ଦ୍ଦେଶରେ ପ୍ରତିବଦ୍ଧକ ଭାବେ ଭଗବାନଙ୍କୁ ରଖିଥାନ୍ତି । ଏହି ଦଶଠାକୁର ଦଶ ପ୍ରକାର ନିର୍ଦ୍ଦେଶ କରିଥାନ୍ତି ।

 

୨୩.

କ୍ଷେତ୍ରପାଳ ଭୈରବ ମନ୍ଦିର :-ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ପ୍ଲଟ ନଂ-୮୪ରେ କୂର୍ମବେଢ଼ାର ଦକ୍ଷିଣ ଦିଗରେ ଦକ୍ଷିଣମୁଖ ହୋଇ ଏହି ମହାଦେବ ମନ୍ଦିର ଅବସ୍ଥିତ । କଥିତ ଅଛି ଯେ କ୍ଷେତ୍ରପାଳ ମହାଦେବ ଶ୍ରୀକ୍ଷେତ୍ରର ତଥା ଶ୍ରୀମନ୍ଦିରର ରକ୍ଷକ ଅଟନ୍ତି । “ଅନନ୍ତ ବାସୁଦେବ ମନ୍ଦିରର ଅତି ନିକଟରେ କ୍ଷେତ୍ରପାଳ ମନ୍ଦିରର କ୍ଷେତ୍ରପାଳ ଏକ କ୍ଷୁଦ୍ର ଲିଙ୍ଗରୂପେ ବିରାଜିତ ପୂର୍ବକ ଉପାସିତ ହେଉଛନ୍ତି । ଗବେଷକମାନଙ୍କ ମତରେ ଏହି ପୁରାଣ ପ୍ରସିଦ୍ଧ ଦେବତା କ୍ଷେତ୍ରପାଳଙ୍କ ମନ୍ଦିରଟି ଗଙ୍ଗବଂଶୀୟ ନରପତି ଅନଙ୍ଗଭୀମ ଦେବଙ୍କ ସମୟରେ ନିର୍ମିତ ହୋଇଥିବା ସମ୍ଭବ ମନେହୁଏ ।” (୧୪)

 

୨୪.

ମୁକ୍ତେଶ୍ଵର ମହାଦେବ ମନ୍ଦିର :-କ୍ଷେତ୍ରପାଳ ମହାଦେବଙ୍କ ମନ୍ଦିର ନିକଟରେ ମୁକ୍ତେଶ୍ଵର ମହାଦେବ ମନ୍ଦିର ଅବସ୍ଥିତ ।

 

୨୫.

ମହାବ୍ରଜେଶ୍ଵରୀ ଦେବୀ ମନ୍ଦିର:-ଶ୍ରୀଜଗନ୍ନାଥଙ୍କ ମନ୍ଦିରର ନାଟ ମଣ୍ଡପର ଦକ୍ଷିଣ ପାଖକୁ ବ୍ରଜେଶ୍ଵରୀ ବା ଇନ୍ଦ୍ରାଣୀ ମନ୍ଦିର ଅବସ୍ଥିତ । ଏ ଶ୍ରୀକ୍ଷେତ୍ରର କ୍ଷେତ୍ରପାଳ ଶିବଙ୍କ ଶକ୍ତି ସ୍ଵରୂପିଣୀ । ଡଃ ରାମଚନ୍ଦ୍ର ମିଶ୍ରଙ୍କ ମତରେ “ଏହା ଦକ୍ଷିଣାଭିମୁଖୀ ମନ୍ଦିରଟି କାମଦେବ ରାଜାଙ୍କର କୀର୍ତ୍ତି । ମନ୍ଦିରର ସିଂହାସନ ଯେପରି ବ୍ରଜେଶ୍ଵରୀ ଉପବିଷ୍ଟ ଥିବାବେଳେ ସିଂହସନର ନିମ୍ନଭାଗରେ ବଟେଶ୍ଵର ଲିଙ୍ଗ, ତାଙ୍କ ସମ୍ମୁଖରେ ଏକ ବୃଷଭ ଏବଂ ପାର୍ଶ୍ଵରେ ସିଦ୍ଧଗଣେଶ ମୂର୍ତ୍ତି ବିଦ୍ୟମାନ । ସ୍ଥାନୀୟ ଲୋକମାନଙ୍କର ପ୍ରଗାଢ଼ ବିଶ୍ଵାସ ଯେ ବର୍ଷା ହେବା ଓ ବନ୍ଦପାଇଁ ଇନ୍ଦ୍ରାଣୀଙ୍କୁ ଆରାଧନା କରାଯାଏ ।” (୧୫)

 

୨୬.

ଶ୍ରୀନୃସିଂହ ମନ୍ଦିର :-ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ପ୍ଲଟ ନଂ-୮୧ରେ ଏହି ମନ୍ଦିର ମୁକ୍ତି ମଣ୍ଡପର ପଶ୍ଚିମ ଦିଗରେ ଅବସ୍ଥିତ । ଏହାଙ୍କୁ ଯଜ୍ଞନୃସିଂହ ମୁକ୍ତନୃସିଂହ ମଧ୍ୟ କୁହାଯାଏ । ଏହି ମନ୍ଦିରଟି ବହୁ ପ୍ରାଚୀନ ମନ୍ଦିର ଅଟେ । ମୁଖ୍ୟ ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ଏହି ମନ୍ଦିର ନିର୍ମାଣ କରାଯାଇ ଦେବତାଙ୍କୁ ପ୍ରତିଷ୍ଠା କରାଯାଇଥିବା ଜଣାଯାଏ । ଅଧୁନା ଏହି ମନ୍ଦିରରେ ଗଙ୍ଗବଂଶୀୟ ରାଜାମାନଙ୍କର ଅନେକ ଶିଳାଲିପି ଖୋଦିତ ହୋଇଛି ଓ ତହିଁରେ ଜଗନ୍ନାଥଙ୍କ ସେବା ପୂଜା ଉଦ୍ଦେଶ୍ୟରେ ବିଭିନ୍ନ ଦାନ ସମ୍ପର୍କରେ ଅନେକ ପ୍ରାଚୀନ ତଥ୍ୟ ଉଲ୍ଲେଖ ରହିଛି-। ତ୍ରିବିକ୍ରମ, ଅନନ୍ତ ବସୁଦେବ ଓ ବରାହ ଏହି ମନ୍ଦିରର ପାର୍ଶ୍ଵଦେବତା ଭାବେ ପୂଜା ପାଉଛନ୍ତି-

୨୭.

ନୃତ୍ୟ ଗଣପତି ମନ୍ଦିର :-କଳାମୁଗୁନି ପଥରରେ ନିର୍ମିତ ଏହି ଗଣେଶଙ୍କ ମୂର୍ତ୍ତିଟି ରୋହିଣୀ କୁଣ୍ଡରେ ଦକ୍ଷିଣ ଦିଗରେ ଏକ ମନ୍ଦିରରେ ଅବସ୍ଥିତ । ଏହି ଗଣେଶ ହେଉଛନ୍ତି ଅଷ୍ଟଭୁଜ ଓ ସେ ମୂଷିକ ଉପରେ ନୃତ୍ୟରତ ଭଙ୍ଗୀରେ ରହିଛନ୍ତି । ମନ୍ଦିରର ଶିଳ୍ପକଳାରୁ ଏହା ଏକ ପ୍ରାଚୀନ ମନ୍ଦିର ବୋଲି ଜଣାଯାଏ । “ଏହି ଠାକୁର ବଡ଼ଦେଉଳ ତିଆରି ଅମଳରୁ ଅଛନ୍ତି ।” (୧୬) ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ଏହି ମନ୍ଦିରଟି କୂର୍ମବେଢ଼ାର ପ୍ଲଟ ନଂ-୭୯ ଉପରେ ଅବସ୍ଥିତ । ନୃତ୍ୟ କରୁଥିବାରୁ ଏହାଙ୍କୁ ନାଟୁଆ ଗଣେଶ ମଧ୍ୟ କୁହାଯାଏ ।

 

୨୮.

ଗୋଲୋକ ବିହାରୀ ମନ୍ଦିର :-ଶ୍ରୀମନ୍ଦିର କୂର୍ମବେଢ଼ାର ପୁଷ୍ପାଳକ ନିଯୋଗଠାରେ ଏହି ମନ୍ଦିର ଅବସ୍ଥିତ । ଏଠାରେ ଗୋଲୋକ ବିହାରୀ ରାଧାକୃଷ୍ଣ ପୂଜା ପାଉଛନ୍ତି ।

 

୨୯.

ବଦ୍ରିନାରାୟଣ ମନ୍ଦିର :-ନୃତ୍ୟଗଣପତି ମନ୍ଦିରର ପଶ୍ଚିମ ଦିଗରେ ଥିବା ଏହି ମନ୍ଦିରଟି ପୂର୍ବାଭିମୁଖ ହୋଇ ରହିଛି । ଏହି ମନ୍ଦିରରେ ବଦ୍ରିନାରାୟଣ ବା ଚକ୍ରନାରାୟଣ ବିଷ୍ଣୁ ପୂଜା ପାଉଛନ୍ତି ।

 

୩୦.

ବିମଳାଦେବୀଙ୍କ ମନ୍ଦିର :-ବିମଳାଦେବୀ ଶ୍ରୀମନ୍ଦିର କୂର୍ମବେଢ଼ାର ଦକ୍ଷିଣ ପଶ୍ଚିମ ନୈର୍ୠତ କୋଣରେ ଏକ ସୁଉଚ୍ଚ ମନ୍ଦିରରେ ଅବସ୍ଥାନ କରିଛନ୍ତି । ଏହି ମନ୍ଦିର ଶିଳ୍ପକଳା ଦୃଷ୍ଟିରୁ ଅତ୍ୟନ୍ତ ପ୍ରାଚୀନତମ ବୋଲି ଜଣାପଡ଼େ । ବିମଳା ହେଉଛନ୍ତି ଶ୍ରୀକ୍ଷେତ୍ରର ପୀଠେଶ୍ଵରୀ । ସେ ହସ୍ତରେ ଅକ୍ଷମାଳା, ଅମୃତ କଳସ, ନାଗକନ୍ୟା ଓ ଅଭୟ ବରମୁଦ୍ରା ଧାରଣ କରିଛନ୍ତି । ମନ୍ଦିରର ଦୁଇ ପାର୍ଶ୍ଵରେ ଛାୟା ଓ ମାୟାଙ୍କର ମୂର୍ତ୍ତି ରହିଅଛି । ତନ୍ତ୍ରଚୁଡ଼ାମଣି ଗ୍ରନ୍ଥାନୁଯାୟୀ ଭାରତର ୫୧ଟି ପୀଠ ମଧ୍ୟରୁ ଏହି କ୍ଷେତ୍ରଟି ଦଶମକ୍ଷେତ୍ରରୂପେ ପରିଚିତ । ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ପ୍ଲଟ ନଂ-୭୨ ଉପରେ ଏହି ମନ୍ଦିର ଅବସ୍ଥିତ ।

 

୩୧.

ବେଣୁମାଧବ ମନ୍ଦିର:-ବିମଳାଦେବୀଙ୍କ ମନ୍ଦିର ନିକଟରେ ବେଣୁମାଧବ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ମଧ୍ୟରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ସୁଭଦ୍ରା ଓ ରାଧାକୃଷ୍ଣ ପୂଜା ପାଉଛନ୍ତି ।

 

୩୨.

ଯୋଗେଶ୍ଵର ମନ୍ଦିର :-ବେଣୁମାଧବ ମନ୍ଦିରକୁ ଲାଗି ଯୋଗେଶ୍ଵର ମହାଦେବ ମନ୍ଦିର ଅବସ୍ଥିତ । ଏହି ମନ୍ଦିରକୁ ମଧ୍ୟ ମଣ୍ଡଣି ଘର ବୋଲି କୁହାଯାଇଥାଏ । ଏହି ମନ୍ଦିର ମଧ୍ୟରେ ଅନେକ ସାନବଡ଼ ମୂର୍ତ୍ତିମାନ ରହିଅଛି । ସେମାନେ ହେଉଛନ୍ତି:-ନନ୍ଦ-ଯଶୋଦା, ବସୁଦେବ-ଦେବକୀ, ଦମ, ସୁଦାମ, ରାମ, ଲକ୍ଷ୍ମଣ, ବଳରାମ, ଗୋପାଳ, ନୃସିଂହ, ଗୋମାତା ଓ ଗୋବତ୍ସା । ଏହି ମନ୍ଦିରରେ ଉଭୟ ଶୈବ ଓ ବୈଷ୍ଣବମାନେ ଏକତ୍ର ଯୋଗେଶ୍ଵରଙ୍କୁ ମହାଶିବ ଓ ମହାବିଷ୍ଣୁ ନାମରେ ପୂଜା କରନ୍ତି ।

 

୩୩.

ସାକ୍ଷୀଗୋପାଳ ମନ୍ଦିର :-ମଣ୍ଡଣିଘର ନିକଟରେ ପୂର୍ବାଭିମୁଖ ହୋଇ ସାକ୍ଷୀଗୋପାଳ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ରାଧାକୃଷ୍ଣ ପୂଜା ପାଉଛନ୍ତି । କଥିତ ଅଛି ଯେ ଗଜପତି ପୁରୁଷୋତ୍ତମଦେବ ଜଗନ୍ନାଥ ଓ ବଳଭଦ୍ରଙ୍କ ସହାୟତାରେ କାଞ୍ଚିରାଜ୍ୟ ଜୟ କରି ସାକ୍ଷୀଗୋପାଳ ମୂର୍ତ୍ତିଙ୍କୁ ଶ୍ରୀକ୍ଷେତ୍ରକୁ ନେଇଆସିଥିଲେ । ପରବର୍ତ୍ତୀ ସମୟରେ ଏହି ସାକ୍ଷୀଗୋପାଳଙ୍କୁ ସାକ୍ଷୀଗୋପାଳ ସତ୍ୟବାଦୀକୁ ନିଆଯାଇଥିଲା । ଶ୍ରୀମନ୍ଦିରର ପ୍ଲଟ ନଂ-୬୬ ଉପରେ ଏହା ଅବସ୍ଥିତ ।

 

୩୪.

ଭଣ୍ଡଗଣେଶ ମନ୍ଦିର :-ଶ୍ରୀମନ୍ଦିର କୂର୍ମପ୍ରାଚୀରର ପଶ୍ଚିମ ଦ୍ଵାରର ଦକ୍ଷିଣ ଭାଗରେ ଭଣ୍ଡଗଣେଶଙ୍କ ମନ୍ଦିର ଅବସ୍ଥିତ । କଳାମୁଗୁନି ପଥରରେ ନିର୍ମିତ ଏହି ଗଣେଶ ଚତୁର୍ଭୁଜ । ସୁଶକ୍ତି ସହିତ ନବଦ୍ଵାର ରୋଧକରି ସମାଧି ଅବସ୍ଥାରେ ଅଛନ୍ତି । ଶକ୍ତିଙ୍କ ଭାଗରେ ଶୁଣ୍ଢ ଭରି ହୋଇ ରହିଥିବା ଯୋଗୁଁ ଲୋକେ ଏହି ମୂର୍ତ୍ତିଙ୍କୁ ଭଣ୍ଡ ଗଣେଶ କହନ୍ତି । ସୂର୍ଯ୍ୟବଂଶର ରାଜା ପୁରୁଷୋତ୍ତମ ଦେବ କାଞ୍ଚିରୁ ଏହି ମୂର୍ତ୍ତିକୁ ଆଣିଥିବାରୁ ଏହାଙ୍କୁ କାଞ୍ଚି ଗଣେଶ ମଧ୍ୟ କୁହାଯାଏ-। କେହି କେହି କୁହନ୍ତି କାଞ୍ଚି ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରିବାପରେ ଏହା ହେଉଛି ଗଜପତିଙ୍କର ବିଜୟ ପ୍ରତୀକ । ଏତଦ୍‌ବ୍ୟତୀତ ଏହି ଗଣେଶଙ୍କୁ ନାଟୁଆ ଗଣେଶ ବା କାମଦା ଗଣେଶ ବୋଲି ମଧ୍ୟ କହିଥାନ୍ତି । ଶ୍ରୀମନ୍ଦିରର ସ୍ଵତ୍ଵଲିପି ଅନୁଯାୟୀ ଏହି ମନ୍ଦିରଟି ପ୍ଲଟ ନଂ-୬୫ ଉପରେ ଅବସ୍ଥିତ ।

 

୩୫.

ଶ୍ରୀଗୋପୀନାଥ ମନ୍ଦିର :-ଗୋପୀନାଥ ମନ୍ଦିର କୂର୍ମବେଢ଼ା ମଧ୍ୟରେ ପଶ୍ଚିମ ଦ୍ଵାରର ବାମ ପାର୍ଶ୍ଵରେ ଅବସ୍ଥିତ । ସୁକିନ୍ଦା ରାଣୀଙ୍କ ଦାୟିତ୍ଵରେ ଥିବା ଏକ ଭଗ୍ନ ମନ୍ଦିରରେ ଗୋପୀନାଥ କୃଷ୍ଣ ପୂଜା ପାଉଛନ୍ତି ।

 

୩୬.

କ୍ଷୀରଚୋରା ଗୋପୀନାଥ ମନ୍ଦିର :-କାଞ୍ଚିଗଣେଶ ମନ୍ଦିର ନିକଟରେ ପଶ୍ଚିମ ଦ୍ଵାରର ଅପର ପାର୍ଶ୍ଵରେ ଏହି ମନ୍ଦିର ଅବସ୍ଥିତ । କ୍ଷୀର ଚୋରିକରି ଏହି ଗୋପୀନାଥ ଖାଇ ଧରାପଡ଼ିଥିବାରୁ ଏହାଙ୍କ ନାମ କ୍ଷୀରଚୋରା ଗୋପୀନାଥ ହୋଇଛି । ବାଲେଶ୍ଵରର ରେମୁଣାସ୍ଥିତ କ୍ଷୀରଚୋରା ଗୋପୀନାଥଙ୍କ ସହିତ ଏହାଙ୍କର ସାମ୍ୟ ରହିଅଛି ।

 

୩୭.

ଭୁବନେଶ୍ଵରୀ ମନ୍ଦିର :-ଏହି ମନ୍ଦିରଟି କୂର୍ମବେଢ଼ାର ଗୋପୀନାଥଙ୍କ ମନ୍ଦିର ପାର୍ଶ୍ଵରେ ପୂର୍ବମୁଖ ହୋଇ ରହିଅଛି । ଏହି ମନ୍ଦିରରେ ଭୁବନେଶ୍ଵରୀ, କମଳା, ସତ୍ୟଭାମା, ସରସ୍ଵତୀ, ଗାୟତ୍ରୀ, ସାବିତ୍ରୀ ଇତ୍ୟାଦି ଦେବୀ ପୂଜା ପାଉଥିବାରୁ ଏହାକୁ ପଞ୍ଚଶକ୍ତି ମନ୍ଦିର ମଧ୍ୟ କୁହାଯାଏ । ଭୁବନେଶ୍ଵରୀ ଦେବୀ ହସ୍ତରେ ପାଶ, ଅଙ୍କୁଶ, ବରଦ ଓ ଅଭୟ ମୁଦ୍ରା ଧାରଣ କରିଛନ୍ତି । ଏହି ମନ୍ଦିରରେ ବସନ୍ତ ପଞ୍ଚମୀ ଦିନ ସରସ୍ଵତୀକ, ସାବିତ୍ରୀବ୍ରତ ଦିନ ସାବିତ୍ରୀଙ୍କ ଓ ଷଷ୍ଠୀ ଓଷା ଦିନ ଷଷ୍ଠୀଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ ।

 

୩୮.

ନୀଳମାଧବ ମନ୍ଦିର :-ନୀଳମାଧବ ମନ୍ଦିର ଶ୍ରୀମନ୍ଦିର ମଧ୍ୟରେ ଥିବା ଭୁବନେଶ୍ଵରୀ ଦେବୀଙ୍କ ମନ୍ଦିର ନିକଟରେ ଅବସ୍ଥିତ । ଏଥିରେ ନୀଳମାଧବଙ୍କ ସହିତ ଜଗନ୍ନାଥ ଓ ବଂଶୀଧର କୃଷ୍ଣ ପୂଜାପାଉଛନ୍ତି । କଥିତ ଅଛି ଯେ ପ୍ରଥମେ ଏହାଙ୍କୁ ଶବର ରାଜା ବିଶ୍ଵାବସୁ ଏହି ସ୍ଥାନରେ ରଖି ପୂଜା କରୁଥିଲେ । ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ଏହି ମନ୍ଦିରଟି ପ୍ଲଟ ନଂ-୫୭ରେ ଅବସ୍ଥିତ ।

 

୩୯.

ଭଦ୍ରାକାଳୀ ମନ୍ଦିର :-ଏହି ମନ୍ଦିରଟି ନୀଳମାଧବଙ୍କ ମନ୍ଦିର ନିକଟରେ ଅବସ୍ଥିତ । ଖଡ଼୍‌ଗଖର୍ପରଧାରିଣୀ ଏହି କାଳୀଙ୍କୁ ଯନ୍ତ୍ରକାଳୀ, ଭଦ୍ରାକାଳୀ ଓ ବେଢ଼ାକାଳୀ ବୋଲି କୁହାଯାଇଥାଏ । ଏହି କାଳୀ ମୂର୍ତ୍ତି ଅତ୍ୟନ୍ତ ଭୟଙ୍କର ହୋଇଥିବାରୁ କେହି କେହି ଏହାଙ୍କୁ ମନ୍ଦିର ରକ୍ଷକ ବୋଲି କହିଥାନ୍ତି । ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ପ୍ଲଟ ନଂ-୫୬ ଉପରେ ଏହି ମନ୍ଦିର ଅବସ୍ଥିତ ।

 

୪୦.

ଶ୍ରୀଲକ୍ଷ୍ମୀନାରାୟଣ ମନ୍ଦିର :-ବେଢ଼ାକାଳୀଙ୍କ ମନ୍ଦିର ପାଖକୁ ଲାଗି ଏହି ଲକ୍ଷ୍ମୀନାରାୟଣ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ସ୍ଵୟଂ ଭଗବାନ୍ ବିଷ୍ଣୁ ଓ ଲକ୍ଷ୍ମୀଦେବୀ ପୂଜା ପାଉଛନ୍ତି । ବିଗ୍ରହଟି ଶ୍ଵେତ ମୁଗୁନି ପଥରରେ ନିର୍ମିତ । ମନ୍ଦିରର ସମ୍ମୁଖଭାଗରେ ସିଂହର ମୂର୍ତ୍ତି ଦଣ୍ଡାୟମାନ ।

 

୪୧.

ଶ୍ରୀମହାଲକ୍ଷ୍ମୀ ମନ୍ଦିର :-ଶ୍ରୀମନ୍ଦିରର ଉତ୍ତର-ପଶ୍ଚିମ ବାୟବ୍ୟ କୋଣରେ ଶ୍ରୀମହାଲକ୍ଷ୍ମୀ ମନ୍ଦିର ଅବସ୍ଥିତ । ମୁଖ୍ୟ ମନ୍ଦିର ସହିତ ଏହି ମନ୍ଦିରକୁ ଚୋଡ଼ଗଙ୍ଗଦେବ ନିର୍ମାଣ କରିଥିବା ଜଣାଯାଏ । ଏହି ମନ୍ଦିରର ଦ୍ଵାର ଦେଶରେ ଲକ୍ଷ୍ମୀ ନୃସିଂହଙ୍କ ବିଗ୍ରହ ରହିଅଛି । ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ଏହି ମନ୍ଦିର ପ୍ଲଟ ନଂ-୫୫ ଉପରେ ଅବସ୍ଥିତ ।

 

୪୨.

ନବଗ୍ରହ ମନ୍ଦିର :-ମହାଲକ୍ଷ୍ମୀ ମନ୍ଦିରର ଉତ୍ତର ପାର୍ଶ୍ଵରେ ଦକ୍ଷିଣମୁଖ ହୋଇ ନବଗ୍ରହ ମନ୍ଦିର ରହିଅଛି । ଏହି ମନ୍ଦିରରେ ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ଗୁରୁ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁଙ୍କର ମୂର୍ତ୍ତିମାନ ପୂଜା ପାଉଅଛି । ଏତଦ୍‌ବ୍ୟତୀତ ମନ୍ଦିରରେ ସମଲେଶ୍ଵରୀ, ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ଆଦି ପୂଜା ପାଉଛନ୍ତି । ମନୁଷ୍ୟମାନଙ୍କର ବିଭିନ୍ନ ଗ୍ରହଶାନ୍ତି କରିବା ନିମନ୍ତେ ଏହି ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥାଏ ।

 

୪୩.

ଲକ୍ଷ୍ମୀନାରାୟଣ ମନ୍ଦିର :-ନବଗ୍ରହ ମନ୍ଦିର ଆଗକୁ ଲକ୍ଷ୍ମୀନାରାୟଣଙ୍କ ମନ୍ଦିର ଅବସ୍ଥିତ । ଏଥିରେ ରାଧାବଲ୍ଲଭ ଓ ଲକ୍ଷ୍ମୀନାରାୟଣ ପୂଜା ପାଉଛନ୍ତି ।

 

୪୪.

ଶ୍ରୀସୂର୍ଯ୍ୟନାରାୟଣ ମନ୍ଦିର :-ଶ୍ରୀମନ୍ଦିରର କୂର୍ମବେଢ଼ାରେ ଉତ୍ତର ଦ୍ଵାରରେ ସୂର୍ଯ୍ୟନାରାୟଣଙ୍କ ମନ୍ଦିରଟି ପୂର୍ବମୁଖ ହୋଇ ରହିଅଛି । ଏହି ମନ୍ଦିରରେ ସପ୍ତାଶ୍ଵ ସଜ୍ଜିତ ସୂର୍ଯ୍ୟନାରାୟଣଙ୍କ ମୂର୍ତ୍ତି ପୂଜା ପାଉଛନ୍ତି । ରାଜା ନରସିଂହ ଦେବ ୧୬୨୨-୪୭ ମସିହା ମଧ୍ୟରେ ଏହି ମୂର୍ତ୍ତିଙ୍କୁ କୋଣାର୍କରୁ ଆଣି ଏଠାରେ ପ୍ରତିଷ୍ଠା କରିଥିଲେ ବୋଲି ମାଦଳାପାଞ୍ଜିରେ ଉଲ୍ଲେଖ ଅଛି । ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ଏହି ମନ୍ଦିର ପ୍ଲଟ ନଂ-୪୫ ଉପରେ ଅବସ୍ଥିତ ।

 

୪୫.

ଶ୍ରୀଦଧିବାମନ ମନ୍ଦିର :-କୂର୍ମବେଢ଼ାର ଉତ୍ତର ଦିଗରେ ସୂର୍ଯ୍ୟନାରାୟଣ ମନ୍ଦିରକୁ ଲାଗି ପୂର୍ବାଭିମୁଖ ହୋଇ ଏହି ମନ୍ଦିର ଅବସ୍ଥିତ । ଦଧିବାମନରୂପୀ ଶ୍ରୀକୃଷ୍ଣ ଏହି ଭଗ୍ନ ମନ୍ଦିରରେ ପୂଜା ପାଉଛନ୍ତି ।

 

୪୬.

ଶ୍ରୀରାମଚନ୍ଦ୍ର ମନ୍ଦିର :-ଶ୍ରୀରାମଚନ୍ଦ୍ର ମନ୍ଦିରଟି ଦଧିବାମନ ମନ୍ଦିର ନିକଟରେ ଅବସ୍ଥିତ । ଏହି ମନ୍ଦିରରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ପ୍ରଭୃତିଙ୍କ ବିଗ୍ରହ ପୂଜା ପାଉଛନ୍ତି ।

 

୪୭.

କାଳନ୍ଦୀଶ୍ଵର ମନ୍ଦିର :-ରାମଚନ୍ଦ୍ର ମନ୍ଦିରର ଉତ୍ତର ଦିଗରେ କୂର୍ମବେଢ଼ାକୁ ଲାଗି କାଳନ୍ଦୀଶ୍ଵର ମହାଦେବ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ମହାଦେବ ଶିବ ପୂଜା ପାଉଛନ୍ତି । ଏହାଙ୍କୁ ମଧ୍ୟ ତାଣ୍ଡବେଶ୍ଵର ମହାଦେବ ବୋଲି କୁହାଯାଇଥାଏ ।

 

୪୮.

ଚିତ୍ରଗଣେଶ ମନ୍ଦିର :-କାଳନ୍ଦୀଶ୍ଵର ମନ୍ଦିରର ବାମ ପାର୍ଶ୍ଵରେ ଚିତ୍ର ଗଣେଶ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ବିଘ୍ନନାଶ ଗଣେଶ ପୂଜା ପାଉଛନ୍ତି ।

 

୪୯.

ପାତାଳେଶ୍ଵର ମନ୍ଦିର :-କୂର୍ମପ୍ରାଚୀରର ଉତ୍ତରଦ୍ଵାର ନିକଟରେ ପଶ୍ଚିମ ଭାଗକୁ ପାତାଳେଶ୍ଵର ମହାଦେବ ମନ୍ଦିର ଅବସ୍ଥିତ । ଏହି ମନ୍ଦିରଟି ଅଧେ ପୋତା ହେଲାପରି ବାହାରକୁ ଦିଶୁଛି । ଗହ୍ୱର ଭିତରେ ଶିବଲିଙ୍ଗ ପୂଜା ପାଉଛନ୍ତି । ଲିଙ୍ଗଙ୍କଠାକୁ ଯିବାପାଇଁ ପାବଚ୍ଛଶ୍ରେଣୀ ଅଛି । ପୂର୍ବ ଆଡ଼କୁ ଦ୍ଵାର ଅଛି । ଏହି ଶିବଲିଙ୍ଗ ଗହ୍ୱର ଭିତରେ କୂର୍ମବେଢ଼ା ଚଟାଣଠାରୁ ପ୍ରାୟ କୋଡ଼ିଏ ଫୁଟ୍ ତଳକୁ ଅଛନ୍ତି । ବିମାନର ଏକ ଦ୍ଵାର ଅଛି । ଏହି ଦ୍ଵାର କାନ୍ଥର ଉଭୟ ପଟରେ କେତୋଟି ପ୍ରାଚୀନ ଶିଳାଲିପି ଅଛି । (୧୭) ଏହି ଶିଳାଲେଖରୁ ରାଜା ଅନଙ୍ଗଭୀମ ଦେବ ଏହାକୁ ନିର୍ମାଣ କରିଥିବା ଜଣାଯାଏ ।

 

୫୦.

ନାରାୟଣ ମନ୍ଦିର :-ପାତାଳେଶ୍ଵରଙ୍କ ମନ୍ଦିରର ସମ୍ମୁଖ ଭାଗରେ କୂର୍ମବେଢ଼ାକୁ ଲାଗି ଶ୍ରୀନାରାୟଣ ମନ୍ଦିର ଅବସ୍ଥିତ । ଏଥିରେ ନାରାୟଣରୂପୀ ବିଷ୍ଣୁ ସତ୍ୟନାରାୟଣଙ୍କ ନାମରେ ପୂଜା ପାଉଛନ୍ତି ।

 

୫୧.

ପାଦପଦ୍ମ ମନ୍ଦିର :-କୂର୍ମବେଢ଼ାର ଉତ୍ତର ପଟେ ଗୋଟିଏ ଛୋଟ ମନ୍ଦିରରେ ଶ୍ରୀଚୈତନ୍ୟଙ୍କର ପାଦଚିହ୍ନକୁ ପୂଜା କରାଯାଉଛି । ଚୈତନ୍ୟ ଦେବ ଗରୁଡ଼ ସ୍ତମ୍ଭର ପଛରେ ଛିଡ଼ା ହୋଇ ଶ୍ରୀଜଗନ୍ନାଥଙ୍କୁ ପ୍ରେମଭକ୍ତି ସହକାରେ ଦର୍ଶନ କରିବାବେଳେ, ସେ ଛିଡ଼ା ହୋଇଥିବା ଏହି ପଥରଟି ତରଳିଯାଇ ଅଙ୍କିତ ହୋଇଗଲା । ପରବର୍ତ୍ତୀ କାଳରେ ଗୌଡ଼ୀୟ ବୈଷ୍ଣବ ଭକ୍ତମାନେ ସେହି ପଥରଟିକୁ ଏହି ସ୍ଥାନରେ ସ୍ଥାପନ କରି ପୂଜାର୍ଚ୍ଚନା କରୁଛନ୍ତି ।

 

୫୨.

ଶ୍ରୀରାଧାକୃଷ୍ଣ ମନ୍ଦିର :-ଏହି ମନ୍ଦିରଟି ଶ୍ରୀମନ୍ଦିର କାର୍ଯ୍ୟାଳୟର ସମ୍ମୁଖରେ ଭୋଗ ମଣ୍ଡପ କଡ଼ରେ ସାତପାହାଚ ଦ୍ଵାରର ପୂର୍ବ ଦିଗରେ ଅବସ୍ଥିତ । ଏହି ମନ୍ଦିରରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ପୂଜା ପାଉଛନ୍ତି ।

 

୫୩.

ବଳିବାମନ ମନ୍ଦିର :-ଶ୍ରୀମନ୍ଦିରରେ ଥିବା ପାଦୁକ କୁଣ୍ଡର ଉପରିଭାଗରେ ଏକ କ୍ଷୁଦ୍ର ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ବଳିବାମନ ମୂର୍ତ୍ତି ପୂଜା ପାଉଛନ୍ତି ।

 

୫୪.

ଶ୍ରୀନିଶା ନୃସିଂହ ମନ୍ଦିର :-ଶ୍ରୀମନ୍ଦିରର ପଶ୍ଚିମ ଦ୍ଵାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କଲେ ମୁଖ୍ୟ ମନ୍ଦିର ପଶ୍ଚିମପଟ ଉପରେ ଏକ ସୁନ୍ଦର କାରୁକାର୍ଯ୍ୟ ଖଚିତ ମନ୍ଦିର ରହିଅଛି । ଏହି ମନ୍ଦିରରେ ଗୋଟିଏ ପଥରରେ ନିର୍ମିତ ସୁନ୍ଦର ନୃସିଂହ ମୂର୍ତ୍ତି ପୂଜା ପାଉଛନ୍ତି ।

 

୫୫.

ଏକାଦଶୀ ମନ୍ଦିର :-ଶ୍ରୀମନ୍ଦିରରେ ଥିବା ସାକ୍ଷୀଗୋପାଳ ମନ୍ଦିରର ସମ୍ମୁଖରେ ଓ ମୁଖ୍ୟ ମନ୍ଦିରର ଦକ୍ଷିଣ-ପଶ୍ଚିମ କୋଣରେ ଏହି ମନ୍ଦିର ଅବସ୍ଥିତ । କଥିତ ଅଛି ଯେ, ଜଗନ୍ନାଥ ଏଠାରେ ଏକାଦଶୀ ଦେବୀଙ୍କୁ ବାନ୍ଧି ରଖିଥିବାରୁ ଏହି କ୍ଷେତ୍ରରେ କେହି ଉପବାସ ନ ରହି (ଅର୍ଥାତ୍ ମହାପ୍ରସାଦ ଖାଇ) ଏକାଦଶୀ ବ୍ରତ ପାଳନ କରିବାର ବିଧି ରହିଛି ।

 

୫୬.

ଶୁଆସାରୀ ମନ୍ଦିର :-ଶ୍ରୀମନ୍ଦିର ଭିତର ବେଢ଼ା ପୂର୍ବ ଭାଗରେ ପଶ୍ଚିମ ମୁଖ ହୋଇ ଏହି ମନ୍ଦିର ଅବସ୍ଥିତ । ଏଥିରେ ଶ୍ରୀରାମଚନ୍ଦ୍ର ଓ ଶ୍ରୀରାଧାକୃଷ୍ଣ ବିଗ୍ରହ ପୂଜା ପାଉଛନ୍ତି । ଏକ ସ୍ଥାନରେ ଦୁଇ ଅବତାରୀ ବିଗ୍ରହଙ୍କର ପୂଜା ହେବା ଏହି ମନ୍ଦିରର ବିଶେଷତ୍ଵ ଅଟେ ।

 

୫୭.

ଶ୍ରୀଚୈତନ୍ୟ ମନ୍ଦିର :-ଶୁଆସାରୀ ଦେଉଳର ଦକ୍ଷିଣ ଭାଗରେ ଶ୍ରୀଚୈତନ୍ୟଙ୍କ ମନ୍ଦିର ଅବସ୍ଥିତ । କଥିତ ଅଛି ଶ୍ରୀଚୈତନ୍ୟ ମହାପ୍ରଭୁ ଶ୍ରୀମନ୍ଦିରରେ ପ୍ରବେଶ କରି କୂର୍ମବେଢ଼ାର ଏହିଠାରୁ ସଂକୀର୍ତ୍ତନ ଆରମ୍ଭ କରିଥିବାରୁ ତାଙ୍କ ସ୍ମୃତିର ନିଦର୍ଶନସ୍ଵରୂପ ଏଠାରେ ତାଙ୍କର ମନ୍ଦିର ନିର୍ମିତ ହୋଇଥିଲା । ଗଜପତି ପ୍ରତାପରୁଦ୍ର ଦେବ ଏହି ମନ୍ଦିର ନିର୍ମାଣ କରି ଏଠାରେ ଦେବ ବିଗ୍ରହ ଚୈତନ୍ୟଙ୍କୁ ପ୍ରତିଷ୍ଠା କରିଥିବା ଜଣାଯାଏ ।

 

୫୮.

ଚକାଗୋପାଳ ମନ୍ଦିର :-ଶ୍ରୀଚୈତନ୍ୟଙ୍କ ପାର୍ଶ୍ଵରେ ଚକାଗୋପାଳ ମନ୍ଦିର ବିଦ୍ୟମାନ । ଏହି ମନ୍ଦିରରେ ନିତ୍ୟ ଗୋପାଳ ସହସ୍ରନାମ ପାଠ କରାଯାଏ ।

 

୫୯.

ତ୍ରେତୟା ଦେବଙ୍କ ମନ୍ଦିର :-ଚକାଗୋପାଳ ମନ୍ଦିର ପାର୍ଶ୍ଵରେ ତ୍ରେତୟା ଦେବଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ସୁଭଦ୍ରା ଦେବୀଙ୍କ ମୂର୍ତ୍ତି ପୂଜା ପାଉଛନ୍ତି ।

 

୬୦.

ସୀତାରଘୁନାଥ ମନ୍ଦିର :-ଚକାଗୋପାଳ ମନ୍ଦିର ନିକଟରେ ସୀତାରଘୁନାଥ ମନ୍ଦିର ବିଦ୍ୟମାନ-। ଏହି ମନ୍ଦିର ମଧ୍ୟରେ ଶ୍ରୀରାମଚନ୍ଦ୍ର ଓ ସୀତାଦେବୀ ପୂଜା ପାଉଛନ୍ତି ।

 

୬୧.

ଶିଖରନିଶା ମନ୍ଦିର :-ଶ୍ରୀମନ୍ଦିରର ତିନି ଦିଗରେ ପାର୍ଶ୍ଵ ଦେବତାଙ୍କ ମୂର୍ତ୍ତି ରହିଅଛି । ସେହି ମୂର୍ତ୍ତିଗୁଡ଼ିକ କଳାମୁଗୁନି ପଥରରେ ନିର୍ମିତ । ଦକ୍ଷିଣ ପଟେ ଶ୍ରୀବରାହ, ପଶ୍ଚିମ ପାଖରେ ନୃସିଂହ ଓ ଉତ୍ତର ପାର୍ଶ୍ଵରେ ତ୍ରିବିକ୍ରମଙ୍କ ମୂର୍ତ୍ତି ଶ୍ରୀମନ୍ଦିରକୁ ଲାଗି ରହିଛି ।

 

ଶ୍ରୀମନ୍ଦିରର ବାହାର ବେଢ଼ା ମଧ୍ୟସ୍ଥ ମନ୍ଦିର :

ସେହିପରି ଶ୍ରୀମନ୍ଦିରର “ଭିତର ବେଢ଼ା” ପରି “ବାହାର ବେଢ଼ା”ରେ ମଧ୍ୟ ବହୁ ମନ୍ଦିର ସମ୍ପ୍ରତି ଗଢ଼ି ଉଠିଥିବାର ଲକ୍ଷ୍ୟ କରାଯାଇପାରେ । ବର୍ତ୍ତମାନ ସେସବୁର ପରିଚୟାତ୍ମକ ବିବରଣୀ ପ୍ରଦାନ କରୁଅଛୁ ।

 

୧.

ଫତେ ହନୁମାନ ମନ୍ଦିର :-ଶ୍ରୀମନ୍ଦିରର ସିଂହଦ୍ଵାର ଗୁମୁଟ ମଧ୍ୟରେ ପ୍ରବେଶ କଲାବେଳେ ବାମଭାଗରେ ଫତେହନୁମାନ ପୂଜା ପାଉଛନ୍ତି । ଏହି ମହାବୀରଙ୍କ ବିଭିନ୍ନ ଯାନିଯାତ୍ରା ଉତ୍ସବ ଆଦି ପାଳିତ ହୋଇଥାଏ ।

 

୨.

ଶ୍ରୀନୃସିଂହ ମନ୍ଦିର :-ଫତେହନୁମାନଙ୍କ ସମ୍ମୁଖ ଭାଗରେ ତଥା ଗୁମୁଟର ପ୍ରବେଶ ଦ୍ଵାରର ଡାହାଣ ପଟେ ନୃସିଂହଙ୍କ ମୂର୍ତ୍ତି ପୂଜା କରାଯାଉଛି । ଏହି ନୃସିଂହଙ୍କ ବାଇଶି ଗୋଟି ହାତ ଥିବାରୁ ଏହାଙ୍କୁ “ହାତେ ଦେଉଳରେ ବାଇଶି ହାତ ଦିଅଁ” ବୋଲି କୁହାଯାଏ ।

 

୩.

ସୁଗ୍ରୀବ ମନ୍ଦିର :-ନୃସିଂହ ଠାକୁରଙ୍କ ବିଗ୍ରହ ପାଖକୁ ସୁଗ୍ରୀବଙ୍କ ବିଗ୍ରହ ପୂଜା ପାଉଛନ୍ତି । ଏହି ଠାକୁର ମଧ୍ୟ ସିଂହଦ୍ଵାରର ଗୁମୁଟ ମଧ୍ୟରେ ଅବସ୍ଥିତ ।

 

୪.

କାଶୀବିଶ୍ଵନାଥ ମନ୍ଦିର :-କାଶୀବିଶ୍ୱନାଥ ମନ୍ଦିର ସିଂହଦ୍ୱାରର ବାଇଶପାହାଚ ଉପରେ ବାମ ପାର୍ଶ୍ଵରେ ବା ଦକ୍ଷିଣ ଦିଗରେ ଅବସ୍ଥିତ । ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ପ୍ଲଟ ନଂ-୧୬୪ ଉପରେ ଥିବା ଏହି ମନ୍ଦିରଟି ପଶ୍ଚିମ ମୁଖ ହୋଇ ରହିଛି । କଥିତ ଅଛି ଯେ ଭକ୍ତର ମନବାଞ୍ଛା ପୂରଣ କରିବା ନିମନ୍ତେ କାଶୀର ବିଶ୍ଵନାଥ ଏଠାରେ ଆବିର୍ଭାବ ହୋଇଥିଲେ । ତେଣୁ ଭକ୍ତମାନେ ମନ୍ଦିର ଭିତରକୁ ଗଲାବେଳେ ପ୍ରଥମେ ଏହି ମହାଦେବଙ୍କୁ ଦର୍ଶନ କରି ଯାଇଥା’ନ୍ତି ।

 

୫.

ଶ୍ରୀରାମଚନ୍ଦ୍ର ମନ୍ଦିର :-ଶ୍ରୀରାମଚନ୍ଦ୍ର ମନ୍ଦିରଟି କାଶୀବିଶ୍ଵନାଥଙ୍କ ମନ୍ଦିର ନିକଟରେ ଅବସ୍ଥିତ-। ଉତ୍ତର ମୁଖ ହୋଇ ଏହି ମନ୍ଦିରଟି ରହିଅଛି । ଏହି ମନ୍ଦିରରେ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ, ସୀତା ଠାକୁରାଣୀ ଓ ଭକ୍ତ ହନୁମାନ ପୂଜା ପାଉଛନ୍ତି । ଏତଦ୍‌ବ୍ୟତୀତ ଏହି ମନ୍ଦିରକୁ ଲାଗି ଆଉ ଏକ ଛୋଟ ମନ୍ଦିରରେ ଗଣେଶ ଓ ନୃସିଂହ ପୂଜା ପାଉଛନ୍ତି । ରାମଚନ୍ଦ୍ର ମନ୍ଦିର ପାଖରେ ସର୍ବଦା ରାମଚରିତ ମାନସ ପାଠ କରାଯାଏ ।

 

୬.

ମହାବୀର ମନ୍ଦିର :-ଶ୍ରୀମନ୍ଦିରର ଦକ୍ଷିଣ ଦ୍ଵାରର ଭିତରକୁ ଯିବା ରାସ୍ତାରେ ଏକ ଜୀର୍ଣ୍ଣ ମନ୍ଦିରରେ ମହାବୀର ହନୁମାନ ପୂଜା ପାଉଛନ୍ତି ।

 

୭.

ଶ୍ରୀରାମଚନ୍ଦ୍ର ମନ୍ଦିର :-ଶ୍ରୀମନ୍ଦିର ବାହାର ବେଢ଼ାରେ ଦକ୍ଷିଣ ଦ୍ଵାର ମୁଣ୍ଡରେ ଶ୍ରୀରାମଚନ୍ଦ୍ର ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ଶ୍ରୀରାମ, ଲକ୍ଷ୍ମଣ, ସୀତା, ବାଳି, ସୁଗ୍ରୀବ ପ୍ରଭୃତି ପରିଷଦବର୍ଗ ପୂଜା ପାଉଛନ୍ତି । ମନ୍ଦିରର ଉପରିଭାଗରେ ସିମେଣ୍ଟରେ ତିଆରି ଏକ ବିରାଟ ସଂପାତି ପକ୍ଷୀ ରହିଅଛି । ଏହି ଚଢ଼େଇର ଦୁଇ ଡେଣାରେ ଅଷ୍ଟମଲ୍ଲ ବସିଛନ୍ତି ।

 

୮.

ଷଡ଼ଭୁଜ ଗୌରାଙ୍ଗ ମନ୍ଦିର :-ନୃସିଂହ ମନ୍ଦିର ତଥା ରାମଚନ୍ଦ୍ର ମନ୍ଦିରକୁ ଲାଗି ଷଡ଼ଭୁଜ ଗୌରାଙ୍ଗ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ଶ୍ରୀଚୈତନ୍ୟ ‘ଛ’ ହାତ ଟେକି ଛିଡ଼ା ହୋଇଛନ୍ତି । ଷଡ଼ଭୁଜ ଗୌରାଙ୍ଗ ଦୁଇ ଭୁଜରେ ରାମଚନ୍ଦ୍ରଙ୍କ ପରି ଧନୁ ଓ ଶର, ଆଉ ଦୁଇ ହାତରେ ଶ୍ରୀକୃଷ୍ଣଙ୍କ ସଦୃଶ ବଂଶୀ ଓ ଶେଷ ଦୁଇ ଭୁଜରେ ଚୈତନ୍ୟଙ୍କ ପରି ଦଣ୍ଡ ଓ କମଣ୍ଡଳୁକୁ ଧାରଣ କରିଛନ୍ତି । ଏହି ଗୌରାଙ୍ଗ ପଶ୍ଚିମାଭିମୁଖ ହୋଇ ରହିଛନ୍ତି । ଏ ମନ୍ଦିରରେ ଏହାଙ୍କ ବ୍ୟତୀତ ନିତ୍ୟାନନ୍ଦ ଓ ଅଦ୍ଵୈତ ପୂଜା ପାଉଛନ୍ତି ।

 

୯.

ଶ୍ରୀନୃସିଂହ ମନ୍ଦିର :-ନୃସିଂହନାଥ ମନ୍ଦିରଟି ଷଡ଼ଭୁଜ ଗୌରାଙ୍ଗ ମନ୍ଦିରକୁ ଲାଗି ଦକ୍ଷିଣ ଦ୍ଵାରର ଠିକ ପାଖକୁ ଅବସ୍ଥିତ । ଉତ୍ତରାଭିମୁଖ ହୋଇ ରହିଥିବା ଏହି ମନ୍ଦିରର ସମ୍ମୁଖ ଭାଗରେ ବୃନ୍ଦାବତୀ ଦେବୀ ବିଦ୍ୟମାନ ।

 

୧୦.

ବାରଭାଇ ହନୁମାନ ମନ୍ଦିର :-ଶ୍ରୀମନ୍ଦିରର ଦକ୍ଷିଣ ଦ୍ଵାରର ବାମ ପାର୍ଶ୍ଵରେ ଅର୍ଥାତ୍ ଦକ୍ଷିଣଦ୍ଵାରର ପଶ୍ଚିମ ପଟେ ଏହି ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ନଳ, ନୀଳ, ସୁଗ୍ରୀବ, କନ୍ଦର୍ପ, ଗବାକ୍ଷ, ସୁଷେଣ, ଅଙ୍ଗଦ, ମହାବୀର, ମକରଧ୍ଵଜ, ବାଳୀ, ଅଞ୍ଜନା ଓ ହନୁମାନ ଆଦି ବାରଜଣ ଭାଇ ପୂଜା ପାଉଛନ୍ତି । ଏଇ ବାରଜଣ ଭାଇ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ସୈନ୍ୟସାମନ୍ତ ଥିଲେ ।

 

୧୧.

ଗୁରୁଣ୍ଡିଗୋପାଳ ମନ୍ଦିର :-ଗୁରୁଣ୍ଡିଗୋପାଳ ମନ୍ଦିରଟି ବାରଭାଇ ହନୁମାନ ମନ୍ଦିର ନିକଟକୁ ଲାଗି ଅବସ୍ଥିତ । ଏହି ମନ୍ଦିରରେ ଶ୍ରୀକୃଷ୍ଣଙ୍କ ପିଲାବେଳେ ଗୁରୁଣ୍ଡିବା ଅବସ୍ଥାରେ ଏକ ବିଗ୍ରହ ପୂଜା ପାଉଛନ୍ତି ।

 

୧୨.

ପୁରାଣ ନୃସିଂହ ମନ୍ଦିର :-ପୁରାଣ ନୃସିଂହ ମନ୍ଦିରଟି ଗୁରୁଣ୍ଡି ଗୋପାଳଙ୍କ ମନ୍ଦିର ନିକଟରେ ବିଦ୍ୟମାନ । ଏହି ମନ୍ଦିରକୁ କଳ୍‌କୀ ଅବତାରଙ୍କ ମନ୍ଦିର ବୋଲି ମଧ୍ୟ କୁହାଯାଏ । ଏହି ମନ୍ଦିରରେ ରାଜା ପରୀକ୍ଷିତ ଓ ଶୁକଦେବଙ୍କ ବିଗ୍ରହ ରହିଅଛି । ଏହିଠାରେ ଶୁକଦେବ ‘ଶ୍ରୀମଦ୍‌ଭାଗବତ’କୁ ରାଜା ପରୀକ୍ଷିତଙ୍କୁ ଶୁଣାଇଥିଲେ ।

 

୧୩.

ବୁଢ଼ୀମା ଠାକୁରାଣୀ ମନ୍ଦିର :-ନୃସିଂହ ମନ୍ଦିରକୁ ଲାଗି ବୁଢ଼ୀମା ଠାକୁରାଣୀ ମନ୍ଦିର ଅବସ୍ଥିତ-। ବସନ୍ତ ୠତୁରେ ମହାମାରୀ ମିଳିମିଳା ବା ବସନ୍ତ ରୋଗ ଯୋଗୁଁ ଏହି ମା’ଙ୍କୁ ପୂଜା କରାଯାଇଥାଏ । ଏହି ଠାକୁରାଣୀଙ୍କୁ ବସନ୍ତେଇ ବୋଲି ମଧ୍ୟ କୁହାଯାଏ ।

 

୧୪.

ପଞ୍ଚମୁଖୀ ହନୁମାନ ମନ୍ଦିର :-ଶ୍ରୀମନ୍ଦିରର ବାହାର ବେଢ଼ାସ୍ଥ ନୀଳାଦ୍ରି ଉପବନ ମଧ୍ୟରେ ପଞ୍ଚମୁଖୀ ମହାବୀର ମନ୍ଦିର ଅବସ୍ଥିତ । ଏହି ହନୁମାନଙ୍କର ପାଞ୍ଚୋଟି ମୁଖ (ଗରୁଡ଼, ସିଂହ, ଶୂକର, ହୟଗ୍ରୀବ ଓ ହନୁମାନ) ଥିବାରୁ ଏହାଙ୍କୁ ପଞ୍ଚମୁଖୀ ହନୁମାନ ବୋଲି କୁହାଯାଇଥାଏ ।

 

୧୫.

ଦୁର୍ଗାମାଧବ ମନ୍ଦିର :-ଶ୍ରୀମନ୍ଦିରର ମେଘନାଦ ପ୍ରାଚୀରକୁ ଲାଗି ଦକ୍ଷିଣ-ପଶ୍ଚିମ ହୋଇ ଦୁର୍ଗାମାଧବ ମନ୍ଦିରଟି ରହିଅଛି । ଏହି ମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ପୂଜା ପାଉଛନ୍ତି ।

 

୧୬.

ଶ୍ରୀସିଦ୍ଧେଶ୍ଵର ମହାଦେବ ମନ୍ଦିର :-ସିଦ୍ଧେଶ୍ଵର ମହାଦେବ ମନ୍ଦିରଟି ନୀଳାଚଳ ଉପବନର ପଶ୍ଚିମ ଭାଗରେ ଅବସ୍ଥିତ । ଏହି ମନ୍ଦିରରେ ମହାଦେବ ଶିବ ପୂଜା ପାଉଛନ୍ତି । ଭକ୍ତମାନଙ୍କର ସିଦ୍ଧି ନିମନ୍ତେ ଏହି ମହାଦେବଙ୍କୁ ପୂଜା କରାଯାଏ ।

 

୧୭.

ଶ୍ରୀଚକ୍ରନାରାୟଣ ମନ୍ଦିର :-ସିଦ୍ଧେଶ୍ଵର ମନ୍ଦିରର ସମ୍ମୁଖରେ ଚକ୍ରନାରାୟଣ ମନ୍ଦିର ଅବସ୍ଥିତ-। ଏହି ମନ୍ଦିରରେ ନିରାକାର ପରଂବ୍ରହ୍ମ ନାରାୟଣ ବିଷ୍ଣୁ ପୂଜା ପାଉଛନ୍ତି ।

 

୧୮.

ଶ୍ରୀରାମେଶ୍ଵର ମହାଦେବ ମନ୍ଦିର :-ଶ୍ରୀମନ୍ଦିରର ପଶ୍ଚିମ ଦ୍ଵାର ପଟେ ପୂର୍ବମୁଖ ହୋଇ ଏହି ମନ୍ଦିରଟି ଅବସ୍ଥିତ । ଏହି ମନ୍ଦିରକୁ ଚତୁର୍ଦ୍ଧାମ ମନ୍ଦିର ବୋଲି ମଧ୍ୟ କୁହାଯାଏ । ଏହି ମନ୍ଦିରରେ ବଦ୍ରିନାଥ, ଦ୍ଵାରିକାନାଥ, ଜଗନ୍ନାଥ ଓ ରାମେଶ୍ଵର ବା ଗୋକର୍ଣ୍ଣେଶ୍ଵର ମହାଦେବ ପୂଜା ପାଉଛନ୍ତି । କଥିତ ଅଛି ଯେ ଭାରତର ଏହି ଚାରିଧାମକୁ ନ ଯାଇ ଏହିଠାରେ ଦର୍ଶନ କଲେ ସିଦ୍ଧି ହୁଏ ।

 

୧୯.

ବୀର ହନୁମାନ ମନ୍ଦିର :-ପଶ୍ଚିମ ଦ୍ଵାରର ବାମ ପାର୍ଶ୍ଵରେ ଅର୍ଥାତ୍‌ ଚତୁର୍ଦ୍ଧାମ ମନ୍ଦିରର ସମ୍ମୁଖ ଭାଗରେ ଏହି ମନ୍ଦିର ବିଦ୍ୟମାନ । କଥିତ ଅଛି ଯେ ଶ୍ରୀମନ୍ଦିର ମଧ୍ୟରେ ସମୁଦ୍ର ଗର୍ଜନ ପ୍ରବେଶ କରି ଯେପରି ଶ୍ରୀଜଗନ୍ନାଥଙ୍କ ବିଶ୍ରାମ ଭଙ୍ଗ ନ ହୁଏ, ସେଥିପାଇଁ ସେ ସର୍ବଦା କାନ ପାତିଥାନ୍ତି । ଫଳରେ ମନ୍ଦିର ମଧ୍ୟକୁ ସମୁଦ୍ର ଗର୍ଜନ ଶୁଣାଯାଏ ନାହିଁ । ଏହି ଠାକୁରଙ୍କୁ କାନପତା ହନୁମାନ ବୋଲି ମଧ୍ୟ କୁହାଯାଏ । ଏହି ବୀର ବିକ୍ରମ ହନୁମାନ ଚାରିଧାମକୁ ଜଗି ରହିଛନ୍ତି ।

 

୨୦.

ଶ୍ରୀଧବଳେଶ୍ଵର ମହାଦେବ ମନ୍ଦିର :-ଶ୍ରୀମନ୍ଦିରର ନୀଳାଦ୍ରି ବିହାର ମଧ୍ୟରେ ଏହି ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ଧବଳେଶ୍ଵର ମହାଦେବ ଶିବ ପୂଜା ପାଉଛନ୍ତି ।

 

୨୧.

ଶ୍ରୀବୈକୁଣ୍ଠନାଥ ମହାଦେବ ମନ୍ଦିର :-ଉତ୍ତର ଦ୍ଵାରର ଜଗନ୍ନାଥଙ୍କ କୋଇଲି ବୈକୁଣ୍ଠ ପାଖରେ ପୂର୍ବାଭିମୁଖ ହୋଇ ଏହି ମନ୍ଦିର ଅବସ୍ଥିତ । ଭଗ୍ନାବସ୍ଥାରେ ଥିବା ଏହି ମନ୍ଦିରରେ ବୈକୁଣ୍ଠନାଥ ମହାଦେବ ଶିବ ପୂଜା ପାଉଛନ୍ତି ।

 

୨୨.

ଅର୍ପଣଗୋପାଳ ମନ୍ଦିର :-କୋଇଲି ବୈକୁଣ୍ଠ ଦ୍ଵାରର ଡାହାଣ ପଟେ ଅର୍ପଣ ଗୋପାଳ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ବଂଶୀଧାରୀ ଶ୍ରୀକୃଷ୍ଣଙ୍କ ବିଗ୍ରହ ପୂଜା ପାଉଛନ୍ତି । ଏହାଙ୍କୁ ମଧ୍ୟ ବର୍ଦ୍ଧମାନ ରାଧାକୃଷ୍ଣ ମନ୍ଦିର ବୋଲି କୁହାଯାଇଥାଏ । ବର୍ତ୍ତମାନ ଏହି ମନ୍ଦିରଟି ବର୍ଦ୍ଧମାନ ରାଜାଙ୍କ ମାର୍ଫତରେ ରହିଅଛି ।

 

୨୩.

ତପସ୍ଵୀ ହନୁମାନ ମନ୍ଦିର :-ଶ୍ରୀମନ୍ଦିରର ଉତ୍ତର ଦ୍ଵାର ଆଡ଼କୁ ଗଲେ ତପସ୍ଵୀ ହନୁମାନ ବା ତପସ୍ଵୀ ମହାବୀର ବା ଅଷ୍ଟଭୁଜ ହନୁମାନ ମନ୍ଦିର ଅବସ୍ଥିତ । କଥିତ ଅଛି ଯେ ସ୍ଵୟଂ ଜଗନ୍ନାଥ ତାଙ୍କ ରାମାବତାରରେ ପ୍ରିୟ ଭକ୍ତ ହନୁମାନଙ୍କୁ ମୋକ୍ଷ ଦ୍ଵାର ଉତ୍ତରୀ ଦ୍ଵାରରେ ତପସ୍ୟା କରିବା ନିମିତ୍ତ ସ୍ଥାନ ଦେଇଥିବାରୁ ଉକ୍ତ ସ୍ଥାନରେ ହନୁମାନ ତପସ୍ଵୀ ଭାବରେ ଅବସ୍ଥାନ କରୁଛନ୍ତି । ଏଣୁ ଏହି ମନ୍ଦିରର ନାମ ତପସ୍ଵୀ ହନୁମାନ ମନ୍ଦିର ରଖାଯାଇଛି ।

 

୨୪.

ବାମନ ମନ୍ଦିର :-ବାମନ ମନ୍ଦିରଟି ତପସ୍ୱୀ ହନୁମାନଙ୍କ ମନ୍ଦିର ନିକଟରେ ଅବସ୍ଥିତ । ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ଅବତାର ବାମନ ଦେବ ପୂଜା ପାଉଛନ୍ତି ।

 

୨୫.

ଶ୍ରୀଲକ୍ଷ୍ମୀ ନୃସିଂହ ମନ୍ଦିର :-ଲକ୍ଷ୍ମୀ ନୃସିଂହ ମନ୍ଦିରଟି ବାମନ ମନ୍ଦିରର ଉତ୍ତର ଦିଗରେ ଅବସ୍ଥିତ । ଏହି ନୃସିଂହଙ୍କ ଜାନୁ ଦେଶରେ ଲକ୍ଷ୍ମୀ ବସିଥିବାରୁ ଏହାଙ୍କର ନାମ ଲକ୍ଷ୍ମୀନୃସିଂହ ହୋଇଛି ।

 

୨୬.

ଉତ୍ତରାୟଣୀ ଦେବୀ ମନ୍ଦିର :-ଉତ୍ତର ଦ୍ଵାର ଦେଇ ମନ୍ଦିର ଭିତରକୁ ଆସିଲାବେଳେ ଲକ୍ଷ୍ମୀନୃସିଂହଙ୍କ ମନ୍ଦିରର ପରବର୍ତ୍ତୀ ମନ୍ଦିରଟି ହେଉଛି ଉତ୍ତରାୟଣୀ ଦେବୀଙ୍କ ମନ୍ଦିର । ଏହି ମନ୍ଦିରରେ ଦୁର୍ଗାଦେବୀ ପୂଜା ପାଉଥିବାରୁ ଏହାଙ୍କୁ ଉତ୍ତରଦୁର୍ଗା ବୋଲି ମଧ୍ୟ କୁହାଯାଏ ।

 

୨୭.

ଶୀତଳାଦେବୀ ମନ୍ଦିର :-ଶ୍ରୀମନ୍ଦିରର ବାହାର ବେଢ଼ା ମଧ୍ୟରେ ଉତ୍ତର ଦ୍ଵାରର ପଶ୍ଚିମ ପଟକୁ ଶୀତଳା ଠାକୁରାଣୀଙ୍କ ମନ୍ଦିର ଅବସ୍ଥିତ । ବସନ୍ତ, ମିଳିମିଳା, ହାଡ଼ଫୁଟି ଆଦି ରୋଗର ନିରାକରଣ ନିମିତ୍ତ ଏହି ଠାକୁରାଣୀଙ୍କ ପାଖରେ ଚନ୍ଦନ ଲାଗି, ମାଜଣା ପ୍ରଭୃତି କରିବା ସହିତ ପଣା ଭୋଗ କରାଯାଇଥାଏ । ଏହି ମନ୍ଦିରର ସମ୍ମୁଖରେ ସନ୍ତୋଷୀ ମାତା ଅବସ୍ଥାପିତ ହୋଇଛନ୍ତି ।

 

୨୮.

ଝାଡ଼େଶ୍ଵରୀ ଠାକୁରାଣୀ ମନ୍ଦିର :-ଶୀତଳା ଦେବୀଙ୍କ ପାଖକୁ ଓ ଶ୍ରୀମନ୍ଦିରର ଉତ୍ତରଦ୍ଵାରର ପଶ୍ଚିମ ପାଖରେ ଏହି ମନ୍ଦିର ଅବସ୍ଥିତ ।

 

୨୯.

ଶ୍ରୀବେଢ଼ାଲୋକନାଥ ମନ୍ଦିର :-ଶ୍ରୀମନ୍ଦିର ଉତ୍ତର ଦ୍ଵାରର ବାମ ଭାଗରେ ବେଢ଼ା ଲୋକନାଥଙ୍କ ମନ୍ଦିର ବିଦ୍ୟମାନ । ଏହି ମନ୍ଦିରରେ ମହାଦେବ ଶିବ ପୂଜା ପାଉଛନ୍ତି । ବାହାର ବେଢ଼ାରେ ଥିବାରୁ ଏହାଙ୍କ ନାମ ବେଢ଼ାଲୋକନାଥ ହୋଇଛି ।

 

୩୦

ଶ୍ରୀଗଣେଶ ମନ୍ଦିର :-ବେଢ଼ାଲୋକନାଥଙ୍କ ମନ୍ଦିର ନିକଟରେ ଏକ ଛୋଟ ମନ୍ଦିରରେ ଶ୍ରୀଗଣେଶ ପୂଜା ପାଉଛନ୍ତି ।

 

୩୧.

ପର୍ଶୁନାଥ ମହାଦେବ ମନ୍ଦିର :-ଗଣେଶଙ୍କ ମନ୍ଦିରର ଦକ୍ଷିଣ ପଟେ ପର୍ଶୁନାଥ ମହାଦେବ ମନ୍ଦିର ଅବସ୍ଥିତ । ଏହାଙ୍କୁ ପଶୁନାଥ, ପର୍ଶୁରାମ, ପରେଶନାଥ ବା କାଶୀନାଥ ମହାଦେବ ବୋଲି କୁହାଯାଇଥାଏ ।

 

୩୨.

ଧବଳେଶ୍ଵର ମହାଦେବ ମନ୍ଦିର :-ପର୍ଶୁନାଥ ମହାଦେବ ମନ୍ଦିରକୁ ଲାଗି ଏହି ମନ୍ଦିରଟି ବିଦ୍ୟମାନ । ଏଥିରେ ମହାଦେବ ଶିବ ପୂଜା ପାଉଛନ୍ତି ।

 

୩୩.

ଶ୍ରୀ ଈଶାନେଶ୍ଵର ମହାଦେବ ମନ୍ଦିର :-ଶ୍ରୀମନ୍ଦିରର ଉତ୍ତର ଦ୍ଵାରଠାରୁ ଆନନ୍ଦ ବଜାରକୁ ଯିବା ରାସ୍ତାରେ ଡାହାଣ ପଟେ ଏହି ମନ୍ଦିର ଅବସ୍ଥିତ । ଈଶାନେଶ୍ଵର କୋଡ଼ିଏ ଫୁଟ ଗଭୀରତାର ତଳକୁ ରହିଛନ୍ତି । ଏହି ମନ୍ଦିର ମଧ୍ୟକୁ ପ୍ରବେଶ କଲାବେଳେ ପ୍ରଥମେ ସମ୍ମୁଖରେ ହରପାର୍ବତୀଙ୍କ ବିଗ୍ରହ ରହିଅଛି । “ମାଦଳାପାଞ୍ଜି” ଅନୁଯାୟୀ ଏହି ମନ୍ଦିରଟି ଧ୍ରୁବକେଶରୀଙ୍କ ଦ୍ଵାରା ନିର୍ମିତ ହୋଇଥିବାର କୁହାଯାଏ । ବିଶ୍ଵାସ କରାଯାଏ ଏହି ମନ୍ଦିରଟି ଜଗନ୍ନାଥ ମନ୍ଦିର ନିର୍ମିତ ହେବା ପୂର୍ବରୁ ତିଆରି ହୋଇଛି ଏବଂ ଏହି ମନ୍ଦିର ମଧ୍ୟରେ ଗୁପ୍ତଗଙ୍ଗା ରହିଛନ୍ତି । ଐଶାନେଶ୍ଵର ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଈଶାନ ଗୁରୁ ବୋଲି ମଧ୍ୟ କୁହାଯାଏ ।

 

ଉପସଂହାର :

ଉପର୍ଯ୍ୟୁକ୍ତ ସମସ୍ତ ଆଲୋଚନାରୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଶ୍ରୀମନ୍ଦିର ବେଢ଼ା ଭିତରେ ଓ ବାହାରେ ବହୁ ସାନ ବଡ଼ ମନ୍ଦିର ରହିଅଛି । ଯେଉଁଥିରୁକି ଆମେ ପଞ୍ଚଦେବତା ଉପାସନାର ମାର୍ଗ ପାଇଥାଉ । ଡଃ. ହରପ୍ରସାଦ ମିଶ୍ରଙ୍କର ମତରେ-“ଶ୍ରୀଜଗନ୍ନାଥଙ୍କ ମନ୍ଦିର ବେଢ଼ାରେ ଯେତେ ଦେବଦେବୀ ଅଛନ୍ତି, ସେମାନଙ୍କ ମଧ୍ୟରେ ମୁଖ୍ୟତଃ ତିନିଗୋଟି ଧର୍ମର ଦେବଦେବୀ ଅଛନ୍ତି । ଶୈବଧର୍ମର ଲିଙ୍ଗପୂଜା, ଶାକ୍ତଧର୍ମର ଶକ୍ତିପୁଜା ଓ ବୈଷ୍ଣବ ଧର୍ମର ରାଧାକୃଷ୍ଣ ଯୁଗଳମୁର୍ତ୍ତି ବା ବିଷ୍ଣୁଙ୍କ ବିଭିନ୍ନ ବିଗ୍ରହ ଉପସନାର ବହୁଳ ନିଦର୍ଶନ ଶ୍ରୀମନ୍ଦିର ମଧ୍ୟରେ ପରିଲକ୍ଷିତ ହୋଇଥାଏ । ତେବେ ଏମାନଙ୍କ ମଧ୍ୟରେ ଶୈବଧର୍ମର ପ୍ରଭାବ ବେଶି ଅନୁଭୂତ ହୋଇଥାଏ । ଗାଣପତ୍ୟ, ସୌର ତଥା ହନୁମାନ ସମ୍ପ୍ରଦାୟର ଆରାଧ୍ୟ ଦେବତା ଭାବରେ ମଧ୍ୟ ବହୁ ବିଗ୍ରହ ମନ୍ଦିର ବେଢ଼ା ମଧ୍ୟସ୍ଥ ବିଭିନ୍ନ ମନ୍ଦିରରେ ସ୍ଥାପିତ ହୋଇ ପୂଜିତ ହେଉଥିବାର ଦେଖିବାକୁ ମିଳିଥାଏ-। ଏସବୁ ଦୃଷ୍ଟିରୁ କୁହାଯାଇପାରେ ଯେ ଶ୍ରୀମନ୍ଦିର ଶୈବ, ଶାକ୍ତ, ବୈଷ୍ଣବ, ଗାଣପତ୍ୟ ଓ ସୌର ସମ୍ପ୍ରଦାୟ ଅନ୍ତର୍ଗତ ବିଭିନ୍ନ ଭକ୍ତମାନଙ୍କର ଅନ୍ୟତମ ଆରାଧ୍ୟ ପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି । ବୈଷ୍ଣବ ସମ୍ପ୍ରଦାୟର ଇଷ୍ଟଦେବତା ଶ୍ରୀମନ୍ଦିରର ବେଢ଼ା ମଧ୍ୟରେ ଅବସ୍ଥାପିତ ହୋଇଥିବାରୁ ଏହି ପୀଠ ସମଗ୍ର ଭାରତବର୍ଷରେ ସର୍ବଧର୍ମ ସମନ୍ଵୟର ବାର୍ତ୍ତା ପ୍ରଚାର କରିଆସୁଛି । (୧୮)

 

କେବଳ ସେତିକି ନୁହେଁ ପୁରୀରେ ରହିଥିବା ସମସ୍ତ ମନ୍ଦିର, ମଠ, ଆଶ୍ରମ ପ୍ରଭୃତିର ସଂସ୍କୃତି ମୁଖ୍ୟତଃ ଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗଢ଼ି ଉଠିଛି । ଶବର ରାଜା ବିଶ୍ଵାବସୁ ବା ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ କାହିଁକି ଯେ ଏହି ସମୁଦ୍ରକୂଳ ସ୍ଥାନଟିକୁ ସେମାନଙ୍କ ଆରାଧ୍ୟ ଦେବତାଙ୍କ ବାସସ୍ଥାନ ନିମନ୍ତେ ଚୟନ କରିଥିଲେ, ତାହା ଆଜି କହିବା ସମ୍ଭବପର ନୁହେଁ । ଶାସ୍ତ୍ର ମତରେ କେଉଁ ପ୍ରାଚୀନ କାଳରୁ ଏଠାରେ ପୁରୁଷୋତ୍ତମ ପୂଜା ପାଉଥିଲେ । ସେହି ଅନୁସାରେ ଏହି ସ୍ଥାନର ନାମ ଥିଲା ପୁରୁଷୋତ୍ତମ କ୍ଷେତ୍ର । ଦ୍ଵାଦଶ ଶତାବ୍ଦୀରେ ଗଙ୍ଗବଂଶୀ ନରପତି ଅନଙ୍ଗଭୀମ ଦେବ ସ୍ଵୀୟ ଆରାଧ୍ୟ, ଦେବତାଙ୍କପାଇଁ ଆଜିର ଏଇ ବିରାଟ ମନ୍ଦିର ନିର୍ମାଣ କରିଥିଲେ । ପରେ ପରେ ଶ୍ରୀମନ୍ଦିର ପ୍ରଥମବେଢ଼ା ଓ ଦ୍ଵିତୀୟ ବେଢ଼ାରେ ବହୁ ଦେବଦେବୀଙ୍କର ଆବିର୍ଭାବ ଘଟିଥିଲା । ଭକ୍ତମାନଙ୍କର ବିଶ୍ଵାସବୋଧରୁ ବହୁ କ୍ଷୁଦ୍ର ମନ୍ଦିର ଏପରିକି “ହାତେ ଦେଉଳରେ ବାଇଶ ହାତ ଦିଅଁକପାଇଁ ମଧ୍ୟ ମନ୍ଦିର ସବୁ ନିର୍ମାଣ କରାଯାଇଥିଲା । ଭାରତବର୍ଷର ବିଭିନ୍ନ ସ୍ଥାନରୁ ଜଗନ୍ନାଥଙ୍କ ଦର୍ଶନ କରିବା ନିମନ୍ତେ ଭକ୍ତମାନଙ୍କର ଧାଡ଼ି ଆରମ୍ଭ ହେଲା । ପୁନଶ୍ଚ ଜଗନ୍ନାଥ ମନ୍ଦିର ସହ ସଂପୃକ୍ତ ବହୁ ଦେବଦେବୀ ତଥା ମନ୍ଦିରମାନ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ରହିଥିବା ସାହିମାନଙ୍କରେ ସୃଷ୍ଟି ହେବାକୁ ଲାଗିଲା । ଏପରିକି ପରବର୍ତ୍ତୀ କାଳରେ ବହୁ ମନ୍ଦିର ତିଆରି ହେଲା ଯାହାର ସମ୍ପର୍କ ଶ୍ରୀମନ୍ଦିର ସହିତ ରହିଲା ନାହିଁ । ବହୁ ସାଧୁସନ୍ଥ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ରକୁ ଆସିଲେ ଏବଂ ନିଜ ନିଜର ଆଶ୍ରମ ମଧ୍ୟ ଏହି କ୍ଷେତ୍ରରେ ସ୍ଥାପନ କରିବାକୁ ଲାଗିଲେ । ଧୀରେ ଧୀରେ ବିଭିନ୍ନ ଧର୍ମ, ବିଭିନ୍ନ ଜାତିର ଲୋକମାନେ ଏହି କ୍ଷେତ୍ରରେ ବସବାସ କରିବା ସହ ଜଗନ୍ନାଥ ସଂସ୍କୃତିର ବନ୍ଧନରେ ଛନ୍ଦି ହୋଇପଡ଼ିଲେ । ସେହି ଛନ୍ଦ ଅଦ୍ୟାବଧି ଫିଟି ନାହିଁ । ତେଣୁ ସାହି, ଗଳି, କନ୍ଦିରେ ଥିବା ମନ୍ଦିରଗୁଡ଼ିକରେ ପୂଜା ପାଉଥିବା ଦେବତାମାନଙ୍କୁ ଦର୍ଶନ କଲେ ମଧ୍ୟ ପୁରୀର ଲୋକେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାଲାଗି ଧାଇଁ ଯାଇଥା’ନ୍ତି । ଏତଦ୍‌ବ୍ୟତୀତ ବିଶ୍ଵର କୋଣ ଅନୁକୋଣରେ ରହିଥିବା ଜଗନ୍ନାଥ ଭକ୍ତଙ୍କର ମଧ୍ୟ ଏଠାରେ ପ୍ରବଳ ଜନସମାଗମ ହୁଏ । ସୁତରାଂ ଏଥିରୁ ଶ୍ରୀମନ୍ଦିରର ମହତ୍ଵ ତଥା ଜଗନ୍ନାଥଧର୍ମୀ ଭକ୍ତମାନଙ୍କର ଧର୍ମୀୟ ବିଶ୍ଵାସବୋଧର ପରିଚୟ ସହଜରେ ବାରି ହୋଇପଡ଼େ ।

 

ସହାୟକ ଗ୍ରନ୍ଥସୂଚୀ :

୧.

କେ .ଆର୍ . ଶ୍ରୀନିବାସନ୍–ଦକ୍ଷିଣ ଭାରତୀୟ ମନ୍ଦିର, ନ୍ୟାସ୍‌ନାଲ ବୁକ୍ ଟ୍ରଷ୍ଟ ଅଫ ଇଣ୍ଡିଆ, ୧୯୯୫, ମୁଖବନ୍ଧ, ପୃଷ୍ଠା-୧

୨.

ସୂଚନା ପୁସ୍ତିକା–ରଥଯାତ୍ରା, ପୁରୀ-୨୦୧୨, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାର, ଭୁବନେଶ୍ଵର, ୨୦୧୨, ପୃଷ୍ଠା-୨

୩.

ତତ୍ରୈବ, ପୃଷ୍ଠା-୧୨

୪.

(ସଂ.) ଆର୍ତ୍ତବଲ୍ଲଭ ମହାନ୍ତି–ମାଦଳାପାଞ୍ଜି (ରାଜଭୋଗ ଇତିହାସ), ଫ୍ରେଣ୍ଡସ୍ ପବ୍ଲିଶର୍ସ, ବିନୋଦ ବିହାରୀ, କଟକ, ୨୦୦୧, ପୃଷ୍ଠା-୪

୫.

ତତ୍ରୈବ, ପୃଷ୍ଠା-୨୨

୬.

ରବି ରାୟ–(ପ୍ର) ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା କିଏ ? ଝଙ୍କାର-୪୫ଶ ବର୍ଷ, ୫ମ ସଂଖ୍ୟା, ଅଗଷ୍ଟ, ୧୯୯୩, ପୃଷ୍ଠା-୪୩୩

୭.

ତତ୍ରୈବ, ପୃଷ୍ଠା-୪୨୯/୪୩୦

୮.

ସୂର୍ଯ୍ୟନାରାୟଣ ଦାଶ–ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ଵ, ଫ୍ରେଣ୍ଡସ୍ ପବ୍ଲିଶର୍ସ, ବିନୋଦ ବିହାରୀ, କଟକ, ୨୦୧୨, ପୃଷ୍ଠା-୨୬୯

୯.

ଶ୍ରୀମତୀ ଶାନ୍ତିଲତା କଣ୍ଠ–ବୃହତ୍ ଓ ସଚିତ୍ର ଶ୍ରୀଜଗନ୍ନାଥଧାମ ପୁରୀ, ସଦ୍‌ଗ୍ରନ୍ଥ ନିକେତନ, ଶ୍ରୀମନ୍ଦିର, ପୁରୀ, ୨୦୧୨, ପୃଷ୍ଠା-୯

୧୦.

ଡଃ. ପୂର୍ଣ୍ଣଚନ୍ଦ୍ର ମିଶ୍ର–ବୃହତ୍ ଓ ସଚିତ୍ର ଶ୍ରୀକ୍ଷେତ୍ର ଦର୍ଶନ, ସଦ୍‌ଗ୍ରନ୍ଥ ନିକେତନ, ଶ୍ରୀମନ୍ଦିର, ପୁରୀ,୨୦୦୦, ପୃଷ୍ଠା-୧୯

୧୧.

ସୂର୍ଯ୍ୟନାରାୟଣ ଦାଶ–ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ଵ, ୨୦୧୨, ପୃଷ୍ଠା-୨୬୮

୧୨.

ବଳରାମ ଦାସ–ବେଢ଼ା ପରିକ୍ରମା, ପୃଷ୍ଠା-୧

୧୩.

ଶ୍ରୀ ଭାସ୍କର ମିଶ୍ର–ଶ୍ରୀମନ୍ଦିର ବେଢ଼ାସ୍ଥ ଦେବଦେବୀ, ଏସ୍. ବି. ପବ୍ଲିକେଶନ୍‌ସ, ବିନୋଦ ବିହାରୀ, କଟକ-୨, ୨୦୧୦, ପୃଷ୍ଠା-୫୭

୧୪.

ତତ୍ରୈବ, ପୃଷ୍ଠା-୫୩

୧୫.

ଲକ୍ଷ୍ମଣ କୁମାର ପରିଡ଼ା–ରଥ କହେ ମୁଁ ଦେବତା, ନିଶାମଣି ପରିଡ଼ା, ୩୩, ରାଜାରାଣୀ କଲୋନୀ, ଭୁବନେଶ୍ଵର, ୨୦୦୮, ପୃଷ୍ଠା-୩୩୬

୧୬.

ସୂର୍ଯ୍ୟନାରାୟଣ ଦାଶ–ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ଵ, ୨୦୧୨, ପୃଷ୍ଠା-୨୯୯

୧୭.

ତତ୍ରୈବ, ପୃଷ୍ଠା-୩୦୫

୧୮.

ଲକ୍ଷ୍ମଣ କୁମାର ପରିଡ଼ା–ରଥ କହେ ମୁଁ ଦେବତା, ୨୦୦୮, ପୃଷ୍ଠା-୩୪୩

 

 

ପେଣ୍ଠକଟା ଭୂଦାନ ନଗର ଶ୍ରୀବିହାର

ପୁରୀ-୩

ଦୂରଭାଷ:-୯୮୬୧୩୩୩୦୮୭

 

***

 

ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକୃତିରେ ଶ୍ରୀଜଗନ୍ନାଥ

ଅର୍ଚ୍ଚନା ଆଚାର୍ଯ୍ୟ

 

କ୍ଷେତ୍ର ମଧ୍ୟରେ ସାର ଶ୍ରୀକ୍ଷେତ୍ର ଏବଂ ଏ କ୍ଷେତ୍ରର ଅଧୀଶ୍ଵର ଶ୍ରୀଜଗନ୍ନାଥ ଚିରକାଳ କବି ମାନସକୁ ଆଲୋଡ଼ିତ କରିଛନ୍ତି । ଫଳରେ ଓଡ଼ିଆ ସାହିତ୍ୟ କାହିଁକି ସମଗ୍ର ଭାରତୀୟ ଭାଷା ସାହିତ୍ୟରେ ଶ୍ରୀଜଗନ୍ନାଥଙ୍କୁ ଉପଜୀବ୍ୟ କରି ସୃଷ୍ଟି ହୋଇଛି ରାଶି ରାଶି କବିତା । ଡଃ. ସତ୍ୟବାଦୀ ମିଶ୍ରଙ୍କ ଭାଷାରେ “He is a living God. Who lives and moves with us, too dear for our endearment too living for our loves play, too intimate, for many of our living moments of intimacies. He is so much human, so much divine and so much even more about to be that he baffles all our understanding, surpasses all our logic and language.” ଅତିବଡ଼ୀ ଜଗନ୍ନାଥ ଦାସଙ୍କଠାରୁ ଆରମ୍ଭ କରି ଭକ୍ତକବି ଜୟଦେବ, ଯବନ କବି ସାଲବେଗଙ୍କଠାରୁ ଆରମ୍ଭ କରି ମାଧବୀ ଦାସୀ, ଭୀମ ଭୋଇ, ଦୀନକୃଷ୍ଣ ଓ ବନମାଳୀଙ୍କ ପର୍ଯ୍ୟନ୍ତ କବିମାନେ ରଚନା କରିଯାଇଛନ୍ତି ଅଜସ୍ର ଭଜନ ଓ ଜଣାଣ । ଯାହା ଗାନ କଲାବେଳେ ଚକ୍ଷୁ ହୁଏ ଲୋତକାପ୍ଳୁତ । ଶରୀର ହୁଏ ରୋମାଞ୍ଚିତ ଓ ଚିତ୍ତ ହୁଏ ରସାଣିତ । ପ୍ରାବନ୍ଧିକ ଡକ୍ଟର ବଳରାମ ଦାସଙ୍କ ଭାଷାରେ “ଦେବତା ହୋଇ ବି ସୁଦ୍ଧା ଜଗନ୍ନାଥ ଯେମିତି ମନ୍ୟୁଷର ଅନ୍ତରଙ୍ଗ ସୁହୃଦ୍, ଓଡ଼ିଆ ସାହିତ୍ୟରେ ସେମିତି ସେ ହେଉଛନ୍ତି ନିତ୍ୟ ବସନ୍ତର ଶିହରିତ ମଳୟ । ଓଡ଼ିଆ ପ୍ରାଣର ନିଃଶ୍ଵାସପ୍ରଶ୍ଵାସ ।

 

ପଞ୍ଚସଖା ଯୁଗର ଅବସାନ ପରେ କାବ୍ୟ ଯୁଗର ଉନ୍ମେଷ ଓ ବିକାଶ ସଙ୍ଗଠିତ ହୋଇଥିଲେ ମଧ୍ୟ ତା’ପୂର୍ବରୁ ଯେ ଆମ ଓଡ଼ିଆ ସାହିତ୍ୟରେ କାବ୍ୟର ସୃଷ୍ଟି ନ ହୋଇଛି ଏପରି ନୁହେଁ । ବିଷୟ ବିନ୍ୟାସ ଦୃଷ୍ଟିରୁ ବିଚାର କଲେ ପ୍ରତୀୟମାନ ହୁଏ ଯେ, ଆମ ସାହିତ୍ୟରେ ମୁଖ୍ୟତଃ ରାମ, କୃଷ୍ଣ ଓ ଶ୍ରୀଜଗନ୍ନାଥ ଏହି ତ୍ରିବିଧ ଦେବତାଙ୍କ ସ୍ଥାନ ଚିର ଉଜ୍ଜ୍ୱଳ । ଓଡ଼ିଶାର ଅନ୍ୟାନ୍ୟ କବିଙ୍କ ତୁଳନାରେ ଉପେନ୍ଦ୍ର ଭଞ୍ଜ ଶ୍ରୀଜଗନ୍ନାଥଙ୍କୁ ସର୍ବାପେକ୍ଷା ଅଧିକ ଭାବରେ ତାଙ୍କ କାବ୍ୟରେ ସ୍ଥାନ ଦେଇ କାବ୍ୟ ସାହିତ୍ୟରେ ଜଗନ୍ନାଥ ଉପାସନାର ପରମ୍ପରାକୁ ପରିପୃଷ୍ଟ କରିଛନ୍ତି, ଏଥିରେ ଦ୍ଵିମତ ହେବାର ନାହିଁ । କିନ୍ତୁ ଘୋର ପରିତାପର ବିଷୟ ଯେ, ଏହି ମହାନ୍ ସାଧକଙ୍କର ଜନ୍ମସ୍ଥାନ ନିର୍ଦ୍ଦିଷ୍ଟ ହୋଇପାରି ନାହିଁ । କିନ୍ତୁ ବହୁ ସମାଲୋଚକ ଏ ସମ୍ପର୍କରେ ଭିନ୍ନ ପ୍ରକାର ମତ ବ୍ୟକ୍ତ କରନ୍ତି । ଯାହାକୁ ଲକ୍ଷ୍ୟ କରି ବିଚ୍ଛନ୍ଦ ଚରଣ ଲେଖିଥିଲେ-

 

“ଗାଉଛି ଉତ୍କଳ ପରସଙ୍ଗୀତ

ନିଜେ ଜାଣୁଛି ନିଜର ବିତ୍ତ”

 

ଅନୁମାନ କରାଯାଏ ଉପେନ୍ଦ୍ର ଭଞ୍ଜ ୧୬୭୫ ବା ୧୬୭୬ ଖ୍ରୀଷ୍ଟାବ୍ଦରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ “କୁଲାଡ଼” ଠାରେ ଜନ୍ମଗ୍ରହଣ କରିଥିଲେ । ଯଦିଓ ସେ ରାଜ୍ୟାଦି ପ୍ରାପ୍ତିର ସୁଖ ସମ୍ଭୋଗରୁ ବଞ୍ଚିତ ତଥାପି ରାଜ ପରିବାରରେ ବଢ଼ିଥିଲେ । ପିତାମହ ଧନଞ୍ଜୟ ଭଞ୍ଜଙ୍କ ପ୍ରଭାବରେ ସେ ବେଶ୍ ପ୍ରଭାବିତ । ସୁଯୋଗକ୍ରମେ ପିତମହଙ୍କ ସଙ୍ଗେ ସେ ଚାରିଧାମ ଭ୍ରମଣ କରିଥିଲେ । ତେଣୁ ସେ ପ୍ରତ୍ୟେକ ସ୍ଥାନର ମନୋଜ୍ଞ ଚିତ୍ର, ରସାଳ ଅନୁଭୂତି ତାଙ୍କ କାବ୍ୟ କବିତା ମାଧ୍ୟମରେ ପରିସ୍ଫୁଟ କରିଛନ୍ତି । ତାଙ୍କର ସାଂସାରିକ ଜୀବନ ଦୁଃଖପୂର୍ଣ୍ଣ ଥିଲା । କିନ୍ତୁ ତାଙ୍କର କବ୍ୟିକ ପ୍ରତିଭା ସର୍ବଦା ସର୍ବଜନାଦୃତ । ରୀତି ଯୁଗର ଲୋକପ୍ରିୟ କବି ଭାବରେ ଉପେନ୍ଦ୍ର ଭଞ୍ଜ ଅନନ୍ୟ ଅସାଧାରଣ । ଶୃଙ୍ଗାର ରସ ସହିତ ସାଙ୍ଗୀତିକତା ଥିବାରୁ ସାଧାରଣ ପାଠକଙ୍କ ହୃଦୟକୁ ସ୍ପର୍ଶ କରୁଥିଲା ତାଙ୍କ ଲେଖନୀ ନିଃସୃତ କାବ୍ୟକୃତି । ତାଙ୍କର ରଚନାବଳୀକୁ ଆଲୋଚନାର ସୁବିଧା ଦୃଷ୍ଟିରୁ ତିନି ଭାଗରେ ବିଭକ୍ତ କରାଯାଇପାରେ-

 

୧.

ଆଧ୍ୟାତ୍ମିକ ଭାବନା କୈନ୍ଦ୍ରିକ ରଚନାବଳୀ-ବୈଦେହୀଶ ବିଳାସ, ନିଳାଦ୍ରୀଶ ଚଉତିଶା, କଳା କଉତୁକ, ଛାନ୍ଦ ଭୂଷଣ, ପୁରୁଷୋତ୍ତମ ମହାତ୍ମ୍ୟ ଓ ରାମ ଲୀଳାମୃତ ।

 

୨.

ପ୍ରେମ ବର୍ଣ୍ଣନାମୂଳକ କାଳ୍ପନିକ ରଚନାବଳୀ-ରସିକ ହାରାବଳୀ, ଲାବଣ୍ୟବତୀ, ରସଲେଖା, ସୁବର୍ଣ୍ଣରେଖା, ଚିତ୍ରଲେଖା, ପ୍ରେମସୁଧାନିଧି, ହେମ ମଞ୍ଜରୀ, ଭାବବତୀ, ଲାବଣ୍ୟନିଧି ଓ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ।

 

୩.

ସଂସ୍କୃତ କାବ୍ୟ ପରି ପାଣ୍ଡିତ୍ୟପୂର୍ଣ୍ଣ ଶାସ୍ତ୍ରୀୟ ରଚନାବଳୀ-ସୁଭଦ୍ରା ପରିଣୟ, ଚିତ୍ରକାବ୍ୟ ବନ୍ଧୋଦୟ, ଗୀତାବିଧାନ, ଚୌପଦୀଚନ୍ଦ୍ର, ଜମକରାଜ ଚଉତିଶା ଓ ଅବନା ରସ ତରଙ୍ଗ ପ୍ରଭୃତି ।

 

କବିଙ୍କ ସ୍ଵ-ଭକ୍ତି ହେଉଛି “ତାରକ ମନ୍ତ୍ର ପରସାଦେ/ମୋହର କବିପଣ ଉଦେ । ରାମତାରକ ମନ୍ତ୍ରସିଦ୍ଧି ତାଙ୍କୁ ଉନ୍ମତ୍ତ ଭାବରସ ପୂର୍ଣ୍ଣ କାବ୍ୟ ରଚନା କରିବାପାଇଁ ଅନୁପ୍ରେରିତ କରିଥିବାର ଦୃଷ୍ଟାନ୍ତ ତାଙ୍କ ଲେଖାରୁ ମିଳେ । ପ୍ରତିଭାଶାଳୀ ଉପେନ୍ଦ୍ର ବାଳୁତ ବୟସରୁ ବହୁବିଧ ଶାସ୍ତ୍ରଜ୍ଞାନ ଅର୍ଜନ କରିଥିଲେ । ତରୁଣ ବୟସରେ ଘୁମୁସୁର କୁଲାଡ଼, କଟକ ଏବଂ ପରବର୍ତ୍ତୀ କାଳରେ ଅନେକ ସ୍ଥାନ ସବୁ ତାଙ୍କର ସାହିତ୍ୟ ସାଧନର ପୀଠ ଥିବାରୁ ମନେହୁଏ, ଘୁମୁସୁର ରାଜ୍ୟ ନିଜ ପିତାଙ୍କ ସହିତ ଚାଲି ଆସିବା ପରେ ଉପେନ୍ଦ୍ର ନୟାଗଡ଼ର ମାଳି ସାହି, ବାଣପୁର ଏବଂ ଶ୍ରୀକ୍ଷେତ୍ର ପ୍ରଭୃତି ସ୍ଥାନରେ ଜୀବନଯାପନ କରିଥିବାର ପ୍ରମାଣ ମିଳେ ।

 

ରୀତି ଯୁଗର ଶ୍ରେଷ୍ଠ ସ୍ରଷ୍ଟା ଉପେନ୍ଦ୍ର ଭଞ୍ଜଙ୍କ ବିଭିନ୍ନ କାବ୍ୟରେ ଶ୍ରୀଜଗନ୍ନାଥଙ୍କ ପ୍ରଶସ୍ତି ଅତୀବ ବାସ୍ତବ, ତାତ୍ତ୍ଵିକ ଓ ରସଘନ । ବହୁବାର ପୁରୀ ଭ୍ରମଣରେ ଆସି ଘୁମୁସୁର ମଠରେ ରହୁଥିଲେ ଓ ପୁରୀର ପ୍ରସିଦ୍ଧ ପଣ୍ଡିତ ବିଶ୍ଵନାଥ ମହାସୁଆରଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ତତ୍ତ୍ଵ ସମ୍ପର୍କରେ ବିଶଦ ଆଲୋଚନା କରୁଥିଲେ । “ସୁଭଦ୍ରା ପରିଣୟରେ ଶ୍ରୀକ୍ଷେତ୍ର ଓ ଜଗନ୍ନାଥଙ୍କ ମହିମାରେ ସେ ବର୍ଣ୍ଣନାକରି ଲେଖିଛନ୍ତି-

 

ସିନ୍ଧୁ ତଟେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରାଜ

ସାଧୁ ଜଳେ ଅଛି ତହିଁ ବହୁତ ଆଶ୍ଚର୍ଯ୍ୟ ହେ ।। ୧ ।।

x             x             x            x

ସେ ଭୂମି ପ୍ରଦେଶେ ବ୍ରହ୍ମ ହତ୍ୟା ପାପ ହରେ

ସାକ୍ଷାତ ହୋଇଛି ଏ କପାଳ ମୋଚନର

x       x       x      x

 

ସ୍ଵରୂପ ଏ ନାସା, କର୍ଣ୍ଣ, ହସ୍ତ, ପାଦହୀନ

ସ୍ଵର କୋଟି ଯେହ୍ନେ ତେବେ ଶୋଭାକୁ ସମାନ ହେ ।। ୭ ।।

ସହସ୍ର ଯୋଜନରୁ ଆଗତ ହୋନ୍ତି ଜନେ

ସବୁରୂପେ ବଶ ହୋଇ ଯାହା ଦରଶନେ ଯେ ।। ୮ ।।

x       x       x      x

 

ସର୍ବଦାରେ ମୁକତି ପସରା ବସିଥାଉ

ସାରେ ପାପ ନଖି ବରାଟକେ କିଣିନେଇ ଯେ

 

୧୭ ଛାନ୍ଦ ବିଶିଷ୍ଟ ସୁଭଦ୍ରା ପରିଣୟ କାବ୍ୟରେ କବି ସୁଭାଦ୍ରତତ୍ତ୍ଵର ସମାଧାନ ସହ ସୁଭଦ୍ରାଙ୍କ ପ୍ରଶସ୍ତି ଦେଇ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ମଧ୍ୟରେ ସୁଭଦ୍ରାଙ୍କ ସ୍ଥାନ ବିଷୟରେ ଅତି ସରଳ ଭାବରେ ଲେଖିଛନ୍ତି-

 

“ଶଙ୍କରଷଣ ଆପଣେ ବେନିପାଶେ ବିଜେ

ସ୍ନେହୀ ବଡ଼ ଭଗ୍ନୀ ଠାରେ ମଧ୍ୟେ ସେ ବିରାଜେ”

 

ଜଗନ୍ନାଥ ଓ ବଳଭଦ୍ରଙ୍କ ମଧ୍ୟରେ ସୁଭଦ୍ରାଙ୍କ ସ୍ଥାନ ବିଷୟରେ ଏବେ ମଧ୍ୟ ବହୁ ତଥ୍ୟ ଅଶ୍ରୁତ ହୋଇ ରହିଥିବା ସ୍ଥଳେ ଭଞ୍ଜ କବି ଅତି ସରଳ ଭାବରେ ବୁଝାଇ ଦେଇଛନ୍ତି ।

 

୧୫ ଛାନ୍ଦ ବିଶିଷ୍ଟ ଜନପ୍ରିୟ କାବ୍ୟ “ରସିକ ହାରାବଳୀ”ରେ ମଧ୍ୟ ଅତି ସରଳ ଓ ସାବଲୀଳ ଢଙ୍ଗରେ ତୃତୀୟ ଛାନ୍ଦରେ ପୁରୀ ଶ୍ରୀକ୍ଷେତ୍ର ଏବଂ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରାର ବର୍ଣ୍ଣନା ବେଶ୍ ଉଲ୍ଲେଖଯୋଗ୍ୟ ।

 

“ଜୟ ଜୟ ଜଗନ୍ନାଥ ଦାରୁ ରୂପ ଧାରୀ

ନୀଳଗିରୀ ଗିରୀଶ ବନ୍ଦନୀୟ ହରି ।”

x       x       x      x

ସେ ପ୍ରଭୁ କମଳାକାନ୍ତ କାନ୍ତପଦେ ଧ୍ୟାନେ

ଉପଇନ୍ଦ୍ର ବୀରବର ଅତିତୋଷ ମନେ ।

 

ଶ୍ରୀଜଗନ୍ନାଥ କ୍ଷେତ୍ରରେ ଅବସ୍ଥାନ କାଳରେ “ରସିକ ହାରାବଳୀ” କାବ୍ୟ ଭଞ୍ଜ ରଚନା କରିଥିବାର ପ୍ରମାଣ ମିଳେ, ସେତେବେଳେ ଶ୍ରୀ କ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ଚନ୍ଦନ ଯାତ୍ରା ସନ୍ଦର୍ଶନରେ କବିଙ୍କ ମନରେ ଉଦ୍‌ବେଳନ ସୃଷ୍ଟି ହୋଇଛି ।

 

“ସେହି ଉତ୍ଵ ଦରଶନେ ମନ ଉଚ୍ଛନ ହୋଇ

ଏ ରସେ ଉପଇନ୍ଦ୍ର ଭଞ୍ଜ ବୀରବରର କହଇ ।” (୩୧୫)

 

କାବ୍ୟର ପ୍ରଥମ ଛାନ୍ଦର ପ୍ରାରମ୍ଭରେ ଶ୍ରୀଜଗନ୍ନାଥ ଦାରୁ ରୂପଧାରୀ, ଗରୁଡ଼ାଧିପତି, ଦୁଃଖୀର ଦୁଃଖହାରକ, ସରସ ସୁନ୍ଦର, କମଳାବର ଭାବେ ବନ୍ଦିତ ହୋଇଛନ୍ତି । ମାତ୍ର ଛାନ୍ଦର ଦଶଟି ପଦରେ ଶ୍ରୀକ୍ଷେତ୍ରର ପାପ ବିନାଶକତ୍ଵ ଗୁଣ, ମହାପ୍ରସାଦ, କଳ୍ପବଟ, ରୋହିଣୀକୁଣ୍ଡ, ମହୋଦଧି, ଭୂଷଣ୍ଡକାକ, ଶ୍ରୀମନ୍ଦିର, ନୀଳଚକ୍ର, ଘଣ୍ଟ ନିନାଦ, ବେତ୍ରଘାତ, ଅଷ୍ଟ ଶମ୍ଭୁ, ଅଷ୍ଟଚଣ୍ଡୀ ଆଦି ବିଷୟ ବର୍ଣ୍ଣନା, ଦେବଦେବୀଙ୍କର ମାହାତ୍ମ୍ୟ ପ୍ରତିପାଦିତ ହୋଇଛି । ନୀଳଚକ୍ର ଉପରେ ଉଡ଼ୁଥିବା ବାନା ସମ୍ପର୍କରେ କବିଙ୍କ ଲେଖନୀରୁ ଝରିଆସିଛି-

 

“ପତାକା ଅଞ୍ଚଳ ଚଞ୍ଚଳ ଡାକେ ପାପି କି ଅବା ।

ଏ ନୀଳନଗ ନଗରକୁ ଆସ ଲୟ କରିବା (୩୧୮)

 

“କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ”ରେ ପୁରୁଷୋତ୍ତମ ମହାତ୍ମ୍ୟର ପରାକାଷ୍ଠା ପ୍ରତିପାଦିତ କରିବାକୁ ଯାଇ କବି ମଙ୍ଗଳାଚରଣ ପ୍ରଥମ ଛାନ୍ଦରେ ଲେଖିଛନ୍ତି-

 

ଶୁଣି ଗୋବିନ୍ଦେ ଭାରତ ଖଣ୍ଡେ ପୁଣ୍ୟ ଧାମ

ଯେଣୁ ନାରାୟଣ ଦେହୀ ତେଣୁ ସେହି ନାମ ହେ ।। ୧ ।।

ଗୀର୍ବାଣ ମତେ ନିର୍ବାଣ ସାରୂପ୍ୟକୁ ଦେଇ

ସାକ୍ଷୀ ପକ୍ଷୀ କରଟ ପ୍ରତିମାରୂପେ ଥାଇ ଯେ ।। ୨ ।।

ଯେ ବ୍ରହ୍ମ ହତ୍ୟା ପାତକ, ନିପାତକ ମହୀ

କପାଳମୋଚନ ତ୍ରିଲୋଚନ ସାକ୍ଷୀ ଯହିଁ ଯେ ।। ୩ ।।

ଅସି କାଶୀଶ୍ଵର ବାସ କଲେ ଏହା ଜାଣି

ଅନ୍ୟ କ୍ଷେତ୍ର ସମସ୍ତଙ୍କ ଏ ମସ୍ତକ ମଣି ହେ ।। ୪ ।।

 

“କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ”ରେ କବି ସ୍ଵଚକ୍ଷୁରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କରି ଆହ୍ଲାଦିତ ହୋଇଛନ୍ତି ବୋଲି ବର୍ଣ୍ଣନା ରହିଛି-

 

ଦେଖିଲା ଆଖିରେ ଦରିଦ୍ରତା ନ ରଖିଲା

ମନହିଁ ଦୁଃସହ ଦୁଃଖମାନ ଉପେକ୍ଷିଲା ହେ ।। ୫୦ ।।

x             x             x            x

ଭାଗ୍ୟରୁ ଏ ଉପମାକାରକ ମୁଁ ଯେ ହେଲି

ପୁଲକିତ ଶରୀରରେ ହରିରେ ସ୍ମୃତି କଲି ହେ ।। ୫୫ ।।

 

ପ୍ରଥମ ଛାନ୍ଦର ମାତ୍ର ୬୩ ପଦ ମଧ୍ୟରେ କବି ଶ୍ରୀକ୍ଷେତ୍ର, ଶ୍ରୀଜଗନ୍ନାଥ ଓ ସ୍ନାନ ଯାତ୍ରାର ବର୍ଣ୍ଣନା କରିଛନ୍ତି । ଶ୍ରୀଜଗନ୍ନାଥ ମହାତ୍ମ୍ୟ ବର୍ଣ୍ଣନା କରିବାକୁ ଯାଇ କବି ଶ୍ରୀଜଗନ୍ନାଥ ତତ୍ତ୍ଵ ମଧ୍ୟରେ ଯେଉଁ ଦୁଇଟି ତତ୍ତ୍ଵ ରହିଛି “ଜଗତ” ଓ “ନାଥ” । ‘ଜଗତ’ ହେଉଛନ୍ତି ‘ରାଧା’ ଏବଂ ‘ନାଥ’ ହେଉଛନ୍ତି ‘ଶ୍ରୀକୃଷ୍ଣ’ ତାହାକୁ ଚମତ୍କାର ଭାବେ ଦର୍ଶାଇଛନ୍ତି ।-

 

ଭକ୍ତି ଦେବା ଗୁପ୍ତ ହୋଇଅଛି ଯୁକ୍ତାକ୍ଷରେ

ବୈଷ୍ଣବ ବିହୁନେ କେହୁ ଜାଣିବ ସଂସାରରେ ।। ୧୩ ।।

 

ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ଏହି ଚାରି ଭାରତୀୟ ଜାତି ଅଥବା ଶ୍ଵେତାଙ୍ଗ, କୃଷ୍ଣାଙ୍ଗ, ପୀତାଙ୍ଗ ଓ ଲୋହିତାଙ୍ଗ ଏହି ଚାରି ମାନବ ଜାତିକୁ ଶ୍ରୀଜଗନ୍ନାଥ (ଚାରି ବର୍ଣ୍ଣ) ଚଉବର୍ଗ, ଧର୍ମ, ଅର୍ଥ, କାମ, ମୋକ୍ଷ ଦେବାପାଇଁ ସମର୍ଥ ବୋଲି କହିଛନ୍ତି-

 

ସେ କମ୍ବୁ କଟକ ରାଜା ନାମ ଜଗନ୍ନାଥ

ଚାରିବର୍ଣ୍ଣ ଚଉବର୍ଗ ଦେବାକୁ ସମର୍ଥ ହେ ।। ୧୨ ।।

 

ମହାପ୍ରଭୁଙ୍କର ରୂପ ଲାବଣ୍ୟକୁ ମଧ୍ୟ କବି ବର୍ଣ୍ଣନା କରିଛନ୍ତି ଏହି କାବ୍ୟରେ । ଶ୍ରୀଜଗନ୍ନାଥଙ୍କୁ ସମୁଦ୍ର ସହିତ ତୁଳନା କରି ତାଙ୍କର ମକର କୁଣ୍ଡଳ ସମୁଦ୍ରର ମକର ମତ୍ସ୍ୟ ସଦୃଶ ଉଦ୍‌ଭାସିତ ବୋଲି ବର୍ଣ୍ଣନା କରିଛନ୍ତି । ଏହା ଭକ୍ତ ହୃଦୟକୁ ଭକ୍ତିଭାବ ଭକ୍ତି ରସରେ ପ୍ଳାବିତ କରେ-। ଶ୍ରୀ ସଦାଶିବ ରଥଶର୍ମାଙ୍କ ମତରେ “କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ”ରେ ପ୍ରଥମ ସ୍ଥାନରେ ଭଞ୍ଜ ଜଗନ୍ନାଥ ତତ୍ତ୍ଵର ଯେଉଁ ବିବରଣୀ ପ୍ରଦାନ କରିଅଛନ୍ତି ତାହା ବୃହତ୍ ସ୍କନ୍ଧ ପୁରାଣୋକ୍ତ ପୁରୁଷୋତ୍ତମ ପ୍ରଶସ୍ତିର ଏକ ସଂକ୍ଷେପ ସଂସ୍କରଣ କୁହାଯାଇପାରେ ।

 

ମହିମା ଅନନ୍ତ ପ୍ରଭୋ ମହୀ-ମା ଅନନ୍ତ

ମନୋହାରୀ ସହୋଦର ହୋଇ ଯା’ର ଖ୍ୟାତ ହେ ।। ୫୬ ।।

ଅରି-ଦର-କର ବିହୋ ଅରି ଦରକର

ଯୁଗେ ଯୁଗେ ଧର ନାନାବିଧ ଅବତାର ହେ ।। ୫୭ ।।

 

“ବୈଦେହୀଶ ବିଳାସ” ଏକ ରାମ କାବ୍ୟ ହେଲେ ମଧ୍ୟ ଶ୍ରୀଜଗନ୍ନାଥ ଏହାର ବିଭିନ୍ନ କ୍ଷେତ୍ରରେ ଯଥୋଚିତ ସ୍ଥାନ ପାଇଛନ୍ତି । ରାମ ଲଙ୍କାରୁ ପୁଷ୍ପକ ବିମାନରେ ପତ୍ନୀ ଓ ଭ୍ରାତାଙ୍କ ସହିତ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବା ପରେ ରାଣୀମାନେ ଦୁଇ ପୁତ୍ର ଓ ବଧୂଙ୍କୁ ବନ୍ଦନା କରି ଗୃହକୁ ନେଉଥିବାର ଦୃଶ୍ୟକୁ କବି ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ବାହୁଡ଼ା ଯାତ୍ରା ଶେଷରେ ମନ୍ଦିର ପ୍ରବେଶ ବା ନୀଳାଦ୍ରି ବିଜେ ଦୃଶ୍ୟ ସହିତ ତୁଳନା କରିଛନ୍ତି-

 

“ବଡ଼ଦେଉଳ ଅଗ୍ରତରେ, ଗୁଣ୍ଡିଚା ରଥ ଯେ ଦେଖିଛି ତରକ

ବିଲୋକନେ ବିଳାସୀ ସର୍ବଲୋକ, ବିଦିତ ନରେଶେ ଉତ୍ସବ

ସେଠାରେ ଏ ନବଦିନ ସଂଖ୍ୟକ ହେ ବିଦୂଷେ ।”

ଲାବଣ୍ୟବତୀରେ ମଧ୍ୟ ଶ୍ରୀଜଗନ୍ନାଥଙ୍କର ସ୍ତୁତି ଯେପରି ପ୍ରତ୍ୟେକ ଛାନ୍ଦରେ କରାଯାଇଛି ଠିକ୍ ସେହିପରି ମଧ୍ୟ ରାମଚନ୍ଦ୍ରଙ୍କରପାଇଁ ଶ୍ରୀଜଗନ୍ନାଥ ଶକର ପ୍ରୟୋଗ କବି କରିଅଛନ୍ତି । ଯେଉଁଥିରେ ଶ୍ରୀରାମଚନ୍ଦ୍ର ଓ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଅଭିନ୍ନତା ପ୍ରତିପାଦନ କରିଛନ୍ତି । ଯଥା:-

 

“ଜୟ ଜଗନ୍ନାଥ ରାମ ଶ୍ରେୟର ନିଳୟ

ମୁନିଗଣେ କାମ ଦାୟ ପଦ୍ମବାସୀ ପ୍ରିୟ ହେ ।”

 

ଠିକ୍ ସେହିପରି ଛାନ୍ଦ ଭୂଷଣ, ରସ ଲେଖା ଓ ପୁରୁଷୋତ୍ତମ ମାହାତ୍ମ୍ୟ ଇତ୍ୟାଦିରେ କବି ଶ୍ରୀଜଗନ୍ନାଥଙ୍କୁ ସ୍ତୁତି କରିଛନ୍ତି ।

 

“ରସଲେଖା”ର ପ୍ରତ୍ୟେକ ଛାନ୍ଦରେ ହରି ଓ ହର ଉଭୟଙ୍କର ବର୍ଣ୍ଣନା ରହିଛି ।

 

“ଆହେ ଜଗନ୍ନାଥ ବିଶ୍ଵନାଥ ହରିହର

କମଳାକ୍ଷ, ବିରୂପାକ୍ଷ କରୁଣାସାଗର

ଉପଇନ୍ଦ୍ର ଭଞ୍ଜ ଭଣି

କରୁଣା କରିବ ମୋର ମନ ଚିନ୍ତା ଜାଣି । ୩୭ ।”

 

“ପୁରୁଷୋତ୍ତମ ମାହାତ୍ମ୍ୟ”ରେ କବି ଚତୁର୍ଦ୍ଧା ମୂରତି ତତ୍ତ୍ଵ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଶ୍ରୀଜଗନ୍ନାଥଙ୍କୁ ପୂର୍ଣ୍ଣବ୍ରହ୍ମରୂପେ ଗ୍ରହଣ କରିଛନ୍ତି । ଭଞ୍ଜ କବିଙ୍କର ବହୁମୁଖୀ କବିତା ଉତ୍ସର ଶେଷ ଧାରା ହେଉଛି-“ନୀଳାଦ୍ରିଶ ଚଉତିଶା” । କେବଳ ଏଥିରେ ତାଙ୍କର ପ୍ରଗାଢ଼ ଆତ୍ମପ୍ରତ୍ୟୟ ସ୍ଥାନରେ ସମର୍ପଣମୂଳକ ବାଣୀ ପ୍ରକାଶିତ ହୋଇଛି । ପଦର ସରଳତା ଦେଖିଲେ ଏହା ଏତେ ସରଳ ଓ ଭକ୍ତିମୂଳକ ହୋଇଛି ଯେ, ଏହାକୁ ପଢ଼ିଲେ ଯେ କେହି ଭକ୍ତିଭାବ ରସରେ ଆପଣାଛାଏଁ ତଲ୍ଲୀନ ହେବ, ଏହା ନିଃସନ୍ଦେହରେ କୁହାଯାଇପାରେ ।

 

କର ପତ୍ର ଯୋଡ଼ିଣ            କମ୍ବୁ ରାଜ୍ୟ ରାଜନ

କମଳାକର ସନ୍ନିଧାନେ

କି ବର୍ଣ୍ଣିବି ଭାଳିତ             କଞ୍ଜସୂତ୍ତ୍ଵ ଭାବିତ

ଯେ କଞ୍ଜଚରଣ ଇକ୍ଷଣେ

ହେ ନୀଳାଦ୍ରୀଶ !            କହି ତ କୁଟିଳ ବହିଛ

ହରି ତ ବକ୍ର ବହିଅଛ

କମ୍ବୁ ନାଭି କୁଟିଳ            ଭକ୍ତଜନେ ସରଳ

କରଟୁ ହୀନ କି କରୁଛ ।”

 

ନୀଳାଦ୍ରୀଶ ଚଉତିଶାରେ ଶ୍ରୀପୁରୁଷୋତ୍ତମ ପ୍ରଶସ୍ତି ସହିତ ଚତୁର୍ଦ୍ଧା ମୂର୍ତ୍ତି ତତ୍ତ୍ଵ, ଶ୍ରୀପୁରୁଷୋତ୍ତମଙ୍କର ପ୍ରଣବ ସ୍ଵରୂପ ଓ ଶ୍ରୀଜଗନ୍ନାଥ ନାମର ସାର୍ଥକତା ପୂର୍ଣ୍ଣଭାବେ ପ୍ରତିପାଦିତ ହୋଇଛି । ଭଞ୍ଜକବି ଅତି ସରଳଭାବେ ପୁରୁଷୋତ୍ତମଙ୍କର ନାନା ପ୍ରଶସ୍ତି କରିବାକୁ ଯାଇ ଶ୍ରୀଜଗନ୍ନାଥଙ୍କ ବିଷୟରେ ପୌରାଣିକ ଆଖ୍ୟାନଗୁଡ଼ିକୁ ଛାନ୍ଦ ମଧ୍ୟରେ ବ୍ୟକ୍ତ କରିଛନ୍ତି । ସେ ଆପଣାର ରଚନା ମଧ୍ୟରେ ଶ୍ରୀଜଗନ୍ନାଥ ବିଗ୍ରହ ମତବାଦର ନାନା ଦିଗରୁ ଆଲୋଚନା କରିଛନ୍ତି । ବ୍ରହ୍ମପୁରାଣ ପ୍ରଭୃତି ସଂସ୍କୃତ ସାହିତ୍ୟର ତତ୍ତ୍ଵ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ବିଷୟରେ ଯାହା କହନ୍ତି-

 

“ଅ କାର ଆଦ୍ୟ ଦେଶେ ଚ ଉ କାର ମଧ୍ୟ ଦେଶୟୋ

ମ କାର ପ୍ରାନ୍ତ ଦେଶେ ତୁ ଓଁ କାରାୟ ନମୋ ନମଃ ।”

 

ଏହି ମତବାଦକୁ “ଛ” ପଦରେ ପ୍ରକାଶ କରିଛନ୍ତି ଭଞ୍ଜ-

 

ଛଟକରେ ଅକ୍ଷର ଛନ୍ଦରେ ଆଦିସ୍ଵର

ଫଣି ଶୁକଳ ହେଲେ ବର୍ଣ୍ଣ

ଛଟକାଙ୍କୀ ସେ ମାୟା ଉ କାରେ ବହ୍ନି କାୟା

କହନ୍ତି ବର୍ଣ୍ଣ ସେ ଅରୁଣ

ହେ ନୀଳାଦ୍ରୀଶ !

ଛଦ୍ରମେ ବହିଅଛ ରୂପ ମ କାର ବୀଜର ସ୍ଵରୂପ

ଛନ୍ଦେ ପ୍ରଣବ ସାର ନିଗମର ବେଭାର

ଛଳେ ବହିଲ ଗୋପ୍ୟ ରୂପ

ହେ ନୀଳାଦ୍ରୀଶ !

 

ଉପେନ୍ଦ୍ର ଭଞ୍ଜଙ୍କର ଜଗନ୍ନାଥ ପ୍ରଶସ୍ତି ଅଧିକ ତତ୍ତ୍ଵମୂଳକ । କାରଣ ସେ ସଂସ୍କୃତ ସାହିତ୍ୟରେ ଅଗାଧ ପାଣ୍ଡିତ୍ୟ ଲାଭ କରିଥିଲେ ଏବଂ ପୁରୀରେ ରହି ଶ୍ରୀଜଗନ୍ନାଥ ମନ୍ଦିରର ବ୍ୟବହାରିକ ରୀତି ନୀତି ସମ୍ବନ୍ଧରେ ଅଭିଜ୍ଞତା ହାସଲ କରିଥିଲେ । ଶ୍ରୀଜଗନ୍ନାଥଙ୍କୁ ଦେବାଧିଦେବ ରାଜ ପରମ ମୁକ୍ତିଦାତା ଭାବରେ ବାରମ୍ବାର ପ୍ରଣାମ କରିଛନ୍ତି । ଏତଦ୍‌ଭିନ୍ନ ଅନେକ ଭଜନ ଜଣାଣ ଇତ୍ୟାଦି ରଚନା କରି ତାଙ୍କର ଅସାଧାରଣ କୃତିତ୍ଵ ଓ ରସୋଚ୍ଛ୍ଵାସମୟ ହୃଦୟର ନିଖୁଣ ଚିତ୍ର ଦେବା ସଙ୍ଗେ ସଙ୍ଗେ ମନ ତଳର ଆର୍ତ୍ତବେଦନାକୁ ବାଢ଼ିଛନ୍ତି ଛନ୍ଦାଚରଣଙ୍କ ନିକଟରେ ।

 

            ମାନ ଉଦ୍ଧାରଣ କର ହେ କାରଣ

                        ଶରଣ ମୁଁ ତୁମ୍ଭ ପାଦ ତଳେ

            ଅନାଥର ନାଥ ନୀଳ ଗିରୀନାଥ

                        ଜଗନ୍ନାଥ ନାମ ନୀଳାଚଳ

                        କିମ୍ବା

            କଳା ଶ୍ରୀମୁଖ ହେ !

                  ନ ଗଲା ମୋର ଦୁଃଖ

            କଳପତରୁକୁ ଆଶ୍ରେ କରିଛି ମୁଁ

                        କି ବୋଲିବେ ଶୁଣି ଲୋକ ।”

 

କାବ୍ୟ କବିତାରୁ ଆରମ୍ଭ କରି ଛାନ୍ଦ, ଚଉତିଶା, ଭଜନ, ଜଣାଣ ପର୍ଯ୍ୟନ୍ତ ଭଞ୍ଜଙ୍କର ଯାତ୍ରା ଅନନ୍ୟ ଓ ଅସାଧାରଣ । ତାଙ୍କର ପ୍ରତ୍ୟେକ ସୃଷ୍ଟି ଭିତରେ ରହିଛି ସାଙ୍ଗୀତିକତା ଯାହାକୁ, ନିହାତି ସାଧାରଣ ଗାଉଁଲି ଲୋକଟିଏ ମଧ୍ୟ ଗାନ କରିପାରିବ । ସେ ଯେ କବି ସମ୍ରାଟ୍ ଖାଲି ନୁହଁନ୍ତି ବରଂ ସଙ୍ଗୀତ ସମ୍ରାଟ୍‌ଭାବେ ମଧ୍ୟ ଭକ୍ତର ହୃଦୟକନ୍ଦରରେ ପୂଜା ପାଉଥିବେ । ସେତେଦିନ ଯାଏଁ ଜଗତର ନାଥ ଜଗନ୍ନାଥଙ୍କର ନିକଟରେ ଯୋଡ଼ ହସ୍ତରେ ଦଣ୍ଡାୟମାନ ରହି ଭକ୍ତଟିଏ ଭଞ୍ଜଙ୍କ ଲେଖନୀ ନିଃସୃତ ଭକ୍ତି ଗୀତ ଗାନ କରୁଥିବ, ସେତେଦିନ ଯାଏଁ ଭଞ୍ଜ ଜାତୀୟ ସଂସ୍କୃତିର ପ୍ରଭାବନ୍ତ ପ୍ରତୀକ ହୋଇ ରହିଥିବେ ।

 

 

ଅଧ୍ୟାପିକା

ଚନ୍ଦନ ହଜୁରୀ ରୋଡ୍

ଏସ୍. ସି. ଏସ୍ କଲେଜ ସାମ୍ନା, ପୁରୀ

ଦୂରଭାଷ-୯୪୩୭୩୫୭୪୪୪

 

***

 

Unknown

ଶ୍ରୀଜଗନ୍ନାଥ ଓ ରକ୍ତବାହୁ ଉପାଖ୍ୟାନ

ଡକ୍ଟର ହରିହର କାନୁନ୍‌ଗୋ

 

ମାଦଳାପାଞ୍ଜିରୁ ଜଣାଯାଏ ଯେ ଶୋଭନଦେବଙ୍କ ଦ୍ଵିତୀୟ ଅଙ୍କରେ ରକ୍ତବାହୁର ଆଗମନ ବାର୍ତ୍ତା ପାଇ ଜଗନ୍ନାଥଙ୍କୁ ସ୍ଥାନାନ୍ତରିତ କରାଯାଇ ସୋନପୁର ଗୋପାଳିଠାରେ ଗୋଟିଏ ମୁକ୍ତ ମଣ୍ଡପ ଉପରେ ଦୀର୍ଘ ୪୫ ବର୍ଷ କାଳ ରଖାଯାଇ ପୂଜା ଆରାଧନା କରାଯାଉଥିଲା । ପରବର୍ତ୍ତୀ ଅବସ୍ଥାରେ ୪୫ ବର୍ଷ ପରେ “ମୁଗଲେ ପ୍ରବଳ ହୋଇ ଗୋଳ କରିବାରୁ ସେବକେ ସେଠାରେ ପରମେଶ୍ଵରଙ୍କୁ ପାତାଳି କରି ଉପରେ ଗଛ ଲଗାଇ ରାଜ୍ୟ ଅନ୍ତର ହୋଇଗଲେ ।” (୧) ମାଦଳାପାଞ୍ଜିର ଏହି ତଥ୍ୟଟିରେ ରକ୍ତବାହୁ ଓ ମୁଗଲେ ପ୍ରଭୃତି ଶବ୍ଦ ବ୍ୟବହୃତ ହୋଇଥିବାରୁ ତାହା ଐତିହାସିକ ତଥ୍ୟମାନଙ୍କ ସହିତ ମେଳ ଖାଏ ନାହିଁ । ଏ ସମ୍ପର୍କରେ ଏକ ଯୁକ୍ତିଯୁକ୍ତ ଧାରଣା ମନକୁ ନେବାକୁ ହେଲେ ଆମକୁ କେତେଗୁଡ଼ିଏ ମୌଳିକ ପ୍ରଶ୍ନର ସମ୍ଭାବ୍ୟ ଉତ୍ତର ବାହାର କରିବାକୁ ହେବ-। ପ୍ରଥମତଃ ଏହି ମାଦଳାପାଞ୍ଜି ବର୍ଣ୍ଣିତ ଶୋଭନ ଦେବ କେଉଁ ବଂଶର ଓ କେଉଁଠାରେ ରାଜତ୍ଵ କରୁଥିଲେ ? ଦ୍ଵିତୀୟତଃ ରକ୍ତବାହୁ ଓ ମୋଗଲମାନଙ୍କ ଆବିର୍ଭାବ ମଧ୍ୟରେ ୪୫ ବର୍ଷର ବ୍ୟବଧାନ ରହିଥିବା ଦୃଷ୍ଟିରୁ ସେମାନେ ଏକ ବା ଭିନ୍ନ ଗୋଷ୍ଠୀର ପ୍ରତିନିଧିତ୍ଵ କରନ୍ତି କି ? ଯଦି କରୁଥାନ୍ତି ତେବେ ଏହାର ଐତିହାସିକ ତାତ୍ପର୍ଯ୍ୟ କ’ଣ ହୋଇପାରେ ?

 

ଶୋଭନ ଦେବଙ୍କ ବଂଶ ପରିଚୟ ସମ୍ପର୍କରେ ମାଦଳାପାଞ୍ଜିରେ କୌଣସି ସୂଚନା ନାହିଁ । ସେ କେଉଁଠାରେ ରାଜତ୍ଵ କରୁଥିଲେ, ତାହାର କୌଣସି ନିର୍ଦ୍ଦିଷ୍ଟ ସୂଚନା ମାଦଳାପାଞ୍ଜିରେ ଦିଆଯାଇ ନାହିଁ । ମାଦଳାପାଞ୍ଜି ରାଜଭୋଗ ଇତିହାସରେ ଯେଉଁ ରାଜାମାନଙ୍କ ରାଜତ୍ଵର ବିବରଣୀ ଦିଆଯାଇଛି, ସେମାନେ ସମସ୍ତେ ଗୋଟିଏ ବଂଶର ନା ଭିନ୍ନ ଭିନ୍ନ ବଂଶର-ସେ ସମ୍ପର୍କରେ ମଧ୍ୟ କୌଣସି ସୂଚନା ଏଥିରେ ଦିଆଯାଇ ନାହିଁ । ଯଦି ସେମାନଙ୍କୁ ଗୋଟିଏ ବଂଶର ବୋଲି ଧରାଯାଏ, ତେବେ ସେହି ବଂଶାନୁକ୍ରମରେ ମାଦଳାପାଞ୍ଜି ବର୍ଣ୍ଣିତ ଚନ୍ଦ୍ରକର ଦେବଙ୍କ ପରବର୍ତ୍ତୀ ରାଜା ଭାବରେ ଆମେ ଯଯାତି ପାଟରାଜା ହୋଇଥିବା କଥା ଦେଖିବାକୁ ପାଇଥାଉ । ଏହି ଯଯାତିଙ୍କୁ ଐତିହାସିକମାନେ ସୋମବଂଶୀ ପ୍ରଥମ ଯଯାତି କେଶରୀଙ୍କ ସହିତ ଚିହ୍ନିତ କରିଛନ୍ତି-। (୨)

 

ଆଲୋଚ୍ୟ ପ୍ରଥମ ଯଯାତିଙ୍କ ପିତା ଜନ୍ମେଜୟ ମହାଭବଗୁପ୍ତ (ଖ୍ରୀଷ୍ଟାବ୍ଦ ୮୫୫-୯୨୫) ରାଜ୍ୟ ଜୟ କରିବାରେ ବ୍ୟସ୍ତ ଥିବାରୁ ଜୟ କରିଥିବା ରାଜ୍ୟଗୁଡ଼ିକରେ ଶାସନ ପ୍ରତିଷ୍ଠା କରିବାରେ ମନ ଦେଇପାରି ନ ଥିଲେ । ଜନ୍ମେଜୟ ନିଜ ଜୀବନକାଳ ମଧ୍ୟରେ କୋଶଳ ଓ ଭଞ୍ଜରାଜାମାନଙ୍କର ଉଭୟ ଖିଞ୍ଜଳିମଣ୍ଡଳ ଜୟ କରିଥିଲେ । ପ୍ରଥମ ଯଯାତି ସେହି ଦୁଇ ରାଜ୍ୟ କୋଶଳ ଏବଂ ଉଭୟ ଖିଞ୍ଜଳିମଣ୍ଡଳରେ ଶାସନ ପ୍ରତିଷ୍ଠା କରି ଓ ନିଜ ନାମାନୁସାରେ ମହାନଦୀ କୂଳରେ ରାଜଧାନୀ ନିର୍ମାଣ କରି ତାହାର ନାମ ଯଯାତିନଗର ଦେଇଥିଲେ । ଏହି ଦୁଇଟି ରାଜ୍ୟରେ ଶାସନ ପ୍ରତିଷ୍ଠା କରି ତାହାର ପ୍ରଥମ ରାଜା ହୋଇଥିବାରୁ ମାଦଳାପାଞ୍ଜିରେ ତାହାଙ୍କୁ ପାଟରାଜା ବୋଲି ସମ୍ବୋଧିତ କରାଯାଇଛି । ଏହି ରାଜ୍ୟମାନ ଜୟ କରିବା ପୂର୍ବରୁ ସେଠାରେ ଭଞ୍ଜରାଜାମାନେ ରାଜତ୍ଵ କରୁଥିଲେ । ମାଦଳାପାଞ୍ଜି ରାଜଭୋଗ ଇତିହାସରେ ଦିଆଯାଇଥିବା ରାଜବଂଶମାନଙ୍କର ବଂଶାନୁକ୍ରମରେ ପ୍ରଥମ ଯଯାତି କେଶରୀଙ୍କର ନାମ ଆସୁଥିବାରୁ ଏପରି ମନେକରିବା ସ୍ଵାଭାବିକ ଯେ ସେଥିରେ ଯେଉଁ ରାଜବଂଶର ବିବରଣୀ ଦିଆଯାଇଅଛି ସେମାନେ ଉଭୟ ଖିଞ୍ଜଳିମଣ୍ଡଳର ଭଞ୍ଜରାଜବଂଶ ଅଟନ୍ତି । ସୋମବଂଶୀ ଜନ୍ମେଜୟ ମହାଭବଗୁପ୍ତ ସୋନପୁର, ବୌଦ, ଫୁଲବାଣୀ ଅଞ୍ଚଳକୁ ଜୟ କରିବା ପୂର୍ବରୁ ସେଠାରେ ଯେଉଁ ଭଞ୍ଜବଂଶୀୟ ରାଜାମାନେ ରାଜତ୍ଵ କରୁଥିଲେ ସେମାନଙ୍କର ପୁରୁଷାନୁକ୍ରମିକ ବଂଶ ପରିଚୟ ଇତିହାସରେ ସମ୍ପୂର୍ଣ୍ଣରୂପେ ଲିପିବଦ୍ଧ ହୋଇ ନାହିଁ । ମାତ୍ର ସେହି ଭଞ୍ଜବଂଶୀୟ ରାଜାମାନେ ଓଡ଼ିଶାର ସର୍ବପୁରାତନ ରାଜବଂଶ ବୋଲି ଐତିହାସିକମାନେ ଲିପିବଦ୍ଧ କରିଛନ୍ତି । ଏପରିକି ବୌଦର ଭଞ୍ଜରାଜାମାନେ ସତ୍ୟ ଯୁଗରୁ ରାଜତ୍ଵ କରି ଆସୁଛନ୍ତି ବୋଲି ଦାବି କରିଥାନ୍ତି । (୩) ଏଠାରେ ଉଲ୍ଲେଖନୀୟ ଯେ ମାଦଳାପାଞ୍ଜିରେ ପ୍ରଥମ ଯଯାତିଙ୍କ ପୂର୍ବରୁ ଯେଉଁ ରାଜବଂଶର ଉଲ୍ଲେଖ ମୂଳରୁ ରହିଅଛି । ସେମାନେ ସତ୍ୟଯୁଗରୁ ରାଜତ୍ଵ କରିଆସୁଥିବା କଥା ମାଦଳା ପାଞ୍ଜି ଉଲ୍ଲେଖ କରିଅଛି । (୪) ସୃଷ୍ଟିର ଆବହମାନ କାଳରୁ ପୁରୁଷାନୁକ୍ରମିକ ଭାବରେ ଶାସନ କରି ଆସୁଥିବା ଏହି ‘ଭଞ୍ଜବଂଶ’ ଏକ ପ୍ରାଚୀନତମ ରାଜବଂଶ । ଓଡ଼ିଶା, ଭାରତ ତଥା ପୃଥିବୀର ରାଜନୀତିକ ଇତିହାସରେ ଏପରି କ୍ୱଚିତ୍ ରାଜ୍ୟ ରହିଅଛି, ଯାହାକି ହଜାର ହଜାର ବର୍ଷଧରି ଧାରାବାହିକ ତଥା ପୁରୁଷାନୁକ୍ରମିକ ଭାବରେ ଗୋଟିଏ ରାଜବଂଶ ଦ୍ଵାରା ଶାସିତ ହୋଇଆସିଛି । ଓଡ଼ିଶାର ଛବିଶ ଗୋଟି ଗଡ଼ଜାତ ରାଜ୍ୟ ମଧ୍ୟରୁ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ସୋନପୁର, ବଉଦ, ଦଶପଲ୍ଲା, ଘୁମୁସୁର, କନିକା ଆଦି ରାଜ୍ୟମାନ ଭଞ୍ଜବଂଶଧର ଅଟନ୍ତି । ଏମାନେ ନିରବିଚ୍ଛିନ୍ନ ଭାବରେ ଶତ ସହସ୍ରାଧିକ ବର୍ଷ ଧରି ପୁରୁଷାନୁକ୍ରମିକ ଭାବରେ ସେମାନଙ୍କୁ ଶାସନ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା କରି ଆସିଛନ୍ତି । ଭାରତର ଅନ୍ୟ ରାଜବଂଶଗୁଡ଼ିକ ଅଧିକ କ୍ଷମତାଶାଳୀ ଥାଇ ବିଶାଳ ସାମ୍ରାଜ୍ୟର ଅଧିକାରୀ ହୋଇପାରନ୍ତି, ମାତ୍ର ସେମାନେ ଭଞ୍ଜମାନଙ୍କ ପରି ପ୍ରାଚୀନ ରାଜବଂଶ ନୁହଁନ୍ତି । କାରଣ ଭଞ୍ଜମାନେ ହଜାର ହଜାର ବର୍ଷ ଧରି ନିରବିଚ୍ଛିନ୍ନ ଭାବରେ ପାର୍ବତ୍ୟ ଓଡ଼ିଶାରେ ରାଜ୍ୟ ଶାସନ କରି ଆସୁଥିଲେ-। x x x ଭାରତର ବୌଦ୍ଧଧର୍ମ ଜନ୍ମଲାଭ କରିବା ପୂର୍ବରୁ କଳିଙ୍ଗର ଉତ୍ତର ପୂର୍ବ ପାର୍ବତ୍ୟ ପ୍ରଦେଶରେ ଶୁଦ୍ଧ କ୍ଷତ୍ରୀୟରୂପେ ଭଞ୍ଜମାନେ ରାଜ୍ୟ ଶାସନ କରୁଥିଲେ । (୫)

 

ଭଞ୍ଜରାଜବଂଶର ପ୍ରାଚୀନତା ସମ୍ବନ୍ଧରେ କୁହାଯାଇଛି ଯେ ସେମାନେ ଐରମାନଙ୍କ ପୂର୍ବେ କଳିଙ୍ଗରେ ରାଜତ୍ଵ କରୁଥିଲେ । ଏହି ବଂଶର ଆଦିରାଜା ମହେନ୍ଦ୍ର ଭଞ୍ଜ ବା ମୋଦଭଞ୍ଜ ଉତ୍କଳରେ ୩୨ ବର୍ଷ ରାଜତ୍ଵ କରୁଥିଲେ । ଖ୍ରୀଷ୍ଟପୂର୍ବ ୧୦୯୮ରେ କଳିଙ୍ଗରେ କୁଶଧ୍ଵଜ ରାଜବଂଶର ପତନ ପରେ ଖିଜିଙ୍ଗକୋଟାର ଭଞ୍ଜମାନେ ୫୦୦ ବର୍ଷ ଅର୍ଥାତ୍ ଖ୍ରୀଷ୍ଟପୂର୍ବ ୧୦୯୮ ରୁ ଖ୍ରୀଷ୍ଟପୂର୍ବ୫୯୮ ପର୍ଯ୍ୟନ୍ତ କଳିଙ୍ଗଶାସନ କରିଥିଲେ । କଳିଙ୍ଗରେ ରାଜା କରଣ୍ଡକ ରାଜତ୍ଵ କରିବା ପୂର୍ବରୁ ଭଞ୍ଜମାନେ କଳିଙ୍ଗ ଶାସନ କରୁଥିଲେ । ତେଣୁ ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀରେ ରଚିତ ଜୈନ ଓ ବୌଦ୍ଧ ଧର୍ମଶାସ୍ତ୍ର ଗୁଡ଼ିକରେ ଖିଜିଙ୍ଗମଣ୍ଡଳ ରାଜ୍ୟର ଭଞ୍ଜମାନଙ୍କର ନାମୋଲ୍ଲେଖ ରହିଛି । (୬) ଭଞ୍ଜବଂଶ ସମ୍ବନ୍ଧରେ ଯେଉଁ ଚାରିଗୋଟି ତାମ୍ର ଶାସନ ମିଳିଅଛି, ସେଗୁଡ଼ିକ ମଧ୍ୟରୁ ବାମନଘାଟି ତାମ୍ର ଶାସନର ସମୟ ୩୪୬ ଖ୍ରୀଷ୍ଟାବ୍ଦ ଏବଂ ତହିଁରେ ଖିଜିଙ୍ଗକୋଟାର ବୀରଭଦ୍ରଙ୍କ ନାମୋଲ୍ଲେଖ ଅଛି ଏବଂ ସେ ଭଞ୍ଜବଂଶର ଆଦ୍ୟ ପ୍ରତିଷ୍ଠାତା ଅଟନ୍ତି । ସେ ବଶିଷ୍ଟ ଋଷିଙ୍କ ଆଶ୍ରମରେ ମୟୂର ଅଣ୍ଡା ଭଞ୍ଜନରୁ ଜାତ ହୋଇ ଭଞ୍ଜରାଜ୍ୟ ଗଠନ କରିଥିଲେ । ବାମନଘାଟିର ଭଞ୍ଜମାନେ ଉତ୍ତର-ପୂର୍ବ ଉପକୂଳରୁ ସାମ୍ରାଜ୍ୟ ବିସ୍ତାର କରି କ୍ରମଶଃ ପଶ୍ଚିମ ପଥଦେଇ ଦକ୍ଷିଣରେ ଖିଞ୍ଜଳିମଣ୍ଡଳ ଯାଏ ରାଜ୍ୟ ବିସ୍ତାର କରିଥିବା ଜଣାଯାଏ । ବଉଦରେ ସେମାନଙ୍କ ରାଜତ୍ଵକାଳ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ ଆରମ୍ଭ ହୋଇଥିଲା ।(୭) ଭଞ୍ଜମାନଙ୍କର ପ୍ରାଚୀନତା ସମ୍ପର୍କରେ ମତ ଦେବାକୁ ଯାଇ ପ୍ରାବନ୍ଧିକ ରଘୁନାଥ ରଥ କହିଅଛନ୍ତି, “The hill tracts of middle Orissa was under the rule of the Bhanjas, continuously for about 1500 years i.e., from about 4th century A.D. without any interuption”. (୮) ଅର୍ଥାତ୍ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀ ବେଳକୁ ଖିଞ୍ଜଳିମଣ୍ଡଳରେ ଭଞ୍ଜରାଜବଂଶ ପ୍ରତିଷ୍ଠିତ ହୋଇସାରିଥିଲା । କେତେକ ଘଟଣାରୁ ଏପରି ମନେହୁଏ ଯେ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀ ପୂର୍ବରୁ ମଧ୍ୟ ଭଞ୍ଜରାଜବଂଶ ପ୍ରତିଷ୍ଠିତ ହୋଇସାରିଥିଲା । ଓଡ଼୍ର ଦେଶରେ ଜଣେ ରାଜା ରହିଥିବା କଥା ପ୍ରଥମ କରି ଆମ ମହାଭାରତର ଭୀଷ୍ମ ପର୍ବରୁ ପାଇଥାଉ । (୯) ବିଭିନ୍ନ ପ୍ରକ୍ଷିପ୍ତାଂଶମାନଙ୍କ ସହିତ ମହାଭାରତ କାବ୍ୟଟି ଯେଉଁ ଆକାରରେ ବର୍ତ୍ତମାନ ଆମ ଦୃଷ୍ଟିକୁ ଆସେ, ତାହାର ରଚନା ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀ ବା ଗୁପ୍ତଯୁଗ ସମୟରେ ହୋଇଥିଲା ବୋଲି ଗବେଷକମାନେ ମତ ପ୍ରଦାନ କରିଅଛନ୍ତି । ସେ ସମୟକୁ ଉପରୋକ୍ତ ସୂଚନାନୁଯାୟୀ ଭଞ୍ଜ ରାଜବଂଶ ପ୍ରତିଷ୍ଠିତ ହୋଇସାରିଥିଲା-

 

ମାଦଳାପାଞ୍ଜି ରାଜଭୋଗ ଇତିହାସରେ ଶୋଭନ ଦେବଙ୍କ ପର୍ଯ୍ୟନ୍ତ ୭୮ ଜଣ ରାଜାଙ୍କର ବିବରଣୀ ଦିଆଯାଇଅଛି । ଯଦି ଏହି ସମସ୍ତଙ୍କୁ ଗୋଟିଏ ବଂଶର ବୋଲି ଧରାଯାଏ, ତେବେ ଦେଖାଯିବ ଯେ ଓଡ଼ିଶାରେ ଖିଞ୍ଜଳିମଣ୍ଡଳର ଭଞ୍ଜବଂଶ ବ୍ୟତୀତ ଏତେ ପୁରାତନ ରାଜବଂଶ ଆଉ ନାହାନ୍ତି । ଏ ସମ୍ପର୍କରେ ମନ୍ତବ୍ୟ ଦେବାକୁ ଯାଇ ଡକ୍ଟର ପାଣିଗ୍ରାହୀ ଉଲ୍ଲେଖ କରିଅଛନ୍ତି, “It is stated in one of the copper plates of the early Bhanja kings that many Bhanja kings thousands in number were born in the past and in their family Silabhanj was born. The Bhanjas played a very important part in spreading the Orissan Culture in the hilly tracts of Orissa”. (୧୦) ଅପରପକ୍ଷେ ଦେଖାଯିବ ଯେ ଡକ୍ଟର ପାଣିଗ୍ରାହୀଙ୍କ ଭଳି କେତେକ ଐତିହାସିକ ଶୋଭନ ଦେବଙ୍କୁ ତୋଷାଳୀ ଭୌମକର ବଂଶର ଶୁଭାକର ପ୍ରଥମଙ୍କ ସଙ୍ଗେ ଚିହ୍ନିତ କରାଇବାକୁ ଉଦ୍ୟମ କରିଅଛନ୍ତି । ମାତ୍ର ତାହା ଗ୍ରହଣଯୋଗ୍ୟ ନୁହେଁ । କାରଣ ଶୁଭାକର ଦେବ ପ୍ରଥମ ବା ଭୌମକର ବଂଶୀୟ ରାଜାମାନଙ୍କର କୌଣସି ଅଭିଲେଖରେ ଆମେ ଜଗନ୍ନାଥଙ୍କର ନାମୋଲ୍ଲେଖ ପାଇ ନ ଥାଉ । ଭୌମକରମାନଙ୍କ ଲିପିବଦ୍ଧ ଇତିହାସରେ ମଧ୍ୟ ଉପରୋକ୍ତ ଘଟଣାଟିର କୌଣସି ଉଲ୍ଲେଖ ନାହିଁ । ଭୌମକରମାନେ ବୌଦ୍ଧଧର୍ମାବଲମ୍ବୀ ହୋଇଥିଲେ ମଧ୍ୟ ସେମାନଙ୍କ ଦ୍ଵାରା ପୂଜିତ ଦେବଦେବୀମାନଙ୍କ ମଧ୍ୟରେ ଜଗନ୍ନାଥଙ୍କର ନାମ ଥିବା କଥା ଇତିହାସର କୌଣସି ସ୍ଥାନରେ ଉଲ୍ଲେଖ ନାହିଁ । ଉତ୍କଳ ବା ତୋଷାଳୀରେ ସାମ୍ରାଜ୍ୟ ବିସ୍ତାର କରିଥିବା ଭୌମକର ରାଜବଂଶର ରାଜଧାନୀ ଯାଜପୁରର ଗୁହେଶ୍ଵର ପାଟକଠାରେ ଥିଲା । ସୁତରାଂ ସେମାନେ ପୁରୀରେ ଜଗନ୍ନାଥଙ୍କୁ ଅବସ୍ଥାପିତ ନ କରି ନିଜ ରାଜଧାନୀରେ ରଖିବାର ସମ୍ଭାବନା ଅଧିକ ଓ ଯୁକ୍ତିଯୁକ୍ତ ।

 

ଅତଏବ କେବଳ ନାମଗତ ସାମଞ୍ଜସ୍ୟ ଦୃଷ୍ଟିରୁ ଭଞ୍ଜବଂଶୀୟ ରାଜା ଶୋଭନ ଦେବଙ୍କୁ ଭୌମକରବଂଶୀ ପ୍ରଥମ ଶୁଭାକର ଦେବଙ୍କ ସହିତ ଚିହ୍ନିତ କରିବା ଠିକ୍ ନୁହେଁ । ୧୫୦୦ରୁ ଊର୍ଦ୍ଧ୍ଵକାଳ ରାଜତ୍ଵ କରିଥିବା ପୁରାତନ ଭଞ୍ଜ ରାଜବଂଶ ସହିତ ତୁଳନା କଲେ ମାତ୍ର ୧୮୭ ବର୍ଷ ରାଜତ୍ଵ କରିଥିବା ତୋଷାଳୀର ଭୌମକର ବଂଶ ଅର୍ବାଚୀନ ପରି ମନେହୁଏ । ଶୋଭନ ଦେବଙ୍କୁ ଯଦି ଏକ ପୃଥକ ଓ ସ୍ଵତନ୍ତ୍ର ରାଜବଂଶର ରାଜାରୂପେ ବିଚାର କରାଯାଏ, ତେବେ ପ୍ରଶ୍ନ ଉଠେ ସେ କେଉଁ ରାଜ୍ୟର ରାଜା ଥିଲେ ? ସେହିପରି କୌଣସି ରାଜ୍ୟର ସୂଚନା ମାଦଳାପାଞ୍ଜି ବା ଇତିହାସ ଦେଇ ନାହିଁ । ଏଣୁ ଶୋଭନ ଦେବଙ୍କୁ ଭଞ୍ଜବଂଶୀୟ ଜଣେ ରାଜାରୂପେ ଗ୍ରହଣ କରାଯିବା ଉଚିତ-। ସମ୍ଭବତଃ ଶୋଭନ ଦେବ ଭଞ୍ଜମାନଙ୍କର ଉଭୟ ଖିଞ୍ଜଳିମଣ୍ଡଳର ରାଜା ଥିଲେ । ଶୋଭନ ଦେବଙ୍କ ପରେ ଚନ୍ଦ୍ରକର ଦେବ ରାଜତ୍ଵ କରିଥିଲେ । ମାଦଳାପାଞ୍ଜିର ବର୍ଣ୍ଣନାନୁଯାୟୀ ଚନ୍ଦ୍ରକର ଦେବଙ୍କ ପରେ ଭଞ୍ଜବଂଶୀ ଶାସନର ଅବସାନ ଘଟିଥିଲା ଓ ସୋମବଂଶୀ ପ୍ରଥମ ଯଯାତିକେଶରୀ ଭଞ୍ଜମାନଙ୍କ ରାଜ୍ୟରେ ରାଜତ୍ଵ ଆରମ୍ଭ କରିଥିଲେ । ଇତିହାସରୁ ଜଣାଯାଏ ଯେ ପ୍ରଥମ ଯଯାତି ଖ୍ରୀଷ୍ଟାବ୍ଦ ୯୨୫ ପର୍ଯ୍ୟନ୍ତ ରାଜତ୍ଵ କରିଥିଲେ । ମାଦଳାପାଞ୍ଜିର ବର୍ଣ୍ଣନାନୁସାରେ ଏହାର ୧୪୪ ବର୍ଷ ପୂର୍ବରୁ ଶୋଭନ ଦେବ ରାଜା ଥିଲେ । ତାଙ୍କ ସମୟକାଳ ଆନୁମାନିକ ୭୮୧ ଖ୍ରୀଷ୍ଟାବ୍ଦ ଥିଲା-। ମାଦଳାପାଞ୍ଜିର ବର୍ଣ୍ଣନାନୁସାରେ ସେହି ସମୟକୁ ରକ୍ତବାହୁର ଆଗମନ ବାର୍ତ୍ତା ପାଇ ଶୋଭନଦେବ ଜଗନ୍ନାଥଙ୍କୁ ସୋନପୁରର ଗୋପାଳି ଗ୍ରାମକୁ ସ୍ଥାନାନ୍ତରିତ କରି ଗୋଟିଏ ମୁକ୍ତ ମଣ୍ଡପରେ ପୂଜା କରୁଥିଲେ । ଏହି ଘଟଣାଟି ମାଦଳାପାଞ୍ଜିରେ ଯେଭଳି ଭାବେ ବର୍ଣ୍ଣନା କରାଯାଇଅଛି, ସେଥିରୁ ମନେହୁଏ ରକ୍ତବାହୁର ଆଗମନରୁ କୌଣସି ଅନିଷ୍ଟ ଆଶଙ୍କା କରି ଜଗନ୍ନାଥଙ୍କୁ ଉପରୋକ୍ତ ମତେ ସ୍ଥାନାନ୍ତରିତ କରାଯାଇଥିଲା । ପୁନର୍ବାର ଏହି ଘଟଣାର ୪୫ ବର୍ଷ ପରେ “ମୁଗଲେ ପ୍ରବଳ ହୋଇଲାକୁ” ଜଗନ୍ନାଥଙ୍କୁ ସେବକମାନେ ନେଇ ପାତାଳିକରି ଦେଶ ଛାଡ଼ି ଚାଲିଗଲେ । ଏଠାରେ ପ୍ରଶ୍ନ ଉଠେ ଏହି ରକ୍ତବାହୁ କିଏ ? ସେହିପରି ଯେଉଁ “ମୁଗଲେ ପ୍ରବଳ ହେବାରୁ” ଜଗନ୍ନାଥଙ୍କୁ ପାତାଳି କରାଗଲା ସେମାନେ କିଏ ? ମାଦଳାପାଞ୍ଜିର ବର୍ଣ୍ଣନାନୁସାରେ ରକ୍ତବାହୁ ଓ ମୁଗଲମାନେ ଉଭୟ ଓଡ଼ିଶା ବାହାରର ବୈଦେଶିକ ଶକ୍ତି ବା ଗୋଷ୍ଠୀ । ଏଥିରୁ ଏପରି ମନେହୁଏ ଯେ କୌଣସି ବୈଦେଶିକ ଶକ୍ତିର ଆକ୍ରମଣ ଭୟରେ ଜଗନ୍ନାଥଙ୍କୁ ସ୍ଥାନାନ୍ତରିତ ଓ ପାତାଳି କରାଯାଇଥିଲା । ଯେଉଁ ବୈଦେଶିକ ଶକ୍ତିର ଆକ୍ରମଣ ଭୟରେ ଜଗନ୍ନାଥଙ୍କୁ ବିଭିନ୍ନ ସମୟରେ ସ୍ଥାନାନ୍ତରିତ ଓ ପାତାଳି କରାଯାଇଥିଲା, ତାହାର କୌଣସି ନିର୍ଦ୍ଦିଷ୍ଟ ବିବରଣୀ ସେଥିରୁ ମିଳେ ନାହିଁ । ଡକ୍ଟର ପାଣିଗ୍ରାହୀ ବଙ୍ଗଳାର ପାଳବଂଶୀୟ ରାଜାମାନଙ୍କ ଓଡ଼ିଶା ଆକ୍ରମଣ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି, “The Rastrakutas of the Decan and the palas of Bengal claim in their inscriptions to have invaded Orissa during this period (790-829 A.D)” (୧୧)

 

ଷୋଡ଼ଶ ଶତାବ୍ଦୀରେ ରଚିତ ମାଦଳାପାଞ୍ଜିରେ ଅଷ୍ଟମ ଶତାବ୍ଦୀର “ମୁଗଲେ ଗୋଳ କରିବା” ଘଟଣାର ଉତ୍‌ଥାପନ କରାଯାଇଅଛି । ଏହା ଏକ ଐତିହାସିକ ବିଭ୍ରାନ୍ତି । କାରଣ ଅଷ୍ଟମ ନବମ ଶତାବ୍ଦୀ ବେଳକୁ ଭାରତବର୍ଷରେ ମୋଗଲମାନଙ୍କର ଆବିର୍ଭାବ ହୋଇ ନ ଥିଲା । ସେହିପରି ଅଷ୍ଟମ ନବମ ଶତାବ୍ଦୀ ବେଳକୁ ରକ୍ତବାହୁ ନାମରେ କୌଣସି ବ୍ୟକ୍ତି, ଶକ୍ତି ବା ଗୋଷ୍ଠୀ ବା ରାଜା ଓଡ଼ିଶା ଆକ୍ରମଣ କରିଥିବା କଥା ଇତିହାସ ସ୍ଵୀକାର କରେ ନାହିଁ । ଭୌମକର ରାଜା ପ୍ରଥମ ଶୁଭାକର ଦେବ (ଖ୍ରୀଷ୍ଟାଦ୍ଦ ୭୯୦)ଙ୍କ ରାଜତ୍ଵ ସମୟରେ ରାଷ୍ଟ୍ରକୂଟ ରାଜା ଗୋବିନ୍ଦ ତୃତୀୟ (ଖ୍ରୀଷ୍ଟାବ୍ଦ ୭୯୩-୮୧୪)ଙ୍କର ଆକ୍ରମଣ ଘଟଣାଟିକୁ ଆଧାର କରି ଷ୍ଟାର୍ଲିଙ୍ଗ୍‌ ଓ ତାହାଙ୍କୁ ଅନୁକରଣ କରି ପରବର୍ତ୍ତୀ ଅବସ୍ଥାରେ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଗୋବିନ୍ଦ ତୃତୀୟଙ୍କୁ ମାଦଳାପାଞ୍ଜି ବର୍ଣ୍ଣିତ ରକ୍ତବାହୁ ସହିତ ଚିହ୍ନିତ କରାଇବାପାଇଁ ଉଦ୍ୟମ କରିଅଛନ୍ତି । ଏହା ନିମ୍ନଲିଖିତ କାରଣମାନ ଦୃଷ୍ଟିରୁ ଅବାସ୍ତବ ମନେହୁଏ । ପ୍ରଥମତଃ ଡକ୍ଟର ପାଣିଗ୍ରାହୀ ପ୍ରଥମ ଶୁଭାକର ଦେବଙ୍କୁ ମାଦଳାପାଞ୍ଜି ବର୍ଣ୍ଣିତ ଶୋଭାନଦେବଙ୍କ ସହିତ ଚିହ୍ନିତ କରାଇବାପାଇଁ ଉଦ୍ୟମ କରିଅଛନ୍ତି । (୧୨) କେବଳ ନାମଗତ ସାମଞ୍ଜସ୍ୟକୁ ଭିତ୍ତି କରି ଏପରି କୁହାଯିବା ଭିତ୍ତିହୀନ । ଅପରନ୍ତୁ ଶୋଭନଦେବଙ୍କୁ ଭୌମକର ବଂଶୀୟ ରାଜା ନ କହି ଭଞ୍ଜବଂଶୀୟ ରାଜା ବୋଲି କହିବା ଅଧିକ ଯୁକ୍ତିଯୁକ୍ତ । ଏହା ପୂର୍ବରୁ ଆଲୋଚନା କରାଯାଇଛି । ଦ୍ଵିତୀୟତଃ ପ୍ରଥମ ଶୁଭାକର ଦେବ (ଖ୍ରୀଷ୍ଟାବ୍ଦ ୭୯୦)ତୋଷାଳୀ ସାମ୍ରାଜ୍ୟର ସମ୍ରାଟ୍ ଥିଲେ । ଗୋବିନ୍ଦ ତୃତୀୟ ତାହାଙ୍କର ଦିଗ୍‌ବିଜୟ କାଳରେ କୋଶଳ ଏବଂ ଓଡ଼୍ରକ ଜୟ କରିଥିଲେ-ତୋଷାଳୀ ନୁହେଁ ବା ସେ ତୋଷାଳୀ ଆସିଥିବା କଥାର କେଉଁଠାରେ ହେଲେ ଉଲ୍ଲେଖ ନାହିଁ । ତୃତୀୟରେ ମାଦଳାପାଞ୍ଜିର ବର୍ଣ୍ଣନାନୁସାରେ ରକ୍ତବାହୁ ଜାହାଜରେ ସମୁଦ୍ର ବାଟ ଦେଇ ପୁରୁଷୋତ୍ତମ ବୁଲି ଆସିଥିଲା । ଗୋବିନ୍ଦ ତୃତୀୟ ତୋଷାଳୀ ଆକ୍ରମଣ କରି ନ ଥିବାରୁ ଏହି ତଥ୍ୟଟି ବିଶ୍ଵାସଯୋଗ୍ୟ ନୁହେଁ । ଏହିସବୁ କାରଣମାନ ଦୃଷ୍ଟିରୁ ଗୋବିନ୍ଦ ତୃତୀୟଙ୍କୁ ରକ୍ତବାହୁରୂପେ ଗ୍ରହଣ କରିବା ସମ୍ଭବପର ନୁହେଁ ।

 

ଏତଦ୍‌ବ୍ୟତୀତ ଗୋବିନ୍ଦ ତୃତୀୟଙ୍କୁ ରକ୍ତବାହୁ ସହିତ ଚିହ୍ନିତ କରାଇବାକୁ ଉଦ୍ୟମ କଲାବେଳେ ତାହାଙ୍କ ଧର୍ମଧାରଣା ସମ୍ପର୍କରେ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କୌଣସି ଇଙ୍ଗିତ ଦେଇ ନାହାନ୍ତି । ଜଗନ୍ନାଥଙ୍କ ପ୍ରତି ଗୋବିନ୍ଦ ତୃତୀୟଙ୍କର କୌଣସି ବିଦ୍ଵେଷଭାବ ଥିଲା କି ନାହିଁ, ସେ ସମ୍ପର୍କରେ ମଧ୍ୟ ଡକ୍ଟର ପାଣିଗ୍ରାହୀ କୌଣସି ସୂଚନା ଦେଇ ନାହାନ୍ତି । ଏଠାରେ ଉଲ୍ଲେଖନୀୟ ଯେ ବହିଃଶତ୍ରୁର ଆକ୍ରମଣ ଭୟରେ ଧନସମ୍ପତ୍ତି ରକ୍ଷା କରିବାପାଇଁ ତାହାକୁ ଲୁଚାଇ ରଖାଯାଏ । ଜଗନ୍ନାଥ ଯେ କୌଣସି ଧର୍ମ ବା ଗୋଷ୍ଠୀର ଦେବତା ହୋଇଥାଆନ୍ତୁ ନା କାହିଁକି, ତାହାଙ୍କୁ ଗୋବିନ୍ଦ ତୃତୀୟଙ୍କ ଆକ୍ରମଣ ଆଶଙ୍କାରେ ଲୁଚାଇ ରଖିବାର କୌଣସି ଆବଶ୍ୟକତା ବା ଯଥାର୍ଥତା ଥିଲା କି-? ଗୋବିନ୍ଦ ତୃତୀୟଙ୍କୁ ରକ୍ତବାହୁ ଭାବେ ଚିହ୍ନିତ କରାଇବାପାଇଁ ଉଦ୍ୟମ କଲାବେଳେ ଡକ୍ଟର ପାଣିଗ୍ରାହୀ ବଙ୍ଗଳାର ବୌଦ୍ଧଧର୍ମାବଲମ୍ବୀ ପାଳବଂଶୀୟ ରାଜାମାନଙ୍କ ଉତ୍କଳ ଆକ୍ରମଣ କରିବା କଥାର ଉତ୍‌ଥାପନ କରି ସେମାନେ ରକ୍ତବାହୁ ନୁହନ୍ତି ବୋଲି ଦର୍ଶାଇଅଛନ୍ତି । (୧୩) ଆମ ମତରେ ଏହା ଯଥାର୍ଥ ବୋଲି ମନେହୁଏ । ଏହିସବୁ ଆଲୋଚନାରୁ ଆମର ମନେହୁଏ ମାଦଳାପାଞ୍ଜିରେ ବର୍ଣ୍ଣିତ ମୁଗଲେ ଓ ରକ୍ତବାହୁ ଉପାଖ୍ୟାନଗୁଡ଼ିକର କୌଣସି ଐତିହାସିକ ସତ୍ୟତା ନାହିଁ ଓ ଏହା ସମ୍ପୂର୍ଣ୍ଣ କପୋଳକଳ୍ପିତ । ମାଦଳାପାଞ୍ଜିରେ ଏହି ଯେଉଁସବୁ ତଥ୍ୟଗୁଡ଼ିକ ଦିଆଯାଇଅଛି, ତାହା ବିସ୍ତୃତ ଆକାରରେ ଓଡ଼୍ରଦେଶ ଓ କଟକ ରାଜବଂଶାବଳୀରେ ବର୍ଣ୍ଣିତ ହୋଇଅଛି । ସମ୍ଭବତଃ ଓଡ଼୍ରଦେଶ ଓ କଟକ ରାଜବଂଶାବଳୀ ରଚନାର ସମୟକାଳ ମାଦଳାପାଞ୍ଜି ରଚନା କାଳର ସମସାମୟିକ ବା ପରବର୍ତ୍ତୀ । ପୁରୀରେ ଜଗନ୍ନାଥଙ୍କର ଆର୍ବିଭାବ ସମୟକାଳ ପ୍ରଥମ ଯଯାତି କେଶରୀଙ୍କ ପରବର୍ତ୍ତୀ । ପୁରୀରେ ଜଗନ୍ନାଥ ଉପାସନା ପ୍ରଚଳନର ସମୟକାଳକୁ ପ୍ରାଚୀନତର ଭାବେ ଦର୍ଶାଇବାପାଇଁ ସମ୍ଭବତଃ ମାଦଳାପାଞ୍ଜି, ଓଡ଼୍ରଦେଶ ଓ କଟକ ରାଜବଂଶାବଳୀରେ ଏକ ମନଗଢ଼ା କାହାଣୀର ଆଶ୍ରୟ ନିଆଯାଇ ରକ୍ତବାହୁର ଆଗମନ ଓ ସୋନପୁରରେ ପାତାଳି ହେବା ପ୍ରସଙ୍ଗର ଉତ୍‌ଥାପନ କରାଯାଇଛି । ଷୋଡ଼ଶ ଶତାବ୍ଦୀରେ ମାଦଳାପାଞ୍ଜି ରଚିତ ହେବା ସମୟରେ ରକ୍ତବାହୁର ଆଗମନ ଓ ଜଗନ୍ନାଥଙ୍କ ସୋନପୁରରେ ପାତାଳି ହେବା ସମ୍ପର୍କରେ କୌଣସି ଜନଶ୍ରୁତି ଥିବାର ପ୍ରମାଣ ନାହିଁ । ଅପରପକ୍ଷେ ପ୍ରଥମ ଯଯାତିଙ୍କ ଆଗମନ ପୂର୍ବରୁ ପୁରୀରେ ଜଗନ୍ନାଥ ଉପାସନାର କୌଣସି ପ୍ରମାଣ ନାହିଁ । ସୁତରାଂ ଯଯାତିଙ୍କ ୧୪୪ ବର୍ଷ ପୂର୍ବରୁ ଜଗନ୍ନାଥଙ୍କୁ ପୁରୀରୁ ସ୍ଥାନାନ୍ତରିତ କରାଯାଇଥିବା ଘଟଣାଟି ଆଦୌ ଗ୍ରହଣଯୋଗ୍ୟ ବା ନିର୍ଭରଯୋଗ୍ୟ ନୁହେଁ । ଏଠାରେ ଉଲ୍ଲେଖନୀୟ ଯେ ମାଦଳାପାଞ୍ଜି, ଓଡ଼୍ରଦେଶ ଓ କଟକ ରାଜବଂଶାବଳୀରେ ପୁରୀ ଶବ୍ଦ କେଉଁଠାରେ ହେଲେ ବ୍ୟବହୃତ ହୋଇ ନାହିଁ । ବରଂ ପୁରୀ ପରିବର୍ତ୍ତେ ଏହିସବୁ ରଚନାରେ ପୁରୁଷୋତ୍ତମ ଶବ୍ଦଟିର ବହୁଳ ଭାବରେ ବ୍ୟବହାର ହୋଇଛି-। ମାଦଳାପାଞ୍ଜି, ଓଡ଼୍ରଦେଶ ଓ କଟକ ରାଜବଂଶାବଳୀରେ ବ୍ୟବହୃତ ପୁରୁଷୋତ୍ତମ ଶବ୍ଦଟି ଯଦି ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ବୁଝାଉଥାଏ, ତେବେ ରକ୍ତବାହୁର ଆଗମନ ଓ ସୋନପୁରରେ ପାତାଳି ହେବା ପ୍ରସଙ୍ଗଟିକୁ ଗୁରୁତ୍ଵ ଦିଆଯାଇପାରେ । ସେ କ୍ଷେତ୍ରରେ ମାଦଳାପାଞ୍ଜି, ଓଡ଼୍ର ଓ କଟକ ରାଜବଂଶାବଳୀରେ ବର୍ଣ୍ଣିତ ପୁରୁଷୋତ୍ତମ କ୍ଷେତ୍ରଟି କେଉଁଠାରେ ଅବସ୍ଥିତ ଥିଲା, ତାହା ଅନୁସନ୍ଧାନ କରିବା ଆବଶ୍ୟକ ।

 

ପ୍ରଥମ ଯଯାତିଙ୍କ ପୂର୍ବରୁ ଯେଉଁ ରାଜାମାନେ ରାଜତ୍ଵ କରୁଥିଲେ ବୋଲି ମାଦଳାପାଞ୍ଜିରେ ଦର୍ଶାଯାଇଅଛି, ସେମାନଙ୍କ ରାଜ୍ୟରେହିଁ ପୁରୁଷୋତ୍ତମ କ୍ଷେତ୍ର ଥିଲା । (୧୪) ସେହି ରାଜାମାନେ ଭଞ୍ଜବଂଶୀୟ ହୋଇଥିବା ଅଧିକ ଯୁକ୍ତିଯୁକ୍ତ ବୋଲି ପୂର୍ବରୁ ଆଲୋଚନା ପ୍ରସଙ୍ଗରେ ଦର୍ଶାଯାଇଛି । ଭଞ୍ଜବଂଶୀୟ ରାଜାମାନେ ଉଭୟ ଖିଞ୍ଜଳିମଣ୍ଡଳର ରାଜା ଥିଲେ ବୋଲି ଇତିହାସ ଲିପିବଦ୍ଧ କରିଅଛି । ଏହି ଉଭୟ ଖିଞ୍ଜଳିମଣ୍ଡଳ ଓଡ଼୍ର ଦେଶର ଅଂଶବିଶେଷ ଥିଲା ବୋଲି ଡକ୍ଟର ନବୀନ କୁମାର ସାହୁ ଉଲ୍ଲେଖ କରିଅଛନ୍ତି । (୧୫) ଏ ଦୃଷ୍ଟିରୁ ବିଚାର କଲେ ଦେଖାଯିବ ଯେ ଏହି ଭଞ୍ଜବଂଶୀୟ ରାଜାମାନଙ୍କ ସମ୍ପର୍କରେ କହିବାବେଳେ ତାହାକୁ ‘ଓଡ଼୍ରଦେଶ ରାଜବଂଶାବଳୀ’ ବୋଲି ଡକ୍ଟର ମିଶ୍ର ଉଲ୍ଲେଖ କରିଛନ୍ତି । (୧୬) ଅର୍ଥାତ୍ ସେହି ରାଜାମାନେ ଓଡ଼୍ର ଦେଶର ରାଜା ଥିଲେ । ପୁରୀ-କଳିଙ୍ଗ, ତୋଷଳ ଏବଂ କଙ୍ଗୋଦର ଅଂଶବିଶେଷ ଥିଲା । କିନ୍ତୁ କୌଣସି ସମୟରେ ଓଡ଼୍ର ଦେଶର ଅଂଶବିଶେଷ ନ ଥିଲା । ଏକଥା ପୂର୍ବରୁ ଦର୍ଶାଯାଇଅଛି । ଏହି ଦୃଷ୍ଟିରୁ ମାଦଳାପାଞ୍ଜି, ଓଡ଼୍ରଦେଶ ଓ କଟକ ରାଜବଂଶାବଳୀ ପ୍ରଭୃତି ଗ୍ରନ୍ଥରେ ଦିଆଯାଇଥିବା ପୁରୁଷୋତ୍ତମ କ୍ଷେତ୍ରଟି ଆମକୁ ଓଡ଼୍ରଦେଶ ମଧ୍ୟରେହିଁ ଖୋଜିବାକୁ ହେବ । ମାତ୍ର ମାଦଳାପାଞ୍ଜି, ଓଡ଼୍ରଦେଶ ଓ କଟକ ରାଜବଂଶାବଳୀ ରଚନା ସମୟକୁ ଜଗନ୍ନାଥ ଏକ ବୈଷ୍ଣବାୟ ଦେବତାରୂପେ ପରିଗଣିତ ହୋଇ ପୁରୁଷୋତ୍ତମ ଭାବେ ଚିହ୍ନିତ ହୋଇସାରିଥିଲେ ମଧ୍ୟ ଯଯାତିଙ୍କ ପୂର୍ବରୁ ତାଙ୍କର ସେ ପରିଚୟ ନ ଥିଲା । ସେ ଦୃଷ୍ଟିରୁ ଯଯାତିଙ୍କ ପୂର୍ବରୁ ଜଗନ୍ନାଥଙ୍କର ଆଦିପୀଠକୁ ଜଗନ୍ନାଥ କ୍ଷେତ୍ର ବୋଲି କହିବା ଅଧିକ ସମୀଚୀନ ମନେହୁଏ ଓ ସେହି କାରଣରୁ ଏହି ଜଗନ୍ନାଥ କ୍ଷେତ୍ରଟିକୁ ଆମକୁ ଭଞ୍ଜମାନଙ୍କର ଓଡ଼୍ରଦେଶରେହିଁ ଖୋଜିବାକୁ ହେବ । ଏହି ମତଟିକୁ ସମର୍ଥନ ଦେଇ ପଣ୍ଡିତ ନୀଳକଣ୍ଠ ଦାସ ଦର୍ଶାଇ ଅଛନ୍ତି ଯେ କେତେକ ଗଡ଼ଜାତ ଅଞ୍ଚଳ ସମେତ ସୋନପୁରର ଶବରମାନେ ନିମ୍ବକାଠରେ ନିର୍ମିତ ଜଗନ୍ନାଥଙ୍କୁ ନିଜର କରି ରଖିଥିଲେ । (୧୭) ଏଠାରେ ଉଲ୍ଲେଖନୀୟ ଯେ ସୋନପୁର ଭଞ୍ଜମାନଙ୍କ ରାଜ୍ୟ ଉଭୟ ଖିଞ୍ଜଳିମଣ୍ଡଳର ଅଂଶବିଶେଷ ଓ ଏହି ଉଭୟ ଖିଞ୍ଜଳିମଣ୍ଡଳ ଓଡ଼୍ର ଭୂଖଣ୍ଡର ଅଂଶବିଶେଷ ଥିଲା ବୋଲି ଐତିହାସିକମାନେ ନିରୂପଣ କରିଛନ୍ତି । (୧୮)

 

ପ୍ରଥମ ଯଯାତିଙ୍କ ପୂର୍ବରୁ ଆଧୁନିକ ପୁରୀରେ ପୁରୁଷୋତ୍ତମ କ୍ଷେତ୍ରର ପ୍ରତିଷ୍ଠା ହୋଇ ନ ଥିଲା । ପ୍ରଥମ ଯଯାତିଙ୍କ ପରବର୍ତ୍ତୀ ଅବସ୍ଥାରେ ପୁରୀର ନୃସିଂହ ଓ ନୀଳମାଧବଙ୍କ ପୂଜା ଉପାସନାର ପ୍ରଚଳନ ହେବାରୁ ତାହା ପୁରୁଷୋତ୍ତମ କ୍ଷେତ୍ର ଭାବେ ପରିଚିତ ହୋଇ ପ୍ରସିଦ୍ଧି ଲାଭ କଲା । ମାତ୍ର ମାଦଳାପାଞ୍ଜିରେ ଯଯାତିଙ୍କ ଆର୍ବିଭାବ ପୂର୍ବରୁ ପୁରୁଷୋତ୍ତମ ଶବ୍ଦର ବ୍ୟବହାର ହୋଇଅଛି । ଏହି ପାଞ୍ଜିରେ ଯଯାତିଙ୍କ ପୂର୍ବରୁ ପୁରୁଷୋତ୍ତମ ଶବ୍ଦର ଯେଉଁ ବ୍ୟବହାର ହୋଇଛି, ତାହା ପୁରୀ ବ୍ୟତୀତ ଅନ୍ୟ ଅଞ୍ଚଳକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଅଛି । ଯଯାତିଙ୍କ ପରବର୍ତ୍ତୀ ଅବସ୍ଥାରେ ପୁରୀ ପୁରୁଷୋତ୍ତମ କ୍ଷେତ୍ର ଭାବେ ଉପରୋକ୍ତ ମତେ ପରିଚିତ ହୋଇ ପ୍ରସିଦ୍ଧି ଲାଭ କରିବାପରେ ମାଦଳାପାଞ୍ଜିରେ ବର୍ଣ୍ଣିତ ପୁରୁଷୋତ୍ତମ ଶବ୍ଦଟି ବର୍ତ୍ତମାନର ପୁରୀକୁହିଁ ବୁଝାଉଅଛି । ଏଥିରୁ ଏପରି ମନେକରାଯାଇପାରେ ଯେ ଯଯାତିଙ୍କ ପୂର୍ବରୁ ମାଦଳାପାଞ୍ଜି ବର୍ଣ୍ଣିତ ପୁରୁଷୋତ୍ତମ କ୍ଷେତ୍ରଟି ଓଡ଼୍ରଦେଶର କୌଣସି ସ୍ଥାନରେ ରହିଥିବା ବେଳେ ଯଯାତିଙ୍କ ପରେ ପୁରୀକୁ ସ୍ଥାନାନ୍ତରିତ ହୋଇଅଛି । ଅନେକ ଐତିହାସିକ ଓ ଗବେଷକ ଆଧୁନିକ ପୁରୀ ଓଡ଼୍ରଦେଶର ଅଂଶବିଶେଷ ଥିଲା ବୋଲି ମନେକରିଥାନ୍ତି । ମାତ୍ର ଏହା ଇତିହାସ-ସମ୍ମତ ନୁହେଁ । ଇତିହାସକୁ ଅନୁଧ୍ୟାନ କଲେ ଦେଖାଯିବ ଯେ ଓଡ଼୍ର କେନ୍ଦୁଝର ସୀମାଠାରୁ ଆରମ୍ଭ କରି ମହାନଦୀର ବାମତଟ ପର୍ଯ୍ୟନ୍ତ ତୋଷାଳୀ ଓ କୋଶଳର ମଧ୍ୟଭାଗରେ ରହିଥିଲା । ହର୍ଷବର୍ଦ୍ଧନଙ୍କ ସମୟରେ ସ୍ଵଳ୍ପକାଳପାଇଁ ଓଡ଼୍ର ଓ କଙ୍ଗୋଦ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ଏକ ଶାସନାଧୀନରେ ରହି ‘ଓଡ଼୍ରବିଷୟ’ ନାମରେ ପରିଚିତ ହୋଇଥିଲେ ମଧ୍ୟ ଉଭୟ ଓଡ଼୍ର ଓ କଙ୍ଗୋଦର ପାରମ୍ପରିକ ସୀମା ଅକ୍ଷୁଣ୍ଣ ରହିଥିଲା । ହର୍ଷବର୍ଦ୍ଧନଙ୍କ ସମୟରେ ଓଡ଼୍ର ଓ କଙ୍ଗୋଦ ଏକ ଶାସନାଧୀନରେ ରହିଥିଲେ ମଧ୍ୟ ଭୌମରକମାନଙ୍କ ସମୟକୁ ସେ ଅବସ୍ଥା ନ ଥିଲା । ହର୍ଷବର୍ଦ୍ଧନଙ୍କ ସମୟରେ ଓଡ଼୍ର ଓ କଙ୍ଗୋଦ ସ୍ଵଳ୍ପକାଳପାଇଁ ଏକ ଶାସନାଧୀନରେ ଥିବାରୁ ଅନେକ ଗବେଷକ ମନେକରନ୍ତି ଯେ କଙ୍ଗୋଦ ଅନ୍ତର୍ଗତ ପୁରୀ ଓଡ଼୍ରର ଅଂଶବିଶେଷ ଥିଲା ବା ରହିଅଛି । ମାତ୍ର ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ଓ ଏକ ଐତିହାସିକ ବିଭ୍ରାନ୍ତି । ମାଦଳାପାଞ୍ଜି, ଓଡ଼୍ରଦେଶ ଓ କଟକ ରାଜବଂଶାବଳୀ ଗ୍ରନ୍ଥର ରଚୟିତାମାନେ ଓଡ଼୍ରର ଏହି ପାରମ୍ପରିକ ଐତିହାସିକ ସୀମା ସମ୍ପର୍କରେ ସଚେତନ ନ ଥିଲେ ବୋଲି ଭାବିବା ଆମ ମତରେ ଠିକ୍ ହେବ ନାହିଁ । ଅନ୍ୟ ଏକ ଦୃଷ୍ଟିରୁ ବିଚାର କଲେ ଦେଖାଯିବ ଯେ ପ୍ରଥମ ଯଯାତିଙ୍କର ଆଗମନ ପୂର୍ବରୁ ମାଦଳାପାଞ୍ଜି, ଓଡ଼୍ରଦେଶ ରାଜବଂଶାବଳୀରେ ଯେଉଁ ଯେଉଁ ରାଜାମାନଙ୍କର ବଂଶ ପରିଚୟ ଦିଆଯାଇଅଛି, ଠିକ୍ ସେହି ରାଜାମାନଙ୍କର ବଂଶ ପରିଚୟ କଟକ ରାଜବଂଶାବଳୀରେ ମଧ୍ୟ ରହିଅଛି । ସ୍ଥଳବିଶେଷରେ ଏହାକୁ ଓଡ଼୍ରଦେଶ ରାଜବଂଶାବଳୀ ବୋଲି କୁହାଯାଉଥିବା ବେଳେ ଅନ୍ୟତ୍ର ଏହାକୁ କଟକ ରାଜବଂଶାବଳୀ ବୋଲି କୁହାଯାଇଅଛି । କଟକ ଶବ୍ଦଟି ଏଠାରେ ରାଜଧାନୀ ଅର୍ଥରେ ବ୍ୟବହୃତ ହୋଇଛି । ଲକ୍ଷ୍ୟ କରିବାର କଥା ଏହି କି ଆଧୁନିକ ପୁରୀ ଇତିହାସର କୌଣସି ସମୟରେ ପ୍ରଶାସନିକ ରାଜଧାନୀ ଭାବେ ପରିଚିତ ହୋଇ ନ ଥିଲା । ଅସ୍ଥାୟୀ ବା ସାମୟିକ ନିବାସପାଇଁ ପୁରୀରେ ରାଜନବର ବା ପ୍ରାସାଦ ତୋଳାଯାଇଥିଲେ ମଧ୍ୟ ଏହା କେବେ କୌଣସି ରାଜାଙ୍କର ରାଜଧାନୀ ନ ଥିଲା । ଏ ସମ୍ପର୍କରେ ଡକ୍ଟର ପଣ୍ଡା ମତ ପ୍ରଦାନ କରି ଉଲ୍ଲେଖ କରିଛନ୍ତି, “ସୋମବଂଶୀ ରାଜାମାନଙ୍କ ସମୟରେ (ଖ୍ରୀଷ୍ଟାବ୍ଦ ୯୫୦-୧୧୫୦) ଶ୍ରୀପୁର ଥିଲା ରାଜତ୍ଵର ପ୍ରାରମ୍ଭିକ ରାଜଧାନୀ । ପରେ ଏହା ସମୟକ୍ରମେ ବିନୀତପୁର, ଯଯାତିନଗର ବା ଯାଜପୁର, ଚୌଦ୍ଵାରକୁ ସ୍ଥାନାନ୍ତରିତ ହୋଇଥିଲା । ସେତେବେଳେ ଆରାମ ବିଜୟ କଟକ, ସୁବର୍ଣ୍ଣପୁର ବିଜୟ କଟକ ପ୍ରଭୃତି ସ୍ଥାନରୁ ରାଜ୍ୟ ଶାସନ ପରିଚାଳନା କରାଯାଉଥିଲା । କିନ୍ତୁ ଗଙ୍ଗବଂଶୀୟ ରାଜାମାନଙ୍କ ରାଜତ୍ଵ କାଳରେ ଆଧୁନିକ କଟକ ଓଡ଼ିଶାର ରାଜଧାନୀରୂପେ ପ୍ରତିଷ୍ଠା କରାଗଲା ।” (୧୯)

 

ମାଦଳାପାଞ୍ଜି, ଓଡ଼୍ରଦେଶ ଓ କଟକ ରାଜବଂଶାବଳୀରେ ଯଯାତିଙ୍କ ପୂର୍ବରୁ ଯେଉଁ ରାଜାମାନଙ୍କର ଉଲ୍ଲେଖ ରହିଅଛି, ସେମାନେ ସମସ୍ତେ ଭଞ୍ଜବଂଶୀୟ ଥିଲେ ବୋଲି ପୂର୍ବରୁ ଆଲୋଚନାକ୍ରମେ କୁହାଯାଇଅଛି । ଭଞ୍ଜମାନେ ଉଭୟ ଖିଞ୍ଜଳିମଣ୍ଡଳର ରାଜା ଥିଲେ ଓ ଏହି ଉଭୟ ଖିଞ୍ଜଳିମଣ୍ଡଳ ଓଡ଼୍ରଦେଶର ଅଂଶବିଶେଷ ଥିଲା ବୋଲି ପୂର୍ବରୁ ଦର୍ଶାଯାଇଛି । ଖ୍ରୀଷ୍ଟୀୟ ସପ୍ତମ ଅଷ୍ଟମ ଶତାବ୍ଦୀ ବେଳକୁ ଉଭୟ ଖିଞ୍ଜଳିମଣ୍ଡଳର ଏହି ଭଞ୍ଜବଂଶୀୟ ରାଜାମାନଙ୍କର ରାଜଧାନୀ ଥିଲା ଧୃତିପୁର । ସୋନପୁର, ବୌଦ ଓ ଫୁଲବାଣୀ ପ୍ରଭୃତି ଅଞ୍ଚଳମାନ ଉଭୟ ଖିଞ୍ଜଳିମଣ୍ଡଳର ଅଂଶବିଶେଷ ଥିଲା ବୋଲି ଡକ୍ଟର ସାହୁ ଉଲ୍ଲେଖ କରିଛନ୍ତି । (୨୦) ଭଞ୍ଜ ରାଜାମାନଙ୍କର ରାଜଧାନୀ ଧୃତିପୁରକୁ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରାଯାଇ ନ ଥିଲେ ମଧ୍ୟ ଏହା ବୌଦ ଅଞ୍ଚଳରେ ଥିଲା ବୋଲି ଗବେଷକମାନେ ଅନୁମାନ କରିଅଛନ୍ତି । ଏ ସମ୍ପର୍କରେ ମତ ଦେବାକୁ ଯାଇ ଡକ୍ଟର ସାହୁ ଉଲ୍ଲେଖ କରିଛନ୍ତି, “The Capital of Khinjali Mandal was at Dhrtipura, a place which is now difficult to be properly indentified. But the rich antiquities of Boud town warrant a strong supposition that this place was the headquarters of the Bhanja kings of Khinjalimandal before it assumed its Buddhistic Significance”. (୨୧)

 

ଏସବୁ ଦୃଷ୍ଟିରୁ ବିଚାର କରି ଦେଖିଲେ ମନେହୁଏ ମାଦଳାପାଞ୍ଜି, ଓଡ଼୍ରଦେଶ ଓ କଟକ ରାଜବଂଶାବଳୀରେ ଯଯାତିଙ୍କ ପୂର୍ବରୁ ଯେଉଁ ରାଜାମାନଙ୍କର ରାଜତ୍ଵର ବିବରଣୀ ଦିଆଯାଇଅଛି । ସେମାନେ ସମସ୍ତେ ଧୃତିପୁର ରାଜଧାନୀରେ ବା ଧୃତିପୁର କଟକରେ ରାଜତ୍ଵ କରୁଥିବା ଭଞ୍ଜରାଜବଂଶ ଅଟନ୍ତି । ଧୃତିପୁରରେ ରାଜତ୍ଵ କରୁଥିବା ଏହି ଭଞ୍ଜବଂଶୀମାନେ ଓଡ଼ିଶାର ବହୁ ପୁରାତନ ରାଜବଂଶ ଓ ଏମାନେ ସେଠାରେ ୧୫୦୦ ବର୍ଷରୁ ଊର୍ଦ୍ଧ୍ଵକାଳ ଧରି ରାଜତ୍ଵ କରି ଆସୁଥିଲେ । ଏକଥା ପୂର୍ବରୁ ଆଲୋଚନା କରାଯାଇଅଛି । ଏ ଦୃଷ୍ଟିରୁ ଧୃତିପୁର ଭାବେ ଚିହ୍ନିତ ବୌଦ ଅଞ୍ଚଳରେ ବୌଦ୍ଧସ୍ଥାପତ୍ୟର ଯେଉଁ ଅବଶେଷାଂଶମାନ ଆବିଷ୍କୃତ ହୋଇଛି, ତାହା ଯେ ଭଞ୍ଜମାନଙ୍କର ପୃଷ୍ଠପୋଷକତାରେ ହୋଇଥିଲା, ତାହା ସହଜରେ ଅନୁମାନ କରାଯାଇପାରେ । ଏପରିକି ସମଗ୍ର ଓଡ଼୍ର ଭୂଖଣ୍ଡରେ ଯେଉଁ ଯେଉଁ ସ୍ଥାନରେ ବୌଦ ସ୍ଥାପତ୍ୟରେ ଧ୍ଵଂସାବଶେଷମାନ ମିଳୁଅଛି, ତାହା ଯେ ଏହି ଭଞ୍ଜମାନଙ୍କର ପୃଷ୍ଠପୋଷକତା ଓ ପ୍ରୋତ୍ସାହନରେ ଗଢ଼ିଉଠିଥିଲା, ଏକଥା ସହଜରେ ଅନୁମାନ କରାଯାଇପାରେ । ହୁଏନ୍‌ସାଂଙ୍କ ବର୍ଣ୍ଣିତ ପୁଷ୍ପଗିରି ବିହାର, ନରସିଂହପୁରର ବାଣେଶ୍ଵରନାସୀ, ଚୌଦ୍ଵାରର ବୌଦ୍ଧସ୍ଥାପତ୍ୟ, ନରାଜର ବୌଦ୍ଧକୀର୍ତ୍ତି ଉଦାହରଣରୂପେ ଏହି ପର୍ଯ୍ୟାୟରେ ନିଆଯାଇପାରେ । ଭଞ୍ଜମାନେ ନିଜକୁ ନାଗ ସମ୍ପ୍ରଦାୟଭୁକ୍ତ ବୋଲି ଚିହ୍ନିତ କରାଇଅଛନ୍ତି । ନାଗ ସମ୍ପ୍ରଦାୟର ଲୋକମାନେ ମୂଳତଃ ଶୈବଧର୍ମାବଲମ୍ବୀ ଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ବୌଦ୍ଧଧର୍ମକୁ ଗ୍ରହଣ କରିନେଇଥିଲେ । ଅପରପକ୍ଷେ କେତେକ ଗବେଷକ ଭଞ୍ଜରାଜାମାନଙ୍କୁ ଆଦିବାସୀ ଶ୍ରେଣୀଭୁକ୍ତ କରିଅଛନ୍ତି । ଅନ୍ୟାନ୍ୟ କେତେକ ରାଜ୍ୟ ସମେତ ସୋନପୁର ଓ ଘୁମୁସୁର ଅଞ୍ଚଳମାନ ଖ୍ରୀଷ୍ଟୀୟ ସପ୍ତମ ଅଷ୍ଟମ ଶତାବ୍ଦୀରେ ଉଡ଼୍‌ଡ଼ୀୟାନ୍‌ର ଅନ୍ତର୍ଭୁକ୍ତ ଥିଲା । (୨୨)

 

ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ସୋନପୁର, ବୌଦ, ଫୁଲବାଣୀ, ଘୁମୁସୁର ତଥା ସମଗ୍ର ଓଡ଼୍ର ଭୂଖଣ୍ଡକୁ ଉଡ଼୍‌ଡ଼ୀୟାନ୍‌ ବୋଲି କୁହାଯାଉଥିଲା-ଏକଥା ନିଃସନ୍ଦେହରେ କୁହାଯାଇପାରେ । ଉଡ଼୍‌ଡ଼ୀୟାନ୍ ଏକ ଶବର ଅଧ୍ୟୁଷିତ ରାଜ୍ୟ ଥିଲା, ଏକଥା ପଣ୍ଡିତ ନୀଳକଣ୍ଠ ଦାସ ଦର୍ଶାଇ ଅଛନ୍ତି । ପଣ୍ଡିତ ଦାସଙ୍କ ମତରେ ଉଡ଼୍‌ଡ଼ୀୟାନ୍‌ର ଏହି ଶବର ଗୋଷ୍ଠୀ ନିମ୍ବକାଠରେ ନିର୍ମିତ ଜଗନ୍ନାଥଙ୍କୁ ପୂଜା କରୁଥିଲେ । ସୋନପୁର ବୌଦଠାରୁ ନରାଜ ପର୍ଯ୍ୟନ୍ତ ମହାନଦୀର ଉଭୟ କୂଳରେ ଶବର ଶ୍ରେଣୀୟ ଅଧିବାସୀମାନେ ଅଦ୍ୟାବଧି ବହୁ ସଂଖ୍ୟାରେ ବସବାସ କରି ରହିଆସୁଛନ୍ତି । ଆମର ମନେହୁଏ ଜଗନ୍ନାଥଙ୍କର ଆଦିପୀଠ ଏହି ସ୍ଥାନ ମଧ୍ୟରୁ କୌଣସି ଏକ ସ୍ଥାନରେ ରହିଥିଲା । ପ୍ରସିଦ୍ଧ ଜଗନ୍ନାଥ ସଡ଼କର ଅବସ୍ଥିତି ଏହାହିଁ ସୂଚିତ କରିବା ସଙ୍ଗେ ସଙ୍ଗେ ଏହି ଅଞ୍ଚଳଗୁଡ଼ିକ ଯେ ଏକଦା ଜଗନ୍ନାଥ କ୍ଷେତ୍ର ଥିଲା, ତାହା ଦର୍ଶାଉଅଛି । ହୁଏନ୍‌ସାଂଙ୍କ ବର୍ଣ୍ଣିତ ପ୍ରସିଦ୍ଧ ପୁଷ୍ପଗିରି ବିହାର ଫୁଲବାଣୀ ଘୁମୁସୁର ଅଞ୍ଚଳରେ ରହିଥିବା କଥା ଡକ୍ଟର ନବୀନ କୁମାର ସାହୁ ଅନୁମାନ କରିଅଛନ୍ତି-। ଏହି ପୁଷ୍ପଗିରି ବିହାରଟିକୁ ନରସିଂହପୁର ଅନ୍ତର୍ଗତ ନନ୍ଦିନିଆଁ ପର୍ବତ ସହିତ ଚିହ୍ନିତ କରାଯାଇପାରେ । ଏହି ନନ୍ଦିନିଆଁ ପର୍ବତମାଳା ମହାନଦୀକୂଳରେ ଅବସ୍ଥିତ ଓ ଏହି ପର୍ବତମାଳା ନିକଟରେ ମହାନଦୀର ଅପର ପାର୍ଶ୍ଵରେ ଜଗନ୍ନାଥ ସଡ଼କର ଅବସ୍ଥିତି ରହିଅଛି । ଏଥିରୁ ଅନୁମାନ କରାଯାଇପାରେ ଯେ ଏହି ଅଞ୍ଚଳଟି ଜଗନ୍ନାଥ କ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିଲା ଓ ଏହାକୁ ମାଦଳାପାଞ୍ଜିରେ ପୁରୁଷୋତ୍ତମ କ୍ଷେତ୍ର ବୋଲି କୁହାଯାଇଅଛି ।

 

ପୁରୁଷୋତ୍ତମ ଶବ୍ଦଟି ମାଦଳାପାଞ୍ଜିରେ ବହୁଳ ଭାବରେ ବ୍ୟବହୃତ ହୋଇଥିବାର ଦେଖାଯାଏ । ମାଦଳାପାଞ୍ଜିର ଲେଖାକୁ ଅନୁଧ୍ୟାନ କଲେ ଦେଖାଯିବ ଯେ ଏହି ପୁରୁଷୋତ୍ତମ ଶବ୍ଦଟି ବାସ୍ତବ ପକ୍ଷେ ଜଗନ୍ନାଥଙ୍କପାଇଁ ବ୍ୟବହୃତ ହୋଇଅଛି । ମାଦଳାପାଞ୍ଜିର ରଚନା ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ହୋଇଥିଲା ବୋଲି ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ନିର୍ଣ୍ଣୟ କରିଛନ୍ତି । ମାଦଳାପାଞ୍ଜିରେ ବର୍ଣ୍ଣିତ ଘଟଣାବଳୀର ଐତିହାସିକତା ସମ୍ପର୍କରେ ମତ ଦେବାକୁ ଯାଇ ଡକ୍ଟର ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତି, “ମାଦଳାପାଞ୍ଜିର ଲେଖା ଭୋଇବଂଶ ଅମଳରେ ଆରମ୍ଭ ହୋଇଥିଲା । ଏହି ଭୋଇବଂଶଠାରୁ ଶେଷ ପର୍ଯ୍ୟନ୍ତ ମାଦଳାପାଞ୍ଜିରେ ଯାହା ଲେଖାଅଛି, ତାହା ପ୍ରକୃତ ଇତିହାସ । ଏଣୁ ଅନ୍ୟାନ୍ୟ ଉପାଦାନରୁ ପ୍ରାପ୍ତ ଇତିହାସ ସହିତ ଏହାର ପ୍ରାୟ ଅମେଳ ନାହିଁ-। କିନ୍ତୁ ଷୋଡ଼ଶ ଶତାବ୍ଦୀ ପୂର୍ବରୁ ଯେଉଁ ଘଟଣାମାନ ପାଞ୍ଜିରେ ଲିଖିତ ହୋଇଛି, ତାହା କିମ୍ବଦନ୍ତୀ । ଏଣୁ ପ୍ରକୃତ ଇତିହାସ ସହିତ ତା’ର ଅମେଳ ରହିବା ସ୍ଵାଭାବିକ ହୋଇପଡ଼ିଛି । କିମ୍ବଦନ୍ତୀର ପ୍ରଧାନ ଲକ୍ଷଣ ଏହି ଯେ ତାହା ଅସତ୍ୟ, ଅତିରଞ୍ଜନ ଓ ଅତି ଭୌତିକତାର ଆବରଣ ତଳେ ଐତିହାସିକ ସତ୍ୟକୁ ପ୍ରଚ୍ଛନ୍ନ କରିପକାଏ । ମାଦଳାପାଞ୍ଜିରେ ଲିଖିତ ଷୋଡ଼ଶ ଶତାବ୍ଦୀ ପୂର୍ବରୁ ଘଟଣାମାନଙ୍କରେ କିମ୍ବଦନ୍ତୀର ଏହି ଲକ୍ଷଣ ରହିଛି, ଏଣୁ ପାଞ୍ଜିର ଏହି ଅଂଶକୁ ଇତିହାସ ନ କହି କିମ୍ବଦନ୍ତୀ ବୋଲି କହିବାକୁ ହେବ ।” (୨୩)

 

ଡକ୍ଟର ପାଣିଗ୍ରାହୀଙ୍କର ଏହି ବ୍ୟାଖ୍ୟା ଦୃଷ୍ଟିରୁ ଏପରି ବୁଝିବାକୁ ହେବ ଯେ ମାଦଳାପାଞ୍ଜିରେ ପ୍ରଦତ୍ତ ରକ୍ତବାହୁ ଉପାଖ୍ୟାନ ଇତିହାସ ନୁହେଁ ଓ ଏକ କିମ୍ବଦନ୍ତୀ । ଏକ କିମ୍ବଦନ୍ତୀର ଲକ୍ଷଣ ଅନୁସାରେ ଏହା ମିଥ୍ୟା, ଅତିରଞ୍ଜିତ ଓ ଅତିଭୌତିକ ଏବଂ ଏହାର ଆବରଣ ତଳେ କିଛି ଐତିହାସିକ ସତ୍ୟ ପ୍ରଚ୍ଛନ୍ନ ହୋଇ ରହିଛି । ଏ ଦୃଷ୍ଟିରୁ ରକ୍ତବାହୁର ଉପାଖ୍ୟାନରୁ ଆମେ ଏତିକି ଗ୍ରହଣ କରିପାରୁ ଯେ ଇତିହାସର କୌଣସି ଏକ ସମୟରେ ଜଗନ୍ନାଥଙ୍କର ଅସ୍ତିତ୍ଵ ପ୍ରତି ବିପଦର ଆଶଙ୍କା ଦେଖାଦେଇଥିଲା ଓ ସେଥିପାଇଁ ତାହାଙ୍କୁ ସୋନପୁରରେ ପାତାଳି କରି ରଖାଯିବାର ଆବଶ୍ୟକତା ଉପୁଜିଥିଲା । ଏଠାରେ ପ୍ରଶ୍ନ ଉଠେ ଜଗନ୍ନାଥଙ୍କର ଅସ୍ତିତ୍ଵ ପ୍ରତି ବିପଦ ଦେଖାଯିବାର କାରଣ କ’ଣ ହୋଇପାରେ ? ଏଥିରୁ ମନେହୁଏ ଯେ ଜଗନ୍ନାଥଙ୍କ ପ୍ରତି ବିଦ୍ଵେଷ ଭାବ ରଖିଥିବା କୌଣସି ଶକ୍ତି ବା ଗୋଷ୍ଠୀଠାରୁ ଏପରି ବିପଦ ଆଶଙ୍କା କରାଯାଉଥିଲା । ଏ ସମ୍ପର୍କରେ ଇତିହାସ ନୀରବ ରହିଥିଲେ ମଧ୍ୟ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ରଚିତ ବିଭିନ୍ନ ଭାଷା ସାହିତ୍ୟରୁ ଜଣାଯାଏ ଯେ ଏହି ସମୟବେଳକୁ ଲୋକମାନସରେ ଜଗନ୍ନାଥ ବୁଦ୍ଧଙ୍କ ଅବତାରରୂପେ ଜନପ୍ରିୟତା ଲାଭ କରିଥିଲେ । ଉଦାହରଣସ୍ଵରୂପ ଦେଖାଯିବ ଯେ ପଞ୍ଚଦଶ ଶତାବ୍ଦୀର ସାରଳା ମହାଭାରତ, ପଞ୍ଚସଖା ଯୁଗୀୟ କାବ୍ୟ ସାହିତ୍ୟ ତଥା ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଲିଖିତ ଅନ୍ୟାନ୍ୟ କାବ୍ୟ ସାହିତ୍ୟମାନଙ୍କରେ ଜଗନ୍ନାଥଙ୍କୁ ବୁଦ୍ଧଙ୍କ ଅବତାରରୂପେ ବର୍ଣ୍ଣନା କରାଯାଇଛି । ଏପରିକି ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ମଧ୍ୟ କାବ୍ୟକାରମାନେ ଜଗନ୍ନାଥଙ୍କୁ ବୁଦ୍ଧଙ୍କ ଅବତାରରୂପେ ବର୍ଣ୍ଣନା କରିଅଛନ୍ତି । ଅଷ୍ଟାଦଶ ଶତାବ୍ଦୀର ଭକ୍ତକବି ଦୀନକୃଷ୍ଣ ଦାସ ତାହାଙ୍କ ‘ନାମ ରତ୍ନ ଗୀତା’ର ବିଭିନ୍ନ ଅଧ୍ୟାୟରେ ଜଗନ୍ନାଥଙ୍କର ବୁଦ୍ଧ ଅବତାର ପ୍ରସଙ୍ଗରେ ଅବତାରଣା କରିଛନ୍ତି । (୨୪)

 

ସେହିପରି ଓଡ଼ିଶାର ପୁରପଲ୍ଲୀରେ ସର୍ବତ୍ର ସାଂସ୍କୃତିକ ପରମ୍ପରାରେ ମଧ୍ୟ ବୁଦ୍ଧରୂପୀ ଜଗନ୍ନାଥ ଜନପ୍ରିୟ ହୋଇ ଉଠିଛନ୍ତି । ଏ ସମ୍ପର୍କରେ ମନ୍ତବ୍ୟ ଦେବାକୁ ଯାଇ ଡକ୍ଟର ବଂଶୀଧର ମହାନ୍ତି ଉଲ୍ଲେଖ କରିଅଛନ୍ତି ଯେ ଓଡ଼ିଆ ଘରର ପ୍ରିୟ ଓ ପବିତ୍ର ମାର୍ଗଶିର ମାସର ମାଣବସା ପର୍ବରେ ମଧ୍ୟ ଜଗନ୍ନାଥଙ୍କୁ ବୁଦ୍ଧଦେବଙ୍କର ଅବତାରରୂପେ ବର୍ଣ୍ଣନା କରାଯାଇଛି । ଯେପରି-

 

“ବୁଦ୍ଧ ଅବତାରେ ନୀଳକନ୍ଦରରେ ଶ୍ରୀହରି

ଦର୍ଶନ କରିଣ ଭକ୍ତଗଣ ଯା’ନ୍ତି ତରି । ୮ ।” (୨୫)

 

ଏହିସବୁ ଦୃଷ୍ଟିରୁ ବିଚାର କଲେ ଦେଖାଯିବ ଯେ ମାଦଳାପାଞ୍ଜି ରଚିତ ହେବା ବେଳକୁ ଜଗନ୍ନାଥ ବୁଦ୍ଧଙ୍କ ଅବତାରରୂପେ ଜନପ୍ରିୟତା ଲାଭ କରିଥିଲେ । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଜଗନ୍ନାଥ ମୂଳତଃ ବୁଦ୍ଧଦେବଙ୍କ ଅବତାର ଭାବେ ଅବତୀର୍ଣ୍ଣ ହୋଇଥିଲେ । ଏ ସମ୍ପର୍କରେ ଉଲ୍ଲେଖ କରିବାକୁ ଯାଇ ଐତିହାସିକ ପ୍ରଭାତ ମୁଖାର୍ଜୀ କହିଅଛନ୍ତି, “Ramai Pundit who lived in the Midnapore distict in the 13th Century, founded the Dharma cult for the assimilation of Buddhism with the Brahmanical religion. In his Dharma Puja Vidhan, he identified the deity on the seacoast with Buddha. The puri deity replaced Buddha as the ninth incarnation of Vishnu. Purushottama acquired the name Jagannath which was Buddhist in Origin”. (୨୬) “Even now Adi Buddha is known as Jagannath in Nepalese Buddhism”. (୨୭) ନେପାଳର କାଠୁମାଣ୍ଡୁରେ ବିଦ୍ୟମାନ ସ୍ଵୟଂଭୁନାଥ ଓ ଶ୍ରୀକ୍ଷେତ୍ର ପୁରୀରେ ବିଦ୍ୟମାନ ଜଗନ୍ନାଥଙ୍କ ମଧ୍ୟରେ ସମ୍ପର୍କ ନିଗୂଢ଼ ଓ ରହସ୍ୟମୟ । ଉଭୟ କ୍ଷେତ୍ରରେ ବୌଦ୍ଧ ଓ ହିନ୍ଦୁ ଉପାସକ ଭକ୍ତମାନଙ୍କ ରୀତିନୀତିର ସହାବସ୍ଥାନ ରହିଛି । ବର୍ତ୍ତମାନ ନେପାଳର ରାଜାମାନେ ନିଜକୁ ହିନ୍ଦୁ ବୋଲି ପରିଚୟ ଦେଉଥିଲେ ସୁଦ୍ଧା ପ୍ରାଚୀନ, ପରମ୍ପରା ଅନୁସରଣ କରି ପୁରୀ ଜଗନ୍ନାଥ ମନ୍ଦିରରେ ଆଜି ବୁଦ୍ଧଙ୍କୁ ସ୍ଵୟଂ ପୂଜା ଅର୍ଚ୍ଚନା କରିବାର ଅଧିକାର ସାବ୍ୟସ୍ତ କରୁଅଛନ୍ତି । ନେପାଳ ରାଜାଙ୍କ ସମର୍ପିତ କସ୍ତୁରୀ ଓ ପାଟତନ୍ତୁ ଜଗନ୍ନାଥଙ୍କର ଅତୀବ ପ୍ରୟୋଜନୀୟ ବସ୍ତୁ ତଥା ଆଦରଣୀୟ ସମ୍ଭାର । ଅଧିକନ୍ତୁ ନେପାଳ ସ୍ଵଂୟଭୂନାଥଙ୍କ ରୂପ ଓ ପୁରୀ ଜଗନ୍ନାଥଙ୍କ ରୂପ ମଧ୍ୟରେ ଯଥେଷ୍ଟ ସାମଞ୍ଜସ୍ୟ ରହିଛି ।” (୨୮)

 

ଏହିସବୁ ଆଲୋଚନାରୁ ଜଣାଯାଏ ଯେ ଜଗନ୍ନାଥ ମୂଳତଃ ବୁଦ୍ଧଙ୍କ ଅବତାର ହୋଇଥିବାରୁ ତାହାଙ୍କୁ କ୍ରମେ ବୈଷ୍ଣବଧର୍ମାଲମ୍ବୀ ଦେବତାରେ ପରିଣତ କରିବାପାଇଁ ଏକ ଧାରାବାହିକ ଉଦ୍ୟମ କରାଯାଇଛି । ଗୁପ୍ତ ଯୁଗରେ ବ୍ରାହ୍ମଣ୍ୟଧର୍ମର ପୁନରୁତ୍‌ଥାନ ହେବା ସମୟଠାରୁ ସମଗ୍ର ଭାରତବର୍ଷରେ ବୌଦ୍ଧଧର୍ମର ବିଲୋପ ସାଧନ କରି ବ୍ରାହ୍ମଣ୍ୟଧର୍ମର ପୁନଃପ୍ରତିଷ୍ଠା ନିମନ୍ତେ ଏକ କ୍ରମାଗତ ଉଦ୍ୟମ ହୋଇ ଆସିଥିଲା । ସେହି ସମୟ ମଧ୍ୟରେ ଅନେକ ବୌଦ୍ଧକୀର୍ତ୍ତିମାନଙ୍କର ଧ୍ଵଂସ ସାଧନ କରାଯିବା ସଙ୍ଗେ ସଙ୍ଗେ ସେହି ଧ୍ଵଂସାବଶେଷ ଉପରେ ବ୍ରାହ୍ମଣ୍ୟଧର୍ମ କ୍ରମେ ମୁଣ୍ଡଟେକି ଉଠିଥିଲା । ଜଗନ୍ନାଥ ମୂଳରୁ ବୌଦ୍ଧ ଧର୍ମର ଦେବତା ଭାବରେ ସମଗ୍ର ଓଡ଼ିଶାରେ ଜନପ୍ରିୟତା ଲାଭ କରିଥିବାରୁ ତାହାଙ୍କୁ ବୈଷ୍ଣବୀୟ ଦେବତାରୂପେ ପରିଣତ କରିବାପାଇଁ ଏକ ଉଦ୍ୟମ ହୋଇଥିଲା । ସେଇଥିପାଇଁ ପ୍ରଥମ ଯଯାତି ପାଟରାଜା ହେବାପରେ ଓଡ଼ିଶା ରାଜାର ପ୍ରଭୁ ଜଗନ୍ନାଥଙ୍କୁ ଖୋଜିଥିଲେ । ସମ୍ଭବତଃ ତାଙ୍କ ପୂର୍ବରୁ କୌଣସି ଏକ ସମୟରେ ବ୍ରାହ୍ମଣ୍ୟଧର୍ମାବଲମ୍ବୀମାନଙ୍କର ଆକ୍ରମଣରୁ ତାହାଙ୍କୁ ରକ୍ଷା କରିବାପାଇଁ ତାହାଙ୍କ ଆଦିପୀଠରୁ ଆଣି ସୋନପୁରରେ ପାତାଳି କରି ରଖାଯାଇଥିଲା ।

 

ଏଠାରେ ପ୍ରଶ୍ନ ଉଠେ ଜଗନ୍ନାଥଙ୍କ ପ୍ରତି ବିପଦ ଆଶଙ୍କାରେ ତାହାଙ୍କୁ ସ୍ଥାନାନ୍ତରିତ କରି ସୋନପୁରରେ ପାତାଳି କରାଯିବା ଘଟଣାଟି କେଉଁ ସମୟରେ ଓ କିପରି ଭାବେ ଘଟିଥିଲା ? ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ କର୍ଣ୍ଣସୁବର୍ଣ୍ଣର ରାଜା ଶଶାଙ୍କ ଓଡ଼ିଶାର ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟମାନ ଜୟକରି ସେହିସବୁ ସ୍ଥାନରେ ବୌଦ୍ଧଧର୍ମର କୀର୍ତ୍ତିମାନ ଧ୍ଵଂସ କରି ସେଠାରେ ଶୈବଧର୍ମର ପ୍ରତିଷ୍ଠା କରିଥିଲେ । ଏ ସମ୍ପର୍କରେ ମତ ଦେବାକୁ ଯାଇ ଡକ୍ଟର ରାଜଗୁରୁ ଉଲ୍ଲେଖ କରିଅଛନ୍ତି, “ଉଭୟ ତୋଷାଳୀ ରାଜ୍ୟରେ ଅଳ୍ପକାଳ ମଧ୍ୟରେ ମୌଦଗଳ ବଂଶର ପତନ ବେଳେ ପୂର୍ବଭାରତରେ କର୍ଣ୍ଣସୁବର୍ଣ୍ଣର ମହାରାଜାଧିରାଜ ଶଶାଙ୍କ ରାଜ ସମଗ୍ର ପୂର୍ବାଞ୍ଚଳ ଅଧିକାର କରି ଭାରତରେ ଏକ ସୁଦୃଢ଼ ହିନ୍ଦୁ ରାଜ୍ୟ ସ୍ଥାପନ କରିବାକୁ ଉଦ୍ୟତ ହେଲେ । କଥିତ ଅଛିଯେ ପୂର୍ବ ଭାରତରୁ ବୌଦ୍ଧ ଧର୍ମର ଚୈତ୍ୟବିହାର ଗୁଡ଼ିକ ଧ୍ଵଂସ କରିଦେଇ ସେଠାରେ ଶିବ ମନ୍ଦିରମାନ ସେ ସ୍ଥାପନ କରିଥିଲେ । ସମ୍ଭବତଃ ତାଙ୍କ ରାଜତ୍ଵ କାଳରେ ବ୍ରାହ୍ମଣ ଓ ଶ୍ରମଣମାନଙ୍କ ମଧ୍ୟରେ ପୂର୍ବର ସୌହାର୍ଦ୍ଦ୍ୟ ଓ ଏକତା ଲୋପ ପାଇଥିଲା । ତେଣୁ ଭାରତରେ ଶଶାଙ୍କରାଜଙ୍କ ଅଧ୍ୟକ୍ଷତାରେ ବ୍ରାହ୍ମଣ୍ୟଧର୍ମାବଲମ୍ବୀ ରାଜାମାନେ ଏକତ୍ର ହୋଇଥିଲେ । ପରବର୍ତ୍ତୀ ଯୁଗରେ ପ୍ରଣୀତ ‘ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ’ ନାମକ ଗୋଟିଏ ବୌଦ୍ଧଗ୍ରନ୍ଥରେ ଶଶାଙ୍କ ବା ‘ଶ’ ନାମକ ରାଜାଙ୍କ ଦ୍ଵାରା କିପରି ସମୁଦ୍ରକୂଳଠାରୁ ମଗଧ ସମେତ ଗଙ୍ଗାତଟ ପର୍ଯ୍ୟନ୍ତ ଏକ ବିସ୍ତୃତ ଅଞ୍ଚଳରେ ପ୍ରତିଷ୍ଠିତ ବୌଦ୍ଧବିହାର ଗୁଡ଼ିକ ଧ୍ଵଂସପ୍ରାପ୍ତ ହୋଇଥିଲା, ତାହା ବର୍ଣ୍ଣିତ ଅଛି ।

 

ବୋଦ୍ଧଗ୍ରନ୍ଥରେ ଶଶାଙ୍କରାଜଙ୍କୁ ନିନ୍ଦିତ ଓ ଅଭିଶପ୍ତ କରାଗଲା ବେଳେ, ସେଥିରୁ ପ୍ରାୟ ସମସାମୟିକ ‘ଏକାମ୍ର ଚନ୍ଦ୍ରିକା’ ନାମକ ସଂସ୍କୃତ ଗ୍ରନ୍ଥରେ ଗୋଟିଏ ଆଖ୍ୟାନ ରଚିତ ହୋଇ ଶଶାଙ୍କ ରାଜାଙ୍କର ଧର୍ମପ୍ରାଣତା ଓ କୀର୍ତ୍ତିକାହାଣୀ ବର୍ଣ୍ଣିତ ହୋଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ ଆରମ୍ଭରେ ଯେଉଁ ଶୈବ ମନ୍ଦିରଗୁଡ଼ିକ ପୂର୍ବଭାରତରେ ନିର୍ମିତ ହୋଇଥିଲା, ସେଥିରୁ ଅଧିକାଂଶ ପୂର୍ବେ ବୌଦ୍ଧବିହାର ଥିଲା ଓ ପରେ ଧ୍ଵଂସ ସ୍ତୂପରେ ପରିଣତ ହେଲା । ସେହିପରି ବହୁ ପ୍ରାଚୀନ ମନ୍ଦିର ଭୁବନେଶ୍ଵରଠାରେ ଅଦ୍ୟାପି କେତେ ବୌଦ୍ଧ ମୂର୍ତ୍ତି ବହନ କରିଥିବା ପରିଲକ୍ଷିତ ହୁଏ । ବୌଦ୍ଧ ଚୈତ୍ୟମାନଙ୍କର କାରୁକାର୍ଯ୍ୟ ମଣ୍ଡିତ ପ୍ରସ୍ତର ଏବେ ମଧ୍ୟ ଶୈବ ମନ୍ଦିରମାନଙ୍କରେ ବ୍ୟବହୃତ ହୋଇଥିବା ଦେଖାଯାଏ ।” (୨୯)

 

ଶଶାଙ୍କ ତାଙ୍କ ଦିଗ୍‌ବିଜୟ କାଳରେ କଙ୍ଗୋଦ ଜୟ କରିଥିଲେ । କଙ୍ଗୋଦରେ ତାହାଙ୍କ ମହାସାମନ୍ତ ଦ୍ଵିତୀୟ ମାଧବରାଜ ଶୈବଧର୍ମାବଲମ୍ବୀ ଥିଲେ ଓ ସମ୍ଭବତଃ ଶଶାଙ୍କରାଜଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ନିଜ ରାଜ୍ୟ କଙ୍ଗୋଦରେ ବ୍ରାହ୍ମଣ୍ୟଧର୍ମର ପୁନରୁତ୍‌ଥାନ ନିମନ୍ତେ ଅକ୍ଳାନ୍ତ ଉଦ୍ୟମ କରିଥିଲେ । ତାହାଙ୍କ ରାଜତ୍ଵ ସମୟରେ ବ୍ରାହ୍ମଣ୍ୟଧର୍ମର ପ୍ରତିଷ୍ଠା ବଳବତ୍ତର କରିବାପାଇଁ ସେ ଯେଉଁସବୁ ଉଦ୍ୟମ କରିଥିଲେ, ସେ ସମ୍ପର୍କରେ ମତ ଦେବାକୁ ଯାଇ ଡକ୍ଟର ଶରତ ଚନ୍ଦ୍ର ବେହେରା ଉଲ୍ଲେଖ କରିଛନ୍ତି, “ Infact the Sailodbhavas were not only the successors of Matharas in the political field, but they also succeeded in protecting and patronizing the Brahmanical Hinduism which had raised its head in Kalinga under the mighty Matharas. With the rise if Sailodbhavas there opened a brilliant epoch in the religious history of Orissa. x x x They were the great champions of orthodox Brahmanism and Varnashrama Dharma. x x x Madhavaraja ।। performed horse sacrifice sometimes before his thirteenth regional year. His son Madhyamaraja । performed both Vajapeya and Asvamedha. Dharmaraja ।। also performed sacrifices and became the staunch supporter of Brahmanism. However, the performance of these Vedic sacrifices is very significant in the history of Kongoda. Thus it is obvious that performing these great sacrifices the Sailodbhavas nobly attempted for the revival of the culture of sruti and smriti”. (୩୦) ନିଜ ରାଜ୍ୟରେ ବୈଦିକଧର୍ମ ଓ ପରମ୍ପରାର ପୁନଃ ପ୍ରତିଷ୍ଠା ଓ ତାହାକୁ ବଳବତ୍ତର କରିବା ନିମନ୍ତେ ଶୈଳୋଦ୍‌ଭବ ରାଜାମାନେ ବଂଶାନୁକ୍ରମିକ ଭାବେ ଯେଉଁ ଉଦ୍ୟମ କରିଥିଲେ ତାହା ପଡ଼ୋଶୀ ରାଜ୍ୟମାନଙ୍କୁ ବିଭିନ୍ନ ଭାବରେ ସଂକ୍ରମିତ ହୋଇ ପ୍ରଭାବ ବିସ୍ତାର କରିଥିବା ସହଜରେ ଅନୁମାନ କରାଯାଇପାରେ-

 

ଧର୍ମ ପ୍ରତି ଶୈଳୋଦ୍‌ଭବ ରାଜାମାନଙ୍କର ଏହି ଆଭିମୁଖ୍ୟ ବୌଦ୍ଧଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଥିବା ସମ୍ଭବପର । ଏଇଥିପାଇଁ ଏହି ଶୈଳୋଦ୍‌ଭବ ରାଜାମାନଙ୍କ ସମୟରେ ହୁଏନ୍‌ସାଂଙ୍କ କଙ୍ଗୋଦ ଭ୍ରମଣ କରିବାକୁ ଆସିଥିଲାବେଳେ ସେଠାରେ ବୌଦ୍ଧଧର୍ମ ହୀନପ୍ରଭ ଥିବାର ଲକ୍ଷ୍ୟ କରିବା ସଙ୍ଗେ ସଙ୍ଗେ କଙ୍ଗୋଦର ଉତ୍ତର ସୀମାରେ ଥିବା ଓଡ଼୍ର ରାଜ୍ୟରେ ବୌଦ୍ଧଧର୍ମ ବଳବତ୍ତର ଥିବା ଲକ୍ଷ୍ୟ କରିଥିଲେ । ହୁଏନ୍‌ସାଂଙ୍କ ଭ୍ରମଣ ସମ୍ପର୍କରେ ମତ ଦେବାକୁ ଯାଇ ସତ୍ୟନାରାୟଣ ରାଜଗୁରୁ କହିଛନ୍ତି, “ଶଶାଙ୍କରାଜଙ୍କ ଦ୍ଵାରା ପୂର୍ବଭାରତରେ ବୌଦ୍ଧ ଅନୁଷ୍ଠାନ ଗୁଡ଼ିକ ନଷ୍ଟ ହୋଇଥିବାରୁ କଙ୍ଗୋଦ ପରି ଗୋଟିଏ ପଡ଼ୋଶୀ ରାଜ୍ୟରେ ଶୈବଧର୍ମାଲମ୍ବୀ ମାଧବରାଜ ଓ ତାଙ୍କ ପୁତ୍ର ମଧ୍ୟମରାଜଙ୍କ ହସ୍ତରେ ଯେପରି କୌଣସି ଧର୍ମବିଦ୍ଵେଷ ନ ଘଟେ, ତାହା ଲକ୍ଷ୍ୟ କରି ବୌଦ୍ଧଧର୍ମାବଲମ୍ବୀମାନଙ୍କୁ ସେଠାରେ ସୁରକ୍ଷିତ କରିବା ବୋଧହୁଏ ତାଙ୍କର ମୂଳ ଲକ୍ଷ୍ୟ ଥିଲା ।” (୩୧) ଡକ୍ଟର ରାଜଗୁରୁଙ୍କର ଏହି ମନ୍ତବ୍ୟରୁ ଏପରି ମନେହୁଏ ଯେ ହୁଏନ୍‌ସାଂଙ୍କ ଭ୍ରମଣ ସମୟକୁ ଉପରୋକ୍ତ ଶୈଳୋଦ୍‌ଭବ ରାଜାମାନଙ୍କ ସମୟରେ ବୌଦ୍ଧଧର୍ମ ପ୍ରତି ଆଶଙ୍କା ଉପୁଜି ଥିଲା । ସମ୍ଭବତଃ ସେଇଥିପାଇଁ ହର୍ଷବର୍ଦ୍ଧନ ତାହାଙ୍କ କଙ୍ଗୋଦ ବିଜୟ ପରେ ସେଠାରେ ଏକ ବିରାଟ ସୈନ୍ୟବାହିନୀ ମୁତୟନ କରି ରଖିଥିଲେ । କାରଣ ବ୍ରାହ୍ମଣ୍ୟ ଧର୍ମାଲମ୍ବୀମାନଙ୍କ ଆକ୍ରମଣରୁ ବୌଦ୍ଧମାନଙ୍କ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ସେ ଏହି ସୈନ୍ୟ ମୁତୟନ କରିଥିବା ସମ୍ଭବପର । ସେଇଥିପାଇଁ ହୁଏନ୍‌ସାଂ ଉଲ୍ଲେଖ କରିଅଛନ୍ତି ଯେ ତାହାଙ୍କର ଭ୍ରମଣ ସମୟରେ କଙ୍ଗୋଦରେ ବୌଦ୍ଧଧର୍ମ ହୀନପ୍ରଭ ହୋଇଥିବାବେଳେ ପଡ଼ୋଶୀ ଓଡ଼୍ର ରାଜ୍ୟରେ ତାହା ଉଜ୍ଜ୍ୱଳତର ଭାବେ ପ୍ରତୀୟମାନ ହେଉଥିଲା । କଙ୍ଗୋଦର ଉତ୍ତର ସୀମାକୁ ଲାଗି ଓଡ଼୍ର ରାଜ୍ୟ ରହିଥିଲା ବୋଲି ଡକ୍ଟର ଦିଲୀପ କୁମାର ଗାଙ୍ଗୁଲି ଉଲ୍ଲେଖ କରିଅଛନ୍ତି । (୩୨)

 

କଙ୍ଗୋଦର ଉତ୍ତର ସୀମା ବା ଓଡ଼୍ରର ଦକ୍ଷିଣ ପଶ୍ଚିମ ସୀମା ମଧ୍ୟରେ ହୁଏନ୍‌ସାଂ ପ୍ରସିଦ୍ଧ ପୁଷ୍ପଗିରି ବିହାରର ଅବସ୍ଥିତି ଲକ୍ଷ୍ୟ କରିଥିଲେ । (୩୩) ପୁଷ୍ପଗିରି ବିହାରର ଅବସ୍ଥିତି ଓଡ଼୍ର ଦକ୍ଷିଣ ପଶ୍ଚିମ ସୀମାରେ ଥିବା ଫୁଲବାଣୀ ଓ ଘୁମୁସୁର ଅଞ୍ଚଳରେ ଖୋଜିବାପାଇଁ ଡକ୍ଟର ନବୀନ କୁମାର ସାହୁ ପରାମର୍ଶ ଦେଇଛନ୍ତି । ଏ ଦୃଷ୍ଟିରୁ ବିଚାର କଲେ ଦେଖାଯିବ ଯେ ଏହି ପ୍ରସିଦ୍ଧ ପୁଷ୍ପଗିରି ବିହାରଟି କଙ୍ଗୋଦର ଉତ୍ତର ସୀମାର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିଲା । ଏହି ପୁଷ୍ପଗିରି ବିହାର ଚିହ୍ନବର୍ଣ୍ଣ ଅଦ୍ୟାବଧି ଆବିଷ୍କୃତ ହୋଇପାରି ନାହିଁ । ସମ୍ଭବତଃ ଏହା କୌଣସି କାରଣରୁ ଧ୍ଵଂସ ହୋଇଯାଇଛି । ଏ ସମ୍ପର୍କରେ ଇତିହାସ ନୀରବ ରହିଥିଲେ ମଧ୍ୟ ଏପରି ଅନୁମାନ କରାଯାଇପାରେ ଯେ ଶୈଳୋଦ୍‌ଭବମାନଙ୍କ ଦ୍ଵାରା ଉପରୋକ୍ତମତେ ବୈଦିକ ପରମ୍ପରା ତଥା ବ୍ରାହ୍ମଣ୍ୟଧର୍ମର ପୁନଃ ପ୍ରତିଷ୍ଠା ସମୟରେ ଏହି ପୁଷ୍ପଗିରି ବିହାର ଧ୍ଵଂସପ୍ରାପ୍ତ ହୋଇଥିଲା । ଏହି ପୁଷ୍ପଗିରି ବିହାର ଯେଉଁ ସ୍ଥାନରେ ରହିଥିଲା ବୋଲି ଡକ୍ଟର ନବୀନ କୁମାର ସାହୁ ମତପ୍ରଦାନ କରିଅଛନ୍ତି, ତାହା ଏକ ଶବର ଅଧ୍ୟୁଷିତ ଅଞ୍ଚଳ ଓ ତାହାହିଁ ଜଗନ୍ନାଥଙ୍କର ଆଦିପୀଠ ଭୂମି ଥିଲା ବୋଲି ଆମେ ପୂର୍ବରୁ ଆଲୋଚନା କରିଛୁ । ଆମର ମନେହୁଏ ଧ୍ଵଂସ ପାଇବା ପୂର୍ବରୁ ଜଗନ୍ନାଥଙ୍କୁ ଏହିଠାରୁ ସ୍ଥାନାନ୍ତରିତ କରାଯାଇ ସୋନପୁରରେ ପାତାଳି କରି ରଖାଯାଇଥିଲା । ସେଇଥିପାଇଁ ହୁଏନ୍‌ସାଂ ପୁଷ୍ପଗିରି ବିହାର ପରିଦର୍ଶନ କଲାବେଳେ ସେଠାରେ ଜଗନ୍ନାଥଙ୍କର ଅସ୍ତିତ୍ଵ ଦେଖିପାରି ନ ଥିଲେ ।

 

ଧ୍ଵଂସ ପାଇଯାଇଥିଲେ ମଧ୍ୟ ଏହି ପୁଷ୍ପଗିରି ବିହାରର ଅବସ୍ଥିତି ନରସିଂହପୁରର ନନ୍ଦିନିଆଁ ପର୍ବତମାଳାରେ ରହିଥିଲା ବୋଲି ଆଲୋଚନା ପ୍ରସଙ୍ଗରେ ପୂର୍ବରୁ କୁହାଯାଇଛି । ମାଦଳାପାଞ୍ଜିରେ ଉଲ୍ଲେଖ କରାଯାଇଥିବା ରକ୍ତବାହୁ ପ୍ରସଙ୍ଗ ସମ୍ଭବତଃ ଶୈଳୋଦ୍‌ଭବମାନଙ୍କ କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ସୃଷ୍ଟି ହୋଇଅଛି । ବୌଦ୍ଧଧର୍ମର ବିଲୋପ ସାଧନ କରି ତାହାରି ଧ୍ଵଂସାବଶେଷ ଉପରେ ଏକ ହିନ୍ଦୁ ରାଜ୍ୟ ପ୍ରତିଷ୍ଠା କରିବାପାଇଁ ଶଶାଙ୍କ ଓ ତାହାଙ୍କର ସାମନ୍ତରାଜା ଦ୍ଵିତୀୟ ମାଧବରାଜ ଓ ଅନ୍ୟାନ୍ୟ ଉତ୍ତରାଧିକାରୀମାନେ ଯେଉଁ ଉଦ୍ୟମ କରିଥିଲେ ବୋଲି ଉପରେ ବର୍ଣ୍ଣିତ ହୋଇଛି, ସମ୍ଭବତଃ ତାହାହିଁ ବୌଦ୍ଧଧର୍ମର ଦେବତା ଜଗନ୍ନାଥଙ୍କ ପ୍ରତି ଏକ ବିପଦର ଆଶଙ୍କା ସୃଷ୍ଟି କରିଥିଲା ଓ ସେହି ଭୟରେ ଜଗନ୍ନାଥଙ୍କୁ ନେଇ ପାତାଳି କରାଯାଇଥିଲା । ଏହି ଘଟଣାଟି ଏକ କିମ୍ବଦନ୍ତୀ ଭାବରେ ଜନମାନସରେ ରହିଥିବାରୁ ତାହାକୁ ଏକ କପୋଳକଳ୍ପିତ ଢଙ୍ଗରେ ପ୍ରକାଶ କରି ମାଦଳାପାଞ୍ଜିକାର ଷୋଡ଼ଶ ଶତାବ୍ଦୀରେ ପାଞ୍ଜି ଲେଖିଲା ବେଳେ ରକ୍ତବାହୁ ଚରିତ୍ରକୁ ଏକ ଉପାଖ୍ୟାନ ମାଧ୍ୟମରେ ଅବତାରଣା କରିଛନ୍ତି । ବାସ୍ତବପକ୍ଷେ କହିବାକୁ ଗଲେ ଇତିହାସରେ ରକ୍ତବାହୁ ନାମକ କୌଣସି ବ୍ୟକ୍ତିବିଶେଷ ବା ଗୋଷ୍ଠୀ ନ ଥିଲେ । ଶଶାଙ୍କ ଓ ମାଧବରାଜଙ୍କ ସମୟରେ ବୌଦ୍ଧଧର୍ମ ପ୍ରତି ଯେଉଁ ଆଶଙ୍କା ଉପୁଜିଥିଲା, ସେହି ଘଟଣାଟିର ପ୍ରତିନିଧିତ୍ଵ କରିବାପାଇଁ ରକ୍ତବାହୁ ନାମକ ଏକ ଛଦ୍ମ ଚରିତ୍ରର ସୃଷ୍ଟି କରାଯାଇଅଛି ।

 

ପାଦଟୀକା

୧.

ମାଦଳାପାଞ୍ଜି (ରାଜଭୋଗ ଇତିହାସ), ସଂପା : ଆର୍ତ୍ତବଲ୍ଲଭ ମହାନ୍ତି, ପ୍ରକାଶନ: ଉତ୍କଳ ବିଶ୍ଵବିଦ୍ୟାଳୟ, ୧୯୬୯, ପୃ.୪

୨.

(କ) Panigrahi, (Dr) K.C.–Chronology of the Bhaumakaras and the Somavamsis of Orissa, Deptt. of Archaeology, Govt. of India, Central Circle, Bhopal, Cuttack, 1979, P. 26 (ଖ) Sharma, (Dr) Beena Kumari–Somavamsis Rule in Orissa, Punthi pustak, Calcutta, 1983, P.30

୩.

ବୌଦ ରାଜବଂଶାବଳୀ (ପ୍ରାକ୍‌କଥନ), କେଦାରନାଥ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ଵର-୨, ୧୯୯୬, ପୃ. ଆ

୪.

ମାଦଳାପାଞ୍ଜି (ରାଜଭୋଗ ଇତିହାସ), ସଂପା: ଆର୍ତ୍ତବଲ୍ଲଭ ମହାନ୍ତି, ଉତ୍କଳ ବିଶ୍ଵବିଦ୍ୟାଳୟ, ୧୯୬୯, ପୃ. ୧

୫.

ଦାସ, ବିପିନ ବିହାରୀ–ଶ୍ରୀ ଭଞ୍ଜଭୂମି କେନ୍ଦୁଝରୀ (ଦ୍ଵିତୀୟ ଭାଗ), ନୀଳାଚଳ ପ୍ରକାଶନୀ, ବଡ଼ବିଲ, କେନ୍ଦୁଝର, ୧୯୮୯, ପୃ. ଘ, ଣ, ୧୨୯

୬.

ଏଜନ୍–ପୃ. ୧୨୯, ୧୩୦

୭.

ଏଜନ୍–ପୃ. ୧୩୯

୮.

Ratha Raghunath–Origin of Bhanja Dynasty in Orissa Historical Research Journal, Vol. xxxx, No-1 to 4, Orissa State Museum, 1995, P. 21

୯.

ବ୍ୟାସଙ୍କ ମହାଭାରତ, ଭୀଷ୍ମପର୍ବ, ୩୦ ଅଧ୍ୟାୟ, ୨୦୮୪ ଶ୍ଳୋକ

୧୦.

Panigrahi, (Dr) K.C.-History of Orissa, Kitabmahal, Cuttack-3, 1986, P. 134

୧୧.

Panigrahi, (Dr) K.C.–Chronology of Bhaumakaras and Somavamsis of Orissa, M.L.J press Pvt. Ltd, Madras-4, 1979, P. 26.

୧୨.

Panigrahi, (Dr) K.C.–History of Orissa, Kitabmahal, Cuttack–3, 1986, P.79

୧୩.

lbid–P.79

୧୪.

ମାଦଳାପାଞ୍ଜି (ରାଜଭୋଗ ଇତିହାସ), ସଂପା: ଆର୍ତ୍ତବଲ୍ଲଭ ମହାନ୍ତି, ଉତ୍କଳ ବିଶ୍ଵବିଦ୍ୟାଳୟ, ୧୯୬୯, ପୃ.୧

୧୫.

Sahu, (Dr) N.K.–History of Orissa, Vol-1, Utkal University, 1964, P.145

୧୬.

Mishra, (Dr) K.C. Edi: Odradesa Raja Vamsavali, Institute of Orissan Cuttack, Vivekananda Marg, BBSR, 1983, Introduction, P.1

୧୭.

ଦାସ, (ପଣ୍ଡିତ) ନୀଳକଣ୍ଠ–ଓଡ଼ିଆ ସାହିତ୍ୟର କ୍ରମ ପରିଣାମ, ନିଉ ଷ୍ଟୁଡେଣ୍ଟସ ଷ୍ଟୋର, ବିନୋଦବିହାରୀ, କଟକ-୨, ୧୯୭୭/Das, Neelakantha-Hints on the significance and History of Jagannath in OHRJ. Vol. VII, No.1, 1958, P.14

୧୮.

Sahu, (Dr) N.K–History of Orissa, Vol-1, Utkal University, 1964, P.145

୧୯.

ପଣ୍ଡା (ଡଃ) ଭଗବାନ-ରାଜଧାନୀ କଟକ in ନଗର କଟକ ଓ ପଞ୍ଚକଟକ, ଦ୍ଵିତୀୟ ସ୍ତବକ, ଉତ୍କଳ ପାଠକ ସଂସଦ, ଓଡ଼ିଶା ବୁକ୍ ଷ୍ଟୋର, ବିନୋଦ ବିହାରୀ, କଟକ-୨, ୧୯୯୨, ପୃ.୧୪୧

୨୦.

ସାହୁ, (ଡଃ) ଯଜ୍ଞକୁମାର-ଓଡ଼ିଶା ଇତିହାସ (ପ୍ରଥମଭାଗ), ନାଳନ୍ଦା, ବିନୋଦବିହାରୀ, କଟକ-୨, ୧୯୯୧, ପୃ.୧୧୯

୨୧.

Sahu, (Dr) N.K–History of Orissa, Vol-1, Utkal University, 1964, P.120

୨୨.

ଦାସ (ପଣ୍ଡିତ) ନୀଳକଣ୍ଠ–ଓଡ଼ିଆ ସାହିତ୍ୟର କ୍ରମ ପରିଣାମ, ନିଉ ଷ୍ଟୁଡେଣ୍ଟ ଷ୍ଟୋର, ବିନୋଦ ବିହାରୀ, କଟକ-୨, ୧୯୭୭, ପୃ.

୨୩.

ପାଣିଗ୍ରାହୀ, (ଡଃ) କୃଷ୍ଣଚନ୍ଦ୍ର–ଇତିହାସ ଓ କିମ୍ବଦନ୍ତୀ, ପ୍ରକାଶନ, ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ଵର, ୧୯୬୨, ପୃ. ୭୧, ୭୨

୨୪.

ଦାସ, ଦୀନକୃଷ୍ଣ-ନାମରତ୍ନ ଗୀତା,

୨୫.

ମହାନ୍ତି (ଡଃ) ବଂଶୀଧର-ଓଡ଼ିଶାରେ ବୌଦ୍ଧଧର୍ମ, ୧୯୫୬, ପୃ. ୮୯

୨୬.

Mahapatra, K.N.-Orissa Historical Research Journal, Vol-।।, P.70

୨୭.

Mukherjee, P-Evolution of the Puri Traid, Silver Jubilee souvenir, Utkal University 1969, P.52

୨୮.

ସାହୁ, (ବୋଧିପ୍ରିୟ) ରାଧାକୃଷ୍ଣ-ବୁଦ୍ଧ ଜଗନ୍ନାଥ, ଓଡ଼ିଶା ବୁକ୍‌ଷ୍ଟୋର, ବିନୋଦ ବିହାରୀ, କଟକ-୨, ୧୯୯୯, ପୃ. ୩୮, ୩୯

୨୯.

ରାଜଗୁରୁ, (ଡଃ) ସତ୍ୟନାରାୟଣ-ଓଡ଼ିଶାର ଇତିହାସ, ଗ୍ରନ୍ଥ ମନ୍ଦିର, ବିନୋଦ ବିହାରୀ, କଟକ-୨, ଅଗଷ୍ଟ ୧୯୮୫, ପୃ. ୨୪୧

୩୦.

Behera, (Dr) Sarat Chandra-Rise and Fall of the Sailodbhavas, Punthi Pustak, Calcutta, 1982, P.163 & 164.

୩୧.

ରାଜଗୁରୁ (ଡଃ) ସତ୍ୟନାରାୟଣ-ଓଡ଼ିଶାର ଇତିହାସ, ଗ୍ରନ୍ଥମନ୍ଦିର, ବିନୋଦ ବିହାରୀ କଟକ-୨, ୧୯୮୫, ପୃ. ୨୫୪, ୨୫୫

୩୨.

Ganguly, (Dr) D.K–Historical Geography and Dynastic History of Orissa, Punthi Pustak. Calcutta, 1975, P.55

୩୩.

Ibid-P. 55

 

 

ବିଭାଗୀୟ ମୁଖ୍ୟ, ସ୍ନାତକୋତ୍ତର ଓଡ଼ିଆ ବିଭାଗ,

ଫକୀରମୋହନ (ସ୍ଵୟଂଶାସିତ) ମହାବିଦ୍ୟାଳୟ

ବାଲେଶ୍ଵର- ୭୫୬୦୦୧

 

***

 

ଗୀତରେ ଶ୍ରୀଜଗନ୍ନାଥ

ଡକ୍ଟର ରବିନାରାୟଣ ମହାରଣା

 

ଶ୍ରୀଜଗନ୍ନାଥ ହେଉଛନ୍ତି ଉତ୍କଳ ତଥା ସାଂପ୍ରତିକ ଓଡ଼ିଶାର ସର୍ବ ପୁରାତନ ଦେବତା । କେବଳ ସେତିକି ନୁହେଁ; ସେ ମଧ୍ୟ ଅତ୍ୟନ୍ତ ରହସ୍ୟମୟ ଦେବତା । ସେ ଯେତିକି ସମସ୍ତଙ୍କ ନିକଟରେ ପ୍ରିୟ; ସେତିକି ମଧ୍ୟ ଅବୋଧ୍ୟ ଓ ଅଜ୍ଞାତ । ଏ ସଂସାରରେ ଏମିତି କେହି ନାହାନ୍ତି ଯେ ଅତ୍ୟନ୍ତ ଦୃଢ଼ତାର ସହିତ କହି ପାରିବ, ତାଙ୍କୁ ସେ ସର୍ବାନ୍ତକରଣରେ ବୁଝି ପାରିଛନ୍ତି ବା ଉପଲବ୍ଧି କରି ପାରିଛନ୍ତି ବୋଲି । ତାଙ୍କୁ କେହି ବୈଷ୍ଣବ ବୋଲି କହୁଥିବା ବେଳେ କେହି ତାଙ୍କୁ ତନ୍ତ୍ରର ଦେବତା ବୋଲି ମଧ୍ୟ କହିଥାନ୍ତି । ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାପାଇଁ ଯେତିକି ମନ୍ତ୍ର ରହିଛି, ତାହାଠାରୁ ମଧ୍ୟ ଯଥେଷ୍ଟ ଅଧିକ ରହିଛି ଭକ୍ତିଭାବର ଆରାଧନାରେ । ତେଣୁ ସେ କେବଳ ଦେବତା ନୁହନ୍ତି; ଅଧିକନ୍ତୁ ଆମ ସାହିତ୍ୟ ଓ ସଂଗୀତ ଜଗତର ଏକ ଅବିଚ୍ଛେଦ୍ୟ ଚେତନା । ତାଙ୍କୁ ଛାଡ଼ି ଆମ ସାହିତ୍ୟ, ସଂସ୍କୃତି ଓ ସଂଗୀତର ମୂଲ୍ୟ କିଛି ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଓଡ଼ିଆ ସାହିତ୍ୟକୁ ନିରୀକ୍ଷଣ କଲେ ଜଣାଯାଏ ଯେ ଆଦିକବି ସାରଳା ଦାସଙ୍କଠାରୁ ଆରମ୍ଭ କରି ଆଧୁନିକ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ପର୍ଯ୍ୟନ୍ତ ସବୁ କବି ପ୍ରାୟ ଊଣାଧିକେ ଶ୍ରୀଜଗନ୍ନାଥଙ୍କର ଗୁଣ ଗାନ କରିଛନ୍ତି ନିଜ ନିଜ କୃତି ମଧ୍ୟରେ । ସାରଳାଙ୍କ ପୂର୍ବରୁ ଯଦିଓ ଲୋକସାହିତ୍ୟ ଶ୍ରୀଜଗନ୍ନାଥଙ୍କୁ ଆତ୍ମସ୍ଥ କରି ସାରିଥିଲା ତେବେ ପ୍ରଥମ କରି ସାରଳା ନିଜ ମହାଭାରତରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତି ସହକାରେ ସ୍ମରଣ କରିଥିଲେ ବୋଲି ଜଣାପଡ଼େ । ଯେପରି:

 

“ଶ୍ରୀଜଗନ୍ନାଥଙ୍କ ଶ୍ରୀ ଚରଣ ମୋର ସେବା

ସାରୋଳା ଦାସକୁ ମୁକତି ଗତି ଦେବା ।।”

(ମହାଭାରତ/ଆଦିପର୍ବ)

 

ପୁନଶ୍ଚ ସେ ମଧ୍ୟ କହିଛନ୍ତି,-

 

“ଶ୍ରୀଜଗନ୍ନାଥ ସୁମର ନରେ ନଥାଉ ଦୁର୍ଗତି

ଶ୍ରୀଜଗନ୍ନାଥ ସୁମର ନରେ ଖଣ୍ଡିବ ବିପତ୍ତି ।।

ଶ୍ରୀଜଗନ୍ନାଥ ନାମ ଗୋଟି ପ୍ରମାଣ ମୋକ୍ଷଦାତା

ଶ୍ରୀଜଗନ୍ନାଥ ସ୍ଵାମୀ ଅଭୟେ ବରଦାତା ।।

ଶ୍ରୀଜଗନ୍ନାଥ ନାମ ନରେ ନିରନ୍ତରେ କର ଅଭ୍ୟାସ

ଶ୍ରୀଜଗନ୍ନାଥଙ୍କ ପାଦପଦ୍ମ ଶରଣ ଶୂଦ୍ରମୁନି ସାରୋଳା ଦାସ ।।”

(ମହାଭାରତ/ମଧ୍ୟପର୍ବ)

 

ସେହିପରି ସାରଳାଙ୍କ ପରେ ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତ ସିଂହାର, ଦୀନକୃଷ୍ଣ ଦାସ ପ୍ରମୁଖଙ୍କଠାରୁ ଆରମ୍ଭ କରି ପୂର୍ବୋକ୍ତ ଓଡ଼ିଆ ଆଧୁନିକ କବିତାର ପିତୃପୁରୁଷ ସଚ୍ଚିଦାନନ୍ଦ ରାଉତରାୟଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ କୃତିରେ ଶ୍ରୀଜଗନ୍ନାଥଙ୍କ ସ୍ତୁତି କରିବାକୁ ପଛେଇ ନାହାନ୍ତି । ଉଦାହରଣ ଆଦୌ ଦୁର୍ଲ୍ଲକ୍ଷ୍ୟ ନୁହେଁ । ଯେପରି : କବି ବଳରାମ ଦାସ ଲେଖିଛନ୍ତି,-

 

“ବଳଭଦ୍ର ଯେ ସାମ ହୋଇ । ଋକ୍ ଯେ ସୁଭଦ୍ରା ଅଟଇ ।।

ଯଜୁର୍ବେଦ ଶ୍ରୀଜଗନ୍ନାଥ । ଅଥର୍ବ ସୁଦର୍ଶନ ପାର୍ଥ ।।

ନାସିକା ସୁଦର୍ଶନ କହି । ଅଧର ସୁଭଦ୍ରା ଅଟଇ ।।

ନୟନ ଜଗନ୍ନାଥ ଜାଣ । ବଳଭଦ୍ରଟି ଯେ ଶ୍ରବଣ ।।....”

(ଗୁପ୍ତଗୀତା/ସପ୍ତମ ଅଧ୍ୟାୟ)

 

ବା

 

ଶ୍ରୀଜଗନ୍ନାଥ ଦାସ ଲେଖନ୍ତି,-

“ନମସ୍ତେ ପ୍ରଭୁ ଜଗନ୍ନାଥ । ଅନାଥ ଲୋକଙ୍କର ନାଥ

ନମେସ୍ତେ ପ୍ରଭୁ ବାସୁଦେବ । ଭକତ ଜନଙ୍କ ବାନ୍ଧବ ।।.......”

(ଭାଗବତ)

 

ବା

କବି ସଚ୍ଚିଦାନନ୍ଦ ରାଉତରାୟ ଲେଖନ୍ତି,-

“କଳା ପରବତେ            ଲୀଳା ଲଗାଇଛ

ଆହେ ନୀଳାଚଳ ସାଆନ୍ତ

ମଣିମା ମଣିମା            ଡାକ ପଡ଼ିଅଛି

ପହଡ଼ ପଡ଼ିବା ଯାଏ ତ ।।”

(କବିତା-୧୯୮୫)

 

ତେବେ ଏହିଠାରେ ମନେ ପଡ଼େ ଏକଦା କବି ସମ୍ରାଟ ଉପେନ୍ଦ୍ର ଭଂଜଙ୍କ କବିତା ସମ୍ପର୍କରେ ଗୋପବନ୍ଧୁ କହିଥିବା ସେହି ପ୍ରସିଦ୍ଧ ଉକ୍ତିଟି । ତାହା ହେଉଛି,-“ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ/ପଥେ ପାନ୍ଥ ହୃଷ୍ଟ ମନା/ବିଲେ ବୋଲେ ଚଷା ଅନ୍ତପୁରେ ଯୋଷା/ନୃତ୍ୟରଙ୍ଗେ ବାରଙ୍ଗନା-।।” କବି ଗୋପବନ୍ଧୁଙ୍କର ଏହି ଉକ୍ତିଟିକୁ ଯଦି ଆମେ ଶ୍ରୀଜଗନ୍ନାଥଙ୍କପାଇଁ ବ୍ୟବହାର କରି ବିଶ୍ଳେଷଣ କରିବା, ତେବେ ସ୍ଵତଃ ଉପଲବ୍ଧି କରି ପାରିବା ଯେ ଆମ ସାହିତ୍ୟରେ ସାରଳାଙ୍କଠାରୁ ଆରମ୍ଭ କରି ଅଦ୍ୟାବଧି ସମସ୍ତ ସାରସ୍ଵତ କୃତିରେ ଶ୍ରୀଜଗନ୍ନାଥ ଯେପରି ଭାବରେ ରୂପାୟିତ ହୋଇଛନ୍ତି, ତାହା କେବଳ ବୌଦ୍ଧିକ ସ୍ତରୀୟ । ସାହିତ୍ୟ ପିପାସୁ ବିଦଗ୍ଧ ବିଜ୍ଞ ମଣ୍ଡଳୀଙ୍କୁ ଛାଡ଼ିଦେଲେ, ତାହା ସାଧାରଣ ଜନମାନସ ନିକଟରେ ଆଦୌ ପହଞ୍ଚି ପାରିନାହିଁ । ଅନ୍ୟପକ୍ଷରେ କହିବାକୁ ଗଲେ, ଯାହା ସାଧାରଣରୁ ଅତି ସାଧାରଣ ଜନମାନସକୁ ଆଚ୍ଛନ୍ନ କରିଛି ତାହା ହେଉଛି ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ବା ପର୍ଯ୍ୟବସିତ ସହସ୍ର ସହସ୍ର ଗୀତମାନ । ସେହି ସବୁ ଗୀତରେ ଶ୍ରୀଜଗନ୍ନାଥ କେବଳ ବର୍ଣ୍ଣିତ ନୁହନ୍ତି; ଅଧିକନ୍ତୁ ଶ୍ରୀଜଗନ୍ନାଥ କ୍ଷେତ୍ର ଓ ତାଙ୍କର ଲୀଳା ଖେଳା ଇତ୍ୟାଦି ମଧ୍ୟ ବର୍ଣ୍ଣାଢ଼୍ୟ ରୀତିରେ ଉପସ୍ଥାପିତ ।

 

ଏହିଠାରେ ଗୋଟିଏ କଥାକୁ ଉଲ୍ଲେଖ କଲେ ଆଦୌ ଅତ୍ୟୁକ୍ତି ହେବ ନାହିଁ ଯେ ଓଡ଼ିଶାର ପ୍ରକୃତିକ ପରିବେଶ ଓ ତା’ର ଅପୂର୍ବ ଶୋଭାରାଶି ସବୁବେଳେ ସମସ୍ତଙ୍କୁ ସଂଗୀତ ରଚନା କରିବାକୁ ବା ସାଧନା କରିବାକୁ ପ୍ରେରଣା ଯୋଗାଇଛି । ବିଶେଷ କରି ମହୋଦଧିର ବେଳାଭୂମି, ବଡ଼ଦାଣ୍ଡର ଶରଧାବାଲିର ମମତା ଇତ୍ୟାଦି ସମସ୍ତଙ୍କୁ ସବୁବେଳେ ମନ୍ତ୍ରମୁଗ୍ଧ କରି ତୋଳିଧରେ । ଏହି ଭୂମିରେ ସମସ୍ତେ ରସିକ, ସମସ୍ତେ ସଂଗୀତପ୍ରିୟ । ସେହି କାରଣରୁ ମଧ୍ୟ ଆମର ପ୍ରଭୁ ଶ୍ରୀଜଗନ୍ନାଥ ଅତ୍ୟନ୍ତ ସଂଗୀତ ପିପାସୁ । ରାତ୍ରିର ଅନ୍ତିମ ପ୍ରହରରେ ସଂଗୀତ ବିଶେଷ କରି ଶ୍ରୀ ଜୟଦେବଙ୍କ ଗୀତ ଗୋବିନ୍ଦକୁ ନ ଶୁଣିଲେ ତାଙ୍କ ଆଖିରେ ନିଦ ହୁଏ ନାହିଁ । କୁହାଯାଏ ଥରେ ଗୋଟିଏ ଚୋର ରାତିରେ ଚୋରି କରିବାକୁ ଲୁଚି ଲୁଚି ଯାଉଥିବା ବେଳେ ଶ୍ରୀ ଗୀତଗୋବିନ୍ଦକୁ ଗାଇ ଗାଇ ଚାଲିଥିଲା । ମାତ୍ର ତା’ର କଣ୍ଠରେ ସେହି ଗୀତ ଏତେ ମାଧୁର୍ଯ୍ୟମୟ ହୋଇ ଉଠିଥିଲା ଯେ ପ୍ରଭୁ ଶ୍ରୀଜଗନ୍ନାଥ ତାହାକୁ ଶୁଣିବାପାଇଁ ତା’ପଛେ ପଛେ ଚାଲିଥିଲେ । ଚୋର ବାଇଗଣ କିଆରୀରେ ପଶିଲା-ପ୍ରଭୁ ମଧ୍ୟ ବାଇଗଣ କିଆରୀରେ ପଶିଲେ । ତାଙ୍କର ଲୁଗା-ଚଦର ବାଇଗଣ କଣ୍ଟାଲାଗି ଚିରିଗଲା, ଦେହ କ୍ଷତାକ୍ତ ହୋଇ ଉଠିଲା । ମାତ୍ର ଶ୍ରୀଜଗନ୍ନାଥଙ୍କର ସେ ଦିଗରେ ଆଦୌ ଭ୍ରୁକ୍ଷେପ ନ ଥିଲା । ଯଦିଓ ଏହି ସତ୍ୟ ଘଟଣା ତାହାର ପରଦିନ ସର୍ବ ସମ୍ମୁଖରେ ଜଣା ପଡ଼ି ଯାଇଥିଲା । ଏବଂ ସେହି ଦିନଠାରୁ ଶ୍ରୀମନ୍ଦିରରେ କୁଆଡ଼େ କବି ଜୟଦେବଙ୍କ ରଚିତ ଶ୍ରୀ ଗୀତଗୋବିନ୍ଦ ବୋଲା ଯିବାର ବିଧିଟି ପ୍ରଚଳିତ ରହିଛି । ସତରେ ଗୀତ ଗୋବିନ୍ଦର ସେହି ପଙ୍‌କ୍ତି : “ରତିସୁଖସାରେ ଗତମଭିସାରେ ମଦନ ମନୋହର ବେଶମ୍/ନ କୁରୁ ନୀତମ୍ବିନୀ ଗମନ ବିଲମ୍ବେନ ଅନୁସର ତଂ ହୃଦୟେଶଂ ।”କୁ ଶ୍ରବଣ କଲେ କେଉଁ ଓଡ଼ିଆ ପୁଣି ପୁଲକିତ ନ ହୁଏ ? ସମୟ କ୍ରମେ ଆମ ଓଡ଼ିଆ ଗୀତ ଶ୍ରୀଜଗନ୍ନାଥଙ୍କ ଚେତନାକୁ ଆତ୍ମସ୍ଥ କରିଛି ଓ ସେହି ମର୍ମରେ ପୁଷ୍ଟ ହୋଇଛି ମଧ୍ୟ ।

 

ଶ୍ରୀଜଗନ୍ନାଥଙ୍କ ଉପରେ ଅଦ୍ୟାବଧି ରଚିତ ହୋଇଥିବା ସହସ୍ର ଗୀତିକାମାନଙ୍କୁ ଆମେ ବୌଦ୍ଧିକ ସ୍ତରରେ ଦୁଇଟି ପର୍ଯ୍ୟାୟରେ ବିଭାଜିତ କରି ପାରିବା । ଯେପରି : ସ୍ତୁତି ବା ଜଣାଣ ରୂପକ ଗୀତିକା ଓ ଅନ୍ୟଟି ହେଉଛି ମହାତ୍ମ୍ୟାତ୍ମକ ଗୀତିକା । ପ୍ରଥମ ପର୍ଯ୍ୟାୟର ଗୀତିକା ମଧ୍ୟରେ ଆସିବେ ପୂର୍ବୋକ୍ତ ସାରଳା ଦାସଙ୍କ କୃତିରେ ରହିଥିବା ଶ୍ରୀଜଗନ୍ନାଥ ସ୍ତୁତିଠାରୁ ଆରମ୍ଭ କରି ଏ ଯାବତ୍ ପ୍ରଚଳିତ ଥିବା ସ୍ତୁତି ବା ଜଣାଣ ଇତ୍ୟାଦି । ଏହି ଗୀତିକାରେ କେବଳ ଶ୍ରୀଜଗନ୍ନାଥଙ୍କ ମହିମା, ସେ ଅନ୍ୟ ଅନ୍ୟ ଅବତାରରେ କଣ କଣ କରିଥିଲେ, କିପରି ମୃଗୁଣୀକୁ ରକ୍ଷା କରିଥିଲେ (ହରିଣୀକୁ ଘୋର ବନେ ପଡ଼ିଥିଲା କଷଣ/ଡାକିଲା ମାତ୍ରକେ ହରି ରକ୍ଷା କଲ ଆପଣ/ଆହେ ନୀଳ ଶଇଳ), କିପରି ନକ୍ର (କୁମ୍ଭୀର)କୁ ମାରି ଗଜ ଉଦ୍ଧାରଣ କରିଥିଲେ (ଲକ୍ଷ ଯୋଜନରେ ଗଜ ଡାକ ଦେଲା ତୁମ୍ଭଙ୍କୁ/ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ତାହାକୁ, ପତିତ ପାବନ ବାନା ଆଉ କେତେ ବେଳକୁ), କିପରି ଅଜାମିଳକୁ ବୈକୁଣ୍ଠ ପ୍ରଦାନ କରିଥିଲେ (ଅଜାମିଳ ଡାକ ଦେଲା ଜୀବ ଯିବା ବେଳେଣ/ଏତେ ବଡ଼ ପାପୀ ଗଲା ବଇକୁଣ୍ଠ ଭୁବନ) ବା କିପରି ଦ୍ରୋପଦୀଙ୍କୁ କୋଟି ବସ୍ତ୍ର ପ୍ରଦାନ କରି ତା’ର ଲଜ୍ଜା ନିବାରଣ କରିଥିଲେ (କୁରୁ ସଭା ତଳେ ପାଞ୍ଚାଳୀ ଚିନ୍ତିଲା କୋଟି ବସ୍ତ୍ର ଦେଲ ଅବହେଳେ/ମାନ ଉଦ୍ଧାରଣ କର ହେ କାରଣ, ଶରଣ ମୁଁ ତୁମ୍ଭ ପାଦତଳେ) ଇତ୍ୟାଦି । କେବଳ ସେତିକି ନୁହେଁ, ଅଭିମାନ ବି ରହିଛି; ରହିଛି ମଧ୍ୟ ଅଭିଯୋଗ, ରହିଛି ବି କ୍ରୋଧ । ଏହି ଯେମିତି :

 

(୧)      ସମ୍ପୂର୍ଣ୍ଣ ଆତ୍ମ ସମର୍ପଣରେ କବି ବନମାଳୀ କହୁଛନ୍ତି:

ଜଗନ୍ନାଥ ହୋ ! କିଛି ମାଗୁନାହିଁ ତତେ

ଧନ ମାଗୁ ନାହିଁ                   ଜନ ମାଗୁ ନାହିଁ

ମାଗୁଛି ଶରଧା ବାଲିରୁ ହାତେ ।।

(୨)      ଆକୁଳ ପ୍ରାର୍ଥନାରେ କବି ମାଧବୀ ଦାସୀ କହୁଛନ୍ତି:

ଚକା ନୟନ ହେ ! ଜଗୁ ଜୀବନ ଶ୍ରୀହରି !

କାତରେ ଜଣାଣ                  କରୁଛି ଛାମୁରେ

ଶୁଣ ପ୍ରଭୁ ଶ୍ରୁତି ଡେରି ।।

(୩)      ଅଭିମାନରେ କବିସୂର୍ଯ୍ୟ ବଳଦେବ ରଥ କୁହନ୍ତି:

 

କ୍ଷୀରମୟ ସିନ୍ଧୁ ଜେମା ପ୍ରାଣବଂଧୁ            ତୁମ୍ଭେ ତ ଜଗତପତି

ଟେକି ସମଦୃଷ୍ଟି ପତାକାକୁ ପୁଣି             ଏ ପକ୍ଷପାତ ରୀତି

ହେ ମହାପ୍ରଭୁ ! କେ କି କଲା, ମୁଁ ନ କଲି ?

କେ କି ଦେବା ଅବା ମୁଁ ଅବା ନ ଦେବା

ହେଲି ଏତେ ସରି ହେ ?

(୪)      କ୍ରୋଧରେ କବି ବଳଦେବ ତ କୁହନ୍ତି:

ତୁମ୍ଭଙ୍କୁ ଜଗନ୍ନାଥ !            ଆଜ ମୋ ମନୋରଥ

ଭରତି କରି ଦେବି ଗାଳି ହେ !

x      x      x      x

କାଳ ସର୍ପ ଆପଣ କବଳ କର ପ୍ରାଣ ପବନମାନଙ୍କୁ ସବୁରି ହେ !

 

ତେଣୁ ଶ୍ରୀଜଗନ୍ନାଥ ସବୁ ଶୁଣନ୍ତି, ସବୁ ବୁଝନ୍ତି । ଇଂଗିତରେ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଦିଅନ୍ତି । କେବଳ ଆତ୍ମ ସମର୍ପଣରେ ତାହାକୁ ଉପଲବ୍ଧି କରି ପାରିଲେ ହେଲା ।

 

ତେବେ ଶ୍ରୀଜଗନ୍ନାଥଙ୍କ ଉପରେ ଆଉ କେତେକ ଗୀତ ରହିଛି, ଯାହାକୁ ପାଠ କଲେ ବା ଶୁଣିଲେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ କେବଳ ନୁହେଁ; ଅଧିକନ୍ତୁ ଶ୍ରୀ କ୍ଷେତ୍ର ସମ୍ପର୍କରେ ମଧ୍ୟ ସବୁ କିଛି ଜାଣି ହୋଇଯାଏ । ଯେପରି : ଭକ୍ତ ସାଲବେଗଙ୍କର “ଆହେ ନୀଳଗିରି !” (ଏଥିରେ ପୁରୀ ମନ୍ଦିର ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ରହିଛି ।), “ମହାବାହୁ ! ଏହି କଥାରେ ମୋ ମନ” (ଏହି କବିତାରେ ଶ୍ରୀଜଗନ୍ନାଥଙ୍କର ମନ୍ଦିରର ସମସ୍ତ ନୀତି ସମ୍ପର୍କରେ ବିଭିନ୍ନ ବର୍ଣ୍ଣନା ରହିଛି), କବି ବନମାଳୀଙ୍କର “ଏହି ଅଳି ଶ୍ରୀଛାମୁରେ,” (ଏଥିରେ ଶ୍ରୀ ମନ୍ଦିରର ବିଭିନ୍ନ ଘଟଣା ବର୍ଣ୍ଣନା ରହିଛି), ଏବଂ ସବୁଠାରୁ ଅତି ସୁନ୍ଦର ତଥା ମନ ମତାଣିଆ ଗତ ହେଉଛି ସାରିଆ ଭିଖର ଗୀତ “ଥକା ମନ ଚାଲ ଯିବା, ଚକା ନୟନ ଦେଖିବା” (ଏଥିରେ ଶ୍ରୀକ୍ଷେତ୍ରକୁ ଯିବା ବାଟରେ କଣ କଣ ପଡ଼େ, ଯେମିତି ଅଠର ନଳା, ବାଟ ମଂଗଳା ଇତ୍ୟାଦିରୁ ଆରମ୍ଭ କରି ମନ୍ଦିର ଭିତରର ବେତ ପ୍ରହାର ପର୍ଯ୍ୟନ୍ତ ସବୁକିଛିର ବର୍ଣ୍ଣନା ରହିଛି) ଏବଂ ଶ୍ରୀଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ରହିଛି ସାଲବେଗଙ୍କର ସେହି ମନଛୁଆଁ ଗୀତରେ, “ଜଗବଂଧୁ ହେ ! ଗୋସାଇଁ,”ରେ । ଏହି ଗୀତ ଗୁଡ଼ିକ ଏତେ ମନଛୁଆଁ ଓ ଏତେ ରସାଣିତ ଯେ ଯିଏ ଏହାକୁ ଥରେ ଶୁଣିଛି ସେ ନିଶ୍ଚିତ ଭାବରେ ତାର ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ତାହାକୁ ମନେ ରଖିଥିବ ଓ ଅନ୍ତିମ ଶଯ୍ୟାରେ ମଧ୍ୟ ତାହାକୁ ସ୍ମରଣ କରୁଥିବ । ସବୁଠାରୁ ବଡ଼ କଥା ହେଉଛି ଯେ ଶ୍ରୀଜଗନ୍ନାଥଙ୍କ ଶ୍ରୀ ମନ୍ଦିର ନିର୍ମାଣ ଓ ନୀଳ ମାଧବରୁ ନୀଳକନ୍ଦରରେ ଦାରୁ ବିଗ୍ରହ ବା ଦାରୁ ଦେବତା ହେବା ପ୍ରସଂଗ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ ସର୍ବଜନାଦୃତ ପୁସ୍ତକ ଭାବରେ ବିବେଚିତ ହେଉଥିବା ପୁସ୍ତକଟି ହେଉଛି “ଦେଉଳ ତୋଳା” । ଏହା ଲକ୍ଷ୍ମୀପୁରାଣ ଶୈଳୀରେ ରଚିତ । ଏହି ବହିରେ ବର୍ଣ୍ଣିତ ଥିବା କିମ୍ବଦନ୍ତୀକୁ ଇତିହାସ କିନ୍ତୁ ସ୍ଵୀକାର କରେ ନାହିଁ । ମାତ୍ର ତାହା ଏ ଯାବତ୍ ଓଡ଼ିଆ ଜନମାନସକୁ ନିବିଡ଼ ଭାବରେ ଆଚ୍ଛାନ୍ନ କରି ରଖିଛି ଓ ତାହାକୁ ଆଧାର କରି ଆମର ଅନେକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ ହୋଇ ଯାଇଛି । ଏହି ବହିର ଏକ ସ୍ଵାତନ୍ତ୍ର୍ୟ ରହିଛି ।

 

ସମ୍ପ୍ରତି ଆହୁରି ଅନେକ ଚିତ୍ତାକର୍ଷକ ଗୀତ ଲେଖା ଗଲାଣି, ଯେଉଁଥିରେ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ଘଟଣା ବହୁଧା ଭାବରେ ବର୍ଣ୍ଣିତ ଓ ଅନେକ କ୍ଷେତ୍ରରେ କବିର ମନରେ ଦେଖା ଦେଇଥିବା ସଂଶୟ ମଧ୍ୟ ସେଥିରେ ପ୍ରକାଶିତ । ଦୃଷ୍ଟାନ୍ତମାନ ଦେଖନ୍ତୁ:

 

(୧)      କୋଠ ଭୋଗଖିଆ            ମୋ ଚକା ଆଖିଆ

ଉଠ ହେ ପହଡ଼ ଭାଂଗି

ପଣ୍ଡା ପଢ଼ିହାରି            କରନ୍ତି ଗୁହାରୀ

ହେବାକୁ ଚନ୍ଦନ ଲାଗି ।।

 

(ଏଥିରେ ସକାଳେ ଶ୍ରୀଜଗନ୍ନାଥଙ୍କ ନିଦ୍ରାଭଂଗ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା ରହିଛି । ସକାଳ ହୋଇଯାଇଛି । ଦେବଦାସୀ ତୁଳସୀ ଓ ଦୟଣାର ମାଳା ଧରି ଅପେକ୍ଷା କରିଛି । ପ୍ରଭୁଙ୍କର ନିଦ୍ରାଭଙ୍ଗ ହେଲେ ବଡ଼ ସିଂହାର ବେଶ ହେବେ । ମାତ୍ର ଠାକୁର ଷାଠିଏ ପଉଟି ଖାଇ ନିଘୋଡ଼ ନିଦରେ ଶୋଇ ପଡ଼ିଛନ୍ତି । ତାଙ୍କ ନିଦ୍ରାଭଙ୍ଗ ହେଉନାହିଁ ।)

 

(୨) ମହାଲକ୍ଷ୍ମୀ କହୁଛନ୍ତି ନନ୍ଦିଘୋଷକୁ,

ଆସିବନି ଆଉ ଯମା ଆର ରଥକୁ,

ନଅ ଦିନପାଇଁ            ତୁମେ ଗଲେ ନେଇ

ମୁଁ ଅନ୍ନ ପରିସିବି କାହାକୁ ?

 

(ଏହି ଗୀତରେ ରଥଯାତ୍ରରେ ଶ୍ରୀଜଗନ୍ନାଥ ନବଦିନ ଧରି ଶ୍ରୀମନ୍ଦିରରୁ ବାହାରେ ରହିବା ଫଳରେ ମା’ ମହାଲକ୍ଷ୍ମୀଙ୍କର ମନରେ କି ପ୍ରକାର ଭାବ ଜାଗ୍ରତ ହୋଇଥିବ, ତାହାର ବର୍ଣ୍ଣନା ରହିଛି-। ଜଗନ୍ନାଥ, ଯିଏ କି ବଡ଼ ଖିଆ ଭାବେ ସଚରାଚରରେ ବିଦିତ, ସିଏ ଯଦି ଶ୍ରୀମନ୍ଦିରରେ ନ ରହିବେ; ତେବେ ମହାଲକ୍ଷ୍ମୀ କାହାପାଇଁ ଅବଢ଼ା ରାନ୍ଧିବେ ? ସେ କାହାକୁ ପାଟ ପୀତାମ୍ବରୀ ଓ ଚନ୍ଦନ-କୁସୁମରେ ସଜାଇବେ ? ମହାଲକ୍ଷ୍ମୀ ତାଙ୍କର ପାଦ ମୋଡ଼ି ଦେଲେ, ତାଙ୍କ ଚକାଆଖିରେ ନିଦ ଆସେ । ଏବଂ ଯେଉଁ ଦିନ ତାଙ୍କ ଆଖିରେ ନିଦ ନ ଆସେ ତେବେ ସେ ମହାଲକ୍ଷ୍ମୀଙ୍କ ନିକଟରେ ଅଝଟ କରନ୍ତି । ଏବେ ତାଙ୍କ ଆଖିରେ ତ ନିଦ ଆସିବ ନାହିଁ; ସେ ଏବେ କାହା ସହିତ ଅଝଟ କରିବେ ? ଏହା ସ୍ଵଭାବିକ ଭାବରେ ଏକ ଗୃହିଣୀ ନାରୀର ସ୍ଵାମୀ ପ୍ରତି ଥିବା ନିହିତ ଭକ୍ତିର କଥା ।)

 

(୩)ଲକ୍ଷ୍ମୀଛଡ଼ା ହୋଇ                  ଯେବେ ଦୁଇଭାଇ

ବାର ଦ୍ଵାର ବୁଲୁଥିଲେ,

ସୁଭଦ୍ରା କେଉଁଠି ଥିଲେ ?

 

(ଏହି ଗୀତରେ କବି ମନରେ ଉଠିଥିବା ସଂଶୟଟି ବେଶ ସ୍ପଷ୍ଟ ଭାବରେ ପ୍ରକାଶ ପାଇଛି-। ମହାଲକ୍ଷ୍ମୀଙ୍କ କୋପରେ ମହାପ୍ରଭୁ ବାରଦ୍ଵାର ହେଲାବେଳେ ସେ ତାଙ୍କ ଭଉଣୀଙ୍କୁ ସ୍ଵଭାବିକ ଭାବରେ କେଉଁଠି ଛାଡ଼ି ଯାଇଥିଲେ ? ଯାହା କୌଣସି ପୁରାଣ-ଶାସ୍ତ୍ରରେ ଲେଖା ନାହିଁ; ସେହି ପ୍ରଶ୍ନକୁ ସେ ମହାପ୍ରଭୁଙ୍କୁ ମାତ୍ର ପଚାରିଛନ୍ତି ।)
 

ତେବେ ପରିଶେଷରେ ଏତିକି କହିହେବ ଯେ ଉତ୍କଳର ବା ତଥାକଥିତ ଓଡ଼ିଶାର ପ୍ରଧାନ ଦେବତା ଶ୍ରୀଜଗନ୍ନାଥ ହେଉଛନ୍ତି ମୁଖ୍ୟତଃ ଭକ୍ତଙ୍କ ଦେବତା, ସ୍ନେହର ଦେବତା । ମାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ସଚରାଚରରେ ଅଧାଗଢ଼ା ଦିଅଁ ବୋଲି କଥିତ ହୋଇଥାନ୍ତି । କିନ୍ତୁ ମୁଁ ଭାବେ ସେ ଆଦୌ ଅଧାଗଢ଼ା ନୁହନ୍ତି; ବରଂ ସ୍ଵୟଂ ସମ୍ପୂର୍ଣ୍ଣ ପରଂବ୍ରହ୍ମ । ଭକ୍ତିଟିଏ ତାଙ୍କ ଦୁଆରକୁ ଯାଇ ପହଞ୍ଚିବା ପୂର୍ବରୁ ସେ ଅତ୍ୟନ୍ତ ଖୁସିରେ ତାଙ୍କୁ ଆଲିଙ୍ଗନ କରି କୋଳେଇ ନେଇଥାନ୍ତି । ତେଣୁ ଭକ୍ତ ତ ତାଙ୍କର ଆବକ୍ଷ ପ୍ରତିମାକୁହିଁ ଦର୍ଶନ କରିବ; ମହାପ୍ରଭୁଙ୍କ ବାହୁବନ୍ଧନ ମଧ୍ୟରେ ରହିଲେ ଭକ୍ତଟିଏ ତାଙ୍କର ଆଜାନୁଲମ୍ବିତ ବାହୁ ଯୁଗଳକୁ ଦେଖିବ ବା କିପରି ? ସେ ତ କେବଳ ତାଙ୍କର ଅର୍ଦ୍ଧବାହୁ ବା ମହାବାହୁକୁ ଦର୍ଶନ କରିବ । ତେଣୁ ମହାବାହୁଙ୍କ ମହାପ୍ରେମରେ ମଣିଷ ତଲ୍ଲୀନ ହୋଇଗଲା ବେଳେ କେବଳ ଏତିକି ପ୍ରାର୍ଥନା କରେ ଯେ,-

 

“ତୁମେ ଅଛ ବୋଲି ମୁଁ ଅଛି, ପ୍ରଭୁ !

ଏ ଦୁନିଆ ଦାଣ୍ଡେ            ନୁହେଁ ମୁଁ ଏକାକୀ

ତୁମେ ମୋର ସବୁ କିଛି ।

ତୁମେ ଅଛ ବୋଲି ମୁଁ ଅଛି !”

 

ବାସ୍ତବରେ ଶ୍ରୀଜଗନ୍ନାଥ ବିନା ଏ ଜଗତର ପରିକଳ୍ପନା ଅସମ୍ଭବ । ତାଙ୍କରି ମଂଗଳ ଗୀତରେ ମଣିଷ ହଜିଯାଉ, ତାଙ୍କରି ଭାବନାରେ ମଣିଷ ମଜ୍ଜିଯାଉ; ତାଙ୍କରି ଚିନ୍ତାରେ ଏ ଦେହ ଦେହାତୀତ ହେଉ । ଜୟ ଜଗନ୍ନାଥ ! ଜୟ ଜଗନ୍ନାଥ !

 

 

ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ରଘୁନାଥଜୀଉ ମହାବିଦ୍ୟାଳୟ, କଟକ-୭୫୩୦୦୮

E-mail: moharana.rabinarayan@gmail.com

ଓଡ଼ିଶା ସାହିତ୍ୟ ଏକାଡେମୀ

 

***